ପ୍ରଧାନମନ୍ତ୍ରୀଙ୍କ
ଅନେକ ଘୋଷଣା ମଧ୍ୟରୁ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଘୋଷଣାକୁ ଲୋକେ ଗୁରୁତ୍ୱର ସହ
ନେଇଥିଲେ। ତାହା ଚାଷୀଙ୍କ ମନରେ ଏକ ଆଶା ଜାଗ୍ରତ କରାଇଥିଲା। ପ୍ରଧାନମନ୍ତ୍ରୀ ପ୍ରଥମ କରି ଚାଷୀଙ୍କ ଆୟ ଦୁଇଗୁଣା କରିବୁ ବୋଲି କହିଥିଲେ ୨୦୧୬ ମସିହା
ଫେବୃଆରୀ ୨୮ ତାରିଖରେ। ୨୦୧୬ ମସିହା ମାର୍ଚ୍ଚ ମାସ ୯ ତାରିଖରେ
ରାଜ୍ୟସଭାରେ ସେହି କଥା କହିଲେ। ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇ ଗୁଣା
କରିବାର ଯେଉଁ ସମୟସୀମା ରଖିଛନ୍ତି ତାହା ଗଡି ଚାଲିଛି। ଏବେ ପରଖିବାର ସମୟ ଆସିଛି ଯେ ଏହି ଘୋଷଣାର ସ୍ଥିତି କେମିତି ରହିଛି ଓ କେତେ ଆଶା ଜାଗ୍ରତ ହୋଇଛି।
ଆୟ
କେମିତି ଦୁଇଗୁଣ ହେବ ତାହାର ଉପାୟ ଖୋଜିବା ପାଇଁ କମିଟିମାନ ନିଶ୍ଚୟ ଗଠନ କରିଛନ୍ତି ସରକାର। ଶ୍ରୀ ଅଶୋକ ଦଳୱାଇଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଏକ କମିଟି ଗଠନ କରିଛନ୍ତି। କମିଟି ତାହାର ପ୍ରଥମ ଓ ଆଂଶିକ ରିପୋର୍ଟ ଦେଇଛି ଅଗଷ୍ଟ ୨୦୧୭ରେ। ସେମିତି ନୀତି ଆୟୋଗ ମଧ୍ୟ ରଣନୀତି ଓ ରୂପରେଖ ପ୍ରସ୍ତୁତ କରିଛନ୍ତି ଅନ୍ୟ ଏକ ରିପୋର୍ଟରେ। ସେହି ରିପୋର୍ଟଟି ପ୍ରକାଶିତ ହୋଇଥିଲା ୨୦୧୭ ମସିହା ମାର୍ଚ୍ଚ ମାସରେ। ସରକାରଙ୍କ କମିଟିମାନଙ୍କୁ ଦୁଇ ବର୍ଷ ଲାଗିଗଲା କେବଳ ଏହା ଖୋଜିବାରେ ଯେ କେଉଁ ଉପାୟରେ
ଚାଷୀଙ୍କ ଆୟ ଦୁଇଗୁଣ କରାଯାଇପାରିବ। ଗୋଟିଏ କମିଟିର ଖୋଜା ଏବେବି ଚାଲିଛି।
ତେବେ, ଏହି ଦୁଇଗୁଣାର ରହସ୍ୟଟି କଣ? ଦଲୱାଇ କମିଟି ଗୋଟିଏ ଚାଷୀ ପରିବାରର
ବାର୍ଷିକ ହାରାହାରି ଆୟ ଯାହା ୨୦୧୫-୧୬ରେ ୯୬,୭୦୩ ଟଙ୍କା ଥିଲା ତାହା ୨୦୨୨-୨୩ ବେଳକୁ ୨,୧୯,୭୨୪ ଟଙ୍କାକୁ ବଢାଇବାର
ଲକ୍ଷ୍ୟ ସ୍ଥିର କରିଛି। ନୀତି ଆୟୋଗଙ୍କ ରିପୋର୍ଟ କହୁଛି ଯେ
୨୦୦୧ରୁ ୨୦୧୪ ମଧ୍ୟରେ ଚାଷୀଙ୍କ ଆୟ ଯେଉଁ ହାରରେ ବଢିଥିଲା, ଯଦି ସେହି ହାରରେ ବଢିଚାଲେ ତେବେ ୨୦୨୨-୨୩ ବର୍ଷ ସୁଦ୍ଧା ଚାଷୀଙ୍କ ଆୟ ପ୍ରାୟ ୬୬% ବଢିବ ଓ ୨୦୨୫-୨୬ ସୁଦ୍ଧା ବା ୧୦
ବର୍ଷରେ ତାହା ଦ୍ଵିଗୁଣିତ ହେବ ବା ୧୦୦% ବୃଦ୍ଧି ପାଇବ। ନୀତି ଆୟୋଗଙ୍କ ରିପୋର୍ଟ କୃଷି
କ୍ଷେତ୍ରର ସାତଟି ବିଭାଗ ଚିହ୍ନଟ କରି ତହିଁରେ ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବୃଦ୍ଧି ହାର
କେତେହେଲେ ଆୟ ଦୁଇଗୁଣ ହେବ ତାହା କହିଛି। ସେହି ସାତଟିରୁ ଗୋଟିଏ ହେଲା ଉତ୍ପାଦକତା। ରିପୋର୍ଟ କହିଛି ଯେ ଫସଲ ଉତ୍ପାଦକତା ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବାର୍ଷିକ ୪.୧% ହାରରେ ବଢିବା ଦରକାର। ସେମିତି ଖୋଜାଖୋଜି କରି ଦଲୱାଇ କମିଟିର
ପ୍ରାଥମିକ ରିପୋର୍ଟ କହିଛି ଯେ ଯଦି ୨୦୧୫-୧୬ ବର୍ଷ ତୁଳନାରେ ୨୦୨୨-୨୩ ସୁଦ୍ଧା ଭାରତର ଚାଷୀଙ୍କ
ଆୟ ଦୁଇ ଗୁଣା କରିବାର ଅଛି ତେବେ ଏହି ସାତ ବର୍ଷର ପ୍ରତ୍ୟେକ ବର୍ଷ ଚାଷୀଙ୍କ ପ୍ରକୃତ ଆୟ
ବାର୍ଷିକ ହାରାହାରି ୧୦.୪୧% ହାରରେ ବଢିବା ଦରକାର।
ପାଞ୍ଚ
ବର୍ଷରୁ ଦୁଇ ବର୍ଷ ବିତି ସାରିଲାଣି। ଟିକିଏ ଦେଖିନେଲେ ହେବ ଯେ ବାସ୍ତବ ସ୍ଥିତି କଣ ରହିଛି। ପ୍ରଥମେ ଦେଖିବା ଉତ୍ପାଦକତା। କେନ୍ଦ୍ରସରକାରଙ୍କ କୃଷି ବିଭାଗର ତଥ୍ୟ
ଅନୁସାରେ ୨୦୧୬-୧୭ ବର୍ଷରେ ଖାଦ୍ୟଶସ୍ୟ ଜାତୀୟ ଫସଲର ଅମଳ ତାହାର ପୂର୍ବ ବର୍ଷ ତୁଳନାରେ ୪.୦୧% ବଢିଥିଲା। ଆୟୋଗଙ୍କ ଆକଳନ ଅନୁସାରେ ଉତ୍ପାଦକତା ବାର୍ଷିକ ହାରାହାରି ୪.୧% ହାରରେ ବଢିବା କଥା। ୨୦୧୬-୧୭ ବର୍ଷରେ ଉତ୍ପାଦକତା ତ ନୁହେଁ ମୋଟ ଉତ୍ପାଦନ ବଢ଼ିଲା ୪.୦୧%। ଭାରତରେ ସବୁ ବର୍ଷ ଚାଷ ସମାନ ଯାଏନାହିଁ। ପ୍ରତି ବର୍ଷର ଉତ୍ପାଦନ ଓ ଉତ୍ପାଦକତାରେ
ଅନେକ ପ୍ରଭେଦ ରହେ। ୨୦୦୧ରୁ ୨୦୧୩ ମଧ୍ୟରେ ଫସଲ ଉତ୍ପାଦକତା
ବାର୍ଷିକ ମାତ୍ର ୩.୧% ହାରରେ ବଢିଥିଲା। ୨୦୧୫-୧୬ରେ ଉତ୍ପାଦନ ହାର ଖୁବ କମ ଥିଲା କାରଣ ଦେଶର ଅନେକ ଅଂଚଳରେ ମରୁଡି ପଡିଥିଲା। ଚଳିତ ବର୍ଷର କେବଳ ଖରିଫ ଋତୁ ସରିଛି
ଏବଂ ତାହା ନିରାଶ ହିଁ କରୁଛି। କୃଷି ବିଭାଗର ପ୍ରଥମ ଆଗୁଆ ଅନୁମାନ ସୁଚାଇଛି ଯେ ଚଳିତ ଖରିଫ ଋତୁରେ ଅମଳ ପୂର୍ବ
ବର୍ଷଠାରୁ ପ୍ରାୟ ୨.୮% କମ ହେବ। ଅର୍ଥାତ ଗୋଟିଏ ବର୍ଷ ଯଦି ଉତ୍ପାଦନ ବଢ଼ିଲା, ପରବର୍ଷ ପୁଣି ଖସିଆସିଲା। ଫସଲର ଉତ୍ପାଦକତାକୁ ପ୍ରତିବର୍ଷ ଅନ୍ତତଃ ୪.୧% ହାରରେ ବଢାଇବାର ଲକ୍ଷ୍ୟ ପ୍ରଥମ
ଦୁଇବର୍ଷରେ ଫସର ଫାଟି ସାରିଛି। ଏଣେ, ଦଲୱାଇ କମିଟି ରିପୋର୍ଟ କହିଛି ଯେ
ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ୧୦.୪୧% ହାରରେ ବଢିବା ଦରକାର ଅଛି। କିନ୍ତୁ, ସେହି ଲକ୍ଷ୍ୟ ମଧ୍ୟ ପ୍ରାୟ ଅପହଞ୍ଚ ବୋଲି ଆରମ୍ଭରୁ ହିଁ ଜଣାପଡୁଛି। ୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ
ପ୍ରକୃତ ଆୟ ମୋଟେ ୩.୫% ହାରରେ ହିଁ ବୃଦ୍ଧି ପାଇଥିଲା। ଅନ୍ୟ ଭାବରେ କହିଲେ, ସେହି
ଦଶନ୍ଧିରେ ଚାଷୀଙ୍କ ପ୍ରକୃତ ଆୟ ଯେଉଁ ହାରରେ ବଢିଥିଲା ତାହାଠାରୁ ଅନ୍ତତଃ ତିନି ଗୁଣ ଅଧିକ
ହାରରେ ବଢିଲେ ଯାଇ ହିଁ ଚାଷୀଙ୍କ ଆୟ ଦୁଇଗଣ ବଢି ପାରିବ। ଗତ ଦୁଇ ବର୍ଷରେ ତାହାର କାଣିଚାଏ ବି ଉପଲବ୍ଧି ହୋଇନାହିଁ।
ଏମିତି
ସ୍ଥିତିରେ ସମସ୍ତଙ୍କ ସନ୍ଦେହ ହେଲାଣି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ମଧ୍ୟ ପୋକ
ଚରିଯିବେ। ତେବେ ସରକାରରେ ବଡ ଚତୁର ଅର୍ଥନୀତିଜ୍ଞ ମାନେ ଅଛନ୍ତି। ଏମିତି ଛାଡ଼ିବେ ନାହିଁ। ତାଙ୍କ ପାଇଁ ଗୋଟେ ସହଜ ଉପାୟ ଅଛି। କୃଷି କ୍ଷେତ୍ରରୁ ରୋଜଗାର ଉଠାଉଥିବା
ଚାଷୀଙ୍କ ପରିବାର ସଂଖ୍ୟା କମାଇ ଦିଅ। ସେହି ସମାନ ଉତ୍ପାଦନ ହେଲେ ମଧ୍ୟ ଯଦି କମ ଚାଷୀ ପରିବାର ବା କମ କୃଷକ ରହିବେ, ତାଙ୍କର ହାରାହାରି ଆୟ ସେମିତି ବଢ଼ିଯିବ। କିଛି ନ କରି ମଧ୍ୟ ଆୟ ଦୁଇଗଣ ହେଇଯିବ। ବୋଧେ ଏହା ହିଁ ଏବେ ପ୍ରଚେଷ୍ଟା ରହିଛି। କୃଷି କ୍ଷେତ୍ରରୁ କୃଷକଙ୍କୁ ବାହାରକରିଦେବାର ରୀତିମତ ଚେଷ୍ଟା ଚାଲିଛି। ତାହାର କିଛି ଉଲ୍ଲେଖ ମଧ୍ୟ ରହିଛି ଉଭୟ
ନୀତି ଆୟୋଗ ଓ ଦଲୱାଇ କମିଟି ରିପୋର୍ଟ ମାନଙ୍କରେ।
ସେହିଭଳି
ପ୍ରଚେଷ୍ଟାକୁ ଅନୁମାନ କରିଛନ୍ତି ସବୁଜ ବିପ୍ଲବର ଜନକ ସ୍ଵାମୀନାଥାନ ତଥା ଭାରତର ସମ୍ମାନାସ୍ପଦ କୃଷି
ବିଶେଷଜ୍ଞ ଦେବେନ୍ଦର ଶର୍ମା। ତେଣୁ, ସ୍ଵାମୀନାଥାନ ଏହି କଥା ବାରମ୍ବାର
କହୁଛନ୍ତି ଯେ ଫସଲର ସର୍ବନିମ୍ନ ସହାୟକ ଦର ଚାଷୀକୁ ଅନ୍ୟୁନ ୫୦% ଲାଭ ଦେବା ଦରକାର। ସେହିପରି ଦେବେନ୍ଦର ଶର୍ମା କହନ୍ତି ଯେ
ଏତେ ଦୁଃସାଧ୍ୟ ହେଲାଣି ଯେ ଚାଷୀ ନିଜକୁ ମାରିଦେଉଛି। ଏହା ହେଲେ ଲୋକେ ଖାଇବାକୁ ପାଇବେ ନି। ଚାଷ ଓ ଚାଷୀକୁ ବଞ୍ଚାଇବାକୁ ହେଲେ ଅନ୍ୟ ପଦକ୍ଷେପ ସହ ଚାଷୀଙ୍କୁ ପ୍ରତିମାସ ଏକ ନିଶ୍ଚିତ
ଆୟ ଉପଲବ୍ଧ କରାଇବା ଦରକାର ଯାହା ଚାଷୀ ପରିବାରର ବର୍ତ୍ତମାନର ହାରାହାରି ମାସିକ ଆୟ ୧,୭୦୦ ଟଙ୍କାରୁ ଯଥେଷ୍ଟ ଅଧିକ ହେଉଥିବ।
(This article was originally published in my fortnightly column in Dharitri - 'Tatwa O Tarka' - on January 10, 2018. That can be accessed at http://www.dharitri.com/e-Paper/Bhubaneswar/100118/p6.htm )
No comments:
Post a Comment