ଏବେ ମୁଁ ପ୍ରଭାତେ ଉଠୁଛି, #ଜିନୁ
ଉଠୁଉଠୁ ଘର ଚାରିକାନ୍ଥର ସୀମିତତାରେ ଭରି ରହିଥିବା
ତମର ଅବିଶ୍ୱାସନୀୟ ଶୁନ୍ୟତାକୁ ଏଡାଇ ପାରୁନି
ହେଲେ,
ଯେତେବେଳେ ଅଗଣା ଡେଉଁଛି
ଦେଖୁଛି ବିଶ୍ୱକୁ
ଆଉ
ଦେଖୁଛି ମୁଁ, #ଜିନୁ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...
ଶିର ଶିଖରରୁ ସମସ୍ତ ଦିଗନ୍ତ ଯାଏ, ତମେ ତ' ଅଛ ସବୁଆଡେ !
କେତେବେଳେ ଉଦୁଥିବା ରବିଙ୍କ ଗହଣେ ତ'
କେତେବେଳେ ଯଜୁଲ୍ୟମାନ ଶୁକ୍ରଙ୍କ ଡାହାଣେ
କେତେବେଳେ ଚନ୍ଦ୍ରଙ୍କ ସାନ୍ନିଧ୍ୟେ ତ'
କେତେବେଳେ ମଙ୍ଗଳଙ୍କ ମେଳେ
କେତେବେଳେ ତୁମେ ପ୍ରଭୁଙ୍କ ପରମ ଭକ୍ତ ଧୃବଙ୍କ ସହ ମେରୁ ଶିଖରରେ ତ' କେତେବେଳେ, ଅତ୍ରି ଅଙ୍ଗିରସ ଆଦି ସପ୍ତର୍ଷିଙ୍କ କୋଳେ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...
ହଁ, ଅବଶ୍ୟ ନିରବି ଗଲା ସବୁଦିନ ପାଇଁ
ଘର ଭିତରେ ବି ଆଉ ଘର ବାହାରେ ବି
ସେଇ 'ମାମୁଁ' ଡାକ
ସେଇ ରୋକ ରୋକ୍ ଠୋକ୍ କଥା
ରାଜନୀତିକୁ ନେଇ ମୋର କଠୋର ମତକୁ ଶାନ୍ତ କରିବାର ପରାମର୍ଶ
ମୋ ଲେଖାଲେଖନୀର ଆଲୋଚନା ସମାଲୋଚନା
ଶୁଭୁ ନାହିଁ ତୁମ ଡାକ
ନିରବିଗଲ ତୁମେ
ହେଲେ
ଦେଖୁଛି ମୁଁ, #ଜିନୁ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...
ଏବେ, ତୁମ ବିନା
ଘର ବିପର୍ଯ୍ୟସ୍ତ
ପୋଡା ବଲ୍ବ ବଦଳାଇବାକୁ କାହାରି ଧ୍ୟାନ ନାହିଁ
ମାଡ଼ୁଥିବା ଜାଲ ଝାଡିବାକୁ କାହାରି ବଳ ନାହିଁ
ଫୁଲଗଛ ସବୁ ବଞ୍ଚିଛନ୍ତି ଯାହା, ତେଜ ନାହିଁ କି ବାସ ନାହିଁ
ଘର ଭିତରେ ଭରି ରହିଛି
ଅବିଶ୍ୱାସନୀୟ ସେଇ ଶୁନ୍ୟତାର ଅସରନ୍ତି ବୋଝ
ମନ ଲାଗୁନି କିଛିରେ
ହେଲେ, ବାହାରିଲେ ଅଗଣାରୁ
ଦେଖୁଛି ମୁଁ, #ଜିନୁ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...
ତୁମେ ଅଛ ଉତ୍ତରେ, ଦକ୍ଷିଣେ, ପୁରୁବେ, ପଶ୍ଚିମେ
ତୁମେ ଅଛ ଐଶାନ୍ୟେ, ଆଗ୍ନୟେ, ବାୟବ୍ଯେ, ନୈରୁତ୍ୟେ
ତୁମେ ଅଛ ସବୁଆଡେ
ତୁମ ଦୃଷ୍ଟି ଅଛି ସଭିଙ୍କ ଉପରେ
ସବୁ ବେଳେ ତୁମେ ପ୍ରଭୁ ଭକ୍ତ
ଏବେ ତୁମେ ପ୍ରଭୁଙ୍କ ଗହଣେ
ପ୍ରଭୁ କୃପା ତୁମ ଦେଇ ବହିବ ନିଶ୍ଚୟ
'ଆଶ୍ରିତ' ହେବ ଏତେ ବଡ ଯେ
ତୁମ ଜୋତା ବି ତା ପାଇଁ ଖୁବ ଛୋଟ ହେବ
ଶୁନ୍ୟତାର ପରିଧିରୁ ମୁକୁଳିବେ ସଭେଁ
ଭଙ୍ଗା ଘର ପୁଣି ତୁମ ପରଶ ପାଇବ
ସମସ୍ତେ କାଢିବେ ଗୋଡ
ଆଉ ଦେଖିବେ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ... I
No comments:
Post a Comment