Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Monday, February 11, 2019

Risk-informed plan and action is essential to reduce disaster

 ‘Odisha has been a leader in disaster management, it is gearing to be a leader in risk-informed development’, said Bishnupada Sethy, Special Relief Commissioner in the concluding session of two-day long consultation on 'Risk-Informed Development'


Saying that ‘Changing scale, type and scope of disasters are giving more surprises now’, Special Relief Commissioner of Odisha Mr. Bishnupada Sethy emphasised that ‘there is no way that we can ignore risks and yet expect to reduce disaster distresses. Mr. Sethy was addressing in the inaugural session of two-day long state level consultation on ‘Risk Informed Development’ which started at Bhubaneswar on Friday. Senior officials government departments, district level offices associated with planning and disaster management, scientists and experts, civil society representatives working on disaster risk reduction discussed on the need and ways to integrate risks in planning and development action. The consultation focussed on eight important sectors – Health, Water, Sanitation, Education, Child Protection, Livelihoods, Food Security, Shelter & Infrastructure.

The consultation was jointly organised by Odisha State Disaster Management Authority (OSDMA), UNICEF, IAG and Oxfam India. The inaugural session on Friday - presided over by former member of Board of Revenue Dr. Aurobindo Behera; and addressed by Mr. Gagan Dhal, Agriculture Production Commissioner; Mr. Bishnupada Sethy, SRC & MD, OSDMA; Prof. Vinod Menon, Founder Member of National Disaster Management Authority (NDMA); UNICEF’s state head Ms. Monica Nelson - set the tone for the two-day long consultation.

Top officers including Agriculture Production Commissioner Gagan Kumar Dhal; Principal Secretary of Agriculture department Dr. Sourabh Garg; Senior officials of other departments; national and international experts like Prof. Vinod Menon; Prof. Chandran Ghosh of National Institute of Disaster Management; Director General of ICAR Dr. Trilochan Mahapatra; agriculture scientist and gene activist Ms. Suman Sahai; Dr. Somnath Hazra; Mr. P K Das; Mr. Pankaj Anand, Director of Oxfam India, UNICEF’s sector experts Dr. Vivek Virender Singh, Mr. Laxminarayan Nanda, Ms. Sipra Saxena; and other experts and researchers provided leads for discussion in the consultation.   


Dwelling on the backdrops of recent disasters and briefing on the objective of the consultation, Regional Manager of Oxfam India Mr. Akshaya Biswal said that development initiatives can affect us both ways as poor integration of risks will increase our disaster distress and good integration of risks will reduce our disaster risks; and hence this consultation expects to speed up coordinated actions to identify and integrate risks. Different sessions were moderated by Dr. Ambika Nanda, former UNDP state head and current CSR head of Tata Steel; Ms. Abha Mishra, UNDP state head; Ms. Kirti Mishra, chief of CRS; Dr. Vivek Virender Singh of UNICEF; and Mr. Manoranjan Behera, coordinator of IAG-Odisha. 

Oxfam India, UNICEF and IAG are committed to take the mandate of Risk Informed Development forward in close coordination with the OSDMA and other government and non-government agencies. 

Thursday, January 24, 2019

'ସକରାତ୍ମକତା' ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସ୍ୱାଗତଯୋଗ୍ୟ, ପ୍ରଧାନମନ୍ତ୍ରୀ ତହିଁରେ ନେତୃତ୍ୱ ଦିଅନ୍ତୁ


୨୦୧୮ ବର୍ଷର ଶେଷ 'ମନ କି ବାତ'ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ନକରାତ୍ମତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ 'ମନ କି ବାତ'ରେ ରଖିଥିବା ବିଚାରକୁ ନିଜର ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମତାର ଉଦାହରଣ ସୃଷ୍ଟିକରିବ। 

ନିଜର ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୁରେଇ ବା ବିରୋଧୀଙ୍କ ଟାହିଟାପରାକୁ ଆଦୌ ଗୁରୁତ୍ୱ ନ ଦେଇ ଯଦି ପ୍ରଧାନମନ୍ତ୍ରୀ ନିଜର ପାଞ୍ଚବର୍ଷର ଶାସନକାଳରେ ଆରମ୍ଭ କରିଥିବା ଅନେକ ଯୋଜନା କେମିତି ସୁଫଳ ଆଣିଛି ତାହା ଉପରେ ହିଁ ମନୋନିବେଶ କରିବେ ତେବେ ତାହା 'ସକରାତ୍ମକତା'ର ପ୍ରସାର ଦିଗରେ ଏକ ବିରାଟ ସଫଳତା ହେବ।
ଏହି ପ୍ରାୟ ପାଞ୍ଚବର୍ଷର ଶାସନକାଳରେ ଶ୍ରୀ ମୋଦି ଏତେ ଯୋଜନା ଆରମ୍ଭ କରିଛନ୍ତି ଯେ ସବୁ ଯୋଜନାର ଖବର ହୁଏତ ତାଙ୍କ ପାଖରେ ବି ନଥିବ। ତେବେ ଶ୍ରୀ ମୋଦି କିଛି ଖୁବ ପ୍ରଚାରିତ ଓ ବଡ ଯାକଯମକରେ ଆରମ୍ଭ ହୋଇଥିବା ଯୋଜନା, ଯଥା: କୃଷକଙ୍କ ଆୟ ଦୁଇଗୁଣ କରିବା, ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ଅଭିଯାନ, ମେକ ଇନ ଇଣ୍ଡିଆ, ବୁଲେଟ ଟ୍ରେନ, ଉଜ୍ଜ୍ଵଳା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମିଶନ ଭାଗିରଥି, ପ୍ରଧାନମନ୍ତ୍ରୀ ସାଂସଦ ଆଦର୍ଶ ଗ୍ରାମ, ନମାମି ଗଙ୍ଗେ, ଆୟୁଷ୍ମାନ ଭାରତ, ଉଡାନ, ବେଟି ବଚାଓ ବେଟି ପଢ଼ାଓ, ଷ୍ଟାର୍ଟ ଅପ ଇଣ୍ଡିଆ ଷ୍ଟାଣ୍ଡ ଅପ ଇଣ୍ଡିଆ ଆଦି ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେଇ ପାରନ୍ତି। କିଛି ଅତି ପ୍ରମୁଖ ଯୋଜନା ବିଷୟରେ ଲୋକଙ୍କୁ ଜଣାଇ ସକରାତ୍ମକତାର ଏକ ନୂଆ ଉଦାହରଣ ସୃଷ୍ଟି କରିବାର କେମିତି ଅପୂର୍ବ ସୁଯୋଗ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି ତାହାର କିଛି ଉଦାହରଣ ଏହି ଆଲେଖ୍ୟରେ ଦେଉଛୁ।


ପ୍ରଥମେ ଆସିବା 'ଚାଷୀଙ୍କ ଆୟ ଦୁଇଗୁଣ' ଯୋଜନାକୁ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୮.୨.୨୦୧୬ ତାରିଖରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବା ତାଙ୍କର ଲକ୍ଷ୍ୟ। ନୀତି ଆୟୋଗ ହିସାବ କରିଛି ଯେ ୨୦୧୫-୧୬କୁ ମୂଳ ବର୍ଷ ଭାବରେ ନେଲେ ୨୦୨୨-୨୩ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ହେଲେ କୃଷିକ୍ଷେତ୍ରରେ ବାର୍ଷିକ ହାରାହାରି ୧୦.୪% ହାରରେ ଅଭିବୃଦ୍ଧି ହେବା ଦରକାର। ନୀତି ଆୟୋଗ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆଶା ରଖିଛନ୍ତି। ତେବେ ବିରୋଧୀ ଓ ଅନେକ ଜ୍ଞାନୀ କହୁଛନ୍ତି ଯେ ବଢିବା ଦୂରର କଥା ମୋଦିଙ୍କ ଶାସନରେ କୃଷିକ୍ଷେତ୍ରରେ ଅଭିବୃଦ୍ଧିହାର ଅନେକ ଧିମେଇ ଯାଇଛି। ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି କହିଛନ୍ତି ଯେ ୟୁ.ପି.ଏ.୨ ଶାସନର ପ୍ରଥମ ଚାରିବର୍ଷରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ଥିଲା। ମୋଦିଙ୍କ ଶାସନର ପ୍ରଥମ ୪ବର୍ଷରେ ଏହି ହାର ଅଧାରୁ ଅଧିକ ଖସି ମାତ୍ର ୨.୫% ରହିଛି। ଏବେ ପ୍ରଧାନମନ୍ତ୍ରୀ ଲୋକଙ୍କ ଆୟ ଆଉ ତିନିବର୍ଷରେ କେମିତି ଦୁଇଗୁଣ ହେବ ତାହା କହି ସକରାତ୍ମକତାର ଏକ ସୁନ୍ଦର ବାର୍ତ୍ତା ଦିଅନ୍ତୁ।    

ଏହାପରେ ଆସିବା 'ସ୍ମାର୍ଟ ସିଟି' ଯୋଜନାକୁ। ସରକାରକୁ ଆସିବା ମାତ୍ରେ ୨୦୧୪ ମସିହାରେ ଶ୍ରୀ ମୋଦି 'ସ୍ମାର୍ଟ ସିଟି'ର ନାରା ଧରିଥିଲେ। ତେବେ ଏହି ଯୋଜନା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ୨୦୧୬ ମସିହା ଜୁନ ୨୫ ତାରିଖରେ। ଏହି ଯୋଜନା ଅନୁସାରେ ଦେଶର ୧୦୦ଟି ସହରରେ ଲୋକଙ୍କ ରହଣୀ ଓ ସ୍ଵାଚ୍ଛନ୍ଦ୍ୟକୁ ଏକ ଅତି ଉନ୍ନତ ସ୍ଥିତିକୁ ଅଣାଯିବ ଯାହା ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ହେବ। 'ସ୍ମାର୍ଟ ସିଟି' ଯୋଜନା ଅଧୀନରେ କିଛି ମୌଳିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିବାର ଉଦ୍ଦେଶ୍ୟ ଥିଲା - ଯଥା ପର୍ଯ୍ୟାପ୍ତ ପାଣି, ନିରନ୍ତର ବିଜୁଳି, ସ୍ୱଚ୍ଛ ପରିମଳ ଓ ବର୍ଜ୍ୟ ପରିଚାଳନା, ଉନ୍ନତ ସହରୀ ଗମନାଗମନ ବ୍ୟବସ୍ଥା, ସମସ୍ତେ ଏପରିକି ଗରିବ ମଧ୍ୟ କିଣିପାରୁଥିବା ଘର, ପ୍ରଯୁକ୍ତି ଓ ଜ୍ଞାନକୌଶଳର ବଳିଷ୍ଠ ଉପଯୋଗ, ଭାଗିଦାରିଭିତ୍ତିକ ଶାସନ ବ୍ୟବସ୍ଥା, ଉନ୍ନତ ପରିବେଶ ଏବଂ ସମସ୍ତଙ୍କ ସୁରକ୍ଷା ଇତ୍ୟାଦି। ଗତ ଜାନୁଆରୀ ୩ ତାରିଖରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ରାଉଣ୍ଡରେ 'ସ୍ମାର୍ଟ ସିଟି' ହିସାବରେ ନିଆହୋଇଥିବା ସହରମାନଙ୍କରେ ଆସନ୍ତା ୨୦୨୦-୨୧ ସୁଦ୍ଧା ସମସ୍ତ ପ୍ରକଳ୍ପ ସାରିବାର ଯୋଜନା ଅଛି। ବିରୋଧୀମାନେ ଅବଶ୍ୟ ନକରାତ୍ମକତା ଦେଖାଇ କହନ୍ତି ଯେ  'ସ୍ମାର୍ଟ ସିଟି' ଏକ ପ୍ରହେଳିକା ଓ ଏହାର କାର୍ଯ୍ୟାନ୍ୱୟନ ହାର ଅତି ମନ୍ଥର। ରାଜ୍ୟସଭାର ସେହି ଉତ୍ତରରେ ସରକାର କହିଛନ୍ତି ଯେ ୨୦୫,018 କୋଟି ଟଙ୍କାର ମୋଟ ପ୍ରକଳ୍ପ ମଧ୍ୟରୁ ୫୨,୮୬୬ କୋଟି ଟଙ୍କାର ପ୍ରକଳ୍ପର କାମ ଆରମ୍ଭ ହୋଇଛି ବା ସରିଛି। ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସକରାତ୍ମକତା ଦେଖାଇ  'ସ୍ମାର୍ଟ ସିଟି' କେମିତି ପରିବର୍ତ୍ତନ ଆଣିପାରିଛି ତାହା ଲୋକଙ୍କୁ ଜଣାନ୍ତୁ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆଉ ଏକ ମହତ୍ୱାକାଂକ୍ଷୀ ଯୋଜନା ଥିଲା ସ୍ୱଚ୍ଛ ଭାରତ ଅଭିଯାନ। ୨୦୧୪ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ ୨୦୧୯ ଗାନ୍ଧୀ ଜୟନ୍ତୀରେ,ବା ଆଉ ପ୍ରାୟ ୮ମାସରେ, ଭାରତରେ କେହି ପଦାରେ ମଳତ୍ୟାଗ କରୁ ନଥିବେ। ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟସଭାରେ ସରକାର କହିଛନ୍ତି ଯେ ଡିସେମ୍ବର ୨୦୧୮ ସୁଦ୍ଧା ଦେଶର  ୯.୦୫କୋଟି ଘରୋଇ ପାଇଖାନା ତିଆରି ହୋଇସାରିଛି। ବିରୋଧୀ ଅବଶ୍ୟ କହନ୍ତି ଯେ ତଥ୍ୟଠାରୁ ସତ୍ୟ ସମ୍ପୂର୍ଣ୍ଣ ଭିନ୍ନ। ତେବେ ସରକାର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ବାହ୍ୟ ମଳମୂକ୍ତ ବୋଲି ଘୋଷଣା କରିସାରିଲେଣି। ଯଦି ତଥ୍ୟଠାରୁ ସତ୍ୟ ଭିନ୍ନ ନୁହେଁ ତେବେ ସକାରାତ୍ମକତାର ବାଣୀକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାରେ ଏହାଠୁ ବଡ ଉପଲବ୍ଧି ବା କ'ଣ ହୋଇପାରେ! 

ପ୍ରଧାନମନ୍ତ୍ରୀ ଭାବରେ ଲାଲକିଲ୍ଲାରୁ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣରେ 'ମେକ ଇନ ଇଣ୍ଡିଆ'ର ଆହ୍ୱାନ ଦେଇ ଶ୍ରୀ ମୋଦି ବିଶ୍ୱର ନିର୍ମାତା ଓ ପୁଞ୍ଜିପତିଙ୍କୁ ଡାକିଥିଲେ, 'ଆସ, ଭାରତରେ ନିର୍ମାଣ କର ଓ ଯେଉଁଠି ବିକିବାର ଅଛି ନେଇକି ବିକ'। ଅତି ସୁନ୍ଦର ଉଦ୍ଦେଶ୍ୟ - ବିଶ୍ବରେ ଭାରତର ନାଁ, ଭାରତୀୟମାନଙ୍କୁ ରୋଜଗାର ଓ ଭାରତୀୟ ଆର୍ଥିକସ୍ଥିତି ସୁଦୃଢ ହେବାର ତାହା ମାଧ୍ୟମ ହୋଇଥାନ୍ତା। ଅବଶ୍ୟ ବିରୋଧୀ ତଥା ଅନେକ ଅର୍ଥନୀତିଜ୍ଞ କହୁଛନ୍ତି ଯେ 'ମେକ ଇନ ଇଣ୍ଡିଆ' କେବଳ ସାଇନବୋର୍ଡ଼ରେ ସୀମିତ ଏବଂ ଭାରତରୁ ରପ୍ତାନି ବଢିବା ବଦଳରେ କମିବାରେ ଲାଗିଛି। ୨୦୧୪ରେ ବା ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା ବର୍ଷରେ ଭାରତ ୩୧୮.୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ରପ୍ତାନି କରିଥିଲା। ୨୦୧୭ରେ ତାହା ୨୭୫.୮ ବିଲିୟନ ଆମେରିକୀୟ ଡଲାରକୁ ଖସି ଆସିଥିଲା। ତେବେ, ପ୍ରଧାନମନ୍ତ୍ରୀ ସକରାତ୍ମକତାର ପରିପ୍ରକାଶ କରି ବାସ୍ତବ ସ୍ଥିତି ବିଷୟରେ ଲୋକଙ୍କୁ ବୁଝାଇଲେ ତାହା ଉଦାହରଣ ହେବ।


ପ୍ରଧାନମନ୍ତ୍ରୀଙ୍କ ପାଖରେ ସେ ଆରମ୍ଭ କରିଥିବା ଯୋଜନାମାନଙ୍କର ଭଣ୍ଡାର ଅଛି । ତେଣୁ ତାଙ୍କ ପାଖରେ ସକରାତ୍ମକତାର ବିଚାରକୁ ଆଚାରରେ ପରିଣତ କରିବାର ବିଶାଳ ସାଧନ ମଧ୍ୟ ରହିଛି । ଏଇ ନିକଟରେ ଏକ ମାମଲାର ବିଚାର ଚାଲିଥିବା ବେଳେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ରଞ୍ଜନ ଗୋଗୋଇ କୁଆଡେ ବିଶିଷ୍ଟ ଓକିଲ ଶ୍ରୀ ପ୍ରଶାନ୍ତ ଭୁଷଣଙ୍କୁ କହିଲେ ଯେ 'ସବୁକୁ ଆଶାବାଦୀ ବା ସକାରାତ୍ମକ ଦୃଷ୍ଟିରେ ଦେଖିବା ଆରମ୍ଭ କରନ୍ତୁ, ଦେଖିବେ ସମାଜ ସୁନ୍ଦର ଦେଖାଯିବ'। ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ  ଭଳି ବ୍ୟକ୍ତି 'ସକରାତ୍ମକତା'ର ବାଣୀ ଦେବା ଅତି ସ୍ୱାଗତଯୋଗ୍ୟ। ତେବେ ବାଣୀ ନୁହେଁ, ଠାଣିରେ ତାହା ରୂପାନ୍ତରିତ ହେବା  ହିଁ ବାସ୍ତବ ସକରାତ୍ମକତା। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ତାହା କରି ଦେଖାଇବେ ବୋଲି ଆଶା ରଖିଲେ ବୋଧେ ଅସମୀଚୀନ ହେବ ନାହିଁ।  

( This piece was originally published in my 'Tatwa O Tarka' column in Dharitri on January 23, 2019. That can be accessed at http://dharitriepaper.in/edition/1994/bhubaneswar/page/6 )

Wednesday, October 10, 2018

ସରକାରମାନଙ୍କୁ ପରଖିବାର ମହାପର୍ବ ଆସିଲା


ପାଞ୍ଚଟି ରାଜ୍ୟରେ ନିର୍ବାଚନର ବିଗୁଲ ବାଜିଗଲା। ଆଉ କିଛି ମାସରେ ଲୋକସଭା ନିର୍ବାଚନର ବିଗୁଲ ବି ବାଜିଯିବ। ନେତା ତ ସେମିତି ଗର୍ଜୁଛନ୍ତି, ଆହୁରି ଗର୍ଜିବେ। ଭଲ ହୁଅନ୍ତା ଯଦି ଜାତି, ଧର୍ମ, ବ୍ୟକ୍ତିଗତ ସ୍ତରକୁ ବିମର୍ଷ ଓ ଆକ୍ଷେପ ନ ଖସି ନୀତି ଓ ସ୍ଥିତି ଉପରେ ତର୍କ ହୁଅନ୍ତା। ଯଦି ଗଣତନ୍ତ୍ରର ଏହି ମହାଋତୁରେ ଆମେ ଆମକୁ ଶାସନ କରୁଥିବା ଦଳମାନଙ୍କୁ ପରଖିବା ତେବେ ପାଇବା ଯେ ପ୍ରାୟ ସବୁ ଦଳ ଆମକୁ ଠକି ଚାଲିଛନ୍ତି। ବିରୋଧୀ ଦଳ ସେଭଳି ତର୍କ ଉପରେ ହିଁ ଜୋର ଦେଲେ ମୋଦି ଓ ଅମିତ ଶାହା ନେତୃତ୍ୱାଧୀନ ଭାରତୀୟ ଜନତା ଦଳ ଖୁବ ଅଡୁଆରେ ପଡ଼ିବା ନିଶ୍ଚିତ। ସେଭଳି କିଛି ଆଡୁଆର ଚର୍ଚ୍ଚା କରିବା ଏଠାରେ।


ପ୍ରଥମେ ଆସିବା ତୈଳ ଦରକୁ। ୨୦୧୩-୧୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ଭାରତୀୟ ଜନତା ଦଳର ସମସ୍ତ ନେତା ପେଟ୍ରୋଲ ଡିଜେଲ ଦରକୁ ନେଇ ତତ୍କାଳୀନ ମନମୋହନ ସିଂ ସରକାର ଉପରେ ପ୍ରବଳ ଆକ୍ଷେପ କରୁଥିଲେ। ସେତେବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦରରେ ନିଆଁ ଲାଗିଥିଲା। ତଥାପି ବି ମୋଦି ସମେତ ସମସ୍ତେ ଦୋଷ ୟୁପିଏ ସରକାର ଉପରେ ହିଁ ଲଦିବାରେ ଟିକିଏ ବି ହେଳା କରୁ ନଥିଲେ। ଆକ୍ଷେପର ସୀମା ଅତି ତଳକୁ ଖସି ଯାଇଥିଲା। ବିଜେପି ନେତା ତୈଳଦରକୁ ୟୁପିଏ ସରକାରରେ ଥିବା ନେତାଙ୍କ ବୟସ ସହିତ ତୁଳନା କରିବାକୁ ବି ପଛେଇ ନ ଥିଲେ। ୨୦୧୧ ଫେବୃଆରୀରୁ ୨୦୧୪ ଅଗଷ୍ଟ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ତୈଳଦର ବ୍ୟାରେଲ ପ୍ରତି ୧୦୦ ଡଲାରରୁ ଅଧିକ ରହିଥିଲା। ଏପ୍ରିଲ ୨୦୧୧ ଓ ମାର୍ଚ୍ଚ ୨୦୧୨ରେ ଆନ୍ତର୍ଜାତୀୟ ବଜାରରେ ତୈଳଦର ୧୩୦ ଡଲାରକୁ ଛୁଇଁଥିଲା। ଜୁନ ୨୦୧୪ରୁ ଆନ୍ତର୍ଜାତୀୟ ବଜାରରେ ତେଲଦର ହଠାତ ପ୍ରବଳ ଖସିବା ଆରମ୍ଭ ହେଲା। ୨୦୧୪ ମସିହା ଜୁନ ୧୯ ତାରିଖରେ ୧୧୬ ଡଲାର ଥିଲା। ମାତ୍ର ୬ମାସରେ ତାହା ୪୫ ଡଲାରକୁ ଖସିଆସିଲା। କିଛି ଦିନ ସାମାନ୍ୟ ବଢିବା ପରେ ୨୦୧୬ ମସିହା ଜାନୁୟାରୀ ୧୯ତାରିଖରେ ତାହା ୨୮ ଡଲାରକୁ ଖସି ଆସିଲା। ତୈଳଦର କମିଥିବା ବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ମୋଦି ଖସୁଥିବା ତୈଳଦରକୁ ନିଜର ଭାଗ୍ୟସହ ଯୋଡି ଜନତାଙ୍କୁ କହିଥିଲେ ଭାଗ୍ୟବାନ ଅର୍ଥାତ ତାଙ୍କୁ ଭୋଟ ଦିଅ। ଅନ୍ତର୍ଜାତୀୟ ବଜାରରେ ଦର ଖସିଥିବା ସୁଯୋଗରେ ସରକାର ପେଟ୍ରୋଲ ଡିଜେଲକୁ ନିୟନ୍ତ୍ରଣମୁକ୍ତ କରିଦେଲେ ଏବଂ ପେଟ୍ରୋଲ ବିକ୍ରୟକାରୀ କମ୍ପାନୀମାନେ ନିଜେ ଦର ସ୍ଥିର କରିବା ଆରମ୍ଭ କଲେ। କେବଳ ପେଟ୍ରୋଲ ଡିଜେଲକୁ ନିୟନ୍ତ୍ରଣମୁକ୍ତ କଲେନି, ତା'ସହିତ ଏକ୍ସାଇଜ ଡ୍ୟୁଟିକୁ ମଧ୍ୟ ଅନେକ ବଢ଼ାଇଦେଲେ। ଏବେ ଭାରତରେ ତୈଳଦର ପ୍ରାୟ ପ୍ରତିଦିନ ନୂଆ ରେକର୍ଡ କରୁଛି। ସେତେବେଳେ ସମସ୍ତ ଦୋଷ ୟୁପିଏ ସରକାର ଉପରେ ଲଦୁଥିବା ଭାରତୀୟ ଜନତା ପାର୍ଟିର ନେତାଗଣ ଏବେ ଆନ୍ତର୍ଜାତୀୟ ବଜାରକୁ ଦାୟୀ କରୁଛନ୍ତି। ବ୍ରେଣ୍ଟ ତୈଳଦର ଏବେ ଆସି ପହଞ୍ଚିଛି ୮୫ ଡଲାରରେ। ଆନ୍ତର୍ଜାତୀୟ ବଜାରରେ ତୈଳଦର ଏବେ ମଧ୍ୟ ୟୁପିଏ ସରକାର ବେଳର ଦରଠାରୁ ଢେର କମ ଅଛି। କିନ୍ତୁ ଦେଶ ଭିତରେ ତୈଳଦରରେ ନିଆଁ ଲାଗିଛି।

ଏବେ ଆସିବା ଭାରତର ମୁଦ୍ରା 'ଟଙ୍କା'ର ସ୍ଥିତିକୁ। ମନମୋହନ ସିଂ ସରକାର ଶେଷଆଡକୁ ଟଙ୍କାର ମୂଲ୍ୟରେ ତୀବ୍ର ହ୍ରାସ ହେବା ମୋଦିଙ୍କୁ ଏକ ବଢିଆ ସୁଯୋଗ ଦେଇଥିଲା। ମୁଦ୍ରାର ବିନିମୟ ହାର ଅନେକ କାରଣ ଉପରେ ନିର୍ଭର କରେ କିନ୍ତୁ  ମୋଦି ଓ ଭାରତୀୟ ଜନତା ପାର୍ଟିର ନେତା ସବୁ ଦୋଷ ଲଦିଥିଲେ 'ଦିଲ୍ଲୀରେ ଶାସନ କରୁଥିବା' ତତ୍କାଳୀନ ସରକାର ଉପରେ। ଏହା ବି କହିବାକୁ ପଛାଇ ନଥିଲେ ଯେ 'ଏବେ ଟଙ୍କା ଓ ୟୁପିଏ ସରକାର ଭିତରେ ନିଜର ଇଜ୍ଜତକୁ ମୁକୁଳା କରିବାର ପ୍ରତିଯୋଗିତା ଲାଗିଛି'। ଏବେ ଟଙ୍କାର ଅବସ୍ଥା ଅତି ସାଙ୍ଘାତିକ। ପ୍ରତିଦିନ ଅଧିକ ଦୁର୍ବଳ ହେବାର ନୂଆ ରେକର୍ଡ କରିଚାଲିଛି। ମନମୋହନ ସିଂ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବାବେଳେ ଗୋଟେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଥିଲା ୪୫ଟଙ୍କା। ତାଙ୍କର ୧୦ବର୍ଷର ଶାସନକାଳ ସରିବାବେଳକୁ ଟଙ୍କା ଦୁର୍ବଳ ହୋଇ ୫୯ଟଙ୍କାକୁ ଖସି ଆସିଥିଲା। ଅର୍ଥାତ ୧୦ ବର୍ଷରେ ଟଙ୍କା ୧୪ଟଙ୍କା ଦୁର୍ବଳ ହୋଇଥିଲା। ମୋଦିଙ୍କ ଶାସନକାଳ ୫ବର୍ଷ ବି ପୁରା ହୋଇନାହିଁ। ଟଙ୍କା ତଳିତଳାନ୍ତ ହୋଇ ଡଲାର ତୁଳନାରେ ୭୪ଟଙ୍କାକୁ ଖସିଆସିଲାଣି। ଅର୍ଥାତ ମନମୋହନ ସିଂ ସରକାର ବେଳେ ଟଙ୍କା ଯେତିକି ଦୁର୍ବଳ ହୋଇଥିଲା ମୋଦି ସରକାରର ୫ବର୍ଷରୁ କମ ସମୟରେ  ମଧ୍ୟ ତାହାଠୁ ଅଧିକ ଦୁର୍ବଳ ହେଲାଣି। ହାରାହାରି ହିସାବରେ ମନମୋହନ ସିଂ ସରକାରର ୧୦ବର୍ଷର ଶାସନ ସମୟରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ବାର୍ଷିକ ହାରାହାରି ୨.୭% ହାରରେ ଦୁର୍ବଳ ହୋଇଥିଲା ବେଳେ ମୋଦିଙ୍କ ଶାସନରେ ତାହା ବାର୍ଷିକ ହାରାହାରି ୪.୭% ହାରରେ ଦୁର୍ବଳ ହୋଇଚାଲିଛି।

ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ପଛରେ ସବୁଠାରୁ ବଡ କାରଣ ହେଲା ଦେଶର 'କରେଣ୍ଟ ଆକାଉଣ୍ଟ'ର ସ୍ଥିତି। କରେଣ୍ଟ ଆକାଉଣ୍ଟ ହେଲା ଦେଶର ରପ୍ତାନି ଓ ଆମଦାନୀର ସ୍ଥିତି। ଯଦି ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ହୁଏ ତେବେ କରେଣ୍ଟ ଆକାଉଣ୍ଟ ଡେଫିସିଟ କୁହାଯାଏ। ମନମୋହନ ସିଂ ସରକାରର ଶେଷ ବର୍ଷରେ ବା ୨୦୧୪ରେ ଦେଶର ଜି.ଡି.ପି. ତୁଳନାରେ କରେଣ୍ଟ ଆକାଉଣ୍ଟ ଡେଫିସିଟ ଥିଲା ୧.୧%। ୨୦୧୫ ମସିହାରେ ତେଲ ଦର  ଖସିବା କାରଣରୁ ତାହା ୦.୬%କୁ ଖସିଥିଲା। କିନ୍ତୁ ଦେଶର ରପ୍ତାନି ହାର କମିଚାଲିବା କାରଣରୁ କରେଣ୍ଟ ଆକାଉଣ୍ଟ ଡେଫିସିଟ ପୁଣି ବଢିବା ଆରମ୍ଭ କଲା ଏବଂ ଗତ ଜୁନ ମାସରେ ସରିଥିବା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ତାହା ୨.୪%କୁ ବଢି ସାରିଥିଲା। ଜୁନ ପରେ ତେଲ ଦର ଖୁବ ବଢିଛି ଓ ଟଙ୍କା ପ୍ରବଳ ଦୁର୍ବଳ ହୋଇଛି ତେଣୁ ସେପ୍ଟେମ୍ବର ତ୍ରୟମାସରେ କରେଣ୍ଟ ଆକାଉଣ୍ଟ ଡେଫିସିଟ ୨.୮%କୁ ବଢିସାରିଥିବ ବୋଲି ଆକଳନ ହୋଇଛି। ଏହାର ଅର୍ଥ ହେଲାଯେ ମନମୋହନ ସିଂ ସରକାରର ଶେଷ ବର୍ଷରେ ପ୍ରାକୃତିକ ତୈଳ ଦର ବର୍ତ୍ତମାନଠାରୁ ଅତିକମରେ ୨୫% ଅଧିକ ଥାଇ ମଧ୍ୟ କରେଣ୍ଟ ଆକାଉଣ୍ଟ ସ୍ଥିତି ଭଲ ଥିଲା। ମୋଦି ସରକାରରେ ତାହା ଭୟଙ୍କର ଭାବରେ ଦୟନୀୟ ହୋଇଛି।  


କେବଳ ଭାରତର ଆର୍ଥିକ ସ୍ଥିତି ଖରାପ ହୋଇନାହିଁ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମୋଦି କରିଥିବା ଅନେକ ଘୋଷଣାର ରୂପାୟନକୁ ନେଇ ମୋଦି ଓ ଏନ.ଡି.ଏ. ସରକାରକୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ଉପାଦାନ ଭରି ରହିଛି। ଉଦାହରଣସ୍ୱରୂପ, ଯୁବତୀଯୁବକଙ୍କୁ ରୋଜଗାର, କୃଷକଙ୍କ ଲାଭ ଦୁଇଗୁଣ କରିବା, ସ୍ୱଚ୍ଛତା ଓ ପାରଦର୍ଶିତାକୁ ନେଇ ମୋଦି ସରକାରଙ୍କୁ ଘେରିପାରିବେ ବିରୋଧୀ ଦଳ।  ଏପରିକି ମୋଦିଙ୍କ ନିଜର କିଛି ଅତି ପ୍ରିୟ ଯୋଜନା, ଯଥା - ଗଙ୍ଗା ନଦୀ ସଫେଇ ଓ ନବଜୀବନ, ସ୍ମାର୍ଟ ସିଟି, ବୁଲେଟ ଟ୍ରେନ, ସ୍ୱଚ୍ଛ ଭାରତ ଯୋଜନା ଓ ଉଜ୍ବଳା ଭଳି  ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି ବା ଖୁବ ବାଟବଣା ହୋଇସାରିଛି।

କେବଳ ମୋଦି ସରକାର ନୁହେଁ, ଦେଶର ପ୍ରାୟ ସମସ୍ତ ରାଜ୍ୟ ସରକାର ଏବେ ପ୍ରଚାର ସର୍ବସ୍ବ ହୋଇଗଲେଣି। ମୂଳ ତତ୍ତ୍ୱରୁ ଲୋକଙ୍କ ଦୃଷ୍ଟି ଅନ୍ୟଆଡ଼କୁ ଟାଣିବାର ପ୍ରୟାସ ସବୁବେଳେ ଚାଲିଛି। ଅନେକ ଲୋକ ସେହିଭଳି ପ୍ରଚାରରେ ଭ୍ରମିତ ହୋଇଯାଆନ୍ତି। ସତ୍ୟ ବାଟବଣା ହୋଇଯାଏ। କିନ୍ତୁ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଶାଛଡା ହେବା ଉଚିତ ନୁହେଁ। ସରକାରର କଥା ଓ କାର୍ଯ୍ୟକୁ ପରଖି ନିଜର ମତ ଦେବାର ଏହା ଅନେକ ସୁଯୋଗ ଦେଇଥାଏ। ତେଣୁ ପାଞ୍ଚଟି ରାଜ୍ୟର ବିଧାନସଭା ତଥା ଆସନ୍ତା ଲୋକସଭା ନିର୍ବାଚନକୁ ଆଶାର ନଜରରେ ଦେଖିବା ସହ ଏହା ମଧ୍ୟ ଆଶା କରିବା ଯେ ରାଜନୈତିକ ଦଳମାନେ ବିଦ୍ବେଷ ଓ ନକରାତ୍ମକତାରୁ ଉର୍ଦ୍ଧ୍ୱକୁ ଯାଇ ତର୍କ ଓ ଶାଳୀନତାର ସୀମାକୁ ଆପଣାଇନେବେ। ଆଉ ଏହା ମଧ୍ୟ ଆଶା କରିବା ଯେ ଲୋକେ ଆଖି ଝଲସା ପ୍ରଚାରରେ ଭାସି ନ ଯାଇ ଗଣତନ୍ତ୍ରର ଏହି ମହାପର୍ବରେ ଆମକୁ ଶାସନ କରୁଥିବା ବା ଶାସନ କରିବାକୁ ଇଛୁକ ଥିବା ରାଜନୈତିକ ଦଳ ଓ ନେତାଙ୍କୁ ସତ୍ୟତା ଓ ତାର୍କିକତାର ତରାଜୁରେ ପରଖିବେ।