ବିମଳ ପ୍ରସାଦ ପାଣ୍ଡିଆ
ଚାଷୀ ଛାଡ଼ିବେ ଚାଷ, ଜମି ରହିବ ପଡିଆ। ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ଆବାହନରେ
ଓଡ଼ିଶାର ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରା ସମୟରେ ବାହାରିଛି କୃଷକଙ୍କ ରୋଷ ଓ କୋହ। ଚାଷୀମାନେ ପ୍ରଶ୍ନ କରିଛନ୍ତି ଯେ ସର୍ବନିମ୍ନ ସହାୟକ
ଦର ଯଦି ତାଙ୍କୁ ଲାଭ ଟିକିଏ ଦେଇ ନ ପାରିବ ତେବେ ସେମାନେ ଚାଷ କରିବେ ବା କାହିଁକି? କେହିକେହି ଏହାକୁ ଚେତାବନୀ କହିପାରନ୍ତି। ମୁଁ କିନ୍ତୁ ଏହାକୁ ଚାଷୀମନର
ମରମ ବେଦନାର ପ୍ରତିଫଳନ ତଥା ସାମାଜିକ ଓ ଆର୍ଥିକ ଭାବରେ ଭୁଲୁଣ୍ଠିତ ହୋଇଯାଉଥିବା ଚାଷୀ ନିକଟରେ
ଅନ୍ୟ କୌଣସି ବିକଳ୍ପର ଅଭାବ ବୋଲି ହିଁ ବିଚାର କରିବି। କେବଳ ଓଡିଶା କାହିଁକି ସାରା ଭାରତରେ ଏବେ କୃଷି ଓ
କୃଷକଙ୍କ ସେହି ଅବସ୍ଥା। ଏବେ କୃଷକ ଗୋଷ୍ଠୀ ସମାଜର ସବୁଠୁ ନିମ୍ନରେ ଥିବା
ବର୍ଗ ବୋଲି ଗଣାଗଲେଣି ଏବଂ କୃଷି ସବୁଠାରୁ ଅପନ୍ତରା ଜୀବିକା ବୋଲି ବିବେଚ୍ୟ ହେଲାଣି। ବର୍ଷବର୍ଷ ଧରି କୃଷିକ୍ଷେତ୍ର ଓ କୃଷକଙ୍କ ପ୍ରତି ହୋଇଆସିଥିବା ବୈମାତୃକ ମନୋଭାବର ପରିଣାମ
ଏବେ ଅତି ଭୟଙ୍କର ରୂପ ନେଲାଣି। ଏକଦା ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ହେଉଥିବା ଚାଷ ଜୀବିକା ଏଭଳି ଏକ ସ୍ଥିତିରେ ପହଞ୍ଚିବା
ଅତି ଚିନ୍ତାଜନକ କାରଣ ଏବେ ବି ଅଧିକାଂଶ ପରିବାର ଚାଷ ଉପରେ ହିଁ ମୁଖ୍ୟତଃ ନିର୍ଭରଶୀଳ। ଦୁର୍ଭାଗ୍ୟର କଥା ଯେ ସରକାରୀ ନୀତି ବା ଅନ୍ୟ ବର୍ଗ ପାଇଁ ସରକାରୀ ପ୍ରୀତି ହିଁ ଚାଷୀର
ଦୁର୍ଭାଗ୍ୟର ଏକ ବଡ କାରଣ ହୋଇଛି। ତାହାର ଉତ୍ପାଦିତ ଫସଲର ଲାଭଜନକ ଦର ନ ପାଇ ଚାଷୀ ତଳିତଳାନ୍ତ ହୋଇ ଯାଉଛି।
୧୯୮୪-୮୫ରେ ଧାନର ସର୍ବନିମ୍ନ ସହାୟକ ଦର ବା ଏମଏସପି କ୍ୱିଣ୍ଟାଲ ପ୍ରତି ୧୩୭ ଟଙ୍କା ଥିଲା। ୨୦୧୬-୧୭ରେ ତାହା ପହଞ୍ଚିଲା ୧,୪୭୦ ଟଙ୍କାରେ। ୩୨ ବର୍ଷରେ ଧାନର ଏମଏସପି ବଢିଲା ୧୦.୭ ଗୁଣ। ଅନ୍ୟ କାହା ସହ ଏହାକୁ
ତୁଳନା ନ କରିବା ଯାଏ ହୁଏତ ଜଣେ କହିଦେବ ଯେ ‘ଧାନ ଦର ତ ଖୁବ୍ ବଢିଛି'। ଏବେ କିନ୍ତୁ ଅନେକ
ତୁଳନାର ସୁଅ ଛୁଟିଲାଣି। ଏଇ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬-୧୭ ବର୍ଷ
ପାଇଁ ଅର୍ଥନୀତିର ପରିସଂଖ୍ୟାନ ଜାରି କରିଛନ୍ତି। ତାହାର ଅନୁଶୀଳନ କରି
ସରକାରୀ ତଥ୍ୟର ତର୍ଜମା କରୁଥିବା ଗବେଷକ ରାକେଶ ଦୁବୁଡୁ ପାଇଲେ ଯେ ଧାନର ଏମଏସପି ୧୯୮୪-୮୫ ରୁ
୨୦୧୬-୧୭ ମଧ୍ୟରେ କେବଳ ୧୦.୭ ଗୁଣ ବଢିଥିବା ବେଳେ ସରକାର ସଂଗ୍ରହ କରିଥିବା ଖଜଣା
ସେହି ସମୟରେ ୫୦ ଗୁଣ ବୃଦ୍ଧି ପାଇଛି। ଏହାକୁ ସେ ସରକାରୀ କର୍ମଚାରୀଙ୍କ ଦରମା ସହ ତୁଳନା
କରି ଦେଖିଛନ୍ତି। ଏହି ୩୨ ବର୍ଷର ସମୟ ମଧ୍ୟରେ ସରକାରୀ ବାବୁମାନେ
ତିନିଟି ଦରମା ଆୟୋଗରୁ ଛପ୍ପରଫାଡ ଲାଭ ସହିତ ୧୦୮ଟି ଭତ୍ତା ବି ପାଇଛନ୍ତି। ସେମିତି ଏକ ତୁଳନା କୃଷି ବିଶାରଦ ଭାବରେ ଭାରତରେ ତଥା ଭାରତ ବାହାରେ ପ୍ରଖ୍ୟାତ ଶ୍ରୀ
ଦେବିନ୍ଦର ଶର୍ମା ମହୋଦୟ ମଧ୍ୟ କରିଛନ୍ତି। ତାଙ୍କର ଗବେଷଣାରୁ ସେ ପାଇଛନ୍ତି ଯେ ୧୯୭୦ରୁ ୨୦୧୫
ବା ୪୫ ବର୍ଷର ଏହି ଅବଧିରେ ଗହମର ଏମଏସପି ୧୯ଗୁଣ ବୃଦ୍ଧି ପାଇଥିଲା। ସେହି ସମୟରେ
ସରକାରୀ ବାବୁଙ୍କ ମୂଳ ଦରମା ସର୍ବନିମ୍ନ ୧୨୦ରୁ ଆରମ୍ଭ କରି ୧୫୦ଗୁଣ, କଲେଜ ଶିକ୍ଷକଙ୍କ ଦରମା ୧୫୦ରୁ ୧୭୦ଗୁଣ, ବିଦ୍ୟାଳୟ ଶିକ୍ଷକଙ୍କ ଦରମା ୨୮୦ରୁ ୩୨୦ଗୁଣ ଏବଂ
କର୍ପୋରେଟ ଜଗତରେ କାମ କରୁଥିବା କର୍ମଚାରୀଙ୍କ ଦରମା ୩୦୦ରୁ ୧୦୦୦ ଗୁଣ ବଢିଛି। ଯଦି ସମାଜର ସବୁବର୍ଗ ମଧ୍ୟରେ ଆୟ ସମାନତା ରଖିବା ପାଇଁ ଅନ୍ୟବର୍ଗଙ୍କ ଆୟ ବୃଦ୍ଧି ସହିତ
ତାଳ ଦେଇ ଫସଲର ଏମଏସପି ମଧ୍ୟ ବୃଦ୍ଧି କରାଯାଇଥାନ୍ତା ତେବେ ଧାନ ଓ ଗହମର ଏମଏସପି ଅତିକମରେ ୧୦୦
ଗୁଣ ବଢିବାର ଆବଶ୍ୟକତା ଥିଲା ବୋଲି କହନ୍ତି ଶ୍ରୀ ଶର୍ମା। ମୁଁ ବି ସେମିତି ଏକ ହିସାବ ଦେଇଥିଲି ଗତ ଜୁଲାଇ ୧୨
ତାରିଖରେ 'ଧରିତ୍ରୀ'ର 'ତତ୍ତ୍ୱ ଓ ତର୍କ' ସ୍ତମ୍ଭରେ ପ୍ରକାଶିତ ହୋଇଥିବା 'ଦରମା ବନାମ ଧାନ ଦର' ଆଲେଖ୍ୟରେ। ସେହି ଆଲେଖ୍ୟଟି ମୋ ବ୍ଲଗରେ ପ୍ରକାଶିତ ହୋଇଥିଲା 'ଏମଏସପି ଆଦୌ ଚାଷୀଙ୍କ ପାଇଁ ନୁହେଁ' ଶୀର୍ଷକରେ। ସେଥିରେ ବିଗତ ଦଶବର୍ଷରେ ଜଣେ ଧାନଚାଷୀ ପାଇଥିବା
ଏମଏସପି ସହିତ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ପାଇଥିବା ଦରମାର ଏକ ତୁଳନା କରିଥିଲି। ଦର୍ଶାଇଥିଲି ଯେ ବିଗତ ଦଶବର୍ଷରେ ଦରମା କମିଶନର ଲଡୁ ଓ ପ୍ରମୋସନ ଆଦି କଥା ଛାଡି କେବଳ
ମହଙ୍ଗାଭତ୍ତା କାରଣରୁ ଜଣେ ସରକାରୀ କର୍ମଚାରୀର ଦରମା ୨୧୫ ପ୍ରତିଶତ ବଢିଥିବା ବେଳେ ଏମଏସପିରେ
ବୃଦ୍ଧି କାରଣରୁ ଜଣେ ଧାନଚାଷୀର ବିକ୍ରିଲବ୍ଧ ଆୟ ମାତ୍ର ୧୩୭ ପ୍ରତିଶତ ହିଁ ବଢିଛି। ଯଦି ମହଙ୍ଗା ଭତ୍ତା ପ୍ରକୃତରେ ମୁଦ୍ରାସ୍ପିତି ବା ମହଙ୍ଗାଇକୁ ହିଁ ମେଣ୍ଟାଇବା ପାଇଁ
ଉଦ୍ଦିଷ୍ଟ ତାହାହେଲେ ଚାଷୀକୁ ଦିଆଯାଇଥିବା ଏମଏସପି ଅର୍ଥବ୍ୟବସ୍ଥାରେ ଘଟିଥିବା ମହଙ୍ଗାଇକୁ ବି
ଭରଣା କରିପାରି ନାହିଁ। ଚାଷୀର ବାସ୍ତବ ଆୟ କମିଛି, ସମାନ ବି ରହି ପାରି ନାହିଁ।
ସ୍ଥିତି ଏମିତି ବିକଟ ରହିଥିବା ବେଳେ ମୋଦି ସରକାରଙ୍କ ଚାଷୀଙ୍କ ଆୟକୁ ସାତ ବର୍ଷରେ ଦୁଇଗୁଣା
କରିବା ନାରା ଏକ ଆଶା ସୃଷ୍ଟି କରିଥିଲା। କିନ୍ତୁ ଗତ ଦୁଇ ବର୍ଷରେ ତହିଁରେ କିଛି ପ୍ରଗତି ହୋଇଥିବାର କାଣିଚାଏ ବି ସୁଚନା ମିଳିନାହିଁ। ଏବେ ବି କୃଷି ସମ୍ବନ୍ଧିତ
ସରକାରୀ ନୀତି ନିର୍ଦ୍ଧାରକମାନେ ଏହି ବିଚାର ରଖିଚାଲିଛନ୍ତି ଯେ ଫସଲର ଉତ୍ପାଦନ ବୃଦ୍ଧି ସବୁ
ସମସ୍ୟାର ନିଦାନ। ସେହି ବିଚାର ସମ୍ପୁର୍ଣ୍ଣ ଭ୍ରମାତ୍ମକ ଓ ମିଥ୍ୟା ବୋଲି ବାରମ୍ବାର ପ୍ରମାଣିତ ହୋଇଚାଲିଛି, କିନ୍ତୁ ସରକାର ଓ ନୀତି ପ୍ରସ୍ତୁତ କରୁଥିବା ଲୋକେ ସେହି ସତ୍ୟତା କେମିତି ଜାଣିପାରୁ
ନାହାନ୍ତି ତାହା ଏକ ଆଶ୍ଚର୍ଯ୍ୟ। ଯଦି କେବଳ ଉତ୍ପାଦନ ହିଁ ଚାଷକୁ ଲାଭଜନକ
କରିପାରୁଥାନ୍ତା ତେବେ ଓଡ଼ିଶାର ଆଳୁ ଓ ପିଆଜ ଚାଷୀ ଏବେ ଲକ୍ଷପତି ହୋଇସାରିଥାନ୍ତେ। ପନିପରିବା ଚାଷୀ ଉତ୍ପାଦକୁ ରାସ୍ତାରେ ଅଜାଡୁ ନଥାନ୍ତେ, ଫସଲକୁ ଉଜାଡୁ ନ ଥାନ୍ତେ। ଦୁଗ୍ଧ ଚାଷୀ ଦୁଗ୍ଧକୁ ରାସ୍ତାରେ ନାଳରେ ବୁହାଉ
ନଥାନ୍ତେ। ଯୋଉଠି ବି କେବେ ଉତ୍ପାଦନରେ ବୃଦ୍ଧି ହୋଇଛି, ଚାଷୀ ଲାଭ ଛାଡ, ମାଡ ହିଁ ପାଇଛି। ସେହିଭଳି ପ୍ରତ୍ୟେକ କ୍ଷେତ୍ରରେ ଅହେତୁକ ଦର ଖସି ସବୁ
ସପନକୁ ଉଜାଡିଛି। ଏପରିକି ଡାଲି ଓ ତୈଳବୀଜ ଭଳି ଫସଲ, ଯାହା ଅନେକ ଦିନ ସାଇତି କରି ରଖାଯାଇପାରେ, ତାହା ମଧ୍ୟ ଚାଷୀକୁ
ଲାଭ ପ୍ରଦାନ କରିପାରୁନାହିଁ।
ଚାଷୀର ଆୟ ଦୁଇଗୁଣ କରିବା ପାଇଁ ନୀତି ଆୟୋଗ ପ୍ରସ୍ତୁତ କରିଥିବା ଭିତ୍ତିପତ୍ରରେ ସେହି
ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧିକୁ ହିଁ ଗୁରୁତ୍ୱ ଦିଆଯାଇଛି। ନୀତିଆୟୋଗ ଆଉଏକ
ଦିଗକୁ ଗୁରୁତ୍ୱ ଦେଇଛି ଯାହାକୁ ଅନେକ ଅର୍ଥନୀତିଜ୍ଞ ଖୁବ ତ୍ରୁଟିପୂର୍ଣ୍ଣ ବୋଲି କହନ୍ତି। ସେଥିରେ କୁହାଯାଇଛି ଯେ କୃଷକ ଓ କୃଷିଜୀବିଙ୍କୁ ଅନ୍ୟକ୍ଷେତ୍ରକୁ ଅପସାରଣ କରିବାର
ଆବଶ୍ୟକତା ଅଛି।
ବାକି ଯାହା ହେଉ କି ନହେଉ କୃଷକ ଓ କୃଷିଜୀବିଙ୍କୁ କୃଷିକ୍ଷେତ୍ରରୁ ତଡ଼ିବାର ସରକାରୀ
ଲକ୍ଷ୍ୟ ସିଦ୍ଧି ହୋଇଚାଲିଛି। ଚାଷୀ ପରିବାର ଯୁବକ ଯୁବତୀ ଏବେ ପାନ ଚା ଦୋକାନ ଆଦି
ବେପାର ବା ଦୂର ରାଇଜରେ କେଉଁଠି ମୂଲକାମକୁ ବରଂ ଆବୋରି ନେଉଛନ୍ତି କିନ୍ତୁ କ୍ଷେତକୁ ପଶିବାର
ଚିନ୍ତା ବି କରୁନାହାନ୍ତି। ଅନ୍ୟ ବିକଳ୍ପକୁ ଚାହିଁ ବସିଛନ୍ତି କୃଷକ ପରିବାରର
ସଦସ୍ୟ। ସାମାନ୍ୟ ସୁଯୋଗ ପାଇଲେ ଚାଷକୁ କରୁଛନ୍ତି ଟା-ଟା। ଏହା ଅତି ବିପଦଜନକ। ଚାଷୀକୁ ଭଲ ଲାଭ
ଏବେ ସବୁଠାରୁ ପ୍ରଧାନ ଲକ୍ଷ୍ୟ ହେବା ଦରକାର। ଲାଭ ନ ମିଳିଲେ ଜମି ପଡିଆ
ପକାଇବା ବ୍ୟତୀତ ଅନ୍ୟକିଛି ବିକଳ୍ପ ହିଁ ନାହିଁ ଚାଷୀ ପାଖରେ।
(This article was published in my fortnightly column for 'Dharitri' on October 25, 2017. The Dharitric article can be accessed at http://www.dharitri.com/e-Paper/Bhubaneswar/251017/p6.htm)
(This article was published in my fortnightly column for 'Dharitri' on October 25, 2017. The Dharitric article can be accessed at http://www.dharitri.com/e-Paper/Bhubaneswar/251017/p6.htm)
No comments:
Post a Comment