ଦେଶରେ ବେକାରୀ ବଢ଼ୁଛି ବୋଲି ହଲ୍ଲା ଚାଲିଥିବା ବେଳେ ପକୁଡ଼ି ବିକିବା ବି ଏକ ‘ରୋଜଗାର’ ବୋଲି ପ୍ରଧାନମନ୍ତ୍ରୀ କହିବା ଲୋକଙ୍କୁ ବ୍ୟଥିତ, ଚିନ୍ତିତ ଓ ଆମୋଦିତ କରିଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ଭଳି ବିରୋଧୀ ଦଳ ନେତା ତାତ୍ସଲ୍ୟରେ କହିଥିଲେ, ତାହାହେଲେ ଭିକାରୀ ବି ବେରୋଜଗାର ନୁହେଁ। ଶାସକ ଦଳର ଅନେକ ନେତା ତଥା କିଛି ଅର୍ଥନିତିଜ୍ଞ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ଉଦାହରଣକୁ ଭୁଲ ନୁହେଁ ବୋଲି ଦର୍ଶାଇ ଆହୁରି ଉଦାହରଣ ଯୋଡ଼ିଲେ। ନିକଟରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଯୁବକଯୁବତୀଙ୍କୁ ଚାକିରୀ ଚିନ୍ତା ଛାଡ଼ି ପାନ ଦୋକାନ ଖୋଲ ବୋଲି କହିଛନ୍ତି। ଅନେକ ମନ୍ତ୍ରୀ ମୁଦ୍ରା ଯୋଜନା, ଦକ୍ଷତା ବିକାଶ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ରୋଜଗାର ଭଳି ଯୋଜନାରେ ଅନେକ ରୋଜଗାର ହୋଇଥିବାର ଦାବୀ କରିଛନ୍ତିି। ଏଭଳି ସ୍ଥିତିରେ ରୋଜଗାର କ’ଣ ଓ ରୋଜଗାର ସମ୍ବନ୍ଧୀୟ ତଥ୍ୟାବଳୀ କେମିତି ସଂଗ୍ରହ ହେଉଛି ତଥା ସରକାରଙ୍କ ଉତ୍ତରଦାୟିତ୍ୱ କ’ଣ ରହିଛି ତାହାକୁ ନେଇ ଘୋର ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।
ବିଭିନ୍ନ ପକ୍ଷର ଅଭିଯୋଗ ଉଠୁଛି ଯେ ସରକାରଙ୍କ ପାଖରେ ରୋଜଗାର-ବେରୋଜଗାର ସମ୍ବନ୍ଧରେ ସଠିକ୍ ତଥ୍ୟ ନାହିଁ। ନିକଟରେ ସରକାର ରଖିଥିବା ଏକ ଉତ୍ତର ଦେଖିବା। ରାଜ୍ୟସଭାରେ ସରକାରଙ୍କୁ ଏକ ସିଧା ପ୍ରଶ୍ନ ଥିଲା, ‘ଦେଶରେ ମୋଟ କେତେ ରୋଜଗାର ସୁୃଷ୍ଟି ହୋଇଛି ତାହାର ରେକର୍ଡ଼ ସରକାର ରଖନ୍ତି କି’? ୨୦୧୮ ମସିହା ମାର୍ଚ୍ଚ ୨୮ ତାରିଖରେ ଏହାର ଉତ୍ତରରେ ସରକାର କହିଲେ ଯେ ‘ଦେଶରେ ରୋଜଗାର ବେରୋଜଗାରର ସ୍ଥିତି ଜାଣିବା ପାଇଁ ନ୍ୟାସନାଲ ସାମ୍ପଲ ସର୍ଭେ ଅଫିସ ଲେବର ଫୋର୍ସ ସର୍ଭେ କରନ୍ତି।’ ଭଲ କଥା। ତେବେ ତାହା ହୁଏ ପାଞ୍ଚ ବର୍ଷରେ ଥରେ। ସେଭଳି ଶେଷ ସର୍ଭେ ହୋଇଥିଲା ୨୦୧୧-୧୨ ମସିହାରେ। ଅବଶ୍ୟ ମନ୍ତ୍ରୀ ପୁଣି କହିଥିଲେ ଯେ ଲେବର ବ୍ୟୁରୋ ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ମଧ୍ୟ ଏକ ବାର୍ଷିକ ସର୍ଭେ କରନ୍ତି। ସେହିଭଳି ଶେଷ ସର୍ଭେ ହୋଇଥିଲା ୨୦୧୫-୧୬ ମସିହାରେ। ତେବେ ଏହି ସୂଚନା ଦେଇ ମନ୍ତ୍ରୀ ଆହୁରି କହିଥିଲେ ଯେ ରୋଜଗାରର ସ୍ଥିତି ସମ୍ବନ୍ଧୀୟ ତଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆଣିବା ଲକ୍ଷ୍ୟରେ ନୀତି ଆୟୋଗ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ। ସେହି ଟାସ୍କଫୋର୍ସ ‘ଔପଚାରିକ କର୍ମନିୟୋଜନ’ର ସଜ୍ଞା ପୁନଃ-ନିର୍ଦ୍ଧାରଣ କରିବା ପାଇଁ କହିଛନ୍ତି। ଏହା ସହିତ ଟାସ୍କଫୋର୍ସର ସୁପାରିଶ କ୍ରମେ ଏବେ ଶ୍ରମ ବଜାରର ସ୍ଥିତିକୁ ଅଧିକ ଶୀଘ୍ର ଜାଣିବା ପାଇଁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ୨୦୧୭ ମସିହା ଏପ୍ରିଲ ମାସରୁ ତ୍ରୟମାସିକ ‘ପିରିୟଡ଼ିକ ଲେବର ଫୋର୍ସ ସର୍ଭେ’ ଆରମ୍ଭ କରିଛନ୍ତି।
ବେରୋଜଗାର ମାତ୍ରା ଓ ରୋଜଗାରର ପ୍ରକାର କୌଣସି ବି ଅର୍ଥନୀତିର ଏକ ମାନକ ଅଟେ। ତେଣୁ ବିଶ୍ୱର ସମସ୍ତ ପ୍ରମୁଖ ଦେଶ ଏହାକୁ ଖୁବ୍ ଗୁରୁତ୍ୱ ଦିଅନ୍ତି। ଆମେରିକାର ସରକାରଙ୍କ ‘ବ୍ୟୁରୋ ଅଫ ଲେବର ଷ୍ଟାଟିଷ୍ଟିକ୍ସ’ ପ୍ରତି ମାସ ବେକାରର ସ୍ଥିତି ମାପିବା ପାଇଁ ଏକ ସର୍ଭେ କରିଥାନ୍ତି। ୧୯୪୦ ମସିହାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ପ୍ରତିମାସର ପ୍ରଥମ ପ୍ରଥମ ସପ୍ତାହରେ ହିଁ ‘ଜବ୍ ଡାଟା’ ଜାରି କରିଥାଏ। ସେହି ରିପୋର୍ଟର ବିଭିନ୍ନ ଗଣମାଧ୍ୟମରେ ତଥା ଅନ୍ୟ ଫୋରମରେ ବିଶେଷ ଚର୍ଚ୍ଚା ହୋଇଥାଏ। ସମସ୍ତ ତଥ୍ୟ ସାଧାରଣ ଜନତାଙ୍କ ପାଇଁ ଖୋଲା ଥାଏ। ବିଭିନ୍ନ ସରକାରୀ ଯୋଜନା ଏବଂ ଆମର ରିଜର୍ଭ ବ୍ୟାଙ୍କ ଭଳି ଥିବା ଆମେରିକୀୟ ଫେଡ଼େରାଲ ବ୍ୟାଙ୍କ ତାଙ୍କର ନୀତି ନିର୍ଦ୍ଧାରଣ ବେଳେ ସେହି ତଥ୍ୟକୁ ଖୁବ୍ ଗୁରୁତ୍ୱ ଦିଅନ୍ତିି। ସେୟାର ମାର୍କେଟ ମଧ୍ୟ ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ। ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କରେ ନିୟୋଜନର ସ୍ଥିତି ଜାଣିବା ପାଇଁ ସେମିତି ଠୋସ୍ ବ୍ୟବସ୍ଥା ରହିଛି। ଯୁକ୍ତରାଜ୍ୟ ସରକାରଙ୍କ ଜାତୀୟ ପରିସଂଖ୍ୟାନ ବିଭାଗ ପ୍ରତି ତିନିମାସରେ ଲେବର ଫୋର୍ସ ସର୍ଭେ କରି ରିପୋର୍ଟକୁ ସାର୍ବଜନୀନ କରିଥାଏ। ଜର୍ମାନୀ ସରକାରଙ୍କ ଫେଡ଼େରାଲ ଏମ୍ପଲୟମେଣ୍ଟ ଏଜେନ୍ସି ସେମିତି ସର୍ଭେ କରନ୍ତି ପ୍ରତି ତିନି ମାସରେ। ସେହି ସବୁ ଦେଶରେ ବେରୋଜଗାର ରିପୋର୍ଟକୁ ବଡ଼ ଗୁରୁତ୍ୱର ସହ ଦେଖନ୍ତି ସମସ୍ତେ। ଅନେକ କ୍ଷେତ୍ରରେ ଭାରତ ଚୀନ ସହ ନିଜକୁ ତୁଳନା କରିଥାଏ। ଚୀନରେ ପ୍ରତି ତିନି ମାସରେ ଥରେ ସର୍ଭେ ହେଉଥିଲା। ଏଇ ଏପ୍ରିଲରୁ ଚୀନ ମଧ୍ୟ ଆମେରିକା ଭଳି ମାସିକ ବେରୋଜଗାର ତଥ୍ୟ ଜାରି କଲାଣି। ଆମର ଅନ୍ୟ ପଡ଼ୋଶୀ କ୍ଷୁଦ୍ର ରାଷ୍ଟ୍ର ଶ୍ରୀଲଙ୍କା ମଧ୍ୟ ଏହି ମାମଲାରେ ଆମଠୁ ଢେର ଆଗରେ। ଭାରତରେ ତ୍ରୟମାସିକ ସର୍ଭେ ବ୍ୟବସ୍ଥା ୨୦୧୭ରୁ ହିଁ ଆରମ୍ଭ ହୋଇଥିବା ବେଳେ ଶ୍ରୀଲଙ୍କାରେ ତାହା ଚାଲିଛି ୧୯୯୦ ମସିହାରୁ। ଦୁର୍ଭାଗ୍ୟ ଯେ ଭାରତରେ ରୋଜଗାରର ସ୍ଥିତିକୁ ଜାଣିବା ପାଇଁ ଏକ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ଏଯାଏ ହୋଇପାରି ନାହିଁ ବା ତାହାକୁ ଗୁରୁତ୍ୱ ଦିଆ ହୋଇନାହିଁ। ୨୦୧୭ରୁ ତ୍ରୟମାସିକ ପରିୟଡ଼ିକ ଲେବର ଫୋର୍ସ ସର୍ଭେ ବ୍ୟବସ୍ଥା ହେଲାଣି ବୋଲି ସରକାର କହୁଛନ୍ତି କିନ୍ତୁ ତାହାର ତଥ୍ୟ ପାର୍ଲ୍ୟାମେଣ୍ଟରେ ମଧ୍ୟ ତଥ୍ୟ ପ୍ରଦାନ ହୋଇନାହିଁ।
ଏଇ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସୁରଜିତ ଭାଲ୍ଲା ଏକ ତଥ୍ୟ ରଖିଥିଲେ ଯାହା ଖୁବ୍ ସମାଲୋଚିତ ହୋଇଛି। ଶ୍ରୀ ଭାଲ୍ଲା କହିଥିଲେ ଯେ ୨୦୧୭ ମସିହାରେ ଭାରତରେ ୧କୋଟି ୫୦ଲକ୍ଷ ନୂତନ ରୋଜଗାର ସୃଷ୍ଟି ହୋଇଛି। ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମି (ସି.ଏମ୍.ଆଇ.ଇ.) ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ବିଭିନ୍ନ ତଥ୍ୟରୁ ଏହି ସ୍ଥିତି ମିଳୁଛି ବୋଲି ଶ୍ରୀ ଭାଲ୍ଲା ଦାବୀ କରିଥିଲେ। ବେସରକାରୀ ସଂସ୍ଥା ସି.ଏମ୍.ଆଇ.ଇ. ଭାରତର ସବୁଠାରୁ ବଡ଼ ସର୍ଭେ କରିଥାଏ ଏବଂ ଦୈନିକ ରୋଜଗାର-ବେରୋଜଗାର ରିପୋର୍ଟ ମଧ୍ୟ ଜାରି କରିଥାଏ। ତେବେ ଶ୍ରୀ ଭାଲ୍ଲାଙ୍କର ଦାବୀଙ୍କୁ ରୋକଠୋକ୍ ଭାବରେ ପ୍ରତ୍ୟାଖ୍ୟାନ କରି ସି.ଏମ୍.ଆଇ.ଇ.ର ଅଧ୍ୟକ୍ଷ ଶ୍ରୀ ମହେଶ ବ୍ୟାସ କହିଛନ୍ତି ଯେ ତାଙ୍କ ସଂସ୍ଥାର ସର୍ଭେ ଅନୁସାରେ ଭାରତରେ ୨୦୧୭ ମସିହାରେ ମାତ୍ର ୧୮ଲକ୍ଷ ନୁତନ ନିଯୁକ୍ତି ସୃଷ୍ଟି ହୋଇଛି। ବର୍ତ୍ତମାନର ଆଲେଖ୍ୟ ପ୍ରସଙ୍ଗରେ ଏହି ଉଦାହରଣ ଦୁଇଟି ବାସ୍ତବତାକୁ ପ୍ରକଟ କରେ, (୧) ସରକାର ମଧ୍ୟ ସରକାରୀ ତଥ୍ୟ ବ୍ୟବହାର କରୁନାହାନ୍ତି, ଏବଂ (୨) ଭାରତରେ ବେରୋଜଗାର ସ୍ଥିତିର ଜାଣିବା ବ୍ୟବସ୍ଥା ଅତ୍ୟନ୍ତ ନୈରାଶ୍ୟଜନକ।
ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ ଦ୍ୱିତୀୟ ଜନବହୁଳ ଦେଶ। ଏହା ସହିତ ଭାରତ କମ୍ପ୍ୟୁଟର ସଫ୍ଟୱେର କ୍ଷେତ୍ରରେ ସାରା ପୃଥିବୀରେ ଅଗ୍ରଣୀ। ଏଭଳି ଏକ ଦେଶରେ କର୍ମ ନିୟୋଜନକୁ ମାପିବାର ଭରସାଯୋଗ୍ୟ ବ୍ୟବସ୍ଥା ନ ରହିବା ଖୁବ୍ ଚିନ୍ତାଜନକ। ଭାରତରେ ‘ଫର୍ମାଲ’ ବା ଆନୁଷ୍ଠାନିକ କ୍ଷେତ୍ରରେ ନିୟୋଜନ ଅତି ନିରୁତ୍ସାହଜନକ, ମାତ୍ର ପ୍ରାୟ ୧୦%। ତେଣୁ, ବେରୋଜଗାରୀ ମାପିବା ପାଇଁ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ। ଭାରତ ‘ରୋଜଗାର’ ଓ ‘ବେରୋଜଗାର’ର ସଠିକ୍ ସଜ୍ଞା ନିର୍ଦ୍ଧାରଣ କରିବା ଦରକାର। ଅନେକ ଦେଶ ‘ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ’ର ସଜ୍ଞାକୁ ମୂଳ ହିସାବରେ ନିଅନ୍ତି। ଆମେରିକାରେ ତାଙ୍କୁ ବେରୋଜଗାର ବୋଲି ଧରାଯାଏ ଯାହାଙ୍କର କୌଣସି କାମ ବା ଚାକିରି ନଥିବ, ପୂର୍ବ ଚାରି ସପ୍ତାହରେ କାମ ବା ଚାକିରି ପାଇଁ ଉଦ୍ୟମ କରିଥିବେ, ଏବଂ ସିଏ ବର୍ତ୍ତମାନ କାମ ବା ଚାକିରୀ ଖୋଜୁଥିବେ। ଭାରତ ମଧ୍ୟ ବେକାରୀର ସଜ୍ଞାକୁ ସରଳ କରିବା ଦରକାର। ହୁଏତ ଭିକ ମାଗିବା ବି ଏକ କାମ ହୋଇପାରେ। ତେବେ, ଭାରତ କେଉଁ ପ୍ରକାର କର୍ମ ନିୟୋଜନ କେତେ ମାତ୍ରାରେ ଯୋଗାଉଛି ତାହା ଆମ ପ୍ରଗତି ମାପିବାର ମୂଳ ମାନଦଣ୍ଡ ହେବା ଦରକାର।
(This article was originally published in my Op-Ed column in Dharitri on May 09, 2018. That can be accessed at http://www.dharitri.com/e-Paper/Bhubaneswar/090518/p6.htm )
No comments:
Post a Comment