ଏବେ ଭାରତରେ ରୋଜଗାର ସୃଷ୍ଟିର ସ୍ଥିତିକୁ ନେଇ ଚାଲିଛି ହାଲ୍ଲା। ଏଇ ନିକଟରେ
ବେଙ୍ଗାଲୁରୁ ସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାର ପ୍ରଫେସର ପୁଲକ ଘୋଷ ଓ ଭାରତୀୟ ଷ୍ଟେଟ
ବ୍ୟାଙ୍କର ଡ଼। ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ ୨୦୧୬-୧୭ ଆର୍ଥିକ
ବର୍ଷରେ ଭାରତରେ ୪.୫ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ବେଳେ
୨୦୧୭-୧୮ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ୩୭ ଲକ୍ଷ ଲୋକଙ୍କୁ ରୋଜଗାର ମିଳି ସାରିଛି। ସେମାନେ ଅନୁମାନ
କରିଛନ୍ତି ଯେ ଆର୍ଥିକ ବର୍ଷର ଶେଷ ବେଳକୁ ରୋଜଗାର ସଂଖ୍ୟା ବଢି ୫୫ ଲକ୍ଷ ହୋଇଯିବ। ପୁଲକ ଓ
ସୌମ୍ୟକାନ୍ତି ଦେଇଥିବା ଏହି ତଥ୍ୟ ଯଦି ସତ ତେବେ ତାହା ଭାରତ ସରକାରଙ୍କ ଶ୍ରମ ବିଭାଗ ପ୍ରଦାନ
କରୁଥିବା ରୋଜଗାରର ସଂଖ୍ୟାଠାରୁ କାହିଁ କେତେଗୁଣ ଅଧିକ। ରୋଜଗାର ବଢ଼ୁ
ନାହିଁ ବୋଲି ତୀବ୍ର ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କ ମନ୍ତ୍ରୀମାନଙ୍କୁ ଏହା ବଢି
ନଈରେ ଭାସିଯାଉଥିବା ବେଳେ କୁଟାଖିଅ ପରି ଲାଗିଲା। ସେମାନେ ଟପକିନା
ଏହି ଅଧ୍ୟୟନ ଦେଇଥିବା ସୂଚନାକୁ ସାଉଁଟି ପକାଇ କହିଲେ: ଦେଖ, ରୋଜଗାର କେତେ ବଢିଛି। ତେବେ ଘୋଷ ବନ୍ଧୁ
ବାହାର କରିଥିବା ନିର୍ଯ୍ୟାସକୁ ଓ ସେମାନେ ଆପଣାଇଥିବା ପଦ୍ଧତିରେ ଗହିରିଆ ଖୁଣ ବାହାରିବାରେ ଆଦୌ
ବିଳମ୍ବ ହେଲା ନାହିଁ। ଭାରତୀୟ ଅର୍ଥନୀତିର ବୃଦ୍ଧି ହାର ହ୍ରାସ ପାଇଥିବା
ବେଳେ ରୋଜଗାର କେମିତି ଏତେ ବଢିବ ବୋଲି ଆରମ୍ଭରୁ ହିଁ ଶଙ୍କା ସୃଷ୍ଟି ହୋଇଥିଲା।
କର୍ମଚାରୀ ଭବିଷ୍ୟ
ନିଧି ପାଣ୍ଠିର ତଥ୍ୟ ଆଧାର ଘୋଷ ବନ୍ଧୁ ଏହି ସୂଚନା ଦେଇଥିଲେ। କିନ୍ତୁ କର୍ମଚାରୀ
ଭବିଷ୍ୟନିଧି ପାଣ୍ଠିର ତଥ୍ୟକୁ ହିଁ ଅନେକ ବିଶେଷଜ୍ଞ ପ୍ରମାଦପୂର୍ଣ୍ଣ ବୋଲି କହିଛନ୍ତି। ଅର୍ଥନୈତିକ ଗବେଷକ
ମହେଶ ବ୍ୟାସ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ବାର୍ଷିକ ରିପୋର୍ଟରୁ ପାଇଲେ ଯେ ପାଣ୍ଠିର ସଭ୍ୟ
ସଂଖ୍ୟା ୨୦୧୪-୧୫ ଓ ୨୦୧୫-୧୬ରେ ୨୫ ଲକ୍ଷ ବଢିଥିଲା। କିନ୍ତୁ ଅତି
ଆଶ୍ଚର୍ଯ୍ୟ ଭାବରେ ଜାନୁଆରୀ ୨୦୧୭ରୁ ଜୁନ ୨୦୧୭ ମଧ୍ୟରେ, ମାତ୍ର ଛଅ ମାସରେ
ସଭ୍ୟ ସଂଖ୍ୟା ଏକ କୋଟି ବଢିଗଲା। ପୂର୍ବ ଦୁଇ ବର୍ଷରେ ମାତ୍ର ୨୫ ଲକ୍ଷ ବଢିଥିବା ବେଳେ
ମାତ୍ର ଛଅ ମାସରେ ଏକ କୋଟି କେମିତି ବଢିବ ବୋଲି ସେମାନେ ପ୍ରଶ୍ନ କଲେ। ଏହା ଏଇଥିପାଇଁ
ହେଲା ଯେ ନିଯୁକ୍ତିକରୀମାନଙ୍କୁ ରେଜିଷ୍ଟ୍ରିଭୁକ୍ତ ହୋଇନଥିବା ସମସ୍ତ କର୍ମଚାରୀମାନଙ୍କ ସୂଚନା
ପ୍ରଦାନ କରିବା ପାଇଁ କୁହାଗଲା। ତେଣୁ ମାର୍ଚ୍ଚ ୨୦୧୭ରେ ସଭ୍ୟସଂଖ୍ୟା ୩.୮୦ କୋଟି ଥିବା, ଚାରିମାସ ପରେ
ଜୁଲାଇ ୨୦୧୭ ବେଳକୁ ତାହା ୪.୮ କୋଟିକୁ ବଢିଗଲା। ଭବିଷ୍ୟନିଧି
ପାଣ୍ଠିର ମୋଟ ସଭ୍ୟ ସଂଖ୍ୟା ମାତ୍ର ଚାରି ମାସରେ ଏକା ଥରକେ ଏକ-ଚତୁର୍ଥାଂଶରୁ ବି ଅଧିକ ବଢିଗଲା। ନିଯୁକ୍ତି ବଢି
ନାହିଁ, କେବଳ ପୂର୍ବରୁ ନିଯୁକ୍ତ ଥିବା କର୍ମଚାରୀଙ୍କୁ ଭବିଷ୍ୟନିଧିର
ପଞ୍ଜିକରଣ କରିବା ପାଇଁ କୁହାଯିବାରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସଦସ୍ୟ ସଂଖ୍ୟା ଏକ ବଡ
ଲମ୍ବ ଡିଆଁ ମାରିଛି। ଏମିତି ଏକ ଭ୍ରାନ୍ତ ସ୍ଥିତିକୁ ଭିତ୍ତି କରି ଦେଶର
କିଛି ଖ୍ୟାତନାମା ଗବେଷକ ଭାରତରେ ୫୫ ଲକ୍ଷରୁ ବି ଅଧିକ ନିଯୁକ୍ତି ସୃଷ୍ଟି ହେଉଛି ବୋଲି କହିବା
ଆଦୌ ତର୍କ ସଂଗତ ନୁହେଁ ବୋଲି ଅନେକ ଅର୍ଥନୀତିଜ୍ଞରେ କହିଛନ୍ତି। ଘୋଷ ବନ୍ଧୁଙ୍କ
ତଥ୍ୟର ଭିତ୍ତିକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ଅନ୍ୟ ଅନେକ ଗବେଷଣା ଓ ତଥ୍ୟ ତାହାର ଠିକ ଓଲଟା
ହିଁ କହୁଛନ୍ତି। ଗତ ୨୦୧୭ରେ ହିଁ ସରକାରୀ ରିପୋର୍ଟ ଆସିଛି ଯେ ମୋଦି
ସରକାର ଶାସନକୁ ଆସିବା ବେଳେ ଭାରତରେ ବେକାରୀ ହାର ୪.୯% ଥିବା ବେଳେ
୨୦୧୫-୧୬ରେ ତାହା ୫%କୁ ବୃଦ୍ଧି ପାଇଛି। ଅନେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଭାରତରେ ନିଯୁକ୍ତି
ସୃଷ୍ଟିର ସ୍ଥିତିକୁ ନେଇ ଚିନ୍ତା ଜାହିର କରିସାରିଛନ୍ତି।
ଆଜିର ବିଜ୍ଞାନ ଯୁଗରେ ଭାରତ କମ୍ପୁଟର ଓ ପ୍ରଯୁକ୍ତିରେ ବିଶ୍ୱରେ ଏକ
ଆଗୁଆ ଦେଶ ହୋଇଥିବା ବେଳେ ଦେଶରେ ନିଯୁକ୍ତି ସୃଷ୍ଟି ବା ବେରୋଜଗାରୀ ଉପରେ ନଜର ରଖିବା ପାଇଁ
ଥିବା ବ୍ୟବସ୍ଥା ମଧ୍ୟ ଯୁଗୀୟ ହୋଇ ରହିଛି। ସରକାରଙ୍କ ପାଖରେ କିଛି ତଥ୍ୟ ନାହିଁ କହିଲେ ଆଦୌ ଭୁଲ
ହେବ ନାହିଁ। ଲୋକସଭା ଓ ରାଜ୍ୟସଭାରେ ବାରମ୍ବାର ଦେଶରେ ରୋଜଗାରର
ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚରାଯାଇଛି। ଏଇ ଜାନୁଆରୀ ମାସରେ ରାଜ୍ୟସଭାରେ ଏକ ରୋକଠୋକ ପ୍ରଶ୍ନ
ଆସିଥିଲା ନିଯୁକ୍ତିକୁ ନେଇ ଯେ ଗତ ତିନି ବର୍ଷରେ ଭାରତ ସରକାର କେତେ ରୋଜଗାର ସୃଷ୍ଟି କରିଛନ୍ତି। ଜାନୁୟାରୀ ୩
ତାରିଖରେ ଉପରୋକ୍ତ ପ୍ରଶ୍ନ ନମ୍ବର ୧୮୫୦ର
ଉତ୍ତରରେ ମାନ୍ୟବର ମନ୍ତ୍ରୀ ମୂଳ ପ୍ରଶ୍ନକୁ ସମ୍ପୂର୍ଣ୍ଣ ବାଆଁରେଇ ଦେଇ କହିଲେ ଯେ ଯେ
ଦେଶରେ କର୍ମଜୀବି-ଜନସଂଖ୍ୟାର ଅନୁପାତ ୨୦୧୨-୧୩ରେ ୫୧%, ୨୦୧୩-୧୪ରେ ୫୩.୭% ଓ ୫୦.୬% ଥିଲା। ଏହି ଉତ୍ତରରେ
ଅନେକ ପ୍ରଶ୍ନ ଭରି ରହିଛି। ପ୍ରଶ୍ନ ଥିଲା ଭାରତ ସରକାର କେତେ ନିଯୁକ୍ତି ସୃଷ୍ଟି
କରିଛନ୍ତି, ଉତ୍ତର ନିଯୁକ୍ତିର ସଂଖ୍ୟା ଉପରେ ନ ଆସି ଆସିଲା
କର୍ମଜୀବି-ଜନସଂଖ୍ୟାର ଅନୁପାତ ଉପରେ। ପୁଣି ରାଜ୍ୟ ସଭାରେ ପ୍ରଶ୍ନର ଉତ୍ତର ରଖା ହୋଇଥିଲା
୨୦୧୮ ମସିହାର ଜାନୁୟାରୀ ମାସରେ। ସରକାର ତଥ୍ୟ ଦେଲେ ଦୁଇ ବର୍ଷ ତଳର। କହିବାର କଥା ହେଲା
ଯେ ରୋଜଗାର ଭଳି ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ପାଖରେ ଯାହା ତଥ୍ୟ ଅଛି ତାହା ଖୁବ୍
ପୁରୁଣା। ଏହି ଯେଉଁ ତଥ୍ୟ ଅଛି ତାହା ପୁଣି କାହାର? ଏହା ହେଉଛି 'ୟୂଜୁଆଲ ଆପ୍ରୋଚ' ବା ସାଧାରଣ ପନ୍ଥା
ଆଧାରରେ ଅନୁମାନ କରାଯାଇଥିବା ତଥ୍ୟ। ଏହି ପନ୍ଥା ଅନୁସାରେ ଯିଏ ବର୍ଷର ଅନେକ ଦିନରେ ରୋଜଗାର
ପାଇଥାଏ ତାହାକୁ ରୋଜଗାରିଆ ବା ବେକାର ନୁହେଁ ବୋଲି ଧରି ନିଆଯାଏ। ଆଜିର କମ୍ପ୍ୟୁଟର
ଦୁନିଆରେ ସରକାର ଏହିଭଳି ଏକ ପନ୍ଥା ଧରି ଚାଲିଛନ୍ତି ତାହା ଖୁବ ନୈରାଶ୍ୟଜନକ।
ଆମେରିକା ସରକାର ପ୍ରତିମାସରେ ନିଯୁକ୍ତି ତଥ୍ୟ ସାର୍ବଜନୀନ କରନ୍ତି। ସେହି ସଂଖ୍ୟା
ଏମିତି ଏକ ମନଗଢା ସ୍ଥୁଳ ସଂଖ୍ୟା ନୁହେଁ, ସମ୍ପୂର୍ଣ୍ଣ ସଠିକ ସଂଖ୍ୟା ଦିଅନ୍ତି। ଉଦାହରଣସ୍ୱରୂପ, ଏଇ ଜାନୁୟାରୀ ୫
ତାରିଖରେ ରୋଜଗାର ତଥ୍ୟ ଜାରିକରି ଆମେରିକା ସରକାର କହିଛନ୍ତି ଯେ ଗତ ୨୦୧୭ ମସିହା ଡିସେମ୍ବର
ମାସରେ ଦେଶରେ ବେକାର ବ୍ୟକ୍ତିଙ୍କ ସଂଖ୍ୟା ପୂର୍ବ ମାସ ତୁଳନାରେ ସମାନ ଥିଲା କିନ୍ତୁ ପୂର୍ବ
ବର୍ଷର ସେହି ମାସ ତୁଳନାରେ ତାହା ୯.୨୬ ଲକ୍ଷ କମ ଥିଲା। ଏହି ରିପୋର୍ଟରେ
ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ତଥ୍ୟ ରହିଥାଏ। ଭାରତ ସରକାର ତିନି
ବର୍ଷ ତଳର କର୍ମଜୀବି-ଜନସଂଖ୍ୟାର ଅନୁପାତ ଦେଉଛନ୍ତି। ଆମେରିକା ସରକାର
ପ୍ରତି ମାସରେ ତାହାର ତଥ୍ୟ ଦିଅନ୍ତି। ସମସ୍ତ ପାଶ୍ଚାତ୍ୟ ଦେଶରେ ପ୍ରାୟ ସେହି ବ୍ୟବସ୍ଥା
ଅଛି। ସମସ୍ତେ ନିଜ ଦେଶର ନିଯୁକ୍ତି ଓ ବେକାରୀ ସ୍ଥିତିକୁ ଅତି ଗମ୍ଭୀରତାର ସହ ଦେଖନ୍ତି।
(This article was originally published in my fortnightly blog in Dharitri - 'Tatwa O Tarka' on January 24, 2018. It can be accessed at http://www.dharitri.com/e-Paper/Bhubaneswar/240118/p6.htm )
No comments:
Post a Comment