In 2005, Odisha government had started an ambitious programme - to create a minimum of 35% #irrigation potential in all blocks of the state.
A blog that tells the facts with substance and evidence on matters related to Water, Agriculture, Environment and Governance.
Inside the Blog
Tribute To Those Toiling Tough
Tuesday, May 24, 2022
At least 35% irrigation cover in all blocks of Odisha - where are we?
Thursday, May 12, 2022
ଜିନୁ, ଦେଖୁଛି ମୁଁ ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...
Wednesday, May 4, 2022
ତୈଳର ଜ୍ୱାଳା - ଚୋର କହୁଛି ଧର୍ ଧର୍
କେନ୍ଦ୍ର ସରକାର ବାରମ୍ବାର କହିଆସୁଛନ୍ତି ଯେ ପେଟ୍ରୋଲଜିଜେଲ ଦର ସ୍ଥିର କରିବାରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। 'ପେଟ୍ରୋଲଡିଜେଲର ଦରରେ ସରକାରଙ୍କ ନିୟନ୍ତ୍ରଣ ନଥିବା ନୀତି ଏବେ ବି ପ୍ରଚଳିତ ଅଛି କି' ବୋଲି ୧୪.୦୩.୨୦୨୨ ତାରିଖରେ ରାଜ୍ୟସଭାରେ ପଚରାଯାଇଥିବା ଏକ ତାରକା ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସେହି ଆଳାପକୁ ଦୋହରାଇ କହିଲେ ଯେ '୨୬.୧୦.୨୦୧୦ରୁ ପେଟ୍ରୋଲର ଓ ୧୯.୧୦.୨୦୧୪ରୁ ଡିଜେଲର ଦର ବଜାରରେ ତୈଳ ଦର ଅନୁସାରେ ନିର୍ଦ୍ଧାରଣ ହେଉଛି। ସେବେଠାରୁ ସରକାର ଦରକୁ ନିୟନ୍ତ୍ରଣ କରୁ ନାହାନ୍ତି, ତୈଳ କମ୍ପାନୀମାନେ ନିଷ୍ପତ୍ତି ନେଉଛନ୍ତି'। ମଜାର କଥା ହେଲା ଯେ ସେହି ସମାନ ପ୍ରଶ୍ନରେ ପଚରାଯାଇଥିବା ଆଉ ଏକ ପ୍ରଶ୍ନ 'ଏଇ ନିକଟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବହୁତ ବଢ଼ିଥିଲେ ବି ଦେଶରେ କାହିଁକି ପେଟ୍ରୋଲଡିଜେଲ ଦର ଅପରିବର୍ତ୍ତିତ ରହିଛି'ର କିଛି ଉତ୍ତର ମନ୍ତ୍ରୀ ରଖି ନଥିଲେ। ଶାସକ ଦଳର ବରିଷ୍ଠ ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପ୍ରବୀଣ ଅର୍ଥନୀତିଜ୍ଞ ସୁବ୍ରମନ୍ୟମ ସ୍ୱାମୀ ମଧ୍ୟ ୦୪.୦୪.୨୦୨୨ ତାରିଖରେ ସେହିଭଳି ଏକ ପ୍ରଶ୍ନ ରାଜ୍ୟସଭାରେ ପଚାରି ଥିଲେ। ସରକାର ସେହି ସମାନ ଉତ୍ତର ରଖିଥିଲେ ଯେ ପେଟ୍ରୋଲଡିଜେଲ ଦର କମ୍ପାନୀମାନେ ହିଁ ସ୍ଥିର କରୁଛନ୍ତି, ସେଥିରେ ସରକାରଙ୍କ କିଛି କରିବାର ନାହିଁ। ଏହା କେବଳ ମିଛ ନୁହେଁ, ଡାହା ମିଛ।
କ୍ରମାଗତ ଭାବରେ ପେଟ୍ରୋଲ ଡିଜେଲ ଦର ବଢିବାକୁ ନେଇ ସାଧାରଣରେ ଆକ୍ରୋଶ ବଢିବାରୁ କେନ୍ଦ୍ର ସରକାର ୦୪.୧୧.୨୦୨୧ ତାରିଖରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଥିଲେ। ତାହା ପୂର୍ବରୁ ପ୍ରାୟ ପ୍ରତ୍ୟେକ ଦିନ ପେଟ୍ରୋଲ ଡିଜେଲ ଦରରେ କିଛିକିଛି ପରିବର୍ତ୍ତନ ହେଉଥିଲା। ମଜାର କଥା ଯେ ସେହି ଦିନଠାରୁ ୧୯.୦୩.୨୦୨୨ ଯାଏ, ୧୩୫ ଦିନ ଧରି ଦେଶରେ ପେଟ୍ରୋଲ ଡିଜେଲ ଦରରେ କିଛି ପରିବର୍ତ୍ତନ ହେଲା ନାହିଁ। ସରକାର ରାଜ୍ୟସଭାରେ ଦେଇଥିବା ଉତ୍ତର ଯଦି ଠିକ ଥିଲା ତା'ହେଲେ ଧରି ନେବା କଥା ଯେ ଅନ୍ତର୍ଜାତୀୟ ବଜାରରେ ସେହି ସାଢେ ଚାରି ମାସ ପ୍ରାକୃତିକ ତୈଳର ଦର ସ୍ଥିର ହିଁ ଥିଲା। ତେଣୁ ଇଣ୍ଡିଆନ ଅଏଲ କର୍ପୋରେସନ ଭଳି କମ୍ପାନୀ ଦେଶରେ ଦର ହଲାଇ ନଥିଲେ। କିନ୍ତୁ ସ୍ଥିତି କଣ ସେୟା ଥିଲା? ଯେଉଁ ଦିନ ଭାରତ ସରକାର ଉତ୍ପାଦ ଶୁଳ୍କ ଘଟାଇଲେ, ସେହିଦିନ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କୃଡ଼ ବା ଅଶୋଧିତ ପ୍ରାକୃତିକ ତୈଳର ଦର ବ୍ୟାରେଲ ପ୍ରତି ୮୨.୪୩ ଡଲାର ଥିଲା। ସେହି ଦିନଠାରୁ ପରବର୍ତ୍ତୀ ପରିବର୍ତ୍ତନ ହେବା ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୬୯ ଡଲାରରେ ବି ପହଞ୍ଚିଥିଲା ଆଉ ୧୩୪ ଡଲାରର ଶିଖରକୁ ବି ଛୁଇଁଥିଲା କିନ୍ତୁ ଭାରତରେ ଦର ଏପଟସେପଟ ହୋଇ ନ ଥିଲା। ଏଥିରୁ କେନ୍ଦ୍ର ସରକାରଙ୍କ ପ୍ରବଞ୍ଚନାର ଅନ୍ତତଃ ଦୁଇଟି ସ୍ପଷ୍ଟ ଉଦାହରଣ ମିଳୁଛି। ଏହି ୧୩୫ ଦିନର ଶେଷ ଅଳ୍ପ କିଛି ସପ୍ତାହରେ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ତୈଳ ଦର ଅନେକ ବଢ଼ିଲା କିନ୍ତୁ ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ଭୋଟ ଜିତିବା ପାଇଁ ନୀତିକୁ ଜଳାଞ୍ଜଳି ଦେଇ ତୈଳ କମ୍ପାନୀମାନଙ୍କର ଅନେକ କ୍ଷତି କରାଇଲେ। କିନ୍ତୁ ଏହି ୧୩୫ ଦିନର ବାକି ସମସ୍ତ ଦିନମାନଙ୍କରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ ଥିଲେ ମଧ୍ୟ ଦେଶରେ ତୈଳ ଦର ଖସୁ ନ ଥିଲା। ସରକାର ଓ ତୈଳ କମ୍ପାନୀମାନେ ଲୋକଙ୍କୁ ଭକୁଆ ବନାଇ ଲାଭ ସାଉଁଟି ଚାଲିଥିଲେ।
ନଭେମ୍ବର ୪ ତାରିଖରେ ଉତ୍ପାଦ ଶୁଳ୍କ ଘଟାଇବା ଦିନଠାରୁ ଅନ୍ତତଃ ତିନି ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଦର ୮୨.୪୩ ଡଲାରରୁ ଖସି ୦୧.୧୨.୨୦୨୧ ତାରିଖରେ ୬୯ ଡଲାରରେ ପହଞ୍ଚିଥିଲା। ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ଦିନ ଅନ୍ତର୍ଜାତୀୟ ଦର ଯାହାଥିଲା, ଡିସେମ୍ବର ୧ ତାରିଖ ବେଳକୁ ତାହା ୧୫.୬% କମ୍ ଥିଲା। ଉତ୍ପାଦ ଶୁଳ୍କ ଛାଡ କରାଯିବା ଦିନଠାରୁ ପରବର୍ତ୍ତୀ ତିନି ମାସ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ହାରାହାରି ତୈଳ ଦର ୮୦ ଡଲାର ହିଁ ଥିଲା ଯାହା ଉତ୍ପାଦ ଶୁଳ୍କ ହ୍ରାସ କରାହେବା ଦିନର ଦର ଠାରୁ ଅନ୍ତତଃ ୨.୪ ଡଲାର ବା ପ୍ରାୟ ୩% କମ୍ ଥିଲା। ତୈଳ ଦର ନିୟନ୍ତ୍ରଣମୁକ୍ତ ଥାଇ ଅନ୍ତର୍ଜାତୀୟ ଦର ଅନୁସାରେ କମ୍ପାନୀମାନେ ପ୍ରତିଦିନ ତୈଳ ଦର ସ୍ଥିର କରିବାର ନୀତି ରହିଥିବା ସତ୍ତ୍ୱେ ଅନ୍ତର୍ଜାତୀୟ ଦର କମୁଥିବା ବେଳେ ମଧ୍ୟ କମ୍ପାନୀମାନେ କାହିଁକି ଦର ଖସାଉ ନ ଥିଲେ? ଏବେ ଆସିବା ସେହି ମାୟାପୁର୍ଣ୍ଣ ୧୩୫ ଦିନର ଶେଷ କିଛି ଦିନକୁ। ରୁଷର ମତି ଦେଖି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଫେବୃଆରୀ ୧୨ ତାରିଖରେ ୧୦୦ ଡଲାର ଡେଇଁଲା। ମାର୍ଚ୍ଚ ୬ ତାରିଖରେ ୧୩୪ ଡଲାରରେ ବି ପହଞ୍ଚିଗଲା। କିନ୍ତୁ, ଭାରତରେ ପେଟ୍ରୋଲ ଡିଜେଲ ଦର ସେହି ସମୟରେ ବଢ଼ୁ ନଥିଲା। ବଦଳିଲା ୨୦ ମାର୍ଚ୍ଚରେ, ଉତ୍ତରପ୍ରଦେଶ ପଞ୍ଜାବ ଆଦି ରାଜ୍ୟର ନିର୍ବାଚନ ଫଳ ଘୋଷଣା ହେବାର କିଛି ଦିନ ପରେ । ସେତେବେଳକୁ ଅନ୍ତର୍ଜାତୀୟ ବଜାରରେ ଦର ଶୀର୍ଷରୁ ଅନେକ ଖସି ସାରିଥିଲା।
ଯଦି ଅନ୍ତର୍ଜାତୀୟ ଦରକୁ ଦେଖି ପ୍ରତିଦିନ କମ୍ପାନୀମାନେ ପେଟ୍ରୋଲ ଡିଜେଲ ଦର ସ୍ଥିର କରିବାର ନୀତି ଅଛି, ତେବେ ଏହି ସମୟ ମଧ୍ୟରେ ତାହା ଲାଗୁ ନ ହେବା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ନୀତି ଅନୁସାରେ ଦେଶରେ ପେଟ୍ରୋଲ ଡିଜେଲ ଦର ସ୍ଥିର ହେଉଥିଲେ କିଛି କହିବାର ନ ଥାନ୍ତା, ଲୋକେ ବି ପ୍ରଶ୍ନ କରନ୍ତେ ନି। କିନ୍ତୁ, ବାସ୍ତବତା ଆଦୌ ତାହା ନୁହେଁ। ସରକାର ନିଜର ଖଜଣା ଭରିବା ପାଇଁ ଅନ୍ତର୍ଜାତୀୟ ଦର କମ ଥିଲା ବେଳେ ବି ଦେଶରେ ଦର କମାଇ ନାହାନ୍ତି ଓ ଭୋଟରେ ଜିତିବା ପାଇଁ ଯେତେବେଳେ ବଢାଇବା କଥା ତାହା ବଢା଼ଇ ନାହାନ୍ତି। ଆଉ ଏକ ଆଲେଖ୍ୟରେ ଆମେ ଉତ୍ପାଦ ଶୁଳ୍କ ଓ ଭାଟ୍ ଉପରେ ଅଧିକ ଚର୍ଚ୍ଚା କରିବା। ତେବେ, ଏହି ଲେଖାର ପରିପ୍ରେକ୍ଷୀରେ ଏହା କହିବା ଅବଶ୍ୟ ଉପଯୋଗୀ ହେବ ଯେ ଯଦି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମେଇବେ, ରାଜ୍ୟମାନଙ୍କର ଭାଟ୍ ଟିକସ ମଧ୍ୟ ଆପେଆପେ କମିଯିବ କାରଣ ରାଜ୍ୟ ସରକାରମାନେ ଉତ୍ପାଦ ଶୁଳ୍କ ମିଶ୍ରିତ ଦର ଉପରେ ହିଁ ଭାଟ୍ ଲଗାଇଥାନ୍ତି। କେନ୍ଦ୍ର ସରକାର ନଭେମ୍ବର ପ୍ରଥମ ସପ୍ତାହରେ ଉତ୍ପାଦ ଶୁଳ୍କ କମାଇବା ପରେ ଆଉ ତାହାକୁ କମାଇବା ପାଇଁ ଚିନ୍ତା ବି କରି ନାହାନ୍ତି। ରାଜ୍ୟମାନଙ୍କୁ ଟ୍ୟାକ୍ସ କମାଇବା ପାଇଁ ଉପଦେଶ ଦେବା ସ୍ୱାଗତଯୋଗ୍ୟ, କିନ୍ତୁ ପ୍ରଧାନମନ୍ତ୍ରୀ ମହୋଦୟ ନିଜ ଚାଦରରେ ଲାଗିଥିବା ଗାଢ ମଇଳାକୁ ଆଗ ସଫା କରିଥିଲେ ଠିକ୍ ହୋଇଥାନ୍ତା।
( A slightly edited version of this article was published in my Op-Ed column 'Tatwa O Tarka' in Dharitri on 4th May 2022. That can be accessed at: https://www.dharitri.com/govt-avoiding-to-oil-policy/ )
Reference:
1. For price or India basket and excise duty: Petroleum Planning & Analysis Cell, Ministry of Petroleum & Natural Gas, GoI (Accessed at https://www.ppac.gov.in/content/149_1_PricesPetroleum.aspx )
2. For price of brent crude: US Energy Information Administration (Accessed at: https://www.eia.gov/dnav/pet/hist/RBRTED.htm )
3. For petrol price build up: Indian Oil Corporation (Accessed at: https://iocl.com/petrol-diesel-price )