Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Thursday, February 15, 2018

ଖର୍ଚ୍ଚର ଦେଢଗୁଣା ଫସଲ ଦର – ଏତେ ବଡ ମିଛ?

ଲୋକସଭାରେ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଲେ ଯେ ମୋଦି ସରକାର ରବି ଋତୁରେ ହେଉଥିବା ଅଧିକାଂଶ ଫସଲ ପାଇଁ ଏମ୍.ଏସ୍.ପି ବା ଫସଲର ସର୍ବନିମ୍ନ ସହାୟକ ଦରକୁ ଚାଷ ଖର୍ଚ୍ଚର ଦେଢଗୁଣା ବା ଖର୍ଚ୍ଚର ୧୫୦% କରି ସାରିଛନ୍ତି । ସେ ପୁଣି କହିଲେ ଯେ ବାକିଥିବା ସମସ୍ତ ଫସଲ ପାଇଁ ମଧ୍ୟ ତାଙ୍କ ସରକାର ଏମିତି ଏମ୍.ଏସ୍.ପି ରଖିବେ ଯାହା ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ଦେଢଗୁଣା ହେବ । ତାହାହେଲେ କଣ ସତରେ ସରକାର ଅଧିକାଂଶ ଫସଲ ପାଇଁ ଯାହା ଖର୍ଚ୍ଚ ହୁଏ ତାହାର ଦେଢଗୁଣା ଦର ବା ୫୦% ଲାଭ ନିଶ୍ଚିତ କରିସାରିଛନ୍ତି? କେତେଜଣଙ୍କର ମନେ ଥିବ କେଜାଣି କିନ୍ତୁ ତିନି ବର୍ଷ ତଳେ ଏହି ସରକାର ସୁପ୍ରିମକୋର୍ଟରେ ଏକ ହଲଫନାମା ଦେଇ କହିଥିଲେ ଯେ ସରକାର ଚାଷୀଙ୍କୁ ଚାଷଖର୍ଚ୍ଚ ଉପରେ ୫୦% ଲାଭ ନିଶ୍ଚିତ କରୁଥିବା ସର୍ବନିମ୍ନ ସହାୟକ ଦର ଦେଇପାରିବେ ନାହିଁ କାରଣ ତାହା ଅର୍ଥନୀତିକୁ ବିଗାଡି ଦେବ । ତାହାହେଲେ ସୁପ୍ରିମକୋର୍ଟରେ ତିନିବର୍ଷ ତଳେ ଦେଇଥିବା ହଲଫନାମା ଆଉ ବର୍ତ୍ତମାନ ଭିତରେ କଣ ଏତେ ପରିବର୍ତ୍ତନ ହୋଇଯାଇଛି? ଏଥର ଏହି ପ୍ରସଙ୍ଗରେ ଆମେ କିଛି ସତ୍ୟ ଦରାଣ୍ଡିବା । 


ଚାଷଖର୍ଚ୍ଚର ହିସାବ କରିବା ପ୍ରଥାକୁ ସରକାର ଖୁବ୍ ଜଟିଳ କରି ରଖିଛନ୍ତି । କାହାକୁ ଚାଷ ଖର୍ଚ୍ଚ ବିଚାର କରାଯାଏ ତାହାକୁ ନେଇ ଭୟଙ୍କର ଦ୍ୱନ୍ଦ୍ୱ ରହିଛି । ଏମ୍.ଏସ୍.ପି ନିର୍ଦ୍ଧାରଣ ପ୍ରକ୍ରିୟାରେ ଅନେକ ପ୍ରକାରର ଚାଷ ଖଚ୍ଚର୍ର ହିସାବ ଦିଆଯାଏ, ତିନିଟି ତହିଁରୁ ପ୍ରମୁଖ । ଇଂରାଜୀରେ ତାହାକୁ (୧) A2, (୨) A2+FL, ଓ (୩) C2 କୁହାଯାଏ । A2ହେଲା ଚାଷୀ ବହନ କରିଥିବା ମୂଳ ଖର୍ଚ୍ଚ । ଏଥିରେ ଅନ୍ତର୍ଭକ୍ତ ଅଛି ଟଙ୍କା ବା ସାମଗ୍ରୀ ଆକାରରେ ହୋଇଥିବା ସମସ୍ତ ଖର୍ଚ୍ଚ ଯଥା ଶ୍ରମ, ବଳଦ, ଯନ୍ତ୍ର, ବିହନ, ଔଷଧ, ବିଷ, ଖତ, ସାର, ଜଳସେଚନ ଖର୍ଚ୍ଚ ଇତ୍ୟାଦି । ଏହା ପାଇଁ ଚାଷୀ ପ୍ରତ୍ୟକ୍ଷ ଦେୟ ପ୍ରଦାନ କରିଥାଏ ବା ବ୍ୟୟ କରିଥାଏ ।  ଏହାପରେ ଆସିଲା A2+FLପ୍ରାୟ ସମସ୍ତ ଚାଷୀ ପରିବାର ଫସଲର ଉତ୍ପାଦନ ପାଇଁ ନିଜେ ଶ୍ରମ ଦିଅନ୍ତି ।  A2ରେ ରହିଥିବା ସମସ୍ତ ଖର୍ଚ୍ଚ ସହିତ ଚାଷୀ ପରିବାର ନିଜେ ପ୍ରଦାନ କରିଥିବା ଶ୍ରମର ଖର୍ଚ୍ଚ ମିଶି A2+FLଦର ସ୍ଥିର ହୁଏ । ତୃତୀୟଟି ହେଲା C2A2+FL ଦରରେ ଜମିର କର ବା ଶୁଳ୍କ ଏବଂ ଚାଷୀ ଚାଷ ତୁଲାଇବା ପାଇଁ କରିଥିବା ଭିତ୍ତିଭୂମି ଯଥା ଟ୍ରାକ୍ଟର, ପମ୍ପ, ବାଡ, ଅନ୍ୟ ଭିତ୍ତିଭୂମି ଇତ୍ୟାଦିରେ ହୋଇଥିବା ନିବେଶର ସୁଧ ଯୋଡି C2ଦର ସ୍ଥିର କରାଯାଏ ।

ଚାଷ ଖର୍ଚ୍ଚର ଏହି ଜଟିଳ ବର୍ଗୀକରଣ ପ୍ରକ୍ରିୟା ପରେ ଆସନ୍ତୁ ଦେଖିବା ଚଳିତ ରବି ଋତୁର ଫସଲ ପାଇଁ ସରକାର କେତେ ଏମ୍.ଏସ୍.ପି ସ୍ଥିର କରିଛନ୍ତି । ରବି ଋତୁରେ ସାଧାରଣତଃ ୬ପ୍ରକାରର ଫସଲ ପାଇଁ ଏମ୍.ଏସ୍.ପି ଦର ସ୍ଥିର ହୁଏ, ତାହା ହେଲା ଗହମ, ବାର୍ଲି, ଚନା ବା ବୁଟ, ମସୁର, ସୋରିଷ ଓ କୁସୁମ ସରକାର ୨୦୧୮-୧୯ ରବି ଋତୁ ପାଇଁ ଏହି ୬ପ୍ରକାର ଫସଲର ଏମ୍.ଏସ୍.ପି ଦର ଯଥାକ୍ରମେ ୧୭୩୫, ୧୪୧୦, ୪୨୫୦, ୪୧୫୦, ୩୯୦୦ ଓ ୪୦୦୦ ନିର୍ଦ୍ଧାରଣ କରିଛନ୍ତି । ଏହି ୫ପ୍ରକାର ଫସଲ ପାଇଁ ସ୍ଥିର ହୋଇଥିବା ଏମ୍.ଏସ୍.ପି ମଧ୍ୟରୁ ଗୋଟିଏ ବି ଫସଲର ଏମ୍.ଏସ୍.ପି C2ଚାଷଖର୍ଚ୍ଚର ଦେଢଗୁଣା ଦର ଦେଉନାହିଁ । ସବୁଠାରୁ ପାଖକୁ ଆସୁଛି ଗହମ ଫସଲ । ଗହମ ଫସଲର C2ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପ୍ରତି ୧୨୫୬ଟଙ୍କା ହୋଇଥିବା ବେଳେ ଏମ୍.ଏସ୍.ପି ସ୍ଥିର ହୋଇଛି ୧୭୩୫ ଟଙ୍କା । ଅର୍ଥାତ ୧୨୫୬ ଟଙ୍କାର ଖର୍ଚ୍ଚ କରି ଚାଷୀ ଏମ୍.ଏସ୍.ପି ଦର ପାଇଲେ ୪୭୯ ଟଙ୍କା ଲାଭ ଅର୍ଥାତ ମୋଟେ ୩୮% ଲାଭ ପାଇବ । ଗହମ ଫସଲରେ ବି ୫୦% ଲାଭ ନାହିଁ । ଅନ୍ୟ ଫସଲର ଅବସ୍ଥା ତ ଆହୁରି ଶୋଚନୀୟ । କିନ୍ତୁ ଜେଟଲୀ ମହାଶୟ କହିଲେ ଯେ ତାଙ୍କ ସରକାର ରବି ଫସଲମାନଙ୍କ ପାଇଁ ୫୦% ଲାଭ ନିଶ୍ଚିତ କରିସାରିଛନ୍ତି । ଏହାକୁ ନେଇ ତୁମ୍ବି ତୋଫାନ ହେଲା ପରେ ସରକାର କହିଲେ ଯେ ସେ C2ନୁହେଁ A2+FLଦରକୁ ଖର୍ଚ୍ଚ ହିସାବରେ ଗ୍ରହଣ କରନ୍ତି । ସେହି ହିସାବରେ କୁସୁମ ଫସଲକୁ ଛାଡିଦେଲେ ଅନ୍ୟସବୁ ଫସଲ ଏମ୍.ଏସ୍.ପି ଦର ଚାଷ ଖର୍ଚ୍ଚ ଉପରେ ଅବଶ୍ୟ ଅନ୍ୟୁନ ୫୦% ଲାଭ ଦେଉଛି ।


ତେବେ ସରକାର କେବେଠୁ ତାହାହେଲେ ଏମ୍.ଏସ୍.ପି ଦରକୁ ଚାଷଖର୍ଚ୍ଚର ୧୫୦% କରିଦେଇ ଅନ୍ୟୁନ ୫୦% ଲାଭ ନିଶ୍ଚିତ କରିସାରିଲେଣି? ଆସନ୍ତୁ ଦେଖିବା ଗତ ୟୁପିଏ ସରକାରର ଶେଷ ବର୍ଷରେ ସ୍ଥିତି କଣ ଥିଲା । ବଡ ମଜାର କଥା ହେଲା ଯେ ସରକାର ଏବେ ଯାହା କରିଦେଇଛୁ ବୋଲି ବାହାବା ଦରାଣ୍ଡୁଛନ୍ତି ସେହି ସ୍ଥିତି ତ ୨୦୧୩-୧୪ ତଥା ତାହାର ଆଗରୁ ବି ଥିଲା! ୨୦୧୩-୧୪ ବର୍ଷରେ ବି କେବଳ କୁସୁମ ଫସଲକୁ ଛାଡିଦେଲେ ରବି ଋତୁର ଅନ୍ୟ ସମସ୍ତ ଫସଲର ଏମ୍.ଏସ୍.ପି ଦର ଚାଷ ଖର୍ଚ୍ଚର ଦେଢଗୁଣାରୁ ଅଧିକ ଥିଲା । ଗହମ, ବାର୍ଲି, ଚନା ବା ବୁଟ, ମସୁର ଓ ସୋରିଷ ଫସଲର ଏମ୍.ଏସ୍.ପି ଦର ଚାଷଖର୍ଚ୍ଚର ଯଥାକ୍ରମେ  ୧.୯ଗୁଣ, ୧.୬ ଓ ଗୁଣ, ୧.୭ଗୁଣ ଓ ୨.୪ଗୁଣ ଥିଲା । ତାହାହେଲେ ସରକାର ନୂଆ କଲେ କ? ୟୁପିଏ ସରକାର ତ ତାହା ଆଗରୁ କରିସାରିଥିଲେ । ଏବେ ଖରିଫ ଧାନ ଫସଲକୁ ଆସିବା ।  ସରକାରଙ୍କ ହିସାବ ଅନୁସାରେ ୨୦୧୭-୧୮ର ଖରିଫ ଋତୁରେ ଧାନ ଫସଲ ପାଇଁ ସରକାର ଧାର୍ଯ୍ୟ କରିଥିବା ଏମ୍.ଏସ୍.ପି ଦର ୧.୪ ଗୁଣ ଅଛି କାରଣ ସରକାର ଧାନର A2+FLଚାଷଖର୍ଚ୍ଚକୁ କ୍ୱିଣ୍ଟାଲ ପ୍ରତି ୧୧୧୭ଟଙ୍କା ହିସାବ କରିଥିବା ବେଳେ ଏମ୍.ଏସ୍.ପି ଦର ରଖିଛନ୍ତି ୧୫୫୦ଟଙ୍କା । ପୂର୍ବ ସରକାରର ଶେଷ ବର୍ଷରେ ବି ଧାନର ଏମ୍.ଏସ୍.ପି ଦର A2+FLଚାଷଖର୍ଚ୍ଚର ୧.୪ଗୁଣ ଥିଲା । ତାହାର ପୂର୍ବ ବର୍ଷ ତ ଧାନର ଏମ୍.ଏସ୍.ପି ଦର ଚାଷଖର୍ଚ୍ଚର ୧.୫ଗୁଣ ବା ଦେଢଗୁଣ ଥିଲା । ୨୦୧୨-୧୩ ବର୍ଷରେ ଧାନର A2+FLଚାଷଖର୍ଚ୍ଚ କ୍ୱିଣ୍ଟାଲପ୍ରତି ୮୪୭ଟଙ୍କା ଥିବା ବେଳେ ଏମ୍.ଏସ୍.ପି ସ୍ଥିର ହୋଇଥିଲା ୧୨୫୦ ଟଙ୍କା । ଅର୍ଥାତ, ଯଦି ବର୍ତ୍ତମାନ ସରକାରର ଯୁକ୍ତିକୁ ଧରିନେବା ତାହାହେଲେ ପୂର୍ବ ସରକାର ଧାନ, ଗହମ ସହିତ ଅଧିକାଂଶ ଫସଲର ଚାଷ ଖର୍ଚ୍ଚ ଉପରେ କେବେଠୁ ୫୦% ଲାଭ ନିଶ୍ଚିତ କରିସାରିଥିଲେ । ତାହା ହେଲେ ଏଇ ସରକାର ନୂଆ ଆଉ କଲା କ? ବଡ କଥା ହେଲା, ଚାଷୀ କରିଥିବା ନିବେଶ ଉପରେ ସୁଧ, ଅନ୍ୟ ଚାଷଋଣର ସୁଧ ତଥା ଜମିର କର ଆଦି ବି ବାସ୍ତବ ଖର୍ଚ୍ଚ ଅଟେ, ତାହାକୁ ଆଦୌ ଏଡାଇ ହେବନାହିଁ । ସ୍ୱାମୀନାଥନ କମିଟି ଚାଷୀର ପ୍ରକୃତ ଖର୍ଚ୍ଚ ବା C2ଉପରେ ୫୦% ଲାଭ ପାଇଁ ସୁପାରିଶ କରିଥିଲେ, ‘A2+FLଖର୍ଚ୍ଚ ଉପରେ ନୁହେଁ ।


ଡାହା ମିଛକୁ ସଂଖ୍ୟା ଓ ପରିସଂଖ୍ୟାନର ଖୋଳପା ଦେଇ ଲୋକଙ୍କୁ ଭୂତାଇବାର ଓ ଭୂଲେଇବାର ଏକ ପରମ୍ପରା ସୃଷ୍ଟି ହୋଇଗଲାଣି ବର୍ତ୍ତମାନ ସରକାରର ଯୁକ୍ତିକୁ ଗ୍ରହଣ କଲେ ଚାଷୀମାନେ ଏହି ସରକାରର ବହୁ ପୂର୍ବରୁ ମଧ୍ୟ ଚାଷ ଖର୍ଚ୍ଚ ଉପରେ ଦେଢଗୁଣା ଲାଭ ପାଉଛନ୍ତି । ଯଦି ସେତେବେଳେ ବି ଏହି ସ୍ଥିତି ଥିଲା, ତାହାହେଲେ ତିନିବର୍ଷ ତଳେ ସରକାର ଦେଢଗୁଣା ଲାଭ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦେଇଥିଲେ କାହିଁକି?

(This article was published on February 14, 2018 in Dharitri - in my fortnightly column 'Tatwa O Tarka'. That can be accessed at http://www.dharitri.com/e-Paper/Bhubaneswar/140218/p6.htm )

No comments:

Post a Comment