ସେହି ଏକା ନଳକୂଅର ପାଣି,ସେହି ଏକା ସରକାରୀ ଜଳ ପରୀକ୍ଷଣ କେନ୍ଦ୍ର। ଜଳ ପରୀକ୍ଷଣ ରିପୋର୍ଟରେ କିନ୍ତୁ ଭୀଷଣ ତାରତମ୍ୟ। ଜାନୁଆରୀ ୨୦୧୭ରେ ନଳକୂଅ ଉତ୍ସଟିର ପାଣି ପରୀକ୍ଷା କରି ଜଳ ପରୀକ୍ଷଣ କେନ୍ଦ୍ର ଜଣାଇଲା ଯେ ପ୍ରତି ଲିଟରେ ପାଣିରେ ୦.୩୩ ମିଲିଗ୍ରାମ ଫ୍ଲୋରାଇଡ ଅଛି।ମାତ୍ର ତିନିମାସ ପରେ ଏପ୍ରିଲରେ ଆଉଥରେ ପରୀକ୍ଷଣ କରି କହିଲା ଯେ ତହିଁରେ ୧୩.୮୬ ମିଲିଗ୍ରାମ ଫ୍ଲୋରାଇଡ ଅଛି।ନଳକୂଅଟି ଅଛି ବାଲେଶ୍ୱର ଜିଲ୍ଲାର ପତ୍ରିପାଲ ଗ୍ରାମପଞ୍ଚାୟତର ବାଲିପାଳ ପ୍ରାଥମିକ ବିଦ୍ୟାଳୟରେ ଆଉ ଜଳପରୀକ୍ଷଣ କରିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗର ବାଲେଶ୍ୱରରେ ଥିବା ଜଳ ପରୀକ୍ଷଣ କେନ୍ଦ୍ର। ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅନୁସାରେ ଲିଟରେ ପାଣିରେ ଅତି ବେଶୀରେ ୧ମିଲିଗ୍ରାମ ଯାଏ ଫ୍ଲୋରାଇଡ ରହିଲେ ତାହା ପିଇବା ଖାଇବା ପାଇଁ ଠିକ। ତେବେ ଯଦି ଅନ୍ୟ କୌଣସି ଜଳଉତ୍ସ ନ ଥାଏ ତେବେ ପାଣିରେ ୧.୫ମିଲିଗ୍ରାମ ଯାଏ ଫ୍ଲୋରାଇଡ ଥିଲେ ଚଳିବ, ତହିଁରୁ ଅଧିକ ହେଲେ ତାହା ଭୟଙ୍କର ବିପଦ। ସେହି ଜଳର ବ୍ୟବହାର ଲୋକଙ୍କୁ ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ କରି ସାରା ଜୀବନ ପାଇଁ ବିକଳାଙ୍ଗ ଓ ଅନ୍ୟାନ୍ୟ ଶାରୀରିକ ଜଟିଳତାରେ ଜର୍ଜରିତ କରିଦେବ। କହିବାର ତାତ୍ପର୍ଯ୍ୟ ହେଲା ଯେ ପାଣିରେ ଏତେ ଟିକିଏ ଫ୍ଲୋରାଇଡର ଫରକ ରହିଲେ ତାହାର ଗୁଣରେ କେତେ ବଡ ପରିବର୍ତ୍ତନ ହୋଇଯାଉଛି. କିନ୍ତୁ ବାଲେଶ୍ୱରରେ ଥିବା ସେହି ଜଳଉତ୍ସର ପାଣିରେ ଏତେବଡ ଫରକ ଆସିଲା କିନ୍ତୁ କାହାରି ନଜରକୁ ତାହା ଆସିଲାଣି କେମିତି?
କଣ ହୋଇଗଲା ତିନି ମାସରେ ଯେ ଉପରବର୍ଣ୍ଣିତ ଉତ୍ସର ପାଣିରେ ଫ୍ଲୋରାଇଡ଼ର ମାତ୍ରାରେ ଏତେ ପ୍ରଭେଦ ରହିଲା? କୌଣସି କାରଣରୁ ଊତ୍ସଟି ଦୂଷିତ ହୋଇଗଲା ନା ଜଳ ପରୀକ୍ଷଣ ବ୍ୟବସ୍ଥା ହିଁ ସଂକ୍ରମିତ ହୋଇଯାଇଛି ଠକାମୀ, ଭଣ୍ଡାମୀ ବା ଅପାରଗତାର ରୋଗରେ? ପ୍ରଥମଟି କାରଣ ହୋଇଥିଲେ ଫ୍ଲୋରାଇଡ଼ର ମାତ୍ରା ଏତେ ଅଧିକ ବଦଳି ନଥାନ୍ତା। ଭିନ୍ନ ପରୀକ୍ଷଣରେ ଫ୍ଲୋରାଇଡ଼ର ମାତ୍ରାରେ କିଛି ଭିନ୍ନତା ରହିପାରେ, କିନ୍ତୁ ଏତେ ବଡ ପାର୍ଥକ୍ୟ କଦାପି ହେବନାହିଁ। ଏହା ନିଶ୍ଚିତ ଭାବରେ ସରକାରୀ ଜଳ ପରୀକ୍ଷଣ ତନ୍ତ୍ରର ବିଫଳତା ଓ ଶଠତାକୁ ହିଁ ଦର୍ଶାଉଛି। କେହିକେହି କହି ପାରନ୍ତି ଯେ ଗୋଟିଏ ବିଦ୍ୟାଳୟର ଉଦାହରଣ ଦେଇ ଏଭଳି ଏକ ବିରାଟ ଅଭିଯୋଗ ଆଣିବା ଠିକ ନୁହଁ। ଆଉ ଗୋଟେ ଉଦାହରଣ ଦେବା ସେହି ପଞ୍ଚାୟତର ବାହାରଦା ଗ୍ରାମର ନୂଆଗାଁ ପ୍ରାଥମିକ ବିଦ୍ୟାଳରେ ଥିବା ନଳକୂଅର। ଜଳ ପରୀକ୍ଷଣ କେନ୍ଦ୍ର ପ୍ରଦାନ କରିଥିବା ତଥ୍ୟ ଅନୁସାରେ ସେହି ନଳକୂଅର ପାଣିରେ ଫେବୃଆରୀ ୨୦୧୪ ଓ ଜାନୁଆରୀ ୨୦୧୫ରେ ୦.୭ମିଲିଗ୍ରାମ ଫ୍ଲୋରାଇଡ ଥିଲା କିନ୍ତୁ ଜୁଲାଇ ୨୦୧୬ରେ ତହିଁରୁ ୫.୪ମିଲିଗ୍ରାମ ଫ୍ଲୋରାଇଡ ବାହାରିଲା। ପରୀକ୍ଷଣ କେନ୍ଦ୍ର ଜାନୁଆରୀ ୨୦୧୭ରେ ଉତ୍ସର ଆଉଥରେ ପରୀକ୍ଷଣ କଲା ଆଉ କହିଲା ଯେ ତହିଁରେ ମାତ୍ର ୦.୦୮୪ମିଲିଗ୍ରାମ ଫ୍ଲୋରାଇଡ ଅଛି। ଆଶ୍ଚର୍ଯ୍ୟ ହେଲେ? ଆହୁରି ଅଛି। ତାହାର ୩ମାସ ପରେ ଆଉ ଏକ ପରୀକ୍ଷଣରୁ କୁଆଡେ ବାହାରିଲା ଯେ ସେହି ଜଳଉତ୍ସରେ ୩.୭୬ମିଲିଗ୍ରାମ ଫ୍ଲୋରାଇଡ ଅଛି। ଏହା କେମିତି ହେଉଛି? ସମ୍ପୂର୍ଣ୍ଣ ଅବାସ୍ତବତା! କେହିକେହି ହୁଏତ ପୁଣି କହିବେ ଯେ ବାଲେଶ୍ୱରର ଦୁଇଟି ଉଦାହରଣରୁ କଣ ରାଜ୍ୟଟା ସାରା ଏମିତି ଶଠତା ଚାଲିଛି ବୋଲି କହିବା? ଠିକ କଥା। ନୂଆପଡା ଜିଲ୍ଲାର ପାନୀୟ ଜଳଉତ୍ସମାନଙ୍କରେ ଫ୍ଲୋରାଇଡ ପ୍ରଦୂଷଣ ଅତି ବ୍ୟାପକ ବୋଲି ସମସ୍ତେ ଜାଣନ୍ତି। ନୂଆପଡାର ଭାତ ହାଣ୍ଡିରୁ ଗୋଟେ ଭାତ ଚିପୁଡିବା। ବୋଡେ଼ନ ବ୍ଲକର କର୍ଲାକୋଟ୍ ପଞ୍ଚାୟତର କିରେଝୋଲା ଗାଁର ବୈଦନ୍ତପଡାରେ ଥିବା ନଳକୂଅର ପାଣିକୁ ୨୦୧୩ ଓ ୨୦୧୪ ମସିହାରେ ପରୀକ୍ଷା କରି ନୂଆପଡାର ଗ୍ରାମ୍ୟଉନ୍ନୟନ ବିଭାଗ ଜଳ ପରୀକ୍ଷଣ କେନ୍ଦ୍ର କହିଥିଲା ଯେ ତହିଁରେ ୩.୧ମିଲିଗ୍ରାମ ଫ୍ଲୋରାଇଡ ଅଛି। ସେହି ଗାଁରେ ଅନେକ ଫ୍ଲୋରୋସିସ ରୋଗୀ ଅଛନ୍ତି। କାରଣଟା ସ୍ପଷ୍ଟ। ସେହି ଉତ୍ସର ଜଳକୁ ୨୦୧୬ ମସିହାରେ ଦୁଇଥର ପରୀକ୍ଷା କରାଗଲା। ଥରେ ୧.୫ମିଲିଗ୍ରାମ ଓ ଆଉଥରେ ୧.୧ ମିଲିଗ୍ରାମ ଫ୍ଲୋରାଇଡ ବାହାରିଲା। ଫେବୃଆରୀ ୨୦୧୭ରେ ଆଉଥରେ ପରୀକ୍ଷଣ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ କହିଲା ଯେ ସେଥିରେ ମାତ୍ର ୦.୧୬ମିଲିଗ୍ରାମ ହିଁ ଫ୍ଲୋରାଇଡ ଅଛି। ଅଭୁତପୁର୍ବ ଏମିତି ପରୀକ୍ଷଣ ଓ ଏମିତି ରିପୋର୍ଟ। ଏମିତି ଉଦାହରଣ ଭରି ହୋଇ ରହିଛି। ଜଳପରୀକ୍ଷଣରେ ଏତେବଡ଼ ବିଭ୍ରାଟ, ଏତେବଡ ବିଶୃଙ୍ଖଳା କିନ୍ତୁ କାହାର ଯେମିତି ତାହାକୁ ପରବାୟ ନାହିଁ!
ଲୋକଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇବା ସରକାରଙ୍କ ଖାଲି ଏକ କର୍ତ୍ତବ୍ୟ ନୁହେଁ, ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ଏହା ନାଗରିକର ଏକ ମୌଳିକ ଅଧିକାର। ସ୍ୱଚ୍ଛ ଓ ନିରାପଦ ଜଳ ଯୋଗାଇବା ପାଇଁ ସରକାର ବାଧ୍ୟ। ଆଗରୁ ପାଣିର ମାନ ଉପରେ ବେଶୀ ଦୃଷ୍ଟି ନଥିଲା। କିନ୍ତୁ ବିଭିନ୍ନ ଉତ୍ସର ପାନୀୟ ଜଳରେ ରାସାୟନିକ ଓ ଅନ୍ୟ ପ୍ରଦୂଷଣଜନିତ ସମସ୍ୟା ଦେଖାଦେବାରେ ଲାଗିଲା। ତହିଁରୁ ଫ୍ଲୋରାଇଡ ଓ ଆର୍ସେନିକ ସବୁଠାରୁ ବଡ ବିପଦ ଭାବରେ ଉଭାହୋଇ ଲୋକଙ୍କୁ ଭୀଷଣଭାବରେ ରୋଗାକ୍ରାନ୍ତ କରିବା ଆରମ୍ଭ କଲା। ସରକାରମାନେ ଏହାକୁ ନେଇ ଚିନ୍ତିତ ହେଲେ ଓ ସୁପ୍ରିମ କୋର୍ଟ ତଥା ହାଇକୋର୍ଟମାନେ ଏହାକୁ ନେଇ ସରକାରଙ୍କୁ ଉତ୍ତରଦାୟୀ କଲେ। ସରକାର ୨୦୦୬ ମସିହାରେ ଏଥିପାଇଁ 'ପାନୀୟ ଜଳର ମାନ ତଦାରଖ ଓ ନିରୀକ୍ଷଣ' ନାମରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କଲେ। ପରେ ତାହା 'ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ'ର ଏକ ଅଂଶ ହୋଇଗଲା। ଏହି କାର୍ଯ୍ୟକ୍ରମରେ ପାନୀୟ ଜଳର ନିୟମିତ ଓ ସଠିକ ପରୀକ୍ଷଣ ପାଇଁ ସ୍ୱତନ୍ତ୍ର ଅର୍ଥ ଓ ଦାୟିତ୍ୱର ବ୍ୟବସ୍ଥା ହୋଇଛି। ଯୋଜନା ଅନୁସାରେ ପ୍ରତ୍ୟେକ ପାନୀୟ ଜଳଉତ୍ସକୁ ବର୍ଷରେ ଅତି କମରେ ଥରେ ରାସାୟନିକ ମାନ ଏବଂ ଦୁଇଥର ଜୈବିକ ମାନର ଯାଞ୍ଚ ପାଇଁ ପରୀକ୍ଷଣ କରାଯିବ।
ଏହି ଯୋଜନା ଅନୁସାରେ ଓଡ଼ିଶାରେ ମଧ୍ୟ ଜଳର ମାନ ପରୀକ୍ଷଣ ଚାଲିଛି। ଜଳ ପରୀକ୍ଷଣ ରିପୋର୍ଟ ଖୋଜିବା ଜଣେ ସାଧାରଣ ଲୋକ ପକ୍ଷରେ ସହଜ ନୁହେଁ। ୱେବସାଇଟକୁ ଯାଇ ତାହା ଖୋଜିବାକୁ ପଡିବ। କିନ୍ତୁ ଆରମ୍ଭରେ 'ପାନୀୟ ଜଳର ମାନ ତଦାରଖ ଓ ନିରୀକ୍ଷଣ' ଯୋଜନାର ପରିକଳ୍ପନା ସେମିତି ନଥିଲା। ଏହାକୁ ଏକ ଜନ-ଆଧାରିତ ଯୋଜନା ଭାବରେ ଗଢ଼ା ଯାଇଥିଲା। ଜଳ ପରୀକ୍ଷଣରେ ଲୋକେ ଯେମିତି ପୁରା ସାମିଲ ହେବେ ତାହାକୁ କେନ୍ଦ୍ରକରି ଯୋଜନା ପ୍ରସ୍ତୁତ ହୋଇଥିଲା।ପରିକଳ୍ପନା ସିନା ହେଲା କିନ୍ତୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପ୍ରତି ଉତ୍ସ ପ୍ରତିବର୍ଷ ନିଶ୍ଚିତ ଭାବରେ ପରୀକ୍ଷଣ ହେବାର ଥିଲା ତାହା ତ ହେଲା ନାହିଁ, ଯେଉଁ କିଛି ପାନୀୟ ଜଳଉତ୍ସର ପରୀକ୍ଷଣ ହେଉଛି ତାହାର ଝଲକ ଏହି ଆଲେଖ୍ୟରେ ହିଁ ଦେଖି ସାରିଛେ। ଲୋକେ ତ ତାହାର ଟେର୍ ପାଉ ନାହାନ୍ତି, ଯେଉଁ ସ୍ଥାନୀୟ ସଂସ୍ଥା ଉପରେ ପାନୀୟ ଜଳ ଯୋଗାଇବାର ଦାୟିତ୍ୱ ବର୍ତ୍ତମାନ ନ୍ୟସ୍ତ ଅଛି ସେହି ପଞ୍ଚାୟତମାନଙ୍କ ପାଖରେ ମଧ୍ୟ ଜଳପରୀକ୍ଷଣ ସମ୍ବନ୍ଧିତ କିଛି ସୂଚନା ସାଧାରଣତଃ ପହଞ୍ଚେ ନାହିଁ।ଏମାନେ ଜଳ ପରୀକ୍ଷଣରେ ସାମିଲ ହେଉନଥିବା ବେଳେ ଯେଉଁ ଅଧିକାରୀମାନେ ସାମିଲ ଅଛନ୍ତି ବା ରହିବା କଥା ସେମାନେ ତଥ୍ୟସବୁକୁ କେମିତି ଦେଖୁଛନ୍ତି ପରଖୁଛନ୍ତି ତାହା ଜଳଜଳ ଦିଶୁଛି। ସମାନ ଉତ୍ସରେ ଫ୍ଲୋରାଇଡ଼ର ମାତ୍ରାରେ ଏତେ ଅବାସ୍ତବ ଫରକ ରହୁଛି କିନ୍ତୁ କେହି କିଛି କେମିତି ଦେଖିପାରୁ ନାହାନ୍ତି? ସରକାର ତଥା ଏହି ବ୍ୟବସ୍ଥାରେ ଜଡିତ ସମସ୍ତଙ୍କୁ ତାଙ୍କ ଅପାରଗତା ବା ଠକାମୀ ପାଇଁ ଉତ୍ତରଦାୟୀ ହେବାକୁ ପଡିବ। ଲୋକଙ୍କ ଜୀବନ ମୂଲ୍ୟବାନ, ପାଣି ପାଇଁ ଲୋକଙ୍କ ଜୀବନ ବରବାଦ ହେବା ଏକ ଦୋଷ, ଏକ ଅକ୍ଷମଣୀୟ ଅପରାଧ।
(This article was published in the Dharitri on October 11, 2017. The original article can be accessed at http://www.dharitri.com/e-Paper/Bhubaneswar/111017/p6.htm )
No comments:
Post a Comment