ମହାନଦୀକୁ ନେଇ ଏବେ
ଘଡ଼ିକେ ଘୋଡ଼ା ଛୁଟୁଛି। ମେ ମାସ ୧୨ ତାରିଖରେ ମୂଖ୍ୟମନ୍ତ୍ରୀ ଜଳସମ୍ପଦ
ବିଭାଗର ‘ସମୀକ୍ଷା’ ପରେ ସଂଧ୍ୟାରେ ଟ୍ୱିଟରରେ ଅନେକ କଥା କହିଥିଲେ କିନ୍ତୁ
ତହିଁରେ ମହାନଦୀର ନାଁ ନଥିଲା। ହଠାତ ତା ପରଦିନ ଗଣମାଧ୍ୟମରୁ ଜଣାପଡିଲା ଯେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ରାଜ୍ୟ ସରକାର ମହାନଦୀରେ ସାତଟି ଏବଂ ତାହାର
ଉପନଦୀମାନଙ୍କରେ ଆହୁରି ୨୨ଟି ଆନିକଟ ତିଆରି କରିବେ ବୋଲି ଘୋଷଣା କରିଛନ୍ତି। ସେହି ସବୁ ଯୋଜନା ବିଷୟରେ ସବିଶେଷ ତଥ୍ୟ ନଥିଲା। ପ୍ରକାଶିତ ତଥ୍ୟ ଅନୁସାରେ କୁଆଡ଼େ ପ୍ରମୁଖ ସଚିବ କହିଲେ ଯେ ମହାନଦୀର ପ୍ରାୟ ୫୨ ପ୍ରତିଶତ ଜଳ
ସମୁଦ୍ରକୁ ବହିଯାଇ ନଷ୍ଟ ହୋଇଯାଉଛି ଏବଂ ସେହି ନଷ୍ଟ ହୋଇଯାଉଥିବା ଜଳକୁ ରୋକି ବ୍ୟବହାରରେ
ଲଗାଇବା ପାଇଁ ଏକ ଯୋଜନାର ଖସଡ଼ା ତିଆରି ଚାଲିଛି। ଜଳସମ୍ପଦ ବିଭାଗର ସମୀକ୍ଷା
କରିବାର ତିନି ଦିନ ପରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା କରି ଟ୍ୱିଟରରେ
ଜଣାଇଲେ ଯେ ସବୁଜ ମହାନଦୀ ମିସନ ହେଉଛି ସବୁଠାରୁ ବଡ଼ ଅଗ୍ରାଧିକାର। ଏହି ମିସନରେ
ମହାନଦୀର ଉଭୟ ତଟରେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣର ଯୋଜନା ରହିଛି। ଜଙ୍ଗଲ ବିଭାଗ
ସମୀକ୍ଷାର ପର ଦିନ, ମେ ୧୬ ତାରିଖରେ
ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ବିଶାଳ ‘ମହାନଦୀ ବଞ୍ଚାଅ’ ଅଭିଯାନ ଆରମ୍ଭ କରି ଛତିଶଗଡ଼ ସରକାର ଆନିକଟମାନ
ନିର୍ମାଣ କରି ମହାନଦୀକୁ ମାରି ଦେଉଥିବାର ବିରାଟ ଅଭିଯୋଗ ଦୋହରାଇଲେ ଏବଂ ମହାନଦୀକୁ ବଞ୍ଚାଇବା
ପାଇୁଁ ସେ ଶେଷ ପର୍ଯ୍ୟନ୍ତ ଲଢ଼ିିବେ ବୋଲି କହିଲେ। ସେହି ଅଭିଯୋଗ କରିବାର ଠିକ୍
ପର ଦିନ ମେ ୧୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଗୋଟିଏ ବକ୍ତବ୍ୟ ଜାରି ହେଲା ଯେ ଜଳସମ୍ପଦର
ବିକାଶ ପାଇଁ ଆସନ୍ତା ପାଞ୍ଚ ବର୍ଷରେ ୭୫,୦୦୦ କୋଟି ଟଙ୍କା
ବ୍ୟୟ କରାଯିବ। ଏହା ସହିତ ସେଥିରେ ଆହୁରି କୁହାଗଲା ଯେ ଆସନ୍ତା ତିନି
ମାସ ମଧ୍ୟରେ ଏକ ‘ପୂର୍ଣ୍ଣାଙ୍ଗ ନଦୀ
ନୀତି’
ପ୍ରସ୍ତୁତ କରିବା ପାଇଁ
ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
http://www.dharitri.com/e-Paper/Bhubaneswar/230518/p6.htm |
ସ୍ୱଳ୍ପ ଦିନର
ବ୍ୟବଧାନରେ ହୋଇଥିବା ଏତେ ଗୁଡ଼ିଏ ଘୋଷଣାରେ ଚରମ ବିରୋଧାଭାସ ଭରି ରହିଛି। ଗୋଟିଏ ପକ୍ଷରେ ବ୍ୟାରେଜ ଯୋଗୁଁ ମହାନଦୀ ମରିଯାଉଛି ବୋଲି ଚିତ୍କାର କରୁଛନ୍ତି ଏବଂ ଅନ୍ୟ
ପକ୍ଷରେ ଠିକ୍ ସେହିଭଳି ବ୍ୟାରେଜ ନିର୍ମାଣ କରିବା ପାଇଁ ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳର ଘୋଷଣା କରିଦେଉଛନ୍ତି। ପୁଣି ଗୋଟିଏ ପଟେ ଛତିଶଗଡ଼ରେ ଆନିକଟ ଯୋଗୁଁ ମହାନଦୀ ଶୁଖିଗଲାଣି ଏବଂ ତାହା ଯୋଗୁଁ ଜୀବନ
ଜୀବିକା ଉଜୁଡ଼ିବା ସହିତ ଚିଲିକା ଓ ଉପକୂଳୀୟ ଲୁଣା ଜଙ୍ଗଲ ନଷ୍ଟ ହୋଇଯିବ ବୋଲି ଅଭିଯୋଗ ହେଉଛି
ଏବଂ ଅନ୍ୟପଟେ ମହାନଦୀର ପ୍ରାୟ ୫୨ ପ୍ରତିଶତ ଜଳ ସମୁଦ୍ରକୁ ବହିଯାଇ ନଷ୍ଟ ହୋଇଯାଉଛି ବୋଲି କୁହାଯାଉଛି। ଏହି ଆଲେଖ୍ୟ ପ୍ରସଙ୍ଗରେ ଆମେ ଅନ୍ୟ ଏକ ବିରୋଧଭାସର କିଛି ଚର୍ଚ୍ଚା କରିବା। ମୁଖ୍ୟମନ୍ତ୍ରୀ ଗୋଟେ ପଟେ ‘ପୂର୍ଣ୍ଣାଙ୍ଗ ନଦୀ
ନୀତି’
ପ୍ରସ୍ତୁତ କରିବା ପାଇଁ
ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଅନ୍ୟ ପଟେ ସେହି ନଦୀ ନୀତି ପ୍ରସ୍ତୁତ ହେବା ପୂର୍ବରୁ ୭୫,୦୦୦ କୋଟି ଟଙ୍କାର ବିଶାଳ ବ୍ୟାରେଜ, ଆନିକଟ ଆଦି ପ୍ରକଳ୍ପ ହେବ ବୋଲି ଘୋଷଣା କରିପକାଇଛନ୍ତି। ଯଦି ନଦୀ ନୀତି କରିବାର ଅଛି ଓ ତାହା ନ ହେବା ପୂର୍ବରୁ ବିଭିନ୍ନ ଯୋଜନା ଘୋଷଣା ହେବାର
ଥିଲା ତାହା ହେଲେ ନୀତି ପ୍ରଣୟନ କରିବାର ଆବଶ୍ୟକତା ହିଁ କ’ଣ ଅଛି? ଆଦର୍ଶଗତ ସ୍ଥିତିରେ ପ୍ରଥମେ ନଦୀ ନୀତି ପ୍ରଣୟନ ହେବା
ପରେ ତାହା ଭିତ୍ତିରେ ଯୋଜନା ପ୍ରସ୍ତୁତ ହେବା କଥା ଏବଂ ସେହି ଅନୁସାରେ ବ୍ୟୟବରାଦ ହେବା କଥା। ଏଠି କିନ୍ତୁ ତାହାର ଠିକ୍ ଓଲଟା ହେଉଛି।
ନୀତି ହେଲା ଏକ
ମାର୍ଗଦର୍ଶିକା ଯାହା ବିଭିନ୍ନ ଉପଲବ୍ଧିତା ଓ ଆବଶ୍ୟକତାର ଆକଳନ ତଥା ଭବିଷ୍ୟତର ପୂର୍ବାନୁମାନ
କରି ଏକ ଯୁକ୍ତିସଙ୍ଗତ ଲକ୍ଷ୍ୟ ସ୍ଥିର କରେ ଏବଂ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଉଚିତ୍
କାର୍ଯ୍ୟପନ୍ଥା ନିର୍ଘଣ୍ଟ କରି ତାହାକୁ ନିଷ୍ଠା, ନୈତିକତା ଓ ଅନୁଶାସନର ସହିତ କାର୍ଯ୍ୟକାରୀ କରିବା
ପାଇଁ ବିଭିନ୍ନ ପକ୍ଷଙ୍କୁ ମାର୍ଗଦର୍ଶନ ଯୋଗାଏ। ଏହି ଅନୁସାରେ ଏକ ନଦୀ ନୀତି
କରିବାକୁ ହେଲେ ଅନେକ ପ୍ରସଙ୍ଗକୁ ବିଚାର କରିବାର ଆବଶ୍ୟକତା ଅଛି। ବିଭିନ୍ନ ନଦୀର
ଚରିତ୍ର ଭିନ୍ନ ଥାଏ। କିଏ ଆନ୍ତଃ-ରାଜ୍ୟ ନଦୀ ତ ଆଉ କିଏ ଖୁବ୍ ଛୋଟ ନଦୀ। କିଏ ବର୍ଷ ସାରା ପ୍ରବାହିତ ହୁଏ ତ ଆଉ କିଏ ଅଳ୍ପ କିଛି ମାସ। ବିଭିନ୍ନ ନଦୀ
ଉପରେ ନିର୍ଭରଶୀଳତାର ମାତ୍ରା ଓ ପ୍ରକାର ଭିନ୍ନଭିନ୍ନ ଥାଏ। ବିଭିନ୍ନ ନଦୀର
ରାଜନୈତିକ ଓ ପରିବେଶିକ ଦିଗ ଭିନ୍ନଭିନ୍ନ ଅଟେ। ନଦୀର ପ୍ରବାହ ସହିତ ବର୍ଷା, ଭୂତଳ ଜଳର ବ୍ୟବହାର, ଜମି ଓ ଜଙ୍ଗଲର ସ୍ଥିତି, ଭୂମିକ୍ଷୟ ଆଦିର ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ନଦୀ ନୀତିରେ ପ୍ରଥମେ ସେହି ସବୁ ଦିଗକୁ ଦେଖିବାର ଅଛି। ତାହାପରେ
ଆବଶ୍ୟକତାର ଏକ ଯୁକ୍ତିସଙ୍ଗତ ପୂର୍ବାନୁମାନ କରିବାର ଅଛି। ମଣିଷର ଆବଶ୍ୟକତାର
ସୀମା ନାହିଁ। ତହିଁରେ ଅନେକ ପ୍ରତିସ୍ପର୍ଦ୍ଧୀ ବ୍ୟବହାରକାରୀ
ଗୋଷ୍ଠୀ ଅଛନ୍ତି - ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବାର ଅଛି, ଚାଷୀ ଜଳ ଚାହୁଁଛି, ଶିଳ୍ପ ଟାକି ବସିଛି ଏବଂ ନଦୀର ନିଜର ଆବଶ୍ୟକତା ରହିଛି। ତହିଁରେ ନଦୀ ଜଳର ଉପଲବ୍ଧତା ବିଭିନ୍ନ ବର୍ଷରେ ଓ ବିଭିନ୍ନ ଋତୁରେ ଭିନ୍ନ ରହିଥାଏ। କେତେ ପାଣି ମିଳିବ ତାହା ଆକଳନ କରିବା ଖୁବ୍ ଦୁରୂହ। ତେଣୁ ନଦୀ ନୀତି
ପ୍ରସ୍ତୁତ କରିବା ଆଦୌ ସହଜ ନୁହେଁ।
ନଦୀ ନୀତି
ପ୍ରସ୍ତୁତ କରିବା ଆଦୌ ସହଜ ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ତିନିମାସ ମଧ୍ୟରେ ଏକ ନଦୀ ନୀତି
ପ୍ରସ୍ତୁତ କରିବା ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତରବରରେ ପ୍ରସ୍ତୁତ
ନୀତି ଖୁବ୍ ତ୍ରୁଟିପୂର୍ଣ୍ଣ ଓ କ୍ଷତିକାରକ ହେବାର ଅନେକ ଆଶଙ୍କା ରହିଛି। ଏକ ସଠିକ୍ ଏବଂ ଗ୍ରହଣୀୟ ନଦୀ ନୀତି ତିଆରି କରିବାକୁ ହେଲେ ଖାଲି ଜଳସମ୍ପଦ ବିଭାଗ ନୁହେଁ, ସରକାରଙ୍କ ଅନେକ ବିଭାଗ ତଥା ସମାଜର ଅନ୍ୟ ଅନେକ ବର୍ଗ
ପ୍ରମୁଖ ଭାବରେ ଅଂଶଗ୍ରହଣ କରିବା ନିହାତି ଦରକାର। ଆଗରୁ ସେମିତି ନଦୀ ନୀତି
ଥିଲେ ତାହାକୁ ଅନୁସରଣ କରି ଓଡ଼ିଶା ପାଇଁ ନୀତିଟିଏ ପ୍ରସ୍ତୁତ କରିବା ବିଶେଷ କଷ୍ଟ ହୋଇ ନଥାନ୍ତା। କିନ୍ତୁ, ସେମିତି ନଦୀ
ନୀତିଟିଏ ନାହିଁ। ୨୯.୮.୨୦୧୧ ତାରିଖରେ କେନ୍ଦ୍ର ସରକାର ରାଜ୍ୟସଭାରେ
କହିଥିଲେ ଯେ ସରକାର ଏକ ‘ଜାତୀୟ ନଦୀ ନୀତି’ର ଚିଠା ପ୍ରସ୍ତୁତ କରିବା ପାଇଁ କମିଟୀ ଗଠନ
କରିସାରିଛନ୍ତି। କିନ୍ତୁ ୧୮.୧୨.୨୦୧୪ରେ ଲୋକସଭାରେ କୌଣସି ନଦୀ ନୀତି
ପ୍ରସ୍ତୁତ କରିବାର ଯୋଜନା ଅଛି କି ବା ପ୍ରସ୍ତୁତ ହେଉଛି କି ବୋଲି ଏକ ସିଧା ପ୍ରଶ୍ୱକୁ ବିଭାଗୀୟ ମନ୍ତ୍ରୀ ସମ୍ପୂର୍ଣ୍ଣ ଏଡ଼ାଇ ଗଲେ। ଅବଶ୍ୟ ବେସରକାରୀ ସ୍ତରରେ ନଦୀ ନୀତି ପାଇଁ କିଛି ଉଦ୍ୟମ ହୋଇଛି। ଜଳପୁରୁଷ
ରାଜେନ୍ଦ୍ର ସିଂଙ୍କ ସଂସ୍ଥା ଏକ ଚିଠା ‘ନଦୀ ପୁନର୍ଜୀବନ
ନୀତି’
ପ୍ରସ୍ତୁତ କରିଛନ୍ତିି। ୨୦୧୬ ମସିହାରେ ଧାର୍ମିକ ଗୁରୁ ସଦଗୁରୁ ‘ର୍ୟାଲି ଫର ରିଭର୍ସ’ ନାମରେ ଏକ ବଡ଼ ଅଭିଯାନ ଚଲାଇଥିଲେ। ତାଙ୍କ ସଂସ୍ଥା ଇଶା ଫାଉଣ୍ଡେସନ ୭୬୦
ପୃଷ୍ଠାର ଏକ ବିଶାଳ ନଦୀ ନୀତିର ଚିଠା ପ୍ରସ୍ତୁତ କରିଛି। କିନ୍ତୁ ଉଭୟ ଚିଠା
ନଦୀ ନୀତି ପୂର୍ଣ୍ଣାଙ୍ଗ ନୁହେଁ। କର୍ଣ୍ଣାଟକ ସରକାର ମଧ୍ୟ ଏକ ନଦୀ ନୀତି ପାଇଁ ଚିନ୍ତା
କରିଛନ୍ତି କିନ୍ତୁ ତାହା କେଉଁ ସ୍ଥିତିରେ ଅଛି ତାହା ଜଣା ପଡ଼ି ନାହିଁ।
ସରକାରଙ୍କ
ପୂର୍ଣ୍ଣାଙ୍ଗ ନଦୀ ନୀତି ପ୍ରଣୟନ କରିବା ଘୋଷଣା ସ୍ୱାଗତଯୋଗ୍ୟ କିନ୍ତୁ ସରକାର ନଦୀ ନୀତିକୁ ଏତେ
ସହଜ ଭାବରେ ନେବା ଉଚିତ ନୁହେଁ ଏବଂ ନୀତି ପ୍ରଣୟନ ପୂର୍ବରୁ ତରବରିଆ ଘୋଷଣା ଆଦୌ ସମିଚୀନ ନୁହେଁ।
No comments:
Post a Comment