ସାଧାରଣତଃ
ଭାଗବଣ୍ଟାର ବିବାଦ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ କୌଣସି ବସ୍ତୁ ବା ସମ୍ପତ୍ତି ଦାବି
ଅନୁସାରେ କମ ପଡିଯାଏ; କିନ୍ତୁ ତହିଁରେ ଥିବା
ଦାବିଦାରମାନେ ନିଜନିଜର ଦାବି ଛାଡ଼ନ୍ତି ନାହିଁ। ମହାନଦୀ ଜଳକୁ ନେଇ ଓଡିଶା ଓ
ଛତିଶଗଡ଼ ମଧ୍ୟରେ ମୁଣ୍ଡ ଟେକିଥିବା ବିବାଦ ମଧ୍ୟ ବର୍ତ୍ତମାନଯାଏ ପ୍ରାୟ ସେହି ଶ୍ରେଣୀୟ
ହୋଇରହିଛି। ତାହାରି ଜଳ ଉପରେ କାହାର କେତେ ଅଧିକାର ରହିଛି
ତାହାକୁ ନେଇ ଭିଡା଼ଓଟରା ଚାଲିଛି। କିନ୍ତୁ ଜାଣି ରଖିବା ଦରକାର ଯେ ନଦୀ ଏକ ସାଧାରଣ
ବସ୍ତୁ ବା ସମ୍ପତ୍ତି ନୁହେଁ। ମହାନଦୀ ତ' ବିଲକୁଲ ସେମିତି
ନୁହେଁ। ତେଣୁ, ତାହାରି ଜଳ ଉପରେ
ନିଜନିଜର ଅଧିକାର ଜାହିର କରୁଥିବା ପକ୍ଷ ତାଙ୍କର ନିର୍ବୋଧତା ବ୍ୟତୀତ ଅନ୍ୟ କିଛି ଜାହିର କରୁ
ନାହାନ୍ତି।
ଏବେ ଆପଣ ହୁଏତ
ପ୍ରଶ୍ନ ପଚାରିବେ, ମହାନଦୀ କାହିଁକି ସେମିତି
ନୁହେଁ? ଏବେ ଆପଣ ହୁଏତ ପ୍ରଶ୍ନ ପଚାରିବେ ମହାନଦୀ କାହିଁକି
ସେମିତି ନୁହେଁ? ମହାନଦୀ ସେମିତି ନୁହେଁ କାରଣ ମହାନଦୀ ଆଦୌ ଏକ ସାଧାରଣ
ନଦୀ ନୁହେଁ। ମହାନଦୀ କେବଳ ଜୀବନପ୍ରଦାୟିନୀ ଓ ସୌମ୍ୟା ନୁହେଁ, ଏହା ଅନେକ ସମୟରେ ତାହାରି ଭୟଙ୍କର ରୌଦ୍ରରୂପ ମଧ୍ୟ ଦେଖାଇଥାଏ। ଅର୍ଥାତ, ମହାନଦୀରେ ବନ୍ୟା ମଧ୍ୟ ଏକ ବଡ ପ୍ରସଙ୍ଗ। ମହାନଦୀର ଜଳ ଉପରେ ଭାଗ
ବସାଉଥିବା ପକ୍ଷମାନେ ଏହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ।
ଏହି ସ୍ତମ୍ଭର ଏକ
ପୂର୍ବ ଆଲେଖ୍ୟରେ ଆମେ ଛତିଶଗଡ ଓ ଓଡିଶା ରାଜ୍ୟଦ୍ୱୟ ମହାନଦୀ ବିବାଦ ପରିପ୍ରେକ୍ଷୀରେ ରଖିଥିବା
ପକ୍ଷ ବିଷୟରେ ଆଲୋଚନା କରିଥିଲେ। ବର୍ଷକ ତଳେ ୨୦୧୬ ମସିହା ଡିସେମ୍ବର ୫ ତାରିଖରେ
ଓଡିଶା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ ଛତିଶଗଡ଼ ବିଭିନ୍ନ ପ୍ରକଳ୍ପ ଜରିଆରେ ମହାନଦୀର
୨୭.୪୮ ନିୟୁତ ଏକର ଫୁଟ ପାଣି ବ୍ୟବହାର କରିବା ଯୋଜନା
ରଖିଛି। ୧୯୮୩ ମସିହାରେ ତତ୍କାଳୀନ ମଧ୍ୟପ୍ରଦେଶ ସରକାର
ମହାନଦୀର ଏକ ମାଷ୍ଟରପ୍ଲାନ କରିଥିଲେ। ତହିଁରେ କୁହାଯାଇଥିଲା ଯେ ମହାନଦୀର ୨୧.୫
ନିୟୁତ ଏକର ଫୁଟ ପାଣି ମଧ୍ୟପ୍ରଦେଶ ପାଇଁ ସଂରକ୍ଷିତ କରି ରଖାଯିବ। ଖାଲି ସଂଖ୍ୟା କହିଦେଲେ ଆମେ ବୁଝିପାରିବା ନି ଯେ ଏହି ୨୭.୪୮ ବା ୨୧.୫ ନିୟୁତ ଏକର ଫୁଟ
ଜଳ କେତେ। ଛତିଶଗଡ଼ ରାଜ୍ୟରେ ଥିବା ମହାନଦୀ ଅବବାହିକାର ସମଗ୍ର
ଅଞ୍ଚଳରୁ ବାର୍ଷିକ ହାରାହାରି ପ୍ରାୟ ୨୮.୬ ନିୟୁତ ଏକର ଫୁଟ
ବର୍ଷାରୁ ଉତ୍ପନ୍ନ ହୋଇଥାଏ। ତାହାହେଲେ କ’ଣ ତତ୍କାଳୀନ
ମଧ୍ୟପ୍ରଦେଶ ବା ବର୍ତମାନର ଛତିଶଗଡ ରାଜ୍ୟ ତାଙ୍କ ଅଞ୍ଚଳରେ ଥିବା ମହାନଦୀରୁ ମିଳୁଥିବା ହାରାହାରି ବର୍ଷା ଜଳର
ପ୍ରାୟ ସବୁ ଜଳକୁ ଅଟକାଇବାର ଯୋଜନା କରିଛନ୍ତି? ଓଡିଶା ସରକାର କିଛି
ସେମିତି ଅଭିଯୋଗ ରଖୁଛନ୍ତି। ଗତବର୍ଷ ଦିଲ୍ଲୀରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ
ଓଡିଶା ଜଣାଇଥିଲା ଯେ ଛତିଶଗଡରୁ ହୀରାକୁଦ ଜଳଭଣ୍ଡାରକୁ ଏବେ ହାରାହାରି ୧୫.୬ ନିୟୁତ ଏକର ଫୁଟ ଜଳ ପ୍ରବେଶ କରୁଥିବା ବେଳେ ଛତିଶଗଡ
ନୂତନ ପ୍ରକଳ୍ପ ମାଧ୍ୟମରେ ୧୯.୧୮ ନିୟୁତ ଏକର ଫୁଟ
ଜଳ ବ୍ୟବହାର କରିବାର ଯୋଜନା କରିସାରିଛି। ଏହାର ଅର୍ଥ ହେଲା ଯେ, ହୀରାକୁଦକୁ ବର୍ତ୍ତମାନ ଯେତେ ଜଳ ପ୍ରବେଶ କରୁଛି, ଛଟତିଶଗଡ ତାହାଠୁ
ଅଧିକ ଜଳ ବ୍ୟବହାର କରିବାର ଯୋଜନା କରିଛି। ଅନ୍ୟଭାବରେ କହିଲେ ଛତିଶଗଡରୁ ଓଡିଶାକୁ ବୁନ୍ଦାଏ ଜଳ
ଆସିବ ନାହିଁ।
ଓଡିଶା ସରକାର
ପ୍ରଦାନ କରିଥିବା ଏହି ଭୀତିପ୍ରଦ ତଥ୍ୟ କେତେ ସତ୍ୟ, ତାହା ଆମେ ଜାଣି
ନାହୁଁ। କିନ୍ତୁ ମହାନଦୀ ଭଳି ଏକ ନଦୀର ଜଳ କ’ଣ କେବେ ପୁରା ଅଟକାଇ ହେବ? ଆଉ ଯଦି ବି ସେମିତି ଅଟକାଇବାର ଧୃଷ୍ଟତା ହୁଏ ତାହାର ଫଳ କ’ଣ କେବଳ ତଳ ମୁଣ୍ଡରେ ଜଳ ସଙ୍କଟରେ ସୀମିତ ରହିବ? ଆମେ ସମସ୍ତେ ଜାଣିବା ଦରକାର ଯେ ଯଦି ମଣିଷ ସେମିତି କରିବାର ଧୃଷ୍ଟତା କେବେ କରେ ତେବେ
ମହାନଦୀ ତାହାର ଭୟଙ୍କର ରୌଦ୍ର ରୂପ ହିଁ ପରିପ୍ରକାଶ କରିବ, ବନ୍ୟାର ବିଭୀଷିକା
ବଢିବ ହିଁ ବଢିବ। ଏବେ ଅନେକେ ପ୍ରଶ୍ନ କରି ପାରନ୍ତି ଯଦି
ଜଳଭଣ୍ଡାରମାନଙ୍କରେ ପାଣି ରଖିବାର ବ୍ୟବସ୍ଥା ହେବ ତେବେ ବନ୍ୟା କେମିତି ହେବ, ସବୁ ଜଳ ତା ସେଇଠି ରହିଯିବ? ଏଇ ଦଶନ୍ଧିଏ ଭିତରେ ଆମେ ପାଇଥିବା ସେହି ଭଳି ବନ୍ୟାର କିଛି ଉଦାହରଣ ପୂର୍ବ
ଆଲେଖ୍ୟମାନଙ୍କରେ ଦେଇ ସାରିଛୁ। ସେହି ସବୁ ବନ୍ଧ ପାଣିକୁ ଉପଯୋଗ କରିବା ପାଇଁ ତିଆରି ହେବ, ବନ୍ୟା ନିୟନ୍ତ୍ରଣ ପାଇଁ ନୁହେଁ। ଅର୍ଥାତ, ଜଳଭଣ୍ଡାରକୁ ଯେତେ
ଶୀଘ୍ର ପୂର୍ଣ୍ଣ କରିହେବ ତାହା ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ହେବ। କୌଣସି ବର୍ଷା
ଋତୁର ମଧ୍ୟବର୍ତ୍ତୀ ବା ଶେଷ ଆଡକୁ ଯଦି ବଡ ବର୍ଷା ଆସେ ତେବେ ସେତେବେଳକୁ ଭରି ରହିଥିବା ସେହି
ସବୁ ଜଳଭଣ୍ଡାର ଅତିରିକ୍ତ ପାଣି ନିଷ୍କାସନ କରିବେ। ଯାହା ତଳମୁଣ୍ଡରେ ଥିବା
ବନ୍ଧରେ ଅତିରିକ୍ତ ଚାପ ପକାଇବ। ସେହି ବନ୍ଧ ନିଜକୁ ସୁରକ୍ଷିତ ରଖିବା ପାଇଁ ଆହୁରି
ଅଧିକ ପାଣି ଛାଡିବ। ଏମିତି ଭାବରେ ପ୍ରତ୍ୟେକେ ବନ୍ଧ ଅତିରିକ୍ତ ଛାଡି
ଚାଲିବେ ଓ ତଳମୁଣ୍ଡରେ ଭୟଙ୍କର ବନ୍ୟା ବିପତ୍ତିମାନ ସୃଷ୍ଟି କରି ଚାଲିବେ। ଏଠି ଆଦୌ ଭୁଲିବା ଉଚିତ ନୁହେଁ ଯେ ସମଗ୍ର ମହାନଦୀ ଅବବାହିକାରେ ପ୍ରତିବର୍ଷ ସମାନ ବର୍ଷା
ହୋଇ ନଥାଏ। କେଉଁ ବର୍ଷା ଶୁଖିଲା ରହେ ତ ଅନ୍ୟ କେଉଁ ବର୍ଷରେ
ଅତ୍ୟଧିକ ବର୍ଷା ହୋଇଥାଏ। ସେହିଭଳି ଅତ୍ୟଧିକ ବର୍ଷା ହେଉଥିବା ବର୍ଷରେ ବା ଯେଉଁ
ବର୍ଷ ମୌସୁମୀର ଶେଷଆଡକୁ ବେଶୀ ବର୍ଷା ହେବ, ବନ୍ୟାର ପ୍ରଳୟ
ଅଧିକ ବିନାଶକାରୀ ହେବା ନିଶ୍ଚିତ।
ମହାନଦୀ ଏକ ଏମିତି
ସମ୍ପତ୍ତି ନୁହେଁ ଯାହାକୁ ଭାଗବଣ୍ଟା କରିହେବ। ଭାରତରେ ଆଜିଯାଏ ପ୍ରାଧିକରଣ
ମାଧ୍ୟମରେ ଯେଉଁସବୁ ପ୍ରମୁଖ ଜଳ ବିବାଦର ସମାଧାନ ଉଦ୍ୟମ ହୋଇଛି ସବୁରେ କେବଳ ଜଳ ଉପରେ ଅଧିକାର
କଥା ହିଁ ପ୍ରସଙ୍ଗ ହୋଇଛି, କୌଣସିରେ ବି ବନ୍ୟାର ତର୍ଜମା ହୋଇନାହିଁ। କ୍ରିଷ୍ଣା ନଦୀ ଜଳ
ବିବାଦ ଟ୍ରିବୁନାଲ ୩୦ଟି ବିବାଦୀୟ ପ୍ରସଙ୍ଗକୁ ବିଚାର ପାଇଁ ଚିହ୍ନଟ କରିଥିଲା। ତହିଁରେ ଗୋଟିଏ ବି ବନ୍ୟା ସମ୍ବନ୍ଧିତ ନ ଥିଲା। ସେହି ବର୍ଷ ଗଠନ
ହୋଇଥିବା ଗୋଦାବରୀ ନଦୀ ଜଳ ବିବାଦ ଟ୍ରିବୁନାଲ ୬ଟି ବିବାଦୀୟ ପ୍ରସଙ୍ଗକୁ ବିଚାର ପାଇଁ ଚିହ୍ନଟ
କରିଥିଲା। ତହିଁରେ ଗୋଟିଏ ବି ବନ୍ୟା ସମ୍ବନ୍ଧିତ ନ ଥିଲା। ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିବା କାବେରୀ ଜଳ ବିବାଦ ଟ୍ରିବୁନାଲ ତ ୫୦ଟି ପ୍ରସଙ୍ଗ ବିଚାର ପାଇଁ ଚିହ୍ନଟ କରିଥିଲା। ସେଥିରେ ବି ଗୋଟିଏ ମଧ୍ୟ ବନ୍ୟା ସମ୍ବନ୍ଧିତ ନ ଥିଲା। ନର୍ମଦା ନଦୀ ଜଳ ବିବାଦ
ଟ୍ରିବୁନାଲ ବି ସେହି ଭାଗବଣ୍ଟା କଥା ହିଁ ବୁଝିଥିଲା, ବନ୍ୟାର କୌଣସି ଚର୍ଚ୍ଚା
ହିଁ ନ ଥିଲା। ମହାନଦୀ କ୍ଷେତ୍ରରେ ତାହା ହୋଇପାରିବ ନାହିଁ।
ନଦୀ ପ୍ରାଧିକରଣ ମାଧ୍ୟମରେ ଜଳ ଉପରେ ଅଧିକାର ଜାହିର କରିବା ମଣିଷର ନିଜ
ଆସ୍ପର୍ଦ୍ଧାର ପରିପ୍ରକାଶ ଅଟେ। ଆମେ ଭାରତୀୟ ସଂସ୍କୃତିର ଦ୍ୱାହି ଦେଉ। ସେହି ସଂସ୍କୃତି ତ ନଦୀକୁ ‘ମା’ ବୋଲି ବିଚାର କରେ। ଯଦି ଆମେ ଭାରତୀୟ ସଂସ୍କୃତିକୁ ନେଇ ଏତେ ଗର୍ବ କରୁଛୁ ତେବେ ଆମ ମା ଉପରେ ଭାଗ ବସାଇ
ତାହାକୁ ଶୋଷଣ କରି ନିଃଶେଷ କରିଦେବାର ପ୍ରୟାସ କାହିଁକି କରୁଛୁ? ନଦୀ ଆମ ସଂସ୍କୃତିର ଓ ଚଳଣିର ସୁଚକ। ଆମର ବଂଚି ରହିବା ପାଇଁ ଶିରାପ୍ରଶିରାରେ ଯେମିତି
ରକ୍ତ ବହିବା ଦରକାର, ସେମିତି ଆମର ସଭ୍ୟତା ବଞ୍ଚିରହିବା ପାଇଁ ନଦୀରେ ପାଣି
ବହିବା ଦରକାର। ଆମ ସରକାର ମାନେ ଏହି ଚିନ୍ତା ରଖନ୍ତୁ, ମହାନଦୀରେ ଭାଗ ବସାଇବା ଛାଡ଼ନ୍ତୁ।
( This article was originally published in Dharitri in my Op-Ed column 'Tatwa O Tarka' on 27.12.2017. That can be accessed at http://www.dharitri.com/e-Paper/Bhubaneswar/271217/p6.htm )
No comments:
Post a Comment