ପିନିଙ୍କ
ଯନ୍ତ୍ରଣାଯୁକ୍ତ ଜୀବନ ବିଶେଷ ଭାବରେ ଦୁର୍ବଳ ମାଙ୍କଡ଼ିଆ ଆଦିବାସୀଙ୍କ ବିକଳ ସ୍ଥିତି ଓ
ପ୍ରଶାସନିକ ଅବହେଳାର ବେଦନାର ଏକ ନୈରାଶ୍ୟଜନକ ପ୍ରତିଫଳନ…
ବିମଳ ପାଣ୍ଡିଆ
ସନ୍ଦୀପ କୁମାର ପଟ୍ଟନାୟକ
ଛୁଆ ଜନ୍ମ କରି ପାରୁନୁ କହି ପୂର୍ବ ସ୍ୱାମୀ ତଡ଼ିଦେଲେ,
ଗର୍ଭବତୀ ଥିବା ବେଳେ ଦ୍ଵିତୀୟ ସ୍ୱାମୀ ମରିଗଲେ
ବୟସ ତୁଳନାରେ ଅଧିକ ବୟସ୍କା ଦିଶିଗଲେଣି ପିନି ମାଙ୍କଡ଼ିଆ। ଦିଶିବେନି ବା କେମିତି? ସାରା ଆକାଶଟା
ଯେମିତି ଛିଣ୍ଡି ପଡିଛି ତାଙ୍କ ଉପରେ। ସେ ଯେତେବେଳେ ୮
ମାସର ଗର୍ଭବତୀ ଥିଲେ ଟ୍ରାକ୍ଟରରେ ମୁଲ କାମ କରୁଥିବା ତାଙ୍କ ସ୍ୱାମୀ ମିଟୁ ମାଙ୍କଡ଼ିଆ ସେହି ଟ୍ରାକ୍ଟର
ଦୁର୍ଘଟଣାରେ ଆରପାରିକି ଚାଲିଗଲେ। ଟ୍ରାକ୍ଟରର ବୀମା ନ
ଥିଲା। ଟ୍ରାକ୍ଟର ମାଲିକ ପିନିଙ୍କୁ ୩୦,୦୦୦ ଟଙ୍କା ଦେଲେ। ଯେମିତି ସେଇ ମଣିଷର ମୂଲ୍ୟ ସେତିକି ହିଁ ଥିଲା! ଅବଶ୍ୟ
ସେତିକି ବି ଟଙ୍କା କେବେ ପିନି ଦେଖି ନ ଥିଲେ। କିନ୍ତୁ ମାସ କେଇଟା
ଓ ସ୍ୱାମୀଙ୍କ ଶୁଦ୍ଧିରେ ସେଇଟା ସରିଗଲା। ସ୍ୱାମୀ ମରିବାର
ମାସେ ପରେ ଝିଅ ଜନ୍ମ ହେଲା। ହାତରେ ଗଉଣିଏ
ନଥିଲା। ପିନି ଆଗରୁ ଅନ୍ୟ ଜଣଙ୍କୁ
ବିବାହ କରିଥଲେ। ବାଲ୍ୟାବସ୍ଥାରୁ ତାଙ୍କର
ବିବାହ ହୋଇଥିଲା କେନ୍ଦୁମୁଣ୍ଡି ଗାଁର ଜଣଙ୍କ ସହିତ। କିନ୍ତୁ ଛୁଆପିଲା
ହେଉ ନଥିବାର ଦୋଷ ପିନିଙ୍କ ଉପରେ ଲଦି ତାଙ୍କୁ ଘରୁ ତଡ଼ି ଦେଇଥିଲା ତାଙ୍କର ସ୍ୱାମୀ। ପରେ ପିନି
ମିଟୁଙ୍କୁ ବିବାହ କରିଥିଲେ। ସ୍ୱାମୀ ମିଟୁ
ବଞ୍ଚିଥିବାବେଳେ ବି ସୁଖରେ ନ ଥିଲେ ଦମ୍ପତି। ଜୀବନଟା ଚଳି ଯାଉଥିଲା
ଯାହାତାହା ହୋଇ। କିନ୍ତୁ ମିଟୁ ମରିଯିବା ପରେ
ସବୁ ଯନ୍ତ୍ରଣା ପିନିଙ୍କ ଉପରେ ଅଜାଡି ହୋଇପଡିଲା ଯେମିତି।
ନିଜର ଘର ନାହିଁ,
ଯୋଉଠି ଅଛନ୍ତି ତାହାର ଚାଳ ଉଠିଯିବ ଆଉ କିଛି ଦିନରେ
ମାଙ୍କଡ଼ିଆଙ୍କଠାରୁ ତାଙ୍କର ପୂର୍ବ ଆବାସ ଓ କୌଳିକ ବେଉସା
ଛଡାଇ ନିଆଯାଇ ସାରିଛି
ମାଙ୍କଡ଼ିଆ ଆଦିବାସୀ ଆଗରୁ ବି ଚାଷ କରୁ ନ ଥିଲେ କି ଏବେ ବି ପ୍ରାୟ
କରୁନାହାନ୍ତି। କାହାରି ନାଁରେ ଜମି ମାଣେ
ନଥିବ। ପିନି କି ତାଙ୍କ ସ୍ୱାମୀଙ୍କ
ନାଁରେ ବି ଜମି ନାହିଁ କି ସେମାନେ କେବେ ଚାଷ କରି ନଥିଲେ। ମାଙ୍କଡ଼ିଆ ଆଦିବାସୀଙ୍କ ବୃତ୍ତି ଥିଲା ଜଙ୍ଗଲରୁ ଶିଆଳି
ଲତା ଆଣି ସେଥିରେ ଦଉଡ଼ି ତଥା ଚାଷ କାର୍ଯ୍ୟରେ ବା ଘରେ ବ୍ୟବହାର ହେଉଥିବା ପଘା, ଶିକା ଆଦି ତିଆରି
କରି ତାହାକୁ ବିକ୍ରି କରିବା। ସେମାନେ ଆଗରୁ
ଶିମିଳିପାଳ ଜଙ୍ଗଲରେ ରହୁଥିଲେ। ସେଠାରୁ ଶିଆଳି ଲତା ସଂଗ୍ରହ କରି ତହିଁରୁ
ପ୍ରସ୍ତୁତ କରୁଥିବା ପଘା ଦଉଡ଼ି ଆଦିକୁ ଗାଁଗାଁ ବୁଲି ବିକ୍ରି କରୁଥିଲେ। ତାହା ହିଁ ଥିଲା ତାଙ୍କର ରୋଜଗାର ଉତ୍ସ। ଏହା ସହ ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି
ସେଥିରୁ ଖାଉଥିଲେ ଓ ପ୍ରକୃତିର ସନ୍ତାନ ଭାବରେ ଚଳୁଥିଲେ। କ୍ରମେକ୍ରମେ ତାଙ୍କୁ ଶିମିଳିପାଳ ଜୈବ କ୍ଷେତ୍ରରୁ
ବାହାର କରିଦିଆଗଲା। ସେମାନେ ଜଙ୍ଗଲରୁ
ଶିଆଳି ଲତା ବି ଆଣି ପାରିଲେ ନାହିଁ। ତାହିଁକୁ ଜଙ୍ଗଲ
ବିଭାଗର ଶକ୍ତ ମନା ରହିଲା। ତାଙ୍କର ମୁଳ ବେଉସା
ଉଜୁଡ଼ିଗଲା। ମୟୁରଭଞ୍ଜ
ଜିଲ୍ଲାରେ ଯେତିକି ମାଙ୍କଡ଼ିଆ ଆଦିବାସୀ ଅଛନ୍ତି ତାଙ୍କ ମଧ୍ୟରେ ବାସ୍ କେଇ ଜଣ ହିଁ କଲେଜ ଦୁଆର
ମାଡିଛନ୍ତି। ପ୍ରାୟ ସମସ୍ତେ ଅପାଠୁଆ। ଜଙ୍ଗଲ ବନ୍ଦ ହେଲା ପରେ କିଛି ପରିବାର ବଜାରରେ
ମିଳୁଥିବା ପ୍ଲାଷ୍ଟିକ ବସ୍ତା କିଣି ତହିଁରୁ ଦଉଡ଼ି ଆଦି ତିଆରି କରିବା ଆରମ୍ଭ କଲେ। ଯୁବକ ଶ୍ରେଣୀର ଲୋକେ ମୁଲିଆ କାମ କରିବା ଆରମ୍ଭ କଲେ। ପିନିଙ୍କ ସ୍ୱାମୀ ସେମିତି ମୁଲିଆ କାମ କରୁଥିଲେ, ଟ୍ରାକ୍ଟରରେ।
'ଆଧାର' ନାହିଁ ବୋଲି ସରକାରୀ ଦୁଆର
ମନା
ଭିକ ହିଁ ସମ୍ବଳ
ଦଶ କିଲୋ ଚାଉଳରେ ବା ଚଳିବେ କେମିତ ଯେ! କିଣିବା ପାଇଁ ଆବଶ୍ୟକ
ହେଉଥିବା ୧୦ ଟଙ୍କା ବି ଅଧିକାଂଶ ସମୟରେ ଟଙ୍କା ଅଣ୍ଟିରେ ନଥାଏ। ସାହା ଓ ସାହାରା ହରାଇ ନିଜ ଓ ଝିଅର ଖାଦ୍ୟ ଟିକିଏ
ପାଇଁ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ପିନି। ଏବେ ତାହାହିଁ ତାଙ୍କର
ରୋଜଗାର। କାଖରେ କୁନି ଝିଅକୁ ବୋହି
ସକାଳ ୯ଟାରୁ ଘରୁ ବାହାରନ୍ତି। ଦୁଇ ତିନିଟି ଗାଁରେ
ଭିକ ମାଗି ଅପରାହ୍ନ ପ୍ରାୟ ୩ଟା ବେଳକୁ ଘରକୁ ଫେରନ୍ତି। ଏବେ କୁନି ଝିଅ ବେଳେବେଳେ ଚାଲୁଛି। ସବୁବେଳେ ବୋହିବାକୁ ପଡ଼ୁନି। ଆଗରୁ ପୁରା ବୋହି
ରହୁଥିଲେ। ଦିନଟି ଭଲ ଗଲେ ପିନିଙ୍କୁ ପାଞ୍ଚ-ଛ
କିଲୋ ଚାଉଳ ମିଳିଯାଏ। କେବେ କେମିତି କିଏ
ଫଳ ଓ ପରିବା ଦି’ଟା ବି ଦେଇ
ଦିଅନ୍ତି। ଘରକୁ ଫେରି ପୁଣି ବାହାରି
ଯାଆନ୍ତି ନିକଟବର୍ତ୍ତୀ ଜଙ୍ଗଲକୁ। ରୋଷେଇ ପାଇଁ କାଠ
ଦରକାର। ପୁଣି ଶାଗ ଛତୁ ଆଦି କିଛି
କାଳେ ମିଳିଯିବ! କିଛି ଦିନ ମିଳି ବି ଯାଏ, କିଛି ଦିନ ମିଳେ ନାହିଁ। ସେତିକି ହିଁ ପିନି ଓ ତାଙ୍କ ଝିଅଙ୍କୁ ପୋଷଣ ଓ
ପୌଷ୍ଟିକ ତତ୍ତ୍ୱ ଦିଏ।
'ବିଶେଷ ଭାବରେ
ଦୁର୍ବଳ ଆଦିବାସୀ ବର୍ଗ'ର ଏହି ମାଙ୍କଡ଼ିଆଙ୍କ ପାଇଁ ବିଶେଷ ଯୋଜନା ଅପହଞ୍ଚ
କୁନି ଝିଅ ଆଖିରେ ସ୍ବପ୍ନ ଦେଖୁଛନ୍ତି ପିନି
ପିନିଙ୍କ ଜୀବନଟା ଯନ୍ତ୍ରଣା ଜର୍ଜରିତ ରହିଛି। ପିନିଙ୍କ ସ୍ଥିତି
ଜଣେ ବିଧବା ମାଙ୍କଡ଼ିଆ ଆଦିବାସୀଙ୍କ ଭୟଙ୍କର ଦୁରାବସ୍ଥାକୁ ଦର୍ଶାଏ। ଆଦିବାସୀ ଓ ମହିଳାମାନେ ସାଧାରଣତଃ ସାମାଜିକ ଓ ଆର୍ଥିକ
ଭାବରେ ଦୁର୍ବଳ। ତହିଁରେ ବିଶେଷ ଭାବରେ
ଦୁର୍ବଳ ଆଦିବାସୀ ବର୍ଗର ବିଧବା ମହିଳା ହେବା ପିନିଙ୍କ ଜୀବନକୁ ଆହୁରି ଯନ୍ତ୍ରଣାମୟ କରିଦେଇଛି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ପାଖରେ ସରକାରୀ ସାମାଜିକ
ସୁରକ୍ଷା ବ୍ୟବସ୍ଥା ତଥା ବେସରକାରୀ ସହାୟତା ପହଞ୍ଚି ନ ପାରିବା ଚଳନ୍ତି ବ୍ୟବସ୍ଥାର ଏକ
ବେଦନାଦାୟକ ସ୍ଥିତି ବ୍ୟକ୍ତ କରେ। ଏହି ଆଶା କରିବା କଥା ଯେ ସରକାରୀ ବିଭାଗ ଓ ସଂସ୍ଥା
ତଥା ବେସରକାରୀ ଅନୁଷ୍ଠାନ ତୁରନ୍ତ ପିନି ଓ ତାଙ୍କ ଭଳି ଦୁର୍ଦ୍ଦଶାଗ୍ରସ୍ତ ମାଙ୍କଡ଼ିଆଙ୍କ
ଆଦିବାସୀଙ୍କ ପାଖରେ ପହଞ୍ଚିବେ। ପିନି ତାଙ୍କ ବୟସଠାରୁ ଅଧିକ ବୟସ୍କା ଅବଶ୍ୟ ଦିଶୁଛନ୍ତି କିନ୍ତୁ
କୁନି ଝିଅର ଆଖିରେ ସରଗେ ସପନ ଦେଖୁଛନ୍ତି। ସେ ନିଜେ ଅପାଠୁଆ
କିନ୍ତୁ ଝିଅ ପଢିବ ବୋଲି ତାଙ୍କର ଦୃଢ ବିଶ୍ୱାସ। ଝିଅ ପାଇଁ
ଜୀଉଁଛନ୍ତି ସେ, ସେଇଥିରୁ ବଳ ପାଉଛନ୍ତି।
(Special thanks to Sukanti Patra. She has taken pains to provide many data and photographs)
(This article has been published in major Odia news portal 'Odisha Reporter'. That can be accessed at: https://odishareporter.in/guest-column/will-the-government-feel-the-struggle-of-this-mankidia-widow--news-182806 )
No comments:
Post a Comment