ବିମଳ ପ୍ରସାଦ ପାଣ୍ଡିଆ
ଚଳିତ ବର୍ଷର ମାର୍ଚ୍ଚ ୨୦ ତାରିଖରେ ଯେତେବେଳେ ଉତ୍ତରାଖଣ୍ଡ ହାଇକୋର୍ଟ ଘୋଷଣା କଲେ ଯେ ଗଙ୍ଗା ଯମୁନା ନଦୀ ତଥା ତାହାର ଶାଖା ପ୍ରଶାଖା ହେଉଛନ୍ତି ଜଣେ 'ଜୀବନ୍ତ ବ୍ୟକ୍ତି', ନ୍ୟାୟିକ ଭାବରେ ଆଧୁନିକ ଭାରତରେ କୌଣସି ନଦୀକୁ ଜଣେ ଜୀବନ୍ତ ବ୍ୟକ୍ତି ବା କାନୂନୀ ବ୍ୟକ୍ତି ଭାବରେ ସ୍ଵୀକୃତି ଦେବାରେ ତାହା ଥିଲା ପ୍ରଥମ ଘଟଣା । ତେବେ ପୃଥିବୀରେ ତାହା ପ୍ରଥମ ନ ଥିଲା । ଉତ୍ତରାଖଣ୍ଡ ହାଇକୋର୍ଟ ସେହି ରାୟ ପ୍ରଦାନ କରିବାର ଚାରି ଦିନ ପୂର୍ବରୁ ନିଉଜିଲାଣ୍ଡ ପାର୍ଲିଆମେଣ୍ଟ ସେହି ଦେଶର ତୃତୀୟ ବୃହତ୍ତମ ନଦୀ ବାଂଗନୁଈ ନଦୀକୁ ଗୋଟିଏ ଜୀବନ୍ତ ବ୍ୟକ୍ତି ବା ଜୀବନ୍ତ ସତ୍ତା ବୋଲି ପ୍ରସ୍ତାବ ନେଇ ସାରିଥିଲେ । ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତି ଗଙ୍ଗା ନଦୀ ସହିତ ପ୍ରାୟ ଅନ୍ୟ ସମସ୍ତ ନଦୀକୁ ମାତା ଭାବରେ ତଥା ଦେବୀ ଭାବରେ ଗଣ୍ୟ କରି ଆସିଛି । ଅର୍ଥାତ ବହୁ କାଳରୁ ନଦୀମାନଙ୍କୁ ବ୍ୟକ୍ତି ହିସାବରେ ଭାରତୀୟ ସଭ୍ୟତା ଗ୍ରହଣ କରିଆସିଛି । ବାଂଗନୁଈ ନଦୀକୁ ନେଇ ସ୍ଥିତି ମଧ୍ୟ ସେହିଭଳି । ସେଠାରେ ବସବାସ କରୁଥିବା ମାଓରି ଜନଜାତିର ଲୋକେ ନିଜକୁ ବାଂଗନୁଈ ନଦୀର ଉତ୍ତରାଧିକାରୀ ବୋଲି ମାନନ୍ତି ଏବଂ ନଦୀକୁ ପ୍ରଚଣ୍ଡ ସମ୍ମାନ କରନ୍ତି । ପ୍ରାୟ ଦେଢ଼ ଶତାବ୍ଦୀ ଧରି ସେହି ଜନଜାତିର ଲୋକେ ନଦୀକୁ ମା' ଓ ବ୍ୟକ୍ତିର ମାନ୍ୟତା ଦେବା ପାଇଁ ଆସୁଥିବା ଦାବୀକୁ ଶେଷରେ ନିଉଜିଲାଣ୍ଡ ପାର୍ଲିଆମେଣ୍ଟ ଗ୍ରହଣ କଲା । ଉତ୍ତରାଖଣ୍ଡ ହାଇକୋର୍ଟ ଗଙ୍ଗା ଓ ଯମୁନା ନଦୀକୁ କାନୂନୀ ବ୍ୟକ୍ତିର ମାନ୍ୟତା ଦେବାର ଦୁଇ ସପ୍ତାହ ପରେ ମେ ମାସ ଚାରି ତାରିଖରେ ମଧ୍ୟପ୍ରଦେଶର ବିଧାନ ସଭା ନର୍ମଦା ନଦୀକୁ ଏକ ବ୍ୟକ୍ତି ବୋଲି ଘୋଷଣା କରି ପ୍ରସ୍ତାବ ପାରିତ କରିଛି ।
ବିଭିନ୍ନ କୋର୍ଟ କଚେରୀ ତଥା ପାର୍ଲିଆମେଣ୍ଟ ବିଧାନସଭା ଆଦି ଏହିଭଳି ଆଦେଶ ଦେବା ବା ନିଷ୍ପତ୍ତି ନେବା ହୁଏତ ଏକ ନୂଆ କଥା ହୋଇପାରେ କିନ୍ତୁ ନଦୀ ଯେ କୌଣସି ସଭ୍ୟତାର ମେରୁଦଣ୍ଡ ଏବଂ ନଦୀ ବିନା କୌଣସି ସଭ୍ୟତା ତିଷ୍ଠି ରହିବ ଯେ ନିହାତି ଅସମ୍ଭବ ତାହା ବୁଝିବା ଏବର କଥା ନୁହେଁ । ଶ୍ରୀମଦ ଭାଗବତ ଗୀତାରେ କୁହାଯାଇଛି ବୃକ୍ଷରାଜି ହେଉଛନ୍ତି ପ୍ରଭୁଙ୍କ ଶରୀରର ଲୋମ, ବାୟୁ ହେଉଛି ପ୍ରଭୁଙ୍କର ଶ୍ଵାସ, ସମୁଦ୍ର ହେଉଛି ତାହାଙ୍କ ଉଦାର, ନଦୀସମୂହ ହେଉଛନ୍ତି ତାଙ୍କର ଶିରାପ୍ରଶିରା । ଶିରାପ୍ରଶିରା ମାଧ୍ୟମରେ ରକ୍ତ ପ୍ରବାହ ବାଣ୍ଡ ହୋଇଗଲେ ଜୀବନର ଅବସ୍ଥା ଯାହା ହେବ ନଦୀରେ ଜଳ ପ୍ରବାହ ବାଣ୍ଡ ହୋଇଗଲେ ଅବସ୍ଥା ତା'ଠାରୁ ବିଶେଷ କିଛି ଭିନ୍ନ ହେବ ନାହିଁ । ହିନ୍ଦୁ ସଂସ୍କୃତିରେ ଯେମିତି ଗଙ୍ଗା ନଦୀକୁ ମା, ଜଣେ ଦେବୀ ବୋଲି ମାନି ଭକ୍ତି ଅର୍ପଣ କରାଯାଏ, ଅନ୍ୟ ଧର୍ମରେ ମଧ୍ୟ ନଦୀ ବା ଜଳଉତ୍ସକୁ ସେମିତ ମା ବା ଦେବତା ରୂପରେ ଦେଖାଯାଏ । ମୁସଲମାନ ଧର୍ମୀୟମାନେ ମକ୍କା ମସଜିଦ ଭିତରେ ଥିବା ଜମଜମ କୂପକୁ ଅତି ଭକ୍ତିର ସହ ସମ୍ମାନ କରନ୍ତି । ଖ୍ରୀଷ୍ଟିଆନମାନେ ଜୋର୍ଡାନ ନଦୀକୁ ସେହିଭଳି ମାନ୍ୟତା ପ୍ରଦାନ କରନ୍ତି ।
ତେବେ ସମସ୍ତ ପ୍ରାଚୀନ ଜ୍ଞାନ ଓ ଆଧୁନିକ ବିଜ୍ଞାନ ନଦୀକୁ ସଭ୍ୟତାର ମୂଳ ବୋଲି କହିବା ସତ୍ୱେ ସେହି ନଦୀ ହିଁ ଏବେ ସବୁଠାରୁ ଅଧିକ ବିପଦଗ୍ରସ୍ତ । ଉତ୍ତରାଖଣ୍ଡ ହାଇକୋର୍ଟ ଗଙ୍ଗା ଓ ଯମୁନା ନଦୀକୁ ଜୀବନ୍ତ ବ୍ୟକ୍ତି ବୋଲି ତାଙ୍କ ରାୟ ପ୍ରଦାନ କରିବା ବେଳେ କହିଛନ୍ତି ଯେ ଗଙ୍ଗା ଓ ଯମୁନା ନଦୀର ଅସ୍ତିତ୍ବ ହିଁ ଏବେ ଘୋର ସଂକଟଗ୍ରସ୍ତ । ଏହିଭଳି ସଂକଟକୁ ମୁକାବିଲା କରିବା ତଥା ଗଙ୍ଗା ଓ ଯମୁନା ନଦୀକୁ ବଞ୍ଚାଇ ରଖିବା ପାଇଁ ଅସାଧାରଣ ପ୍ରୟାସର ଆବଶ୍ୟକତା ରହିଛି । ହାଇକୋର୍ଟଙ୍କ ରାୟ ସେହି ଅସାଧାରଣ ଆବଶ୍ୟକତାର ଏକ ସୂଚକ ।
ସୁପ୍ରିମ କୋର୍ଟ ପ୍ରଦାନ କରିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ରାୟକୁ ଉଦ୍ଧାର କରିବା ସହିତ ବିଭିନ୍ନ ପ୍ରାଚୀନ ମତବାଦରେ କାନୂନୀ ବ୍ୟକ୍ତି ବା ସତ୍ତାର ବର୍ଣ୍ଣନାକୁ ଉଦ୍ଧାର କରି ଉତ୍ତରାଖଣ୍ଡ ହାଇକୋର୍ଟ କହିଛନ୍ତି ଯେ ସାଧାରଣ ନ୍ୟାୟିକ ସିଦ୍ଧାନ୍ତ ଅନୁସାରେ ଯିଏ ଅଧିକାର ଜାହିର କରିବା ଓ କର୍ତବ୍ୟର ପାଳନ କରିବାରେ ସମର୍ଥ ବୋଲି ଆଇନ ବିଚାର କରେ ସେ ଜଣେ ବ୍ୟକ୍ତି । ଯଦି ଆଇନ କୌଣସି ପ୍ରାର୍ଥୀ ବା ପ୍ରସଙ୍ଗକୁ ପର୍ଯ୍ୟାପ୍ତ ଓ ଯଥାର୍ଥ କାରଣରୁ ବ୍ୟକ୍ତିର ମାନ୍ୟତା ପ୍ରଦାନ କରେ ସେ 'କାନୂନୀ ବ୍ୟକ୍ତି' ହୋଇଯାଏ ଏବଂ ଦାଇତ୍ୱ ମୁଣ୍ଡାଇଥାଏ । ଜଣେ ଶିଶୁ ବା ନିଜର ପକ୍ଷ ରଖି ପାରୁ ନଥିବା ବ୍ୟକ୍ତି ତରଫରୁ ଯେମିତି ତାଙ୍କର ପିତାମାତା ବା ଅନ୍ୟ କେହି ପକ୍ଷ ରଖିଥାନ୍ତି, ସେହିଭଳି ଜଣେ 'କାନୂନୀ ବ୍ୟକ୍ତି' ଅନ୍ୟ ଜଣେ ଅଧିକୃତ ବ୍ୟକ୍ତି ମାଧ୍ୟମରେ ତାହାର ଅଧିକାର ଜାହିର କରିଥାନ୍ତି ଓ ଦାଇତ୍ୱ ବହନ କରିଥାନ୍ତି ।
ତେବେ ନଦୀକୁ ଜୀବନ୍ତ ବ୍ୟକ୍ତି ବୋଲି ଗ୍ରହଣ କରିନେଲେ ମଣିଷର ତା'ପ୍ରତି ଘଟୁଥିବା ଅତ୍ୟାଚାରରେ କଣ ବ୍ୟାପକ ପରିବର୍ତନ ଘଟିବ ତାହା ଅଧିକ ଗୁରୁତ୍ୱ ରଖେ । ଏହି ପ୍ରସଙ୍ଗରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ୧୨ ପୃଷ୍ଠା ବିଶିଷ୍ଟ ରାୟ ଅତି ସବିଶେଷରେ କିଛି କହି ନଥିଲେ ମଧ୍ୟ ନଦୀ ଜୀବନ୍ତ ବ୍ୟକ୍ତି ବୋଲି ଯେଉଁ କାରଣ ଦର୍ଶାଇଛନ୍ତି ତାହା ଖୁବ ପ୍ରାସଙ୍ଗିକ । ନଦୀ ସହିତ ଜଡିତ ଧରଃମୀୟା ଭାବନା, ଜୀବନଜୀବିକାକୁ ପରିପୁଷ୍ଟ କରିବାରେ ତାହାର ଭୂମିକା ତଥା ଭବିଷ୍ୟତ ପୀଢ଼ି ପାଇଁ ଉତ୍ତରଦାୟିତ୍ୱତା ସବୁ କାରଣରୁ ଗଙ୍ଗା ଯମୁନା ନଦୀ ଏକ ଜୀବନ୍ତ ବ୍ୟକ୍ତି ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ ଗଙ୍ଗା ଯମୁନା ନଦୀକୁ ହିନ୍ଦୁ ଧର୍ମାବଲମ୍ବୀ ଅତି ପବିତ୍ର ମାନେ କରନ୍ତି, ତାହାକୁ ମା'ର ମାନ୍ୟତା ଦିଅନ୍ତି । ଏହି ନଦୀ ଭାରତ ମୋଟ ଜନସଂଖ୍ୟାର ପ୍ରାୟ ଅଧା ଲୋକଙ୍କର ଅସ୍ତିତ୍ବ ଓ ହାଲଚାଲ ସ୍ଥିର କରିବାରେ ଏକ ପ୍ରମୁଖ କାରକ । ନଦୀର ପ୍ରଚଣ୍ଡ ଆଧ୍ୟାତ୍ମିକ ଓ ଭୌତିକ ଉପାଦେୟତା ରହିଛି । ସିଏ ଜୀବନ୍ତ ପ୍ରାଣୀ ଓ ପ୍ରାକୃତିକ ସମ୍ପଦକୁ ସହାୟତା ଓ ସମ୍ପନକୁ କରିବା ସହିତ ସମୁଦାୟ ଜନଜୀବନକୁ ପୁସ୍ତ କରିଛୀ । ଗଙ୍ଗା ଓ ଯମୁନା ଯୋଗୁଁ ହିମାଳୟଠାରୁ ଆରମ୍ଭ କରି ସମୁଦ୍ର ଯାଏ ଜନସମୁଦାୟ ନିଜକୁ ବଞ୍ଚାଇ ରଖିଛନ୍ତି । ଗଙ୍ଗାନଦୀ ମରିଗଲେ ସମସ୍ତ ପ୍ରାଣୀ ଓ ପ୍ରକୃତି ମରିଯିବେ । ତେଣୁ ଗଙ୍ଗା ଓ ଯମୁନା ନଦୀ ତଥା ତାଙ୍କର ସମସ୍ତ ଶାଖାପ୍ରଶାକ ଜୀବନ୍ତ ରହିବ ଆବଶ୍ୟକ ।
ତାହାକୁ ଜୀବନ୍ତ ରଖିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଭାରତୀୟ ସମ୍ବିଧାନର ଧାରା ୪୮-କ ଏବଂ ୫୧-କ(ଛ) ଧାରା ଅନୁସାରେ ଗଙ୍ଗା ଓ ଯମୁନା ନଦୀକୁ 'କାନୂନୀ ବ୍ୟକ୍ତି'ର ମାନ୍ୟତା ପ୍ରଦାନ କରି ନଦୀ ତରଫରୁ ନମାମି ଗଞ୍ଜର ନିର୍ଦେଶକ, ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟ ସଚିବ ଓ ଉତ୍ତରାଖଣ୍ଡର ଆଡ଼ଭୋକେଟ ଜେନେରାଲଙ୍କୁ ଗଙ୍ଗା ଓ ଯମୁନା ନଦୀର ମାନବୀୟ ପ୍ରତିନିଧି ନିଯୁକ୍ତ କରିଛନ୍ତି । ଅର୍ଥାତ ଇମାନୀ ଗଙ୍ଗାନଦୀ ତରଫରୁ ତାହାର ଅଧିକାର ସାବ୍ୟସ୍ତ କରିବେ ତଥା ତାହାର ଦାୟିତ୍ୱ ମୁଣ୍ଡାଇବେ । ନିଉଜିଲାଣ୍ଡର ପାର୍ଲିଆମେଣ୍ଟ ମଧ୍ୟ ସେହିଭଳି ଏକ ନିଷ୍ପତ୍ତି ନେଇଛି । ବାଂଗନୁଈ ନଦୀର ପକ୍ଷ ନେଉଥିବା ଦୁଇଜଣ ଓକିଲ ନଦୀର ମାନବୀୟ ସତ୍ତା ଭାବରେ ଦାଇତ୍ୱ ନେଇ ତାହାର ଅଧିକାର ସାବ୍ୟସ୍ତ କରିବେ ତଥା ତାହାର ଦାୟିତ୍ୱ mundaibe, ଏହି ଦୁଇଜଣ ଓକିଲଙ୍କ ମଧ୍ୟରୁ ଜଣେ ମାଓରି ଜନଜାତିର ଓ ଅନ୍ୟଜଣେ ସରକାରଙ୍କ ଓକିଲ ରହିବେ । ମଧ୍ୟପ୍ରଦେଶ ସରକାର ବିଧାସଭାରେ ନର୍ମଦା ନଦୀ ଏକ ଜୀବନ୍ତ ସତ୍ତା ବୋଲି ପ୍ରସ୍ତାବଟିଏ ଅବଶ୍ୟ ପାରିତ କରାଇ ନେଇଛନ୍ତି କିନ୍ତୁ କିଛି ନ୍ୟାୟିକ ବ୍ୟବସ୍ଥା କରି ନାହାନ୍ତି । ଖୁବ ଶୀଘ୍ର ଏ ସମ୍ବନ୍ଧରେ ଏକ ବିଲ ଆଗତ ହେବ ବୋଲି ରାଜ୍ୟ ସରକାର କହିଛନ୍ତି ।
ତେବେ ନଦୀକୁ ପ୍ରଦାନ କରାଯାଉଥିବା ଏହିଭଳି ଅଧିକାରକୁ କେମିତି ଓ କେତେ ମାତ୍ରାରେ ସାବ୍ୟସ୍ତ କରାଯାଇପାରିବ ତାହାକୁ ନେଇ ସନ୍ଦେହ କିଛି କମ ନାହିଁ । ଏବେ ନଦୀକୁ ପ୍ରଦୂଷିତ କରିବା ମଣିଷକୁ ବିଷ ଖୁଆଇବା ସହିତ ସମାନ ଅପରାଧ ହେବ । ନଦୀର ପାଣିକୁ ଟାଣିନେବା ମଣିଷର ଅଙ୍ଗପ୍ରତ୍ୟଙ୍ଗକୁ ଲୁଟିବା ଶୀତ ସମାନ ହେବ । ନଦୀର ପାଣିକୁ ସମୁଦ୍ରଜୟେ ପ୍ରବାହିତ କରି ନ ଦେବା ମଣିଷକୁ ହତ୍ୟା କରିବା ଅପରାଧ ସହିତ ସମାନ ହେବ । ଯେଉଁଠି ଲୋକଙ୍କର ମାନବୀୟ ଅଧିକାର ଡହଡହ ହୋଲି ଭୁଲୁଣ୍ଠିତ ହୋଇଚାଲିଛି, ସେଇଠି ନଦୀ ତରଫରୁ ତାହାର ପ୍ରତିନିଧିମାନେ ଅଧିକାର ସାବ୍ୟସ୍ତ କରିବାରେ କେତେ ସମର୍ଥ ହେବେ ତାହାକୁ ନେଇ ସଂଶୟ ରହିଛି ।
କେବଳ ଗଙ୍ଗା ଯମୁନା ବା ବାଂଗନୁଈ ଓ ନର୍ମଦା ନୁହନ୍ତି, ପୃଥିବୀ ପୃଷ୍ଠରେ ବହିଯାଉଥିବା ସମସ୍ତ ନଦୀ ଓ ସମସ୍ତ ପ୍ରମୁଖ ଜଳଉତ୍ସର ଧାର୍ମିକ, ସାମାଜିକ ଓ ଭୌତିକ ଭୂମିକା ରହିଚିଇ । ତେଣୁ କେବଳ ଗଙ୍ଗା ଯମୁନା ନୁହନ୍ତି, ସମସ୍ତ ନଦୀ ଗୋଟିଏଗୋଟିଏ ଜୀବନ୍ତ ବ୍ୟକ୍ତି ଓ କାନୂନୀ ବ୍ୟକ୍ତି ଭାବରେ ଗଣାଯିବାର ଆବଶ୍ୟକତା ରହିଛି । ଓଡ଼ିଶାର ମହାନଦୀ, ବ୍ରମହାନଦୀ, ବୈତରଣୀ, ବଂଶଧାରା, ଋଷିକୂଲ୍ୟା ଆଦି ସମସ୍ତ ନଦୀର ସେହି ସମାନ ଚରିତ୍ର ଓ ବୈଶିଷ୍ଠ୍ୟ ରହିଛି । ତେଣୁ ଏହିସବୁ ନଦୀ ମଧ୍ୟ ସେହିଭଳି ବ୍ୟକ୍ତି ସତ୍ତାର ହକଦାର ।
ନଦୀକୁ ପ୍ରଦାନ କରାଯାଇଥିବା ଏହିଭଳି ଅଧିକାରର ଘଟଣାକ୍ରମକୁ ନେଇ ସମଗ୍ର ମାନବ ସଭ୍ୟତା ଉତ୍ସାହିତ ହେବ ଆବଶ୍ୟକ । ନଦୀ ମାନବର ପ୍ରଦ୍ୱୀଦ୍ୱନ୍ଦୀ ନୁହେଁ ସାତହାଇ ଅଟେ । ଏହି ଅଧିକାରର ଠିକ ଭାବରେ ଅନୁପାଳନ ହେଲେ ନଦୀ ଜଳର ବଣ୍ଟନକୁ ନେଇ ମଣିଷମଣିଷ ଭିତରେ ଦ୍ଵନ୍ଦ ରହିବ ନାହିଁ କି କୌଣସି ସଭ୍ୟତା ବିପଦଗ୍ରସ୍ତ ହେବ ନାହିଁ । ସରକାରମାନେ ଏ ଦିଗରେ ଆଗେଇ ଆସିବା ଦରକାର । ମଧ୍ୟପ୍ରଦେଶ ସରକାର ନର୍ମଦା ନଦୀର ବ୍ୟକ୍ତିସ୍ୱତ୍ତ୍ୱକୁ କାନୂନୀ ରୂପ ଦେଇ ନାହାନ୍ତି ସତ କିଂଫଟୁ ସେହି ନଦୀକୁ ନେଇ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି । ଅନ୍ୟ ରାଜ୍ୟ ମଧ୍ୟ ତହିଁରୁ ଉଦବୁଦ୍ଧ ହୋଇ ନଦୀ ଓ ନଦୀ ସଭ୍ୟତାକୁ ଆଗେଇ ନେବା ପାଇଁ ସବୁମନ୍ତେ ଉଦ୍ୟମ କରିବା ଆବଶ୍ୟକ ।
(This article was published in Dharitri on June 14, 2017. That can be accessed at: http://www.dharitri.com/Bhubaneswar/140617/p6.htm )
No comments:
Post a Comment