Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Sunday, September 30, 2018

ସମ୍ପଦର ଯାତନା

(The hills and forest was their habitat, means of living, tradition, culture, livelihoods and what not. Not only has mining robbed the Adivasis of their basic means of existence, but  also has made their lives more miserable.)

ବଙ୍କାତେଢ଼ା  ବାଡ଼ି ଗୋଟେର ସାହାରାରେ ବଡ କଷ୍ଟରେ ଚାଲୁଛନ୍ତି ୮୦-୮୫ ବର୍ଷ ବୟସର ସୁନା ପ୍ରଧାନ। ଘରେ ତାଙ୍କର ଯୁବତୀ ବୋହୁ ପାଞ୍ଚବର୍ଷରୁ ଅଧିକ ହେଲାଣି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ନୁଆଁଣିଆ ଚାଳଘରଟିରୁ ଦରଦ ଭରା ଜୀବନର ଫରଦ ପୁରା ବିଖାରି ହୋଇଯାଉଛି। ସୁନା ପ୍ରଧାନ ବାରମ୍ବାର ଦୌଡ଼ିଛନ୍ତି ପଞ୍ଚାୟତକୁ, ଏପରିକି କେତେଥର ଦୌଡ଼ିଛନ୍ତି ତାଙ୍କ ଗାଁ ତଳକାଇଁସାରିରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବାଂଶପାଳ ବ୍ଲକ ଅଫିସକୁ। କେବଳ ଗୋଟିଏ ଆଶାରେ ଯେ ବୃଦ୍ଧ ଭତ୍ତାଟିଏ ପାଇଁ ସେ ହକଦାର ବୋଲି ସରକାର ମାନିବେ। ସରକାର ମାନି ନାହାନ୍ତି ଏଯାଏ। କେନ୍ଦୁଝର ଜିଲ୍ଲାର ସେହି ତଳକାଇଁସାରି ଗାଁମୁଣ୍ଡରୁ ହିଁ ଶିଖକୁ ତୀଖ ହୋଇ ଛିଡା ହୋଇଛି ଗନ୍ଧମାର୍ଦ୍ଦନ ପାହାଡ଼। ପାହାଡ ଉପରେ ଓଡିଶା ଖଣି ନିଗମ ଖୋଲିଚାଲିଛି ଭରଣଭରଣର ଲୁହାପଥର। କୁଆଡେ କରୁଛି ଓଡିଶାକୁ ଓ କେନ୍ଦୁଝର ଜିଲ୍ଲାକୁ ସମ୍ଭ୍ରାନ୍ତ। କିନ୍ତୁ ସେହି ପାହାଡ଼ରୁ ଦିନେ ଫଳ, ପତ୍ର, ଛତୁ, କନ୍ଦା ଗୋଟାଇ ତଥା ସେହି ପାହାଡ଼ରୁ ବାହାରୁ ଥିବା ଝରରୁ ନିଜର ସ୍ୱଳ୍ପ ଜମିରେ ଫସଲ ଫଳାଇ ନିଜର ଜୀବନକୁ ସାଉଁଟି ଏବେ ଅସହାୟ ହୋଇସାରିଥିବା ସୁନା ପ୍ରଧାନଙ୍କ ଭଳି ବୃଦ୍ଧଙ୍କୁ ଭତ୍ତାଟିଏ ମଧ୍ୟ ମିଳିପାରୁନି। ଗନ୍ଧମାର୍ଦ୍ଦନ ପାହାଡର ଆରପଟେ ଆଉ ଏକ ଗାଁ- ଲୁଣାଘର। ବସ୍ତିରେ ଗତବର୍ଷ ଯାକେ ପିଇବା ପାଣିଟିକେର ବନ୍ଦୋବସ୍ତ ନଥିଲା। ନଳକୂଅ ଥିଲା କିନ୍ତୁ ଗୋଟିଏର ବି ପାଣି ପିଇବା ଯୋଗ୍ୟ ନୁହେଁ। ଗତ ବର୍ଷ ବିଦ୍ୟାଳୟ ହତାରେ ଖୋଳାହୋଇଥିବା ନଳକୂଅରୁ ଯୋଗକୁ କେମିତି ମିଠା ପାଣି ବାହାରିଲା ଯେ ସେଇଦିନଠୁ ସେଇ ନଳକୂଅ ଗୋଟିକ ହିଁ ଗାଁ ଲୋକଙ୍କ ସାହାରା। ଆଗରୁ ବଡ ମଉଜରେ ବ୍ୟବହାର କରୁଥିବା ଛାମୁଣ୍ଡା ନାଳର  ପାଣି ଏବେ ଟ୍ରକ ମାନଙ୍କର ଗାଧୁଆ ତୁଠ ହୋଇ ସାରିଛି। ଆଉ ଗୋଟିଏ ଗାଁ- ଆମ୍ବଡହରା। ଗାଁର ଦୁଇଜଣ ଆଦିବାସୀ ଚାଷୀ ଚାରିବର୍ଷ ତଳୁ ନରେଗା ଯୋଜନାରେ ନିଜ ଜମିରେ ଚାଷ-ପୋଖରୀ  ଖୋଳି ଏଯାଏ ପଇସା ପାଇବାକୁ ଅପେକ୍ଷା କରି ରହିଛନ୍ତି - ବୋଧେ ଆଉ ମିଳିବନି କାରଣ ସେ ଲାଞ୍ଚ ଦେବାକୁ ମନା କଲେ। ଗନ୍ଧମାର୍ଦ୍ଦନ ପାହାଡର ଆଉଗୋଟିଏ କୋଣରେ ଅଛି ଉପର ଜାଗର ଗାଁ। ଗାଁ ମୁଣ୍ଡରୁ ହିଁ ଖଣି ଖୋଳା ଆରମ୍ଭ ହୋଇଛି। ଗାଁରେ ପ୍ରାୟ ସମସ୍ତେ  ଶ୍ରମଜୀବୀ, ଅଳ୍ପ କିଛି ଲେଖାଏଁ ଜମି ଅଛି ଯାହା କିଛି ମାସ ହିଁ ଖାଦ୍ୟ ଯୋଗାଇଥାଏ। ଜଙ୍ଗଲ ହିଁ ଥିଲା ତାଙ୍କର ପ୍ରମୁଖ ସାଧନ। ଏବେ ସେଇ ପାହାଡ଼ ଓ ଜଙ୍ଗଲ ତାଙ୍କୁ ଅପହଞ୍ଚ କାରଣ ତାହା ଆଉ ତାଙ୍କ ଇଲାକା ହୋଇ ରହିନାହିଁ, ତାହା ଖଣି କମ୍ପାନୀର ଇଲାକା ହୋଇଯାଇଛି। ଗାଁରେ ରହୁଥିବା ୧୪୬ ପରିବାର ମଧ୍ୟରୁ ପ୍ରାୟ ସମସ୍ତେ ଆଦିବାସୀ ଓ ଗରିବ କିନ୍ତୁ କେବଳ ୪୫ ପରିବାର ପାଖରେ ବିପିଏଲ କାର୍ଡ ଅଛି। ପାହାଡ ଉପରେ ଆଲୁଅରେ ଝଲସି ଯାଉଛି ଖଣି କିନ୍ତୁ ଗାଁ ଲୋକଙ୍କ ପାଇଁ ଡିବିରୀ ହିଁ ଭରସା, ମୋଟେ ୧୪ଟି ଘରେ ହିଁ ବିଜୁଳି ସଂଯୋଗ ଲାଗିଛି। ଖଣିରୁ କୋଶକୋଶ ଦୂରରେ ଥିବା ଗାଁମାନଙ୍କର ସାହିବସ୍ତି ଅଗଣା କେବେଠୁ କଂକ୍ରିଟ ହୋଇସାରିଲାଣି ଖଣିର ଲାଭ ପଇସାରେ କିନ୍ତୁ ଏଇସବୁ ଗାଆଁମାଙ୍କରେ ଦାଣ୍ଡ ଏବେବି ନୁଖୁରା ହୋଇ ପଡିଛି। କୁନିକୁନି ପିଲାଙ୍କ ଦୁର୍ଭାଗ୍ୟକୁ ଇଚିଣ୍ଡା ଗାଁ ବିଦ୍ୟାଳୟଟି ଠିକ ରାସ୍ତା କଡରେ ଅଛି। ଅନ୍ୟମାନଙ୍କ ପାଇଁ ରାସ୍ତାକଡ ଅଧିକ ପସନ୍ଦ। କିନ୍ତୁ ଏଠି ତାହା ନରକ। ବିଦ୍ୟାଳୟର ପିଲା ଓ ଶିକ୍ଷକ ଦଣ୍ଡେ ବି ଭଲରେ ନିଶ୍ଵାସ ମାରି ପାରୁ ନାହାନ୍ତି। ଖଣି ଓ ଟ୍ରକ ଧୂଳିରେ ଜର୍ଜରିତ ସେମାନେ। ତଥାକଥିତ 'ଡେଭେଲପମେଣ୍ଟ' ବା ଉନ୍ନତି ଏହି ଗାଁ ମାନଙ୍କରେ ଅପହଞ୍ଚ କହିଲେ ଭୁଲ ହୋଇଯିବ, ସେଠି 'ଉନ୍ନତି'ର କରାଳ ରୂପ ସ୍ଥାନୀୟ ଲୋକଙ୍କୁ ଗ୍ରାସି ଦେଇଛି। ଲୋକଙ୍କ ଜଙ୍ଗଲ ତାଙ୍କ ହାତପାଆନ୍ତାରୁ ଚାଲିଯାଇଛି, ଝରଣା ଶୁଖିଯାଇଛି, ଜମିରେ ଖଣିର ମଇଳାର ପରସ୍ତ ବସି ଉତ୍ପାଦକତା ଖସି ଯାଉଛି, ଘାସଲତାବୁଦାରେ ଖଣି ଓ ଟ୍ରକ ଧୂଳିର ବହଳ ଆସ୍ତରଣ ବସି ଗାଈଗୋରୁ ଛେଳିମେଣ୍ଢାଙ୍କ ଖାଦ୍ୟ ହଜି ଯାଉଛି। ରାସ୍ତା ଉନ୍ନତ ହୋଇଛି ସତ, କିନ୍ତୁ ତାହା ଖଣିଜ ବୁହା ଟ୍ରକମାନଙ୍କ ପାଇଁ। ଟ୍ରକ ତାଡ଼ନାରେ ଗାଁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି, ସ୍କୁଲ ପିଲାମାନେ ଉପର ଶ୍ରେଣୀର ବିଦ୍ୟାଳୟକୁ ଯିବାପାଇଁ ଡରୁଛନ୍ତି। ଜଙ୍ଗଲରୁ କାଠ, ପତ୍ର କି ଫଳମୂଳ ସଂଗ୍ରହକରି ବିକିଲେ ହିଁ ଗାଁଲୋକେ ବଜାରରୁ ତେଲଲୁଣ ଟିକେ କିଣି ପାରନ୍ତି। ଏବେ ସେତିକି ବି ସଂଗ୍ରହ କରିବା ଲୋକଙ୍କ ପାଇଁ ଦୁରୁହ ହୋଇଯାଇଛି।
 
ଇଂରାଜୀରେ 'ରିସୋର୍ସ କର୍ସ' ବା 'ସମ୍ପଦର ଯାତନା' ବୋଲି ଗୋଟେ ପ୍ରବାଦ ଅଛି। ସମ୍ପତ୍ତିକୁ ଭୋଗ କରିବା ପାଇଁ ଆଧୁନିକ ମଣିଷର ପ୍ରୟାସ ସମ୍ପଦ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ବିପତ୍ତି ହିଁ ବଢ଼ାଇଛି। ସମ୍ପଦର ଲାଭ ଅନ୍ୟମାନେ ଉଠାଇଛନ୍ତି କିନ୍ତୁ ସମ୍ପଦକୁ ସମ୍ଭାଳି ରଖିଥିବା ଲୋକେ ତଳିତଳାନ୍ତ ହୋଇଛନ୍ତି। ଉପରୋକ୍ତ କିଛି ଉଦାହରଣ ତାହାର ପ୍ରମାଣ। ସେହିଭଳି  'ସମ୍ପଦର ଯାତନା' ଗ୍ରସିତ ଲୋକମାନଙ୍କର ଯାତନା ହ୍ରାସ କରିବା ତଥା ଖଣି ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସରକାର 'ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ' ନାମରେ ଏକ ଆଇନ ଆଣିଛନ୍ତି। ଏହି ଆଇନ ଅନୁସାରେ ଖଣିଜ ଦ୍ରବ୍ୟ ଉତ୍ପାଦିତ ହେବାମାତ୍ରେ ଲାଭର ଏକ ନିର୍ଦ୍ଦିଷ୍ଟ ଭାଗ ସିଧା ଜିଲ୍ଲା ଖଣିଜ ପାଣ୍ଠିରେ ଜମା ହୁଏ ଯାହାକୁ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ଓ ଜୀବିକାକୁ ଉନ୍ନତ ଓ ସ୍ଥିର କରିବାରେ ବିନିଯୋଗ କରାଯିବା କଥା। କେନ୍ଦୁଝର ଜିଲ୍ଲା ଖାଲି ଓଡ଼ିଶାରେ ନୁହେଁ ଭାରତର ସବୁଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଥିବା ଜିଲ୍ଲା। ଏହି ଫାଉଣ୍ଡେସନ ଆରମ୍ଭ ହେବାଦିନରୁ ବିଗତ ଅଢେଇ ବର୍ଷରେ କେନ୍ଦୁଝର ଜିଲ୍ଲା ୨,୦୦୦ କୋଟି ଟଙ୍କାର ବିପୁଳ ପାଣ୍ଠି ସଂଗ୍ରହ କରିସାରିଲାଣି। ଜିଲ୍ଲାର ସମଗ୍ର ଜନସଂଖ୍ୟାକୁ ହିସାବକୁ ନେଲେ ମୁଣ୍ଡ ପିଛା ହାରାହାରି ୧୧,୧୦୦ଟଙ୍କାରୁ ବି ଅଧିକ ହେବ। ସାଧାରଣ ହାରାହାରି ହିସାବରେ ବି ସେହିଭଳି ଗୋଟିଏ ଗୋଟିଏ ଗାଁରେ ବର୍ତ୍ତମାନସୁଦ୍ଧା ୭୦-୮୦ ଲକ୍ଷ ଲେଖାଏଁ ଟଙ୍କା ପହଞ୍ଚି ଯାଇସାରିଥିବା କଥା। ଆଉ ଇଏତ ପ୍ରତ୍ୟକ୍ଷ ଭାବରେ ଖଣି ପ୍ରଭାବିତ ଗାଁ, ଅନ୍ୟୁନ ତିନି ଚାରି କୋଟି ଲେଖାଏଁ ଟଙ୍କା ସେହି ଗାଁ ମାନଙ୍କରେ ଖର୍ଚ୍ଚ ହୋଇସାରିଥିବା କଥା। କିନ୍ତୁ ଖଣି ଦ୍ୱାରା ପ୍ରତ୍ୟକ୍ଷ ଓ ପ୍ରଭୂତ ଭାବରେ ପ୍ରଭାବିତ ଏହି ତିନି ଗାଁରେ ସେହି ପାଣ୍ଠିରୁ ଗୋଟିଏ ଟଙ୍କାବି ପହଞ୍ଚି ନାହିଁ ଏଯାଏ।


ଆମର ବିଚାରରେ ଆସୁଥିବା କିଛି ଚିନ୍ତନ ଆମରି ଆଚାରରେ ଆଦୌ ପ୍ରତିଫଳିତ ହୋଇପାରୁନାହିଁ। ଖଣି-ଆକ୍ରାନ୍ତ ଲୋକଙ୍କ ପାଇଁ 'ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ' ଏକ ବଢିଆ ଚିନ୍ତନ କିନ୍ତୁ ତାହାର ରୂପାୟନ ଅତ୍ୟନ୍ତ ନୈରାଶ୍ୟଜନକ। ସେହି ପାଣ୍ଠି ବି ଲକ୍ଷ୍ୟସ୍ଥଳରେ ପହଞ୍ଚୁ ନାହିଁ। ଖଣି ଆକ୍ରାନ୍ତ ଲୋକଙ୍କର ବର୍ତ୍ତମାନର ଯନ୍ତ୍ରଣାକୁ ଉପଶମ କରିବାର ଆବଶ୍ୟକତା ତ ନିହାତି ଅଛି କିନ୍ତୁ ତାଙ୍କର ଭବିଷ୍ୟତକୁ ଆଲୋକିତ ନ କଲେ ବି ଅନ୍ଧାର ନକରିବାର ଦାୟିତ୍ୱ ସରକାର ଓ ଆମ ସମସ୍ତଙ୍କ ଉପରେ ରହିଛି। ଆଉ ୧୦-୨୦ ବର୍ଷରେ ଗନ୍ଧମାର୍ଦ୍ଦନ ପାହାଡ଼ ତଥା ସେଭଳି ଅନ୍ୟ ଖଣିରୁ ସବୁ ଲୁହାପଥର ଖୋଳି ନେବାପରେ ଆଉ କିଛି ନଥିବ - ଜଙ୍ଗଲ, ଝରଣା, ଚାଷ ଜମି ସବୁ ଉଜୁଡି ଯାଇଥିବ।  ସେତେବେଳେ ଖଣିଜ ପାଣ୍ଠି ବି ମିଳିବ ନାହିଁ। ଖଣି କାରଣରୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ଲୋକଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବାରେ ଟିକିଏ ବି ହେଳା କ୍ଷମଣୀୟ ନୁହେଁ।

(This article was publshed in my fortnightly column 'Tatwa O Tarka' in Dharitri on September 26, 2018. That may be accessed at: http://www.dharitri.com/main/news/73621 )

Wednesday, September 12, 2018

ସରକାରୀ ମିଛ?

(In my today's OpEd piece in Dharitri,  I have been very critical of three recent lies or huge exaggeration by Odisha government. Such lies must be condemned as they shatter our trust in government information collection and dissemination mechanism. Having criticised the Odisha government in this article, I must also tell that the central government has been no better in spreading lies or blatant exaggerations.)

ଶୁକ୍ରବାର ସକାଳୁସକାଳୁ ଫୋନଟେ ପାଇ ବଡ ଆଶ୍ଚର୍ଯ୍ୟ ଲାଗିଲା ଆରପଟରୁ ବନ୍ଧୁଜଣକ ବିକଳ ହୋଇ ପଚାରିଥିଲେ 'ଆଜି ମୋର ଭୁବନେଶ୍ୱରରେ ଗୋଟେ ଜରୁରୀ କାମ ଅଛି କିନ୍ତୁ ଶୁଣିଲି ସରକାର ପ୍ରବଳ ବର୍ଷାର ଚେତାବନୀ ଦେଇ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସାରା ଓଡ଼ିଶାର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି’ ବଡ ଅଡୁଆ ଲାଗିଲା ମୋତେ ପାଗ ଅବଶ୍ୟ ମେଘୁଆ ଥିଲା କିନ୍ତୁ ମୋତେ ବଡ ବର୍ଷାର କୌଣସି ସୂଚନା ଦିଶୁ ନଥାଏ ମୁଁ ଜଳବାୟୁ ବିଭାଗ ୱେବସାଇଟରୁ ସକାଳର ଉପଗ୍ରହ ଚିତ୍ର ଦେଖିଲି, ବଡ ବର୍ଷା ତ' ଦୂରର କଥା ଦିନଟି ଶୁଖିଲା ରହିବାର ସମସ୍ତ ସୂଚନା ସେଥିରେ ସ୍ପଷ୍ଟ ଥିଲା ସତକୁ ସତ ଦିନଟା ସାରା ପ୍ରାୟ ଖରଟିଏ ହିଁ ରହିଲା ମନରେ ଅନେକ ପ୍ରଶ୍ନ ଆସିଲା ସରକାର କଣ ସତରେ ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ସ୍କୁଲ ଅଙ୍ଗନବାଡି କେନ୍ଦ୍ର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ? ସତରେ ' ଜଳବାୟୁ ବିଭାଗ ସେମିତି ଏକ ପୂର୍ବାନୁମାନ ଜାରି କରିଥିଲା? ଯଦି ଜାରି କରିଥିଲା ତା'ହେଲେ ' ଆମର ବର୍ଷା ପୂର୍ବାନୁମାନ ବ୍ୟବସ୍ଥା ଏତେ ନିକୃଷ୍ଟ? ଏହି ପ୍ରଶ୍ନ ଆମକୁ ଆନ୍ଦୋଳିତ କରିବା କଥା କାରଣ ଭୁବନେଶ୍ୱର ଭଳି ଏକ ସହରରେ ଯେଉଁଠି ଉନ୍ନତ ଗମନାଗମନ ଯୋଗାଯୋଗ ବ୍ୟବସ୍ଥା ଅଛି, ସେଠି କାହିଁକି ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କଲେ? ଏଭଳି ଏକ ଘୋଷଣା ଲୋକଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି କରିବ ନି କି?

ସେମିତି ଏକ ଫୋନ ପାଇଥିଲି ଜୁଲାଇ ୨୨ ତାରିଖର ଭୋର ସକାଳୁ ମୁମ୍ବାଇରେ ଥିବା ବନ୍ଧୁଜଣକ ସିଧା ଆରମ୍ଭ କଲେ, 'ତୁମର କିଛି ଅସୁବିଧା ହୋଇନି '? ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନର କାରଣ ପଚାରିଲି କହିଲେ ସବୁ ଟିଭି ଚ୍ୟାନେଲରେ ଏବେ ଖବର ଚାଲିଛି ଯେ ବୁର୍ଲା ସମ୍ବଲପୁରରେ ରେକର୍ଡ ବର୍ଷା ହୋଇଛି ମୁଁ ବି ଟିଭି ଖୋଲିଲି ଖବର ଆସୁଥିଲା ଯେ ବୁର୍ଲାରେ ୨୪ ଘଣ୍ଟା ଭିତରେ ୬୨୨ ମିଲିମିଟର ବର୍ଷା ହୋଇଛି ଓଡ଼ିଶାରେ ସରକାରଙ୍କ ବିଭିନ୍ନ ବିଭାଗ ଟିଭିରେ ତଥା ସାମାଜିକ ଗଣମାଧ୍ୟମମାନଙ୍କରେ କହିଚାଲିଥାନ୍ତି ଯେ ତାହା କୌଣସି ଏକ ଦିନରେ ହୋଇଥିବା ବର୍ଷାର ଏକ ସର୍ବକାଳୀନ ରେକର୍ଡ  ଏହା ସହିତ ସମ୍ବଲପୁରରେ ୫୪୦ ମିଲିମିଟର ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ସେମିତି ଭୀଷଣ ବର୍ଷା ହୋଇଥିବାର ଖବର ଆସୁଥାଏ ମୋତେ ବଡ ଆଶ୍ଚର୍ଯ୍ୟ ଲାଗିଲା କାରଣ ମୁଁ ସେହିଦିନ ସମ୍ବଲପୁରରେ ଥାଏ ପୂର୍ବଦିନ ସନ୍ଧ୍ୟାରୁ ରାତିର ପ୍ରଥମ ପହରରେ ବର୍ଷା ଅବଶ୍ୟ ଖୁବ ହୋଇଥାଏ, କିନ୍ତୁ ତାହା କେବେବି ୫୦୦-୬୦୦ ମିଲିମିଟର ବର୍ଷା ହେବ ନାହିଁ ବୋଲି ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଥାଏ ତେବେ ଗଣମାଧ୍ୟମରେ ଯେତେବେଳେ ଏତେ ବର୍ଷା ହୋଇଛି ବୋଲି ଖବର ଆସୁଛି, ସମ୍ବଲପୁର ସହରର ସ୍ଥିତି କଣ ତାହା ଦେଖିବା ପାଇଁ ବାହାରି ପଡିଲି ଅନ୍ୟ ସମୟରେ ନର୍ଦ୍ଦମା ଜଳ ତଥା ବର୍ଷା ସମୟରେ ବନ୍ୟାଜଳ ନିଷ୍କାସନ କରୁଥିବା ସମ୍ବଲପୁରର ଦୁଇଟି ନାଳ ହେଲା ଧୋବିଯୋର ଟଙ୍ଗନା ନାଳ ନାଳ ଉଛୁଳିବା ଦୂରର କଥା, ବହୁଥିବା ପାଣିର ସ୍ତର ପ୍ରାୟ ଅଧା ହିଁ ଥିଲା ହଁ, ଅବଶ୍ୟ ଅନେକ ଅଞ୍ଚଳରେ ଘରେ ପାଣି ପଶିଥାଏ, କିନ୍ତୁ ସେହିସବୁ ଅଞ୍ଚଳରେରେ ଜଳ ନିଷ୍କାସନ ବ୍ୟବସ୍ଥା ଏକ ଖରାପ ଯେ ବେଙ୍ଗ ମୁତିଲେ ବି ତାହା ବୁଡିବ କିଛି ପୋଲରେ ନର୍ଦ୍ଦମା ଦଳ, ପ୍ଲାଷ୍ଟିକ ଆଦି ଜମା ହେବା କାରଣରୁ ପାଣି ନିଷ୍କାସନ ହୋଇନପାରି କିଛି ଅଞ୍ଚଳ ଜଳପ୍ଲାଵିତ ହୋଇଥାଏ କିନ୍ତୁ ସେହି ମଇଳା କାଢ଼ିଦେବା ମାତ୍ରେ ପାଣି ସଂଗେସଂଗେ ଖସି ଗଲା କୌଣସି ଗୋଟିଏ ବି ସ୍ଥାନରେ ସର୍ବକାଳୀନ ରେକର୍ଡ ବର୍ଷାର ଟିକିଏ ବି ପ୍ରମାଣ ପାଇଲିନି ପରଦିନ ଦେଖିଲା ବେଳକୁ ମହାନଦୀର ଖଇରମୂଳଠାରେ ମାତ୍ର ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା ମୁଁ ହିସାବ କରି ଦେଖିଲି ଯେ ହୀରାକୁଦର ଜଳଭଣ୍ଡାରୁ ଟୋପାଏ ପାଣି ବି ତଳକୁ ଆସିଲେ ମଧ୍ୟ ଯଦି ହୀରାକୁଦ ଏବଂ ଖଇରମାଳ ମଧ୍ୟରେ ଥିବା ଅଞ୍ଚଳରେ ହାରାହାରି ୨୦୦ ମିଲିମିଟର ବି ବର୍ଷା ହୋଇଥିବ ଏବଂ ତାହାର ମାତ୍ର ଏକ-ଚତୁର୍ଥାଂଶ ପାଣି ବି ମହାନଦୀରେ ପ୍ରବାହିତ ହୁଏ ତେବେ ଖଇରମାଳଠାରେ ହାରାହାରି ପ୍ରାୟ ଲକ୍ଷ କ୍ୟୁସେକ ପାଣି  ପ୍ରବାହିତ ହେବ କଥା ଏବଂ ସର୍ବାଧିକ ଅନ୍ୟୁନ ଲକ୍ଷ ପାଣି ପ୍ରବାହିତ ହେଉଥିବା କଥା କିନ୍ତୁ ଖଇରମାଳରେ ୪ଲକ୍ଷ କ୍ୟୁସେକ ପାଣି ବି ବହିଲା ନି କି ନରାଜ ବା ମୁଣ୍ଡଳୀରେ  ୭ଲକ୍ଷ କ୍ୟୁସେକର ପ୍ରବାହ ହେଲା ନାହିଁ ସରକାରୀ ତଥ୍ୟ ଘୋଷଣା ଯେ ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ ଥିଲା ତାହାର ପ୍ରମାଣ ଜଳଜଳ ଦିଶୁଥିଲା

ମହାନଦୀର ପ୍ରବାହକୁ ନେଇ ମଧ୍ୟ ଓଡିଶା ସରକାର ସେମିତି ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ ତଥ୍ୟ ବାରମ୍ବାର ଦେଇଛନ୍ତି ଅଗଷ୍ଟ ଶେଷ ସପ୍ତାହରେ ସେମିତି ଏକ ଭ୍ରମର ପ୍ରସାରରେ ସରକାର ସରକାରୀ ଦଳ ଜଡିତ ଥିଲା ଓଡ଼ିଶାର ଶାସନରେ ଥିବା ବିଭିନ୍ନ ବ୍ୟକ୍ତି ଅଭିଯୋଗ କଲେ ଯେ ଛତିଶଗଡ଼ ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡିବା କାରଣରୁ ମହାନଦୀରେ ଭୀଷଣ ବନ୍ୟା ହେବାକୁ ଯାଉଛି ବାସ୍ତବତା ହେଲା ଯେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା କିନ୍ତୁ ଛତିଶଗଡ଼ର କୌଣସି ବଡ ବନ୍ଧ ସେମାନେ ପାଉଥିବା ପ୍ରବାହରୁ ମାତ୍ରାଧିକ ବନ୍ୟାଜଳ ତଳକୁ ଛାଡି ନଥିଲେ ତାହାର ପ୍ରମାଣ ହେଲା ଯେ ପ୍ରାୟ ପ୍ରତ୍ୟେକ ଦିନ ସେହି ରାଜ୍ୟର ବଡ ଜଳଭଣ୍ଡାରର ଜଳସ୍ତର ବଢିଥିଲା ଯଦି ସେମାନେ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳ ଠାରୁ ଅଧିକ ଜଳ ଛାଡ଼ିଥାନ୍ତେ, ଜଳଭଣ୍ଡାରର ଜଳସ୍ତର ବଢି ନଥାନ୍ତା ଶାସନରେ ଥିବା ଲୋକେ ସେମିତି ଅନ୍ୟଏକ ଅଭିଯୋଗ କଲେ ଯେ କଲମା ବ୍ୟାରେଜର ଗେଟ ପରିଚାଳନା ବିଷୟରେ ଛତିଶଗଡ଼ ତଥ୍ୟ ଦେଉନଥିବା ଯୋଗୁଁ ଓଡିଶାକୁ ବନ୍ୟା ପ୍ରଶମନ ପ୍ରସ୍ତୁତିରେ ଘୋର ଅସୁବିଧା ହେଉଛି ଓଡ଼ିଶା ସରକାରରେ ଥିବା ନେତା ଅଫିସର ' ଏତିକି ବି ଜାଣି ନାହାନ୍ତି ଯେ କଲମା ଭଳି ବ୍ୟାରେଜର ଗେଟ ବନ୍ୟା ସମୟରେ ପ୍ରାୟ ଖୋଲା ରହେ ଏବଂ ସେଭଳି ବ୍ୟାରେଜର ବନ୍ୟା ଜଳ ଧାରଣ କରିବାର ସମ୍ଭାବନା ବିଶେଷ ନାହିଁ କି ବନ୍ୟା ସଙ୍କଟ ବଢାଇବାରେ ସେମିତି ବ୍ୟାରେଜର ବିଶେଷ ଭୂମିକା ନାହିଁ?      


କେନ୍ଦ୍ର ସରକାର ମଧ୍ୟ ଏମିତି ଅନେକ ଭ୍ରାନ୍ତ ତଥ୍ୟର ପ୍ରସାର କରୁଛନ୍ତି ଏଭଳି ଭ୍ରମ ବିଭ୍ରାନ୍ତିର  ପ୍ରସାରରେ ସରକାର ଜଡିତ ରହିବା ଖୁବ ଚିନ୍ତାଜନକ ଏବେ ସୂଚନାର ଅନେକ ଉତ୍ସ ରହୁଛି ଅନେକ ଉତ୍ସ ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟର ପ୍ରସାର କରୁଛନ୍ତି ସରକାର ମିଥ୍ୟା ତଥ୍ୟର ପ୍ରସାରକାରୀ ହେବା ଉଚିତ ନୁହେଁ ଦୁଃଖର କଥା ଅନେକ ଗଣମାଧ୍ୟମ ସାମ୍ବାଦିକ ମଧ୍ୟ ପ୍ରାପ୍ତ ତଥ୍ୟର ଯାଞ୍ଚ କରୁ ନାହାନ୍ତି ବା ବା ଜାଣିଶୁଣି ମିଥ୍ୟା ତଥ୍ୟର ପ୍ରସାର ଭାଗିଦାର ହେଉଛନ୍ତି କିନ୍ତୁ ଲୋକେ ଚାହିଁଲେ ତଥ୍ୟର ସତ୍ୟତାକୁ ଅତି ସହଜରେ ଯାଞ୍ଚ କରିପାରିବ ଏବେ ଅନେକଙ୍କ ପାଖରେ ଫୋନ ଇଣ୍ଟରନେଟ ସଂଯୋଗ ଅଛି ସଠିକ ତଥ୍ୟ ଖୋଜିବା ସମସ୍ତଙ୍କ ହାତ ପାଆନ୍ତାରେ ମିଥ୍ୟାର ବାରମ୍ବାର ପ୍ରସାର ଆମକୁ ଅଧିକ ବିପଦପ୍ରବଣ କରିଦେବା ବର୍ଷା ନଥାଇ ସ୍କୁଲ ବନ୍ଦ କରିବା, ଛୋଟ ଏକ ପ୍ରବାହକୁ ବିଶାଳ ବନ୍ୟା ବୋଲି ଡ଼ରାଇବା ଭଳି ମିଥ୍ୟାର ବାରମ୍ବାର ପ୍ରସାର ଭବିଷ୍ୟତରେ ବଡ ସମସ୍ୟାକୁ ଡାକିବାର ଆଶଙ୍କା ଅଛି ପିଲାବେଳର 'ବାଘ ବାଘ' ଗପ ମନେ ପଡିଯାଉଛି, ସତରେ ବାଘ ଆସିଲାବେଳେ ପାଖକୁ କେହି ଆସିବେ ନି

(The original link of this piece in Dharitri is: http://dharitriepaper.in/edition/946/bhubaneswar/page/6 )