ନଦୀ ହିଁ ସଭ୍ୟତାର ସୂଚକ, ଯୋଉଠି ନଦୀ ନିରନ୍ତର ଓ ପବିତ୍ର ନାହିଁ ସେଠି ସମାଜର ତି ଭଲ ନାହିଁ ବୋଲି ଜାଣି ନେବା ଦରକାର...
ନିକଟ ଅତୀତରେ ହୋଇଥିବା ବିଭିନ୍ନ ଘୋଷଣାରୁ ଲାଗୁଛି ଯେ ନଦୀ ବଞ୍ଚାଇବା ପାଇଁ ସରକାରୀ ଅଭିଯାନମାନ ଆରମ୍ଭ ହୋଇଯାଇଛି ବା ହେବାର ଘୋଷଣା ହୋଇଛି ଓଡ଼ିଶାରେ। ରାଜ୍ୟ ସରକାର ‘ସବୁଜ ମହାନଦୀ ଅଭିଯାନ’ କଥା କହିଛନ୍ତି। ସିଆଡ଼େ ସମ୍ବଲପୁର ଜିଲ୍ଲା ପ୍ରଶାସନ ସବୁଜ, ସ୍ୱଚ୍ଛ ଓ ସୁନ୍ଦର ମହାନଦୀର ଆହ୍ୱାନ ଦେଇ ବିଭିନ୍ନ ଆୟୋଜନ ଆରମ୍ଭ କରିଦେଇଛନ୍ତି। ନଦୀଜଳର ଭାଗବଣ୍ଟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଖୁବ୍ ଜମିଥିବା ବେଳେ ନଦୀର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇବା ଖୁସିର କଥା। ନଦୀ ହେଉଛି ସଭ୍ୟତାର ଆଧାର, ନଦୀ ଯୋଗୁଁ ସଭ୍ୟତାର ପ୍ରବାହ ହୋଇଥାଏ। ନଦୀର ସ୍ଥିତିରୁ ସଭ୍ୟତା କେତେ ସୁସ୍ଥ ଓ ସଭ୍ୟ ତାହା ଜଣାପଡ଼ିଥାଏ। ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟର ୩୨-୩୩ ଶ୍ଲୋକରେ ଉଲ୍ଲେଖ ଅଛି, ବୃକ୍ଷରାଜି ହେଉଛନ୍ତି ପ୍ରଭୂଙ୍କ ଶରୀରର ଲୋମ, ବାୟୁ ହେଉଛି ପ୍ରଭୂଙ୍କର ଶ୍ୱାସ, ସମୁଦ୍ର ହେଉଛି ତାହାଙ୍କ ଉଦର, ନଦୀସମୂହ ହେଉଛନ୍ତି ତାଙ୍କର ଶିରାପ୍ରଶିରା। ଧମନୀରେ ଯେମିତି ରକ୍ତ ପ୍ରବାହିତ ହେବା ଦରକାର ଏବଂ ସେହି ରକ୍ତ ଶୁଦ୍ଧ ହୋଇଥିବା ଦରକାର ଠିକ୍ ସେମିତି ନଦୀମାନଙ୍କରେ ବି ଜଳର ପ୍ରବାହ ରହିବା ଦରକାର ଏବଂ ସେହି ଜଳ ଶୁଦ୍ଧ ରହିଥିବା ଦରକାର। ଏହି ପରିପ୍ରେକ୍ଷୀରେ ନଦୀକୁ ନେଇ ସରକାର ଓ ସରକାରୀ ପ୍ରଶାସନମାନେ କିଛି ଉଦ୍ୟମ ଆରମ୍ଭ କରିବା ସ୍ୱାଗତଯୋଗ୍ୟ।

ଆମର ନଦୀମାନଙ୍କର ସ୍ଥିତି ଅତ୍ୟନ୍ତ ଭୀତିପ୍ରଦ। କ୍ରମବର୍ଦ୍ଧିଷ୍ଣୁ ସହରାଞ୍ଚଳ ଓ ଶିଳ୍ପାଞ୍ଚଳ କାରଣରୁ ନଦୀମାନେ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛନ୍ତି। ଓଡ଼ିଶାର ଏମିତି ଗୋଟିଏ ବି ବଡ଼ ସହର ନାହିଁ ଯାହା କୂଳରେ ବହିଯାଉଥିବା ନଦୀ ପାଣିରେ ପିଇବା ଛାଡ଼, ଗାଧୋଇବା ବି ସୁରକ୍ଷିତ ଅଟେ। ସବୁ ନଦୀଜଳ ଭୟଙ୍କର ମାତ୍ରାରେ ପ୍ରଦୂଷିତ। ସବୁ ପ୍ରଦୂଷଣ ମନୂଷ୍ୟକୃତ। ନଦୀ ପଠାରେ ମଳତ୍ୟାଗ, ଶୌଚ ହେବା ସହିତ ନଦୀରେ ନର୍ଦ୍ଦମା ଜଳ ଓ ଶିଳ୍ପାଞ୍ଚଳର ବର୍ଜ୍ୟ ଜଳ ବିନା ବାଧାରେ ପଡ଼ୁଛି। କୃଷିକ୍ଷେତ୍ରରେ ବିପୁଳ ପରିମାଣରେ ରାସାୟନିକ ସାର ଓ ବିଷ ବ୍ୟବହାର ହେଉଛି। ସେସବୁ ଆସି ନଦୀରେ ମିଶୁଛି। ୨୦୧୮ ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭାରେ ଏକ ଉତ୍ତର ରଖି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନଜର ରଖୁଥିବା ୨୭୫ଟି ନଦୀର ୩୦୨ଟି ଅଞ୍ଚଳ ଭୀଷଣ ଭାବରେ ପ୍ରଦୁଷିତ। ଏଥି ମଧ୍ୟରେ ଓଡ଼ିଶାର ଅଛି ୧୨ଟି ନଦୀ ଅଞ୍ଚଳ। ଏମିତିରେ ନଦୀର ସ୍ୱାସ୍ଥ୍ୟକୁ ନେଇ କିଛି ଚିନ୍ତାଚେତନା ଉଦ୍ରେକ ହେବା ସ୍ୱାଗତଯୋଗ୍ୟ। ତେବେ,
ସମସ୍ୟାର ଗମ୍ଭୀରତାକୁ ଦେଖିଲେ ଉପଚାରର ଆୟୋଜନ ଘୋର ନୈରାଶ୍ୟ ଜନ୍ମାଏ।
ଗତ ୨୦୧୭ ନଭେମ୍ବର ୯ ତାରିଖରେ ‘ସବୁଜ ମହାନଦୀ ଅଭିଯାନ’ର ଘୋଷଣା କରି ଓଡ଼ିଶାର ମୂଖ୍ୟମନ୍ତ୍ରୀ କହିଥିଲେ ଯେ ମହାନଦୀ ତଟରେ ୨କୋଟି ଫଳ ପ୍ରଦାନକାରୀ ବୃକ୍ଷରୋପଣ କରାଯିବ। ଭଲ କଥା। ମଧ୍ୟପ୍ରଦେଶ ସରକାର ଆରମ୍ଭ କରିଥିବା ନର୍ମଦା ନଦୀ ଅଭିଯାନରୁ ପ୍ରେରିତ ହୋଇ ଏହି ଅଭିଯାନ ବୋଧହୁଏ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର। ୨୦୧୭ ଜୁଲାଇ ୩ ତାରିଖରେ ଗୋଟିଏ ଦିନରେ ମଧ୍ୟପ୍ରଦେଶ ସରକାର ‘ନମାମୀ ଦେବୀ ନର୍ମଦେ’
ଅଭିଯାନରେ ୬କୋଟି ଫଳବୃକ୍ଷ ଚାରା ରୋପଣ କରିଥିବା କହି ଏହା ଏକ ବିଶ୍ୱ ରେକର୍ଡ଼ ବୋଲି ଦାବୀ କରିଥିଲେ। ଓଡ଼ିଶା ସରକାରଙ୍କ ଯୋଜନାକୁ ଆସିବା। ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆର ଖବର ଅନୁସାରେ ‘ସବୁଜ ମହାନଦୀ ଅଭିଯାନ’ର ଘୋଷଣା କରି ଗତ ଜୁଲାଇ ମାସରେ ରାଜ୍ୟର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନରେ ୭୫,୭୬୦ ହେକ୍ଟର ସରକାରୀ ଜମି ଓ ୪୭,୪୭୦ ଘରୋଇ ଜମିରେ ଆମ୍ବ, ପିଜୁଳି,
ଜାମୁ ଚାରା ରୋପଣ କରାଯିବ। ମନ୍ତ୍ରୀ ମହୋଦୟ ଆହୁରି କହିଥିଲେ ପ୍ରଥମ ପର୍ଯ୍ୟାୟରେ ୨୦୧୮-୧୯ ମସିହାରେ ୨୦୦ କୋଟି ଟଙ୍କା ବ୍ୟୟ କରାଯାଇ ୨୦୦ ବର୍ଗ କିଲୋମିଟର ଅଞ୍ଚଳରେ ଚାରାରୋପଣ ହେବ ବୋଲି ମନ୍ତ୍ରୀ କହିଥିଲେ। ଏହି ହିସାବରେ ଦେଖିଲେ ଏକ ବର୍ଗ କିଲୋମିଟର ପାଇଁ ସରକାର ବ୍ୟୟ କରିବେ ଏକ କୋଟି ଟଙ୍କା। ବିରାଟ ଅଟକଳ ନିଶ୍ଚୟ କିନ୍ତୁ ଚଳିତ ବଜେଟରେ ମାତ୍ର ୩୦କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହା ବୁଝି ହେଉନାହିଁ।
ନଦୀର ତଟ ଅଞ୍ଚଳରେ ଚାରା ଲଗାଇବା ବ୍ୟତୀତ ନଦୀର ଧାର ଓ ଜଳର ମାନ ବଢ଼ାଇବା ପାଇଁ ଓଡ଼ିଶା ସରକାରଙ୍କ ସବୁଜ ମହାନଦୀ ମିସନରେ ପ୍ରତ୍ୟକ୍ଷ୍ୟ ଭାବରେ କିଛି ନାହିଁ। ଏହା ତୁଳନାରେ ମଧ୍ୟପ୍ରଦେଶ ସରକାର ପ୍ରସ୍ତୁତ କରିଥିବା ‘ନର୍ମଦା ଆକ୍ସନ ପ୍ଲାନ’
ଖୁବ୍ ବ୍ୟାପକ ଲାଗେ। ସେଥିରେ ନଦୀର ବିଭିନ୍ନ ଦିଗକୁ ନଜର ଅଛି ଓ ମଧ୍ୟପ୍ରଦେଶ ସରକାରଙ୍କ ଅନ୍ତତଃ ୨୦ଟି ବିଭାଗ ସମନ୍ୱିତ ଭାବରେ କାମ କରିବା ପାଇଁ ପ୍ରସ୍ତୁତି ହୋଇଛି। ମଧ୍ୟପ୍ରଦେଶର ମୂଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଏହି ସମସ୍ତ ବିଭାଗର ଦାୟିତ୍ୱ ଓ କାର୍ଯ୍ୟ ସ୍ଥିର କରାଯାଇଛି। ନର୍ମଦା ନଦୀର ଧାରକୁ ଅତୁଟ ରଖିବା ତଥା ନଦୀ ଜଳର ମାନକୁ ସ୍ୱସ୍ଥ ରଖିବା ହେଉଛି ଏହି ଆକ୍ସନ ପ୍ଲାନର ପ୍ରମୁଖ ଲକ୍ଷ୍ୟ। ଛତିଶଗଡ଼ ସରକାରଙ୍କ ନର୍ମଦା ନଦୀ ଅଭିଯାନରେ ଅନେକ ଅପବ୍ୟୟ ଓ ଦୁର୍ନୀତି ହୋଇଥିବାର ଅଭିଯୋଗମାନ ଆସିଛି କିନ୍ତୁ ଯୋଜନା ଦୃଷ୍ଟିରୁ ଦେଖିଲେ ନର୍ମଦା ନଦୀ ଆକ୍ସନ ପ୍ଲାନରେ ଅନେକ ସମ୍ଭାବନା ସ୍ପଷ୍ଟ ବାରି ହେଉଛି।
କେବଳ ବୃକ୍ଷରୋପଣରେ ସୀମିତ ନ ରହି ଓଡ଼ିଶା ସରକାର ମଧ୍ୟ ତାଙ୍କର ନଦୀ ଯୋଜନାକୁ ବ୍ୟାପକ ଓ ଗମ୍ଭୀର କରିବା ଦରକାର। ସମ୍ବଲପୁର ଜିଲ୍ଲା ପ୍ରଶାସନ ମହାନଦୀକୁ ନିର୍ମଳ ରଖିବା ପାଇଁ ଅନେକ ଛୋଟବଡ଼ ଉଦ୍ୟମ ଆରମ୍ଭ କରିଛନ୍ତି। ନଦୀ କୂଳରେ ଅନେକ ଶୌଚାଳୟ ନିର୍ମାଣଠାରୁ ଆରମ୍ଭ କରି, ଏକ ସୁନ୍ଦର ରାସ୍ତା ଓ ତଟ ସୌନ୍ଦର୍ଯ୍ୟକରଣ ସହିତ ମିନି ମାରାଥନ ଭଳି ଯୋଜନା ହୋଇଛି। ତେବେ, ସହରର ନର୍ଦ୍ଦମା ଜଳ ନଦୀରେ ଏବେ ବି ଅଜାଡ଼ି ହୋଇ ପଡ଼ୁଛି । ଓଡ଼ିଶାର କୌଣସି ଗୋଟିଏ ବି ସହରରେ ନର୍ଦ୍ଦମା ଜଳ ପରିଷ୍କାର ହେଉନାହିଁ ବା ଠିକ୍ ଭାବରେ ପରିଷ୍କାର ହେଉ ନାହିଁ। ଏହି ପରିପ୍ରକ୍ଷୀରେ ଏକ ମଜାଦାର ଚିଠିର ଅବତାରଣା କରୁଛି ଯାହା ଆମକୁ କ୍ଷଣିକ ପାଇଁ ଆମୋଦ ଯୋଗାଇବ କିନ୍ତୁ କିନ୍ତୁ ଆମକୁ ଗମ୍ଭୀର ଓ ଚିନ୍ତିତ କରିବ। ୨୦୧୫ ମସିହା ଏପ୍ରିଲ ମାସ ୨୦ ତାରିଖରେ କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ସରକାରଙ୍କୁ ଏକ ଚିଠିରେ ଲେଖିଥିଲେ ଯେ 'ଓଡ଼ିଶାରେ ଦୈନିକ ୧୧୨୧ ନିୟୁତ ଲିଟର ନର୍ଦ୍ଦମା ଜଳ ବାହାରୁଛି କିନ୍ତୁ ଦୈନିକ କେବଳ ୧୫୧୩ ନିୟୁତ ନର୍ଦ୍ଦମା ଜଳର ବିଶୋଧନର ବ୍ୟବସ୍ଥା ଅଛି ଏବଂ ଏହା ଯୋଗୁଁ ନଦୀ ଜଳ ଖରାପ ହେଉଛି।' ଏହି ତଥ୍ୟ ଦେଇ ନର୍ଦ୍ଦମା ଜଳର ବିଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼। ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ବି ଏହି ଚିଠିକୁ ସବୁ ନଗର ନିଗମକୁ ପଠାଇଦେଲା। ମଜା କଥା ହେଲା ଯେ ଏହି ଚିଠିରେ ଦିଆହୋଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଯେତେ ନର୍ଦ୍ଦମା ଜଳ ବାହାରୁଛି ତାହାଠୁ ଅଧିକ ଜଳର ବିଶୋଧନ କ୍ଷମତା ରାଜ୍ୟରେ ଅଛି। ଯଦି ଏହା ସତ୍ୟ ତେବେ ଓଡ଼ିଶାରେ ତ ବୁନ୍ଦାଏ ବି ନର୍ଦ୍ଦମା ଜଳ ନଦୀକୁ ପଶିବା କଥା ନୁହେଁ। ବାସ୍ତବତା ହେଲା ଯେ ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବରେ ଭୁଲ୍। ଚିଠିରୁ ସ୍ପଷ୍ଟ ଯେ ଦାୟିତ୍ୱବାନ ଅନୁଷ୍ଠାନମାନେ ଆଦୌ ଗମ୍ଭୀର ହେଉ ନାହାନ୍ତି ଯାହା ଖୁବ୍ ଚିନ୍ତାଜନକ। ନଦୀକୁ ନେଇ ଆରମ୍ଭ ହୋଇଥିବା ସଚେତନତା ଉତ୍ସାହପ୍ରଦ କିନ୍ତୁ ଏଥିରେ ଆହୁରି ବ୍ୟାପକତା ଓ ଗମ୍ଭୀରତା ଲୋଡ଼ା। ନଦୀ ବଞ୍ଚିରହିବା ଦରକାର।
(This article was originally published in my fortnightly op-ed column, 'Tatwa O Tarka' in Dharitri, on April 25, 2018. That can be accessed at http://www.dharitri.com/e-Paper/Bhubaneswar/250418/p6.htm )
No comments:
Post a Comment