ସ୍ମୃତିର ପାହାଡ଼
ବିସ୍ତାରି ଚାଲିଛି କାୟା
କିଛି ଝାପ୍ସା ହେଲାଣି ସତ
ଅନେକ ଚେତନା କିନ୍ତୁ ଏବେ ବି ଦପ୍ ଦପ୍...
ବିତି ଗଲା 51 ବର୍ଷ
ବହୁତ୍ ଦୀର୍ଘ ରାସ୍ତା
ପୂର୍ବ ଜନ୍ମର ପୁଳାପୁଳା ପୁଣ୍ଯ ଥିଲା ବୋଧେ
ଧାଇଁଛି ପ୍ରାୟ ସବୁ ବାଟ ନିରୁତା ଚିନ୍ତା-ଶୂନ୍ୟତାରେ
ସଭିଏଁ ଯେମିତି ବଞ୍ଚିଛନ୍ତି
ମୋର ହାତ ଧରି କଢ଼େଇ ନେବା ପାଇଁ...
ମୁଁ କିନ୍ତୁ ଲଦି ହିଁ ଚାଲିଛି
ଆହୁରି ଆହୁରି ବୋଝର ପାହାଡ଼
ଅନ୍ୟର ପିଠିରେ, ଅନ୍ୟର କାନ୍ଧରେ
ଆଉ ମୁଁ ଆଗେଇ ଚାଲିଛି ନିର୍ଘାତ ଆନନ୍ଦରେ
ଅନ୍ୟର ବୋଝ ପ୍ରତି ଟିକେ ବି ନିଘା ନାହିଁ
ବଢୁଥିବା ଆୟୁଷର ପ୍ରତି ଅତିରିକ୍ତ ଦିନ ସହ
ଯୋଡି ହିଁ ଚାଲିଛି ମୋର ସ୍ଵାର୍ଥପରତାର ଅତିରିକ୍ତ ଫର୍ଦ୍ଦ...
କେଜାଣି କେତେ ଦିନ ଆଉ ଚାଲିଥିବ ଏହା?
କେତେ ଦିନ ଜ୍ଞାତି, ପରିଜନ, ସହୋଦର ବନ୍ଧୁ
ଏମିତି ମୁଣ୍ଡାଇ ଚାଲିଥିବେ
ମୁଁ ଲଦି ଚାଲିଥିବା ବୋଝ?
କେତେ ଦିନ ମୋର ଗୁରୁ ସହି ଚାଲିଥିବେ
ଅବୁଝା ଶିଷ୍ୟର ଅସରନ୍ତି ଅକର୍ମାପଣ
କେତେ ଦିନ ଆଉ ପ୍ରଭୁ ବାଢ଼ି ଚାଲିଥିବେ ଆଶିର୍ବାଦର ସ୍ଵାଦ...!
No comments:
Post a Comment