Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Wednesday, February 28, 2018

ମହାନଦୀ ଟ୍ରିବୁନାଲ – ଖୁବ୍ ବଡ଼ ଆଶା ନାହିଁ

ଗତ ଫେବୃୟାରୀ ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟରେ ଏକ ଟ୍ରିବୁନାଲ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି । ମହାନଦୀ ଅବବାହିକାରେ କେତେ ପାଣି ରହିଛି, ବିଭିନ୍ନ ରାଜ୍ୟରେ ଥିବା ଅଞ୍ଚଳ ମହାନଦୀ ଅବବାହିକାକୁ କେତେ ପାଣି ଯୋଗାନ୍ତି, ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଜଳ ବ୍ୟବହାରର ସ୍ଥିତି କଣ ରହିଛି, ଏବଂ ଭବିଷ୍ୟତରେ ଜଳ ବ୍ୟବହାରର କଣ ସମ୍ଭାବନା ଅଛି ଆଦି ତଥ୍ୟ ଓ ପରିସ୍ଥିତିର ବିଚାର କରି ନଦୀ ଜଳରେ କେଉଁ ରାଜ୍ୟର କେତେ ଭାଗ ରହିବ ତାହା ନିର୍ଦ୍ଧାରଣ କରିବେ ଟ୍ରିବୁନାଲ । ଟ୍ରିବୁନାଲଟେ ଗଠନ ହୋଇଗଲେ ଯେ ନଦୀ ଜଳ ବିବାଦର ସମାଧାନ ହୋଇଯିବ ଏହି ବିଶ୍ୱାସ ମୋର ପ୍ରାୟ ନାହିଁ କାରଣ ମହାନଦୀର ଚରିତ୍ର ପରିପ୍ରେକ୍ଷୀରେ ଏହି ଜଳବିବାଦ ଅନ୍ୟ ସବୁ ନଦୀ ବିବାଦଠାରୁ ଭିନ୍ନ ହେବ ନିଶ୍ଚୟ । ତେବେ ଟ୍ରିବୁନାଲରେ ବିଚାର ସମୟରେ ଅନେକ କିଛି ତଥ୍ୟ ପଦାକୁ ଆସିବ ନିଶ୍ଚୟ ଯାହା ସରକାର ତଥା ମଣିଷ ସମାଜକୁ ପ୍ରକୃତ ନିଷ୍ପତ୍ତି ନେବାର ରାସ୍ତା ଦେଖାଇବ ।   


ମହାନଦୀ ବିବାଦରେ ନିଜର ପକ୍ଷ ରଖିବା ପାଇଁ ଉଭୟ ରାଜ୍ୟ ଏମିତି ତଥ୍ୟସବୁ ରଖୁଛନ୍ତି ଯାହାକୁ ବୁଝିବା ବଡ କଠିନ ହୋଇଯାଉଛି । ଯେଉଁତଥ୍ୟ ତାଙ୍କୁ ସୁହାଉଛି, ସେହି ତଥ୍ୟର ବ୍ୟବହାର ହେଉଛି । ଛତିଶଗଡ ସରକାର ୨୦୧୬ ମସିହାରେ ଦିଲ୍ଲୀରେ ହୋଇଥିବା ମୂଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ୧୯୭୩ ମସିହାରେ ହୋଇଥିବା ମୂଖ୍ୟମନ୍ତ୍ରୀସ୍ତରୀୟ ଏକ ବୈଠକର ତଥ୍ୟ ଦେଇ କହିଲେ ଯେ ହୀରାକୁଦ ଜଳଭଣ୍ଡାରକୁ କେବଳ ଛତିଶଗଡରୁ ବାର୍ଷିକ ହାରାହାରି ୩୫,୩୦୮ ନିୟୁତ ଘନମିଟର (ନିଘମି) ବା ୨୮.୬୨ ନିୟୁତ ଏକରଫୁଟ (ନିଏଫୁ) ପାଣି ଆସୁଛି । ଏବେ ପ୍ରଶ୍ନ ହେଲା ଯେ ତତ୍କାଳୀନ ମଧ୍ୟପ୍ରଦେଶ ସରକାର ବା ଏବର ଛତିଶଗଡ ସରକାର କଣ ୧୯୭୩ ମସିହା ପରେ ଆଉ ଜଳର ଆକଳନ କରିନାହାନ୍ତି? ବର୍ଷା ଓ ଜଳ ପ୍ରବାହର ଚରିତ୍ରରେ ଏହି ୪୫ ବର୍ଷରେ  କଣ କିଛି ପରିବର୍ତ୍ତନ ହୋଇନାହିଁ? କଥା ହେଲା ଯେ ସେହି ତଥ୍ୟ ଦେଇ ଛତିଶଗଡ ସରକାର ଏହା କହିବାର ସୁଯୋଗ ପାଇଲେ ଯେ ଛତିଶଗଡରୁ ଆସୁଥିବା ପାଣିରେ ହୀରାକୁଦ ୬/୭ ଥର ଭରି ହୋଇଯିବ । ହୀରାକୁଦକୁ ପ୍ରଚୁର ଜଳ ଆସୁଛି ବୋଲି ୧୯୭୩ ମସିହାର ବୈଠକର ତଥ୍ୟ ଦେଲେ କିନ୍ତୁ ତାଙ୍କ ରାଜ୍ୟରୁ ଓଡିଶାକୁ ଜଳପ୍ରବାହ କମୁନାହିଁ ବୋଲି ଦେଖାଇବା ପାଇଁ ହୀରାକୁଦର ଉପରମୁଣ୍ଡରେ ଥିବା ବସନ୍ତପୁର ବ୍ୟାରେଜଠାରେ ୧୯୭୧-୭୨ରୁ ୨୦୧୪-୧୫ ବର୍ଷ ମଧ୍ୟରେ ହୋଇଥିବା ପ୍ରବାହର ଆଉଗୋଟେ ତଥ୍ୟ ଦେଲେ । ସେହି ସମୟ ମଧ୍ୟରେ ସେଠାରେ ହାରାହାରି ପ୍ରାୟ ୨୨,୦୦୦ ନିଘମି ବା ୧୭.୮ ନିଏଫୁ ପାଣି ପ୍ରବାହିତ ହେଉଥିଲା । ଛତିଶଗଡକୁ ଏହା ଦିଶିଲା ନାହିଁ ଯେ ଜଳପ୍ରବାହ କମୁନାହିଁ ବୋଲି ଦେଖାଇବା ପାଇଁ ସେ ଦେଇଥିବା ମାତ୍ରାଓଡିଶାକୁ ପ୍ରଚୁର ଜଳ ଆସୁଛି ବୋଲି ଦେଖାଇବା ପାଇଁ ଦେଇଥିବା ମାତ୍ରାରୁ ୨୮% କମ ।

ଏବେ ଦେଖିବା ଛତିଶଗଡ ସରକାର ମହାନଦୀର ପାଣିକୁ ବ୍ୟବହାର କରିବା ପାଇଁ କେମିତି ଯୋଜନା କରିଛନ୍ତି । ଛତିଶଗଡ ସରକାର କହିଛନ୍ତି ଯେ ତାଙ୍କ ରାଜ୍ୟ ମହାନଦୀରୁ ୧୦,୨୪୫ ନିଘମି ବା ୮.୩୧ ନିଏଫୁ ପାଣିି ବ୍ୟବହାର କରୁଛନ୍ତି ଓ ଆଉ ୨୩,୬୫୧ ନିଘମି ବା ୧୯.୧୭ ନିଏଫୁ ପାଣି ବ୍ୟବହାର କରିବାର ଯୋଜନା ଅଛି । ଏହି ଯୋଜନା ଅନୁସାରେ ମହାନଦୀରୁ ଛତିଶଗଡ ୩୩,୮୯୬ ନିଘମି ବା ୨୭.୪୮ ନିଏଫୁ ପାଣି ବ୍ୟବହାର କରିବ । ମହାନଦୀରେ କଣ ଏତିକି ପାଣି ଅଛି? କେନ୍ଦ୍ରୀୟ ଜଳ ଆୟୋଗ ୨୦୧୨ ମସିହାରେ ପ୍ରକାଶ କରିଥିବା ଇଣ୍ଟିଗ୍ରେଟେଡ ହାଇଡ୍ରୋଲୋଜିକାଲ ଡାଟା ବୁକ୍ଅନୁସାରେ ସମୁଦାୟ ମହାନଦୀ ଅବବାହିକାର ହାରାହାରି ବାର୍ଷିକ ଜଳ ସମ୍ଭାବନା ହେଉଛି ୬୧,୯୫୦ ନିଘମି ବା ୫୦.୨୨ ନିଏଫୁ । ଛତିଶଗଡରେ ମହାନଦୀର ୫୩ଭାଗ ଅଞ୍ଚଳ ଅଛି କିନ୍ତୁ ଛତିଶଗଡରେ ହାରାହାରି ବର୍ଷା ଓଡିଶା ତୁଳନାରେ ନିଶ୍ଚିତ ଭାବରେ କମ୍ । ତେଣୁ ଜଳ ସମ୍ଭାବନା ଉଭୟ ରାଜ୍ୟର ପ୍ରାୟ ସମାନ । ଏହି ହିସାବରେ ଛତିଶଗଡରେ ଥିବା ସମଗ୍ର ମହାନଦୀ ଅବବାହିକାର ହାରାହାରି ବାର୍ଷିକ ଜଳସମ୍ଭାବନା ୨୫.୧ ନିଏଫୁ ହେବ । ଏମିତିରେ ଛତିଶଗଡ କେମିତି ୨୭.୪୮ ନିଏଫୁ ପାଣି ବ୍ୟବହାର କରିବ ବୋଲି ଭାବି ବି ପାରୁଛି?

ଓଡିଶା ବି କିଛି କମ୍ ନୁହେଁ । ଓଡିଶା ସରକାର କହୁଛନ୍ତି ଯେ ଏବେ ହୀରାକୁଦକୁ ଉପରମୁଣ୍ଡରୁ ପ୍ରତି ବର୍ଷ ହାରାହାରି ୧୯,୨୩୭ ନିଘମି ବା ୧୫.୬ ନିଏଫୁ ପାଣି ଆସୁଛି । ଏତିକି ଜାଣି ମଧ୍ୟ ଓଡିଶା କହୁଛି ଯେ ବିଭିନ୍ନ ବ୍ୟବହାର ପାଇଁ ତାକୁ ହୀରାକୁଦରୁ ୧୮,୧୭୫ ନିଘମି ବା ୧୪.୭୩ ନିଏଫୁ ପାଣି ଦରକାର । ଯଦି ଏବେ ୧୫.୬ ନିଏଫୁ ପାଣି ଆସୁଛି, ଓଡିଶା କେମିତି ୧୪.୭୩ ନିଏଫୁ ବା ଆସୁଥିବା ପ୍ରାୟ ସବୁ ପାଣିକୁ ବ୍ୟବହାର କରିବ ବୋଲି ଯୋଜନା କରୁଛି? ତାହାହେଲେ ଓଡିଶା ସରକାର କଣ ହୀରାକୁଦରୁ ତଳକୁ ପାଣି ଛାଡିବାର ନାହିଁ? ଓଡିଶା ସରକାର ପୁଣି କହୁଛନ୍ତି ଯେ ପରିବେଶ ପାଇଁ ଆହୁରି ୯,୬୨୧ ନିଘମି ବା ୭.୮ ନିଏଫୁ ପାଣି ଦରକାର ।  ଛତିଶଗଡ ଏବେ ପ୍ରାୟ ୮.୩ ନିଏଫୁ ପାଣି ବ୍ୟବହାର କରୁଛି । ଓଡିଶା ସରକାର କଣ ଏୟା ଚାହାନ୍ତି ଯେ ଛତିଶଗଡ ରାଜ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳ ଅଧିଗ୍ରହଣ କ୍ଷେତ୍ରର ପ୍ରାୟ ୯୦%  ଥିଲେ ମଧ୍ୟ ତାହା ସେହି ଅବବାହିକାର କିଛି ପାଣି ବ୍ୟବହାର ନ କରି ଓଡିଶାକୁ ସବୁ ଛାଡି ଦେଉ? ଖାଲି ସେତିକି ନୁହେଁ, ହୀରାକୁଦ ଓ ମହାନଦୀରୁ ଶିଳ୍ପକୁ ପାଣି ଦେବାରେ କିଛି ଅସୁବିଧା ନାହିଁ ବୋଲି ଦେଖାଇବା ପାଇଁ ଓଡିଶା ସରକାର ଦେଉଛି ଗୋଟେ ତଥ୍ୟ, ଆଉ ଛତିଶଗଡରୁ ପାଣି କମିଗଲାଣି ବୋଲିି ଦେଖାଇବା ପାଇଁ ଓଡିଶା ସରକାର ଦେଉଛନ୍ତି ଆଉ ଗୋଟେ ତଥ୍ୟ । ତାହା ଉପରେ ଆମେ ପୂର୍ବ ଆଲେଖ୍ୟମାନଙ୍କରେ ଚର୍ଚ୍ଚା କରିଥିଲେ ତେଣୁ ଦୋହରାଉ ନାହିଁ ।

ଏମିତି ହିସାବ ହିଁ ବିବାଦ କରାଏ, ସମାଧାନର ବାଟ ବନ୍ଦ କରିଦିଏ । ସରକାରମାନେ ଏମିତି ତଥ୍ୟସବୁ ଦେବା ଅତି ଚିନ୍ତାଜନକ । ଏହା ନିଶ୍ଚିତ ଭାବରେ ଏକ ବାସ୍ତବତା ଯେ ବିଭିନ୍ନ ବ୍ୟବହାର ଯୋଗୁଁ ତଥା ଜଳବାୟୁରେ ପରିବର୍ତ୍ତନ କାରଣରୁ ମହାନଦୀରେ ଜଳପ୍ରବାହ ନିଶ୍ଚିତ ଭାବରେ କମୁଛି ଏବଂ ଭବିଷ୍ୟତରେ ଆହୁରି କମିବ । ସରକାରମାନେ ଜଳର ମାଲିକ ନୁହନ୍ତି, କେବଳ ତାହାର ରକ୍ଷକ । କିନ୍ତୁ କୌଣସି ସରକାର ସେହି ଦାୟିତ୍ୱ ନିର୍ବହନ କରୁନାହାନ୍ତି । ସମାଧାନ ପାଇଁ କୋର୍ଟକଚେରୀ ଟ୍ରିବୁନାଲ ଦରକାର ହେଉଛି । ତେବେ ଟ୍ରିବୁନାଲମାନ ନଦୀଜଳ ବିବାଦ ସମାଧାନ କରିବାରେ ଆଜିଯାଏ ସଫଳ ହୋଇନାହାନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ । ମହାନଦୀ କ୍ଷେତ୍ରରେ ମଧ୍ୟ ସେହି ଆଶଙ୍କା ଅଛି । ମହାନଦୀ ସମସ୍ୟା ତ ଅନ୍ୟ ନଦୀଠାରୁ ଆହୁରି ଜଟିଳ । ହୀରାକୁଦ ଭଳି ଏକ ବିଶାଳ ନଦୀବନ୍ଧ ଛତିଶଗଡ ଓ ଓଡିଶାର ସୀମାର ଠିକ୍ ତଳେ ଅଛି । ତାହା ଜଳର ଭାଗବଣ୍ଟାକୁ ନିଶ୍ଚୟ ଖୁବ୍ ଜଟିଳ କରିବ । ପୁଣି ମହାନଦୀ ଅନ୍ୟ ନଦୀଠାରୁ ଅନେକ ଭିନ୍ନ କାରଣ ଏହା ଏକ ଅତି ବନ୍ୟା ପ୍ରବଣ ନଦୀ । ଖାଲି ଭାଗବଣ୍ଟା ନୁହେଁ ବନ୍ୟା ନିୟନ୍ତ୍ରଣ ମଧ୍ୟ ପ୍ରସଙ୍ଗ ହେବ।


ଅତି ବାହାସ୍ଫୋଟିଆ ତଥ୍ୟ ଦେଇ ବିବାଦରେ ମାତିଥିବା ଦୁଇଟି ରାଜ୍ୟ ସହିତ ବନ୍ୟା ଭଳି ଏକ ପ୍ରସଙ୍ଗକୁ କେମିତି ଟ୍ରିବୁନାଲଟିଏ ସମାଧାନ କରିବ ତାହାକୁ ନେଇ ଗଭୀର ଶଙ୍କା ଅଛି । କିନ୍ତୁ ଏହି ବିଶ୍ୱାସ ଅଛି ଯେ ମହାନଦୀର ଜଳକୁ ନେଇ ଟ୍ରିବୁନାଲ ଅନ୍ତତଃ ସଠିକ୍ ତଥ୍ୟ ନିର୍ଦ୍ଧାରଣ କରିପାରିବ ଯାହା ସରକାରମାନଙ୍କୁ ଉଚିତ ବୁଦ୍ଧି ଦେବ ଯାହା ଉଚିତ ଯୋଜନା କରାଇବାରେ ସହାୟକ ହେବ ଓ ଜଳ ବିବାଦର ସମାଧାନ ପାଇଁ ଉତ୍ତର ଯୋଗାଇବ ।

(This article was originally published in my fortnightly column 'Tatwa O Tarka' in Dharitri on 28.02.2018. That piece can be accessed at: http://www.dharitri.com/e-Paper/Bhubaneswar/280218/p6.htm. A slightly revised version was carried by India Water Portal. That can be accessed at: http://hindi.indiawaterportal.org/node/68151 )

Thursday, February 15, 2018

ଖର୍ଚ୍ଚର ଦେଢଗୁଣା ଫସଲ ଦର – ଏତେ ବଡ ମିଛ?

ଲୋକସଭାରେ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଲେ ଯେ ମୋଦି ସରକାର ରବି ଋତୁରେ ହେଉଥିବା ଅଧିକାଂଶ ଫସଲ ପାଇଁ ଏମ୍.ଏସ୍.ପି ବା ଫସଲର ସର୍ବନିମ୍ନ ସହାୟକ ଦରକୁ ଚାଷ ଖର୍ଚ୍ଚର ଦେଢଗୁଣା ବା ଖର୍ଚ୍ଚର ୧୫୦% କରି ସାରିଛନ୍ତି । ସେ ପୁଣି କହିଲେ ଯେ ବାକିଥିବା ସମସ୍ତ ଫସଲ ପାଇଁ ମଧ୍ୟ ତାଙ୍କ ସରକାର ଏମିତି ଏମ୍.ଏସ୍.ପି ରଖିବେ ଯାହା ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ଦେଢଗୁଣା ହେବ । ତାହାହେଲେ କଣ ସତରେ ସରକାର ଅଧିକାଂଶ ଫସଲ ପାଇଁ ଯାହା ଖର୍ଚ୍ଚ ହୁଏ ତାହାର ଦେଢଗୁଣା ଦର ବା ୫୦% ଲାଭ ନିଶ୍ଚିତ କରିସାରିଛନ୍ତି? କେତେଜଣଙ୍କର ମନେ ଥିବ କେଜାଣି କିନ୍ତୁ ତିନି ବର୍ଷ ତଳେ ଏହି ସରକାର ସୁପ୍ରିମକୋର୍ଟରେ ଏକ ହଲଫନାମା ଦେଇ କହିଥିଲେ ଯେ ସରକାର ଚାଷୀଙ୍କୁ ଚାଷଖର୍ଚ୍ଚ ଉପରେ ୫୦% ଲାଭ ନିଶ୍ଚିତ କରୁଥିବା ସର୍ବନିମ୍ନ ସହାୟକ ଦର ଦେଇପାରିବେ ନାହିଁ କାରଣ ତାହା ଅର୍ଥନୀତିକୁ ବିଗାଡି ଦେବ । ତାହାହେଲେ ସୁପ୍ରିମକୋର୍ଟରେ ତିନିବର୍ଷ ତଳେ ଦେଇଥିବା ହଲଫନାମା ଆଉ ବର୍ତ୍ତମାନ ଭିତରେ କଣ ଏତେ ପରିବର୍ତ୍ତନ ହୋଇଯାଇଛି? ଏଥର ଏହି ପ୍ରସଙ୍ଗରେ ଆମେ କିଛି ସତ୍ୟ ଦରାଣ୍ଡିବା । 


ଚାଷଖର୍ଚ୍ଚର ହିସାବ କରିବା ପ୍ରଥାକୁ ସରକାର ଖୁବ୍ ଜଟିଳ କରି ରଖିଛନ୍ତି । କାହାକୁ ଚାଷ ଖର୍ଚ୍ଚ ବିଚାର କରାଯାଏ ତାହାକୁ ନେଇ ଭୟଙ୍କର ଦ୍ୱନ୍ଦ୍ୱ ରହିଛି । ଏମ୍.ଏସ୍.ପି ନିର୍ଦ୍ଧାରଣ ପ୍ରକ୍ରିୟାରେ ଅନେକ ପ୍ରକାରର ଚାଷ ଖଚ୍ଚର୍ର ହିସାବ ଦିଆଯାଏ, ତିନିଟି ତହିଁରୁ ପ୍ରମୁଖ । ଇଂରାଜୀରେ ତାହାକୁ (୧) A2, (୨) A2+FL, ଓ (୩) C2 କୁହାଯାଏ । A2ହେଲା ଚାଷୀ ବହନ କରିଥିବା ମୂଳ ଖର୍ଚ୍ଚ । ଏଥିରେ ଅନ୍ତର୍ଭକ୍ତ ଅଛି ଟଙ୍କା ବା ସାମଗ୍ରୀ ଆକାରରେ ହୋଇଥିବା ସମସ୍ତ ଖର୍ଚ୍ଚ ଯଥା ଶ୍ରମ, ବଳଦ, ଯନ୍ତ୍ର, ବିହନ, ଔଷଧ, ବିଷ, ଖତ, ସାର, ଜଳସେଚନ ଖର୍ଚ୍ଚ ଇତ୍ୟାଦି । ଏହା ପାଇଁ ଚାଷୀ ପ୍ରତ୍ୟକ୍ଷ ଦେୟ ପ୍ରଦାନ କରିଥାଏ ବା ବ୍ୟୟ କରିଥାଏ ।  ଏହାପରେ ଆସିଲା A2+FLପ୍ରାୟ ସମସ୍ତ ଚାଷୀ ପରିବାର ଫସଲର ଉତ୍ପାଦନ ପାଇଁ ନିଜେ ଶ୍ରମ ଦିଅନ୍ତି ।  A2ରେ ରହିଥିବା ସମସ୍ତ ଖର୍ଚ୍ଚ ସହିତ ଚାଷୀ ପରିବାର ନିଜେ ପ୍ରଦାନ କରିଥିବା ଶ୍ରମର ଖର୍ଚ୍ଚ ମିଶି A2+FLଦର ସ୍ଥିର ହୁଏ । ତୃତୀୟଟି ହେଲା C2A2+FL ଦରରେ ଜମିର କର ବା ଶୁଳ୍କ ଏବଂ ଚାଷୀ ଚାଷ ତୁଲାଇବା ପାଇଁ କରିଥିବା ଭିତ୍ତିଭୂମି ଯଥା ଟ୍ରାକ୍ଟର, ପମ୍ପ, ବାଡ, ଅନ୍ୟ ଭିତ୍ତିଭୂମି ଇତ୍ୟାଦିରେ ହୋଇଥିବା ନିବେଶର ସୁଧ ଯୋଡି C2ଦର ସ୍ଥିର କରାଯାଏ ।

ଚାଷ ଖର୍ଚ୍ଚର ଏହି ଜଟିଳ ବର୍ଗୀକରଣ ପ୍ରକ୍ରିୟା ପରେ ଆସନ୍ତୁ ଦେଖିବା ଚଳିତ ରବି ଋତୁର ଫସଲ ପାଇଁ ସରକାର କେତେ ଏମ୍.ଏସ୍.ପି ସ୍ଥିର କରିଛନ୍ତି । ରବି ଋତୁରେ ସାଧାରଣତଃ ୬ପ୍ରକାରର ଫସଲ ପାଇଁ ଏମ୍.ଏସ୍.ପି ଦର ସ୍ଥିର ହୁଏ, ତାହା ହେଲା ଗହମ, ବାର୍ଲି, ଚନା ବା ବୁଟ, ମସୁର, ସୋରିଷ ଓ କୁସୁମ ସରକାର ୨୦୧୮-୧୯ ରବି ଋତୁ ପାଇଁ ଏହି ୬ପ୍ରକାର ଫସଲର ଏମ୍.ଏସ୍.ପି ଦର ଯଥାକ୍ରମେ ୧୭୩୫, ୧୪୧୦, ୪୨୫୦, ୪୧୫୦, ୩୯୦୦ ଓ ୪୦୦୦ ନିର୍ଦ୍ଧାରଣ କରିଛନ୍ତି । ଏହି ୫ପ୍ରକାର ଫସଲ ପାଇଁ ସ୍ଥିର ହୋଇଥିବା ଏମ୍.ଏସ୍.ପି ମଧ୍ୟରୁ ଗୋଟିଏ ବି ଫସଲର ଏମ୍.ଏସ୍.ପି C2ଚାଷଖର୍ଚ୍ଚର ଦେଢଗୁଣା ଦର ଦେଉନାହିଁ । ସବୁଠାରୁ ପାଖକୁ ଆସୁଛି ଗହମ ଫସଲ । ଗହମ ଫସଲର C2ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପ୍ରତି ୧୨୫୬ଟଙ୍କା ହୋଇଥିବା ବେଳେ ଏମ୍.ଏସ୍.ପି ସ୍ଥିର ହୋଇଛି ୧୭୩୫ ଟଙ୍କା । ଅର୍ଥାତ ୧୨୫୬ ଟଙ୍କାର ଖର୍ଚ୍ଚ କରି ଚାଷୀ ଏମ୍.ଏସ୍.ପି ଦର ପାଇଲେ ୪୭୯ ଟଙ୍କା ଲାଭ ଅର୍ଥାତ ମୋଟେ ୩୮% ଲାଭ ପାଇବ । ଗହମ ଫସଲରେ ବି ୫୦% ଲାଭ ନାହିଁ । ଅନ୍ୟ ଫସଲର ଅବସ୍ଥା ତ ଆହୁରି ଶୋଚନୀୟ । କିନ୍ତୁ ଜେଟଲୀ ମହାଶୟ କହିଲେ ଯେ ତାଙ୍କ ସରକାର ରବି ଫସଲମାନଙ୍କ ପାଇଁ ୫୦% ଲାଭ ନିଶ୍ଚିତ କରିସାରିଛନ୍ତି । ଏହାକୁ ନେଇ ତୁମ୍ବି ତୋଫାନ ହେଲା ପରେ ସରକାର କହିଲେ ଯେ ସେ C2ନୁହେଁ A2+FLଦରକୁ ଖର୍ଚ୍ଚ ହିସାବରେ ଗ୍ରହଣ କରନ୍ତି । ସେହି ହିସାବରେ କୁସୁମ ଫସଲକୁ ଛାଡିଦେଲେ ଅନ୍ୟସବୁ ଫସଲ ଏମ୍.ଏସ୍.ପି ଦର ଚାଷ ଖର୍ଚ୍ଚ ଉପରେ ଅବଶ୍ୟ ଅନ୍ୟୁନ ୫୦% ଲାଭ ଦେଉଛି ।


ତେବେ ସରକାର କେବେଠୁ ତାହାହେଲେ ଏମ୍.ଏସ୍.ପି ଦରକୁ ଚାଷଖର୍ଚ୍ଚର ୧୫୦% କରିଦେଇ ଅନ୍ୟୁନ ୫୦% ଲାଭ ନିଶ୍ଚିତ କରିସାରିଲେଣି? ଆସନ୍ତୁ ଦେଖିବା ଗତ ୟୁପିଏ ସରକାରର ଶେଷ ବର୍ଷରେ ସ୍ଥିତି କଣ ଥିଲା । ବଡ ମଜାର କଥା ହେଲା ଯେ ସରକାର ଏବେ ଯାହା କରିଦେଇଛୁ ବୋଲି ବାହାବା ଦରାଣ୍ଡୁଛନ୍ତି ସେହି ସ୍ଥିତି ତ ୨୦୧୩-୧୪ ତଥା ତାହାର ଆଗରୁ ବି ଥିଲା! ୨୦୧୩-୧୪ ବର୍ଷରେ ବି କେବଳ କୁସୁମ ଫସଲକୁ ଛାଡିଦେଲେ ରବି ଋତୁର ଅନ୍ୟ ସମସ୍ତ ଫସଲର ଏମ୍.ଏସ୍.ପି ଦର ଚାଷ ଖର୍ଚ୍ଚର ଦେଢଗୁଣାରୁ ଅଧିକ ଥିଲା । ଗହମ, ବାର୍ଲି, ଚନା ବା ବୁଟ, ମସୁର ଓ ସୋରିଷ ଫସଲର ଏମ୍.ଏସ୍.ପି ଦର ଚାଷଖର୍ଚ୍ଚର ଯଥାକ୍ରମେ  ୧.୯ଗୁଣ, ୧.୬ ଓ ଗୁଣ, ୧.୭ଗୁଣ ଓ ୨.୪ଗୁଣ ଥିଲା । ତାହାହେଲେ ସରକାର ନୂଆ କଲେ କ? ୟୁପିଏ ସରକାର ତ ତାହା ଆଗରୁ କରିସାରିଥିଲେ । ଏବେ ଖରିଫ ଧାନ ଫସଲକୁ ଆସିବା ।  ସରକାରଙ୍କ ହିସାବ ଅନୁସାରେ ୨୦୧୭-୧୮ର ଖରିଫ ଋତୁରେ ଧାନ ଫସଲ ପାଇଁ ସରକାର ଧାର୍ଯ୍ୟ କରିଥିବା ଏମ୍.ଏସ୍.ପି ଦର ୧.୪ ଗୁଣ ଅଛି କାରଣ ସରକାର ଧାନର A2+FLଚାଷଖର୍ଚ୍ଚକୁ କ୍ୱିଣ୍ଟାଲ ପ୍ରତି ୧୧୧୭ଟଙ୍କା ହିସାବ କରିଥିବା ବେଳେ ଏମ୍.ଏସ୍.ପି ଦର ରଖିଛନ୍ତି ୧୫୫୦ଟଙ୍କା । ପୂର୍ବ ସରକାରର ଶେଷ ବର୍ଷରେ ବି ଧାନର ଏମ୍.ଏସ୍.ପି ଦର A2+FLଚାଷଖର୍ଚ୍ଚର ୧.୪ଗୁଣ ଥିଲା । ତାହାର ପୂର୍ବ ବର୍ଷ ତ ଧାନର ଏମ୍.ଏସ୍.ପି ଦର ଚାଷଖର୍ଚ୍ଚର ୧.୫ଗୁଣ ବା ଦେଢଗୁଣ ଥିଲା । ୨୦୧୨-୧୩ ବର୍ଷରେ ଧାନର A2+FLଚାଷଖର୍ଚ୍ଚ କ୍ୱିଣ୍ଟାଲପ୍ରତି ୮୪୭ଟଙ୍କା ଥିବା ବେଳେ ଏମ୍.ଏସ୍.ପି ସ୍ଥିର ହୋଇଥିଲା ୧୨୫୦ ଟଙ୍କା । ଅର୍ଥାତ, ଯଦି ବର୍ତ୍ତମାନ ସରକାରର ଯୁକ୍ତିକୁ ଧରିନେବା ତାହାହେଲେ ପୂର୍ବ ସରକାର ଧାନ, ଗହମ ସହିତ ଅଧିକାଂଶ ଫସଲର ଚାଷ ଖର୍ଚ୍ଚ ଉପରେ କେବେଠୁ ୫୦% ଲାଭ ନିଶ୍ଚିତ କରିସାରିଥିଲେ । ତାହା ହେଲେ ଏଇ ସରକାର ନୂଆ ଆଉ କଲା କ? ବଡ କଥା ହେଲା, ଚାଷୀ କରିଥିବା ନିବେଶ ଉପରେ ସୁଧ, ଅନ୍ୟ ଚାଷଋଣର ସୁଧ ତଥା ଜମିର କର ଆଦି ବି ବାସ୍ତବ ଖର୍ଚ୍ଚ ଅଟେ, ତାହାକୁ ଆଦୌ ଏଡାଇ ହେବନାହିଁ । ସ୍ୱାମୀନାଥନ କମିଟି ଚାଷୀର ପ୍ରକୃତ ଖର୍ଚ୍ଚ ବା C2ଉପରେ ୫୦% ଲାଭ ପାଇଁ ସୁପାରିଶ କରିଥିଲେ, ‘A2+FLଖର୍ଚ୍ଚ ଉପରେ ନୁହେଁ ।


ଡାହା ମିଛକୁ ସଂଖ୍ୟା ଓ ପରିସଂଖ୍ୟାନର ଖୋଳପା ଦେଇ ଲୋକଙ୍କୁ ଭୂତାଇବାର ଓ ଭୂଲେଇବାର ଏକ ପରମ୍ପରା ସୃଷ୍ଟି ହୋଇଗଲାଣି ବର୍ତ୍ତମାନ ସରକାରର ଯୁକ୍ତିକୁ ଗ୍ରହଣ କଲେ ଚାଷୀମାନେ ଏହି ସରକାରର ବହୁ ପୂର୍ବରୁ ମଧ୍ୟ ଚାଷ ଖର୍ଚ୍ଚ ଉପରେ ଦେଢଗୁଣା ଲାଭ ପାଉଛନ୍ତି । ଯଦି ସେତେବେଳେ ବି ଏହି ସ୍ଥିତି ଥିଲା, ତାହାହେଲେ ତିନିବର୍ଷ ତଳେ ସରକାର ଦେଢଗୁଣା ଲାଭ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦେଇଥିଲେ କାହିଁକି?

(This article was published on February 14, 2018 in Dharitri - in my fortnightly column 'Tatwa O Tarka'. That can be accessed at http://www.dharitri.com/e-Paper/Bhubaneswar/140218/p6.htm )

ରୋଜଗାରର ରାଜ୍

ଏବେ ଭାରତରେ ରୋଜଗାର ସୃଷ୍ଟିର ସ୍ଥିତିକୁ ନେଇ ଚାଲିଛି ହାଲ୍ଲା ଏଇ ନିକଟରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାର ପ୍ରଫେସର ପୁଲକ ଘୋଷ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ଡ଼ ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ଭାରତରେ ୪.୫ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ୩୭ ଲକ୍ଷ ଲୋକଙ୍କୁ ରୋଜଗାର ମିଳି ସାରିଛି ସେମାନେ ଅନୁମାନ କରିଛନ୍ତି ଯେ ଆର୍ଥିକ ବର୍ଷର ଶେଷ ବେଳକୁ ରୋଜଗାର ସଂଖ୍ୟା ବଢି ୫୫ ଲକ୍ଷ ହୋଇଯିବ ପୁଲକ ଓ ସୌମ୍ୟକାନ୍ତି ଦେଇଥିବା ଏହି ତଥ୍ୟ ଯଦି ସତ ତେବେ ତାହା ଭାରତ ସରକାରଙ୍କ ଶ୍ରମ ବିଭାଗ ପ୍ରଦାନ କରୁଥିବା ରୋଜଗାରର ସଂଖ୍ୟାଠାରୁ କାହିଁ କେତେଗୁଣ ଅଧିକ ରୋଜଗାର ବଢ଼ୁ ନାହିଁ ବୋଲି ତୀବ୍ର ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କ ମନ୍ତ୍ରୀମାନଙ୍କୁ ଏହା ବଢି ନଈରେ ଭାସିଯାଉଥିବା ବେଳେ କୁଟାଖିଅ ପରି ଲାଗିଲା ସେମାନେ ଟପକିନା ଏହି ଅଧ୍ୟୟନ ଦେଇଥିବା ସୂଚନାକୁ ସାଉଁଟି ପକାଇ କହିଲେ: ଦେଖ, ରୋଜଗାର କେତେ ବଢିଛି ତେବେ ଘୋଷ ବନ୍ଧୁ ବାହାର କରିଥିବା ନିର୍ଯ୍ୟାସକୁ ଓ ସେମାନେ ଆପଣାଇଥିବା ପଦ୍ଧତିରେ ଗହିରିଆ ଖୁଣ ବାହାରିବାରେ ଆଦୌ ବିଳମ୍ବ ହେଲା ନାହିଁ ଭାରତୀୟ ଅର୍ଥନୀତିର ବୃଦ୍ଧି ହାର ହ୍ରାସ ପାଇଥିବା ବେଳେ ରୋଜଗାର କେମିତି ଏତେ ବଢିବ ବୋଲି ଆରମ୍ଭରୁ ହିଁ ଶଙ୍କା ସୃଷ୍ଟି ହୋଇଥିଲା 


କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠିର ତଥ୍ୟ ଆଧାର ଘୋଷ ବନ୍ଧୁ ଏହି ସୂଚନା ଦେଇଥିଲେ କିନ୍ତୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ତଥ୍ୟକୁ ହିଁ ଅନେକ ବିଶେଷଜ୍ଞ ପ୍ରମାଦପୂର୍ଣ୍ଣ ବୋଲି କହିଛନ୍ତି ଅର୍ଥନୈତିକ ଗବେଷକ ମହେଶ ବ୍ୟାସ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ବାର୍ଷିକ ରିପୋର୍ଟରୁ ପାଇଲେ ଯେ ପାଣ୍ଠିର ସଭ୍ୟ ସଂଖ୍ୟା ୨୦୧୪-୧୫ ଓ ୨୦୧୫-୧୬ରେ ୨୫ ଲକ୍ଷ ବଢିଥିଲା କିନ୍ତୁ ଅତି ଆଶ୍ଚର୍ଯ୍ୟ ଭାବରେ ଜାନୁଆରୀ ୨୦୧୭ରୁ ଜୁନ ୨୦୧୭ ମଧ୍ୟରେ, ମାତ୍ର ଛଅ ମାସରେ ସଭ୍ୟ ସଂଖ୍ୟା ଏକ କୋଟି ବଢିଗଲା ପୂର୍ବ ଦୁଇ ବର୍ଷରେ ମାତ୍ର ୨୫ ଲକ୍ଷ ବଢିଥିବା ବେଳେ ମାତ୍ର ଛଅ ମାସରେ ଏକ କୋଟି କେମିତି ବଢିବ ବୋଲି ସେମାନେ ପ୍ରଶ୍ନ କଲେ ଏହା ଏଇଥିପାଇଁ ହେଲା ଯେ ନିଯୁକ୍ତିକରୀମାନଙ୍କୁ ରେଜିଷ୍ଟ୍ରିଭୁକ୍ତ ହୋଇନଥିବା ସମସ୍ତ କର୍ମଚାରୀମାନଙ୍କ ସୂଚନା ପ୍ରଦାନ କରିବା ପାଇଁ କୁହାଗଲା ତେଣୁ ମାର୍ଚ୍ଚ ୨୦୧୭ରେ ସଭ୍ୟସଂଖ୍ୟା ୩.୮୦ କୋଟି ଥିବା, ଚାରିମାସ ପରେ ଜୁଲାଇ ୨୦୧୭ ବେଳକୁ ତାହା ୪.୮ କୋଟିକୁ ବଢିଗଲା ଭବିଷ୍ୟନିଧି ପାଣ୍ଠିର ମୋଟ ସଭ୍ୟ ସଂଖ୍ୟା ମାତ୍ର ଚାରି ମାସରେ ଏକା ଥରକେ ଏକ-ଚତୁର୍ଥାଂଶରୁ ବି ଅଧିକ ବଢିଗଲା  ନିଯୁକ୍ତି ବଢି ନାହିଁ, କେବଳ ପୂର୍ବରୁ ନିଯୁକ୍ତ ଥିବା କର୍ମଚାରୀଙ୍କୁ ଭବିଷ୍ୟନିଧିର ପଞ୍ଜିକରଣ କରିବା ପାଇଁ କୁହାଯିବାରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସଦସ୍ୟ ସଂଖ୍ୟା ଏକ ବଡ ଲମ୍ବ ଡିଆଁ ମାରିଛି ଏମିତି ଏକ ଭ୍ରାନ୍ତ ସ୍ଥିତିକୁ ଭିତ୍ତି କରି ଦେଶର କିଛି ଖ୍ୟାତନାମା ଗବେଷକ ଭାରତରେ ୫୫ ଲକ୍ଷରୁ ବି ଅଧିକ ନିଯୁକ୍ତି ସୃଷ୍ଟି ହେଉଛି ବୋଲି କହିବା ଆଦୌ ତର୍କ ସଂଗତ ନୁହେଁ ବୋଲି ଅନେକ ଅର୍ଥନୀତିଜ୍ଞରେ କହିଛନ୍ତି ଘୋଷ ବନ୍ଧୁଙ୍କ ତଥ୍ୟର ଭିତ୍ତିକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ଅନ୍ୟ ଅନେକ ଗବେଷଣା ଓ ତଥ୍ୟ ତାହାର ଠିକ ଓଲଟା ହିଁ କହୁଛନ୍ତି ଗତ ୨୦୧୭ରେ ହିଁ ସରକାରୀ ରିପୋର୍ଟ ଆସିଛି ଯେ ମୋଦି ସରକାର ଶାସନକୁ ଆସିବା ବେଳେ ଭାରତରେ ବେକାରୀ ହାର ୪.୯% ଥିବା ବେଳେ ୨୦୧୫-୧୬ରେ ତାହା ୫%କୁ ବୃଦ୍ଧି ପାଇଛି ଅନେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଭାରତରେ ନିଯୁକ୍ତି ସୃଷ୍ଟିର ସ୍ଥିତିକୁ ନେଇ ଚିନ୍ତା ଜାହିର କରିସାରିଛନ୍ତି

ଆଜିର ବିଜ୍ଞାନ ଯୁଗରେ ଭାରତ କମ୍ପୁଟର ଓ ପ୍ରଯୁକ୍ତିରେ ବିଶ୍ୱରେ ଏକ ଆଗୁଆ ଦେଶ ହୋଇଥିବା ବେଳେ ଦେଶରେ ନିଯୁକ୍ତି ସୃଷ୍ଟି ବା ବେରୋଜଗାରୀ ଉପରେ ନଜର ରଖିବା ପାଇଁ ଥିବା ବ୍ୟବସ୍ଥା ମଧ୍ୟ ଯୁଗୀୟ ହୋଇ ରହିଛି ସରକାରଙ୍କ ପାଖରେ କିଛି ତଥ୍ୟ ନାହିଁ କହିଲେ ଆଦୌ ଭୁଲ ହେବ ନାହିଁ ଲୋକସଭା ଓ ରାଜ୍ୟସଭାରେ ବାରମ୍ବାର ଦେଶରେ ରୋଜଗାରର ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚରାଯାଇଛି ଏଇ ଜାନୁଆରୀ ମାସରେ ରାଜ୍ୟସଭାରେ ଏକ ରୋକଠୋକ ପ୍ରଶ୍ନ ଆସିଥିଲା ନିଯୁକ୍ତିକୁ ନେଇ ଯେ ଗତ ତିନି ବର୍ଷରେ ଭାରତ ସରକାର କେତେ ରୋଜଗାର ସୃଷ୍ଟି କରିଛନ୍ତି ଜାନୁୟାରୀ ୩ ତାରିଖରେ ଉପରୋକ୍ତ ପ୍ରଶ୍ନ ନମ୍ବର ୧୮୫୦ର  ଉତ୍ତରରେ ମାନ୍ୟବର ମନ୍ତ୍ରୀ ମୂଳ ପ୍ରଶ୍ନକୁ ସମ୍ପୂର୍ଣ୍ଣ ବାଆଁରେଇ ଦେଇ କହିଲେ ଯେ ଯେ ଦେଶରେ କର୍ମଜୀବି-ଜନସଂଖ୍ୟାର ଅନୁପାତ ୨୦୧୨-୧୩ରେ ୫୧%, ୨୦୧୩-୧୪ରେ ୫୩.୭% ଓ ୫୦.୬% ଥିଲା ଏହି ଉତ୍ତରରେ ଅନେକ ପ୍ରଶ୍ନ ଭରି ରହିଛି ପ୍ରଶ୍ନ ଥିଲା ଭାରତ ସରକାର କେତେ ନିଯୁକ୍ତି ସୃଷ୍ଟି କରିଛନ୍ତି, ଉତ୍ତର ନିଯୁକ୍ତିର ସଂଖ୍ୟା ଉପରେ ନ ଆସି ଆସିଲା କର୍ମଜୀବି-ଜନସଂଖ୍ୟାର ଅନୁପାତ ଉପରେ ପୁଣି ରାଜ୍ୟ ସଭାରେ ପ୍ରଶ୍ନର ଉତ୍ତର ରଖା ହୋଇଥିଲା ୨୦୧୮ ମସିହାର ଜାନୁୟାରୀ ମାସରେ ସରକାର ତଥ୍ୟ ଦେଲେ ଦୁଇ ବର୍ଷ ତଳର କହିବାର କଥା ହେଲା ଯେ ରୋଜଗାର ଭଳି ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ପାଖରେ ଯାହା ତଥ୍ୟ ଅଛି ତାହା ଖୁବ୍ ପୁରୁଣା ଏହି ଯେଉଁ ତଥ୍ୟ ଅଛି ତାହା ପୁଣି କାହାର? ଏହା ହେଉଛି 'ୟୂଜୁଆଲ ଆପ୍ରୋଚ' ବା ସାଧାରଣ ପନ୍ଥା ଆଧାରରେ ଅନୁମାନ କରାଯାଇଥିବା ତଥ୍ୟ ଏହି ପନ୍ଥା ଅନୁସାରେ ଯିଏ ବର୍ଷର ଅନେକ ଦିନରେ ରୋଜଗାର ପାଇଥାଏ ତାହାକୁ ରୋଜଗାରିଆ ବା ବେକାର ନୁହେଁ ବୋଲି ଧରି ନିଆଯାଏ ଆଜିର କମ୍ପ୍ୟୁଟର ଦୁନିଆରେ ସରକାର ଏହିଭଳି ଏକ ପନ୍ଥା ଧରି ଚାଲିଛନ୍ତି ତାହା ଖୁବ ନୈରାଶ୍ୟଜନକ

ଆମେରିକା ସରକାର ପ୍ରତିମାସରେ ନିଯୁକ୍ତି ତଥ୍ୟ ସାର୍ବଜନୀନ କରନ୍ତି ସେହି ସଂଖ୍ୟା ଏମିତି ଏକ ମନଗଢା ସ୍ଥୁଳ ସଂଖ୍ୟା ନୁହେଁ, ସମ୍ପୂର୍ଣ୍ଣ ସଠିକ ସଂଖ୍ୟା ଦିଅନ୍ତି ଉଦାହରଣସ୍ୱରୂପ, ଏଇ ଜାନୁୟାରୀ ୫ ତାରିଖରେ ରୋଜଗାର ତଥ୍ୟ ଜାରିକରି ଆମେରିକା ସରକାର କହିଛନ୍ତି ଯେ ଗତ ୨୦୧୭ ମସିହା ଡିସେମ୍ବର ମାସରେ ଦେଶରେ ବେକାର ବ୍ୟକ୍ତିଙ୍କ ସଂଖ୍ୟା ପୂର୍ବ ମାସ ତୁଳନାରେ ସମାନ ଥିଲା କିନ୍ତୁ ପୂର୍ବ ବର୍ଷର ସେହି ମାସ ତୁଳନାରେ ତାହା ୯.୨୬ ଲକ୍ଷ କମ ଥିଲା ଏହି ରିପୋର୍ଟରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ତଥ୍ୟ ରହିଥାଏ ଭାରତ ସରକାର ତିନି ବର୍ଷ ତଳର କର୍ମଜୀବି-ଜନସଂଖ୍ୟାର ଅନୁପାତ ଦେଉଛନ୍ତି ଆମେରିକା ସରକାର ପ୍ରତି ମାସରେ ତାହାର ତଥ୍ୟ ଦିଅନ୍ତି ସମସ୍ତ ପାଶ୍ଚାତ୍ୟ ଦେଶରେ ପ୍ରାୟ ସେହି ବ୍ୟବସ୍ଥା ଅଛି ସମସ୍ତେ ନିଜ ଦେଶର ନିଯୁକ୍ତି ଓ ବେକାରୀ ସ୍ଥିତିକୁ ଅତି ଗମ୍ଭୀରତାର ସହ ଦେଖନ୍ତି  

ଭାରତ ସରକାର ମଧ୍ୟ ଏହାକୁ ଅତି ଗମ୍ଭୀରତାର ସହ ନେବା ଦରକାର ଦେଶରେ ବେକାରୀ ଓ ରୋଜଗାର ଉପରେ ତୀକ୍ଷ୍ଣ ନିଘା ରଖିବାର ପ୍ରାଥମିକ ଆବଶ୍ୟକତାକୁ ସମାଧାନ କରିବାରେ ବିଫଳ ହୋଇଥିବା ବା ସଫଳ ହେବାର ଚେଷ୍ଟା କରି ନ ଥିବା ସରକାର ଅନ୍ୟ କୌଣସି ବାହାନାରେ ବାହାବା ନେବା ବଡ ଚିନ୍ତାଜନକ ଅଟେ ଯେତେବେଳ ଯାଏ ସରକାର ଏହା ମାପିବାର ଠୋସ୍ ବ୍ୟବସ୍ଥା ନ କରିବେ ଘୋଷ ବନ୍ଧୁଙ୍କ ଭଳି ରିପୋର୍ଟ ବଜାରକୁ ଆସୁଥିବ ଏବଂ ତାହାର ଠିକ ବିପରୀତ ରିପୋର୍ଟମାନ ମଧ୍ୟ ଆସୁଥିବ ମେଡ଼ ଇନ ଇଣ୍ଡିଆ, ଦକ୍ଷ ଭାରତ ଆଦି ସ୍ଲୋଗାନରେ ବାସ୍ତବତା ଚାପି ହୋଇ ରହୁଥିବ

(This article was originally published in my fortnightly blog in Dharitri - 'Tatwa O Tarka' on January 24, 2018. It can be accessed at http://www.dharitri.com/e-Paper/Bhubaneswar/240118/p6.htm )

ଚାଷୀ ଆୟରେ ଦୁ'ଗୁଣାର ଭ୍ରମ

ପ୍ରଧାନମନ୍ତ୍ରୀଙ୍କ ଅନେକ ଘୋଷଣା ମଧ୍ୟରୁ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଘୋଷଣାକୁ ଲୋକେ ଗୁରୁତ୍ୱର ସହ ନେଇଥିଲେ ତାହା ଚାଷୀଙ୍କ ମନରେ ଏକ ଆଶା ଜାଗ୍ରତ କରାଇଥିଲା ପ୍ରଧାନମନ୍ତ୍ରୀ ପ୍ରଥମ କରି ଚାଷୀଙ୍କ ଆୟ ଦୁଇଗୁଣା କରିବୁ ବୋଲି କହିଥିଲେ ୨୦୧୬ ମସିହା ଫେବୃଆରୀ ୨୮ ତାରିଖରେ ୨୦୧୬ ମସିହା ମାର୍ଚ୍ଚ ମାସ ୯ ତାରିଖରେ ରାଜ୍ୟସଭାରେ ସେହି କଥା କହିଲେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇ ଗୁଣା କରିବାର ଯେଉଁ ସମୟସୀମା ରଖିଛନ୍ତି ତାହା ଗଡି ଚାଲିଛି ଏବେ ପରଖିବାର ସମୟ ଆସିଛି ଯେ ଏହି ଘୋଷଣାର ସ୍ଥିତି କେମିତି ରହିଛି ଓ କେତେ ଆଶା ଜାଗ୍ରତ ହୋଇଛି


ଆୟ କେମିତି ଦୁଇଗୁଣ ହେବ ତାହାର ଉପାୟ ଖୋଜିବା ପାଇଁ କମିଟିମାନ ନିଶ୍ଚୟ ଗଠନ କରିଛନ୍ତି ସରକାର ଶ୍ରୀ ଅଶୋକ ଦଳୱାଇଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଏକ କମିଟି ଗଠନ କରିଛନ୍ତି କମିଟି ତାହାର ପ୍ରଥମ ଓ ଆଂଶିକ ରିପୋର୍ଟ ଦେଇଛି ଅଗଷ୍ଟ ୨୦୧୭ରେ ସେମିତି ନୀତି ଆୟୋଗ ମଧ୍ୟ ରଣନୀତି ଓ ରୂପରେଖ ପ୍ରସ୍ତୁତ କରିଛନ୍ତି ଅନ୍ୟ ଏକ ରିପୋର୍ଟରେ ସେହି ରିପୋର୍ଟଟି ପ୍ରକାଶିତ ହୋଇଥିଲା ୨୦୧୭ ମସିହା ମାର୍ଚ୍ଚ ମାସରେ ସରକାରଙ୍କ କମିଟିମାନଙ୍କୁ ଦୁଇ ବର୍ଷ ଲାଗିଗଲା କେବଳ ଏହା ଖୋଜିବାରେ ଯେ କେଉଁ ଉପାୟରେ ଚାଷୀଙ୍କ ଆୟ ଦୁଇଗୁଣ କରାଯାଇପାରିବ ଗୋଟିଏ କମିଟିର ଖୋଜା ଏବେବି ଚାଲିଛି

ତେବେ, ଏହି ଦୁଇଗୁଣାର ରହସ୍ୟଟି କଣ? ଦଲୱାଇ କମିଟି ଗୋଟିଏ ଚାଷୀ ପରିବାରର ବାର୍ଷିକ ହାରାହାରି ଆୟ ଯାହା ୨୦୧୫-୧୬ରେ ୯୬,୭୦୩ ଟଙ୍କା ଥିଲା ତାହା ୨୦୨୨-୨୩ ବେଳକୁ ୨,୧୯,୭୨୪ ଟଙ୍କାକୁ ବଢାଇବାର ଲକ୍ଷ୍ୟ ସ୍ଥିର କରିଛି ନୀତି ଆୟୋଗଙ୍କ ରିପୋର୍ଟ କହୁଛି ଯେ ୨୦୦୧ରୁ ୨୦୧୪ ମଧ୍ୟରେ ଚାଷୀଙ୍କ ଆୟ ଯେଉଁ ହାରରେ ବଢିଥିଲା, ଯଦି ସେହି ହାରରେ ବଢିଚାଲେ ତେବେ ୨୦୨୨-୨୩ ବର୍ଷ ସୁଦ୍ଧା ଚାଷୀଙ୍କ ଆୟ ପ୍ରାୟ ୬୬% ବଢିବ ଓ ୨୦୨୫-୨୬ ସୁଦ୍ଧା ବା ୧୦ ବର୍ଷରେ ତାହା ଦ୍ଵିଗୁଣିତ ହେବ ବା ୧୦୦% ବୃଦ୍ଧି ପାଇବ ନୀତି ଆୟୋଗଙ୍କ ରିପୋର୍ଟ କୃଷି କ୍ଷେତ୍ରର ସାତଟି ବିଭାଗ ଚିହ୍ନଟ କରି ତହିଁରେ ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବୃଦ୍ଧି ହାର କେତେହେଲେ ଆୟ ଦୁଇଗୁଣ ହେବ ତାହା କହିଛି ସେହି ସାତଟିରୁ ଗୋଟିଏ ହେଲା ଉତ୍ପାଦକତା ରିପୋର୍ଟ କହିଛି ଯେ ଫସଲ ଉତ୍ପାଦକତା ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବାର୍ଷିକ ୪.୧% ହାରରେ ବଢିବା ଦରକାର ସେମିତି ଖୋଜାଖୋଜି କରି ଦଲୱାଇ କମିଟିର ପ୍ରାଥମିକ ରିପୋର୍ଟ କହିଛି ଯେ ଯଦି ୨୦୧୫-୧୬ ବର୍ଷ ତୁଳନାରେ ୨୦୨୨-୨୩ ସୁଦ୍ଧା ଭାରତର ଚାଷୀଙ୍କ ଆୟ ଦୁଇ ଗୁଣା କରିବାର ଅଛି ତେବେ ଏହି ସାତ ବର୍ଷର ପ୍ରତ୍ୟେକ ବର୍ଷ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ହାରାହାରି ୧୦.୪୧% ହାରରେ ବଢିବା ଦରକାର 

ପାଞ୍ଚ ବର୍ଷରୁ ଦୁଇ ବର୍ଷ ବିତି ସାରିଲାଣି ଟିକିଏ ଦେଖିନେଲେ ହେବ ଯେ ବାସ୍ତବ ସ୍ଥିତି କଣ ରହିଛି ପ୍ରଥମେ ଦେଖିବା ଉତ୍ପାଦକତା କେନ୍ଦ୍ରସରକାରଙ୍କ କୃଷି ବିଭାଗର ତଥ୍ୟ ଅନୁସାରେ ୨୦୧୬-୧୭ ବର୍ଷରେ ଖାଦ୍ୟଶସ୍ୟ ଜାତୀୟ ଫସଲର ଅମଳ ତାହାର ପୂର୍ବ ବର୍ଷ ତୁଳନାରେ ୪.୦୧% ବଢିଥିଲା ଆୟୋଗଙ୍କ ଆକଳନ ଅନୁସାରେ ଉତ୍ପାଦକତା ବାର୍ଷିକ ହାରାହାରି ୪.୧% ହାରରେ ବଢିବା କଥା ୨୦୧୬-୧୭ ବର୍ଷରେ ଉତ୍ପାଦକତା ତ ନୁହେଁ ମୋଟ ଉତ୍ପାଦନ ବଢ଼ିଲା ୪.୦୧% ଭାରତରେ ସବୁ ବର୍ଷ ଚାଷ ସମାନ ଯାଏନାହିଁ ପ୍ରତି ବର୍ଷର ଉତ୍ପାଦନ ଓ ଉତ୍ପାଦକତାରେ ଅନେକ ପ୍ରଭେଦ ରହେ ୨୦୦୧ରୁ ୨୦୧୩ ମଧ୍ୟରେ ଫସଲ ଉତ୍ପାଦକତା ବାର୍ଷିକ ମାତ୍ର ୩.୧% ହାରରେ ବଢିଥିଲା ୨୦୧୫-୧୬ରେ ଉତ୍ପାଦନ ହାର ଖୁବ କମ ଥିଲା କାରଣ ଦେଶର ଅନେକ ଅଂଚଳରେ ମରୁଡି ପଡିଥିଲା ଚଳିତ ବର୍ଷର କେବଳ ଖରିଫ ଋତୁ ସରିଛି ଏବଂ ତାହା ନିରାଶ ହିଁ କରୁଛି କୃଷି ବିଭାଗର ପ୍ରଥମ ଆଗୁଆ ଅନୁମାନ ସୁଚାଇଛି ଯେ ଚଳିତ ଖରିଫ ଋତୁରେ ଅମଳ ପୂର୍ବ ବର୍ଷଠାରୁ ପ୍ରାୟ ୨.୮% କମ ହେବ ଅର୍ଥାତ ଗୋଟିଏ ବର୍ଷ ଯଦି ଉତ୍ପାଦନ ବଢ଼ିଲା, ପରବର୍ଷ ପୁଣି ଖସିଆସିଲା ଫସଲର ଉତ୍ପାଦକତାକୁ ପ୍ରତିବର୍ଷ ଅନ୍ତତଃ ୪.୧% ହାରରେ ବଢାଇବାର ଲକ୍ଷ୍ୟ ପ୍ରଥମ ଦୁଇବର୍ଷରେ ଫସର ଫାଟି ସାରିଛି ଏଣେ, ଦଲୱାଇ କମିଟି ରିପୋର୍ଟ କହିଛି ଯେ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ୧୦.୪୧% ହାରରେ ବଢିବା ଦରକାର ଅଛି କିନ୍ତୁ, ସେହି ଲକ୍ଷ୍ୟ ମଧ୍ୟ ପ୍ରାୟ ଅପହଞ୍ଚ ବୋଲି ଆରମ୍ଭରୁ ହିଁ ଜଣାପଡୁଛି ୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ ପ୍ରକୃତ ଆୟ ମୋଟେ ୩.୫% ହାରରେ ହିଁ ବୃଦ୍ଧି ପାଇଥିଲା ଅନ୍ୟ ଭାବରେ କହିଲେ, ସେହି ଦଶନ୍ଧିରେ ଚାଷୀଙ୍କ ପ୍ରକୃତ ଆୟ ଯେଉଁ ହାରରେ ବଢିଥିଲା ତାହାଠାରୁ ଅନ୍ତତଃ ତିନି ଗୁଣ ଅଧିକ ହାରରେ ବଢିଲେ ଯାଇ ହିଁ ଚାଷୀଙ୍କ ଆୟ ଦୁଇଗଣ ବଢି ପାରିବ ଗତ ଦୁଇ ବର୍ଷରେ ତାହାର କାଣିଚାଏ ବି ଉପଲବ୍ଧି ହୋଇନାହିଁ

ଏମିତି ସ୍ଥିତିରେ ସମସ୍ତଙ୍କ ସନ୍ଦେହ ହେଲାଣି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ମଧ୍ୟ ପୋକ ଚରିଯିବେ ତେବେ ସରକାରରେ ବଡ ଚତୁର ଅର୍ଥନୀତିଜ୍ଞ ମାନେ ଅଛନ୍ତି ଏମିତି ଛାଡ଼ିବେ ନାହିଁ ତାଙ୍କ ପାଇଁ ଗୋଟେ ସହଜ ଉପାୟ ଅଛି କୃଷି କ୍ଷେତ୍ରରୁ ରୋଜଗାର ଉଠାଉଥିବା ଚାଷୀଙ୍କ ପରିବାର ସଂଖ୍ୟା କମାଇ ଦିଅ ସେହି ସମାନ ଉତ୍ପାଦନ ହେଲେ ମଧ୍ୟ ଯଦି କମ ଚାଷୀ ପରିବାର ବା କମ କୃଷକ ରହିବେ, ତାଙ୍କର ହାରାହାରି ଆୟ ସେମିତି ବଢ଼ିଯିବ  କିଛି ନ କରି ମଧ୍ୟ ଆୟ ଦୁଇଗଣ ହେଇଯିବ ବୋଧେ ଏହା ହିଁ ଏବେ ପ୍ରଚେଷ୍ଟା ରହିଛି କୃଷି କ୍ଷେତ୍ରରୁ କୃଷକଙ୍କୁ ବାହାରକରିଦେବାର ରୀତିମତ ଚେଷ୍ଟା ଚାଲିଛି ତାହାର କିଛି ଉଲ୍ଲେଖ ମଧ୍ୟ ରହିଛି ଉଭୟ ନୀତି ଆୟୋଗ ଓ ଦଲୱାଇ କମିଟି ରିପୋର୍ଟ ମାନଙ୍କରେ

ସେହିଭଳି ପ୍ରଚେଷ୍ଟାକୁ ଅନୁମାନ କରିଛନ୍ତି ସବୁଜ ବିପ୍ଲବର ଜନକ ସ୍ଵାମୀନାଥାନ ତଥା ଭାରତର ସମ୍ମାନାସ୍ପଦ କୃଷି ବିଶେଷଜ୍ଞ ଦେବେନ୍ଦର ଶର୍ମା ତେଣୁ, ସ୍ଵାମୀନାଥାନ ଏହି କଥା ବାରମ୍ବାର କହୁଛନ୍ତି ଯେ ଫସଲର ସର୍ବନିମ୍ନ ସହାୟକ ଦର ଚାଷୀକୁ ଅନ୍ୟୁନ ୫୦% ଲାଭ ଦେବା ଦରକାର ସେହିପରି ଦେବେନ୍ଦର ଶର୍ମା କହନ୍ତି ଯେ ଏତେ ଦୁଃସାଧ୍ୟ ହେଲାଣି ଯେ ଚାଷୀ ନିଜକୁ ମାରିଦେଉଛି ଏହା ହେଲେ ଲୋକେ ଖାଇବାକୁ ପାଇବେ ନି ଚାଷ ଓ ଚାଷୀକୁ ବଞ୍ଚାଇବାକୁ ହେଲେ ଅନ୍ୟ ପଦକ୍ଷେପ ସହ ଚାଷୀଙ୍କୁ ପ୍ରତିମାସ ଏକ ନିଶ୍ଚିତ ଆୟ ଉପଲବ୍ଧ କରାଇବା ଦରକାର ଯାହା ଚାଷୀ ପରିବାରର ବର୍ତ୍ତମାନର ହାରାହାରି ମାସିକ ଆୟ ୧,୭୦୦ ଟଙ୍କାରୁ ଯଥେଷ୍ଟ ଅଧିକ ହେଉଥିବ

ନୀତି ଆୟୋଗ ଗୋଟେ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି ଦଲୱାଇ କମିଟି ଗୋଟିଏ ପରେ ଗୋଟିଏ ରିପୋର୍ଟ ତିଆରୁଛନ୍ତି, ସରିନି ଏଯାଏଁ ସେହି କମିଟି ୧୪ଟି ଭାଗରେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିବ ସବୁ ଭାଗ ଖୁବ ବିଶାଳ ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡ଼ା ଚାଲିଛି, ସରିଲା ବେଳକୁ ଦୁଇ ହଜାର ପୃଷ୍ଠା ଉପରକୁ ହୋଇଯିବ କିନ୍ତୁ ଚାଷୀଙ୍କ ଆୟ ବଢିବାର କିଛି ସୂଚନା ମିଳିନି ଏଯାଏଁ ସାତ ବର୍ଷରେ ଚାଷୀଙ୍କ ଆୟ ଦୁଇଗୁଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ଫଳବତୀ ହେବାର ଆଶା ଛାଡି ସାରିଲେଣି ଚାଷୀ ଓ ଅନେକ ବିଶେଷଜ୍ଞ ରାଜନୀତିଜ୍ଞ ମାନେ ଏହାକୁ ଆଉ ଏକ 'ଜୁମଲା' ବୋଲି କହିବା ଆରମ୍ଭ କରିଦେଲେଣି

(This article was originally published in my fortnightly column in Dharitri - 'Tatwa O Tarka' - on January 10, 2018. That can be accessed at http://www.dharitri.com/e-Paper/Bhubaneswar/100118/p6.htm )