ମହାନଦୀ ଓ
ହୀରାକୁଦକୁ ନେଇ ଦୁଇ ପଡୋଶୀ ରାଜ୍ୟ ସରକାର ଯେତେବେଳେ
ବିବାଦରେ ପଶିସାରିଛନ୍ତି, ସେତେବେଳେ ଉଭୟ
ରାଜ୍ୟର ସରକାରୀ କଳ ମଧ୍ୟ ସ୍ଥିତିର ସଠିକ ଓ ଯଥାର୍ଥ ଆକଳନ କରିବା ନେଇ ତାଙ୍କର ଥିବା ମୂଳ ଦାୟିତ୍ୱକୁ
ଗୋଇଠା ମାରି ବିଭ୍ରାନ୍ତିକର ତଥ୍ୟସବୁ ଦେଉଛନ୍ତି। ପୂର୍ବ ଆଲେଖ୍ୟରେ ଆମେ ସେମିତି କିଛି ତଥ୍ୟର ଆଲୋଚନା କରିଥିଲେ। ଏଥର ଆଉକିଛିର
ଆଲୋଚନା କରିବା।
ନିକଟରେ ଓଡିଶା
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ଯେ ଗତ
ଅଣ-ମୌସୁମୀ ଋତୁର ନଭେମ୍ବରରୁ ମେ ମାସଯାଏ, ପ୍ରତ୍ୟେକଟି ମାସରେ, ହୀରାକୁଦକୁ ପ୍ରବେଶ
କରିଥିବା ଜଳ ପୂର୍ବ ଦଶ ବର୍ଷର ହାରାହାରିଠାରୁ ୪୧.୧%, ୩୨.୯%,୩୦.୯%, ୩୯.୨%, ୨୭.୬%, ୭୩% ଓ ୭୭.୮% କମଥିଲା। ଯେତେବେଳେ ହୀରାକୁଦକୁ ଜଳପ୍ରବାହ ଏତେଅଧିକ ହ୍ରାସ ପାଇଛି ବୋଲି ଓଡିଶା ସରକାର ନିଜେ
କହିଲେ ତାହା ଖବରର ଶିରୋନାମା ହେବା ସ୍ୱାଭାବିକ। ଏହିଭଳି ତୁଳନା ଦେଇ ସର୍ବୋଚ୍ଚ ଯନ୍ତ୍ରୀ ସିଧା
କହିଛନ୍ତି ଯେ ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ଆନିକଟ ବାନ୍ଧି ପାଣି ଅଟକାଇବାରୁ ଅଣ-ମୌସୁମୀ
ଋତୁରେ ଜଳପ୍ରବାହ ଏତେ ଅଧିକ କମିଛି। ସେହିଭଳି ତଥ୍ୟ ଦେଲାବେଳେ ଏହା ଧ୍ୟାନ ରଖିବା ଦରକାର ଯେ ଅପରପକ୍ଷ ତଥ୍ୟର ତର୍ଜମା କରିବା
ନିଶ୍ଚିତ। ଆନିକଟ କାରଣରୁ ତଥା ଶିଳ୍ପସଂସ୍ଥାମାନ ଜଳଟାଣିବା
ଆରମ୍ଭ କରିଥିବାରୁ ଜଳପ୍ରବାହ ନିଶ୍ଚିତ କମିଥିବ। କିନ୍ତୁ ଜଳପ୍ରବାହ ପ୍ରକୃତରେ କମିଛି ଓ ଆନିକଟମାନଙ୍କ
ଯୋଗୁଁ ତାହା କମିଛି, ଏହା ସ୍ଥାପିତ କରିବାରେ ଓଡିଶା ରାଜ୍ୟ ଜଳସମ୍ପଦ ବିଭାଗ
ଏଯାଏ ପୁରା ବିଫଳ ହୋଇଛି।
ଯେଉଁ
ପରିସଂଖ୍ୟାନକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦକୁ ଜଳପ୍ରବାହ ବିଶେଷ କମିଥିବାର କହିଛନ୍ତି,
ସେହି ପରିସଂଖ୍ୟାନରୁ
ସମ୍ପୂର୍ଣ୍ଣ ବିପରୀତ ଯୁକ୍ତି ବି ମିଳୁଛି। ଗତ ବର୍ଷର ମାସର ଜଳପ୍ରବେଶ ହୀରାକୁଦର ଇତିହାସରେ ସର୍ବନିମ୍ନ ଜଳପ୍ରବେଶର ରେକର୍ଡ
କରିନାହିଁ। ଗତ ନଭେମ୍ବରରୁ ମେ ମାସ ମଧ୍ୟରେ ହୀରାକୁଦକୁ ସମୁଦାୟ
ଯେତେ ପାଣି ପ୍ରବେଶ କରିଛି ହୀରାକୁଦ ବନ୍ଧ ଇତିହାସର ୫୮
ବର୍ଷମଧ୍ୟରୁ ୧୩ଟି ବର୍ଷରେ ଏହାଠାରୁ କମ ଜଳ ଆସିଥିଲା। ତେଣୁ ଜଣେ
କହିପାରିବ ଯେ ଚଳିତବର୍ଷର ଅପେକ୍ଷାକୃତ କମ ପ୍ରବାହରେ ନୂଆ କିଛି ନାହିଁ।
ନଭେମ୍ବରରୁ ମେ
ମାସକୁ ଅଣ-ମୌସୁମୀ ଋତୁ ବୋଲି ଧରିଲେ, ପୂର୍ବର ୫୮ରୁ ୧୩ଟି
ବର୍ଷରେ ଏହାଠାରୁ କମ ଜଳ ଆସିଥିଲା କିନ୍ତୁ ହୀରାକୁଦ ଜଳଭଣ୍ଡାର ପ୍ରସଙ୍ଗରେ ନଭେମ୍ବରରୁ ମେ ମାସ
ନୁହେଁ ବରଂ ଅକ୍ଟୋବରରୁ ମେ ମାସ ହେଉଛି ଅଣ-ମୌସୁମୀ ଋତୁ। ରାଜ୍ୟସରକାରଙ୍କ ଜଳସମ୍ପଦ ବିଭାଗ ନିଜେ ଅନେକ ସ୍ଥାନରେ
ଅକ୍ଟୋବରରୁ ମେ ମାସକୁ ହୀରାକୁଦ ଜଳଭଣ୍ଡାର ପାଇଁ ଅଣ-ମୌସୁମୀ ଋତୁ ବୋଲି ବିଚାର କରିଛି। ଯେତେବେଳେ ଗତ ଦଶକରେ
ହୀରାକୁଦରୁ ଶିଳ୍ପସଂସ୍ଥାଙ୍କୁ ଜଳଯୋଗାଣ କାରଣରୁ ହୀରାକୁଦ ସେଚାଞ୍ଚଳରେ ବିରାଟ ଚାଷୀ ଆନ୍ଦୋଳନ
ହେଲା, ସେତେବେଳେ
ଜୟସେଲନଙ୍କ ଅଧ୍ୟକ୍ଷ୍ୟତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଅକ୍ଟୋବରରୁ ମେ ମାସକୁ ଅଣ-ମୌସୁମୀ ଋତୁ
ବୋଲି ଧରିଥିଲେ। ଏହା ମଧ୍ୟ ବାସ୍ତବିକ ଅଟେ କାରଣ ସେପ୍ଟେମ୍ବର ମାସ
ଶେଷ ତାରିଖକୁ ମୌସୁମୀ ଋତୁର ଶେଷ ବୋଲି ବିଚାରକରି ସେହି ଦିନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ
ତାହାର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ। ଅକ୍ଟୋବରରୁ ମେ ମାସକୁ ଅଣ-ମୌସୁମୀ ଋତୁ ବୋଲି
ହିସାବକୁ ନେଇ କମିଟି କହିଥିଲା ଯେ ହୀରାକୁଦକୁ ଅଣ-ମୌସୁମୀ ଋତୁରେ ଜଳପ୍ରବେଶ ପୂର୍ବତୁଳନାରେ
ବଢିଛି, ତେଣୁ ଏବେ ଅଧିକ ଜଳ ମିଳୁଛି। ଗତ ଅକ୍ଟୋବରରୁ ମେ
ମାସ ମଧ୍ୟରେ ହୀରାକୁଦକୁ ଯେତିକି ପାଣି ଆସିଥିଲା, ପୂର୍ବର ୫୮ ବର୍ଷ ମଧ୍ୟରୁ
୪୩ଟି ବର୍ଷରେ ତାହାଠାରୁ କମ ପାଣି ଆସିଥିଲା। ଖାଲି ସେତିକି ନୁହେଁ, ଚଳିତ ଅଣ-ମୌସୁମୀ ଋତୁର ଠିକ ପୂର୍ବବର୍ତ୍ତୀ ୧୦ଟି
ବର୍ଷ ମଧ୍ୟରୁ କେବଳ ଗୋଟିଏ ହିଁ ବର୍ଷରେ ଚଳିତ ବର୍ଷର ଅକ୍ଟୋବରରୁ ମେ ମାସର ପ୍ରବାହ ଠାରୁ ଅଧିକ
ପାଣି ଆସିଥିଲା, ଅନ୍ୟ ୯ଟି ଯାକ
ବର୍ଷରେ କମ ପାଣି ଆସିଥିଲା।
ସରକାରଙ୍କ ଜଳସମ୍ପଦ
ଭଳି ବଡ଼ବଡ଼ ଇଂଜିନିୟର ଥିବା ବିଭାଗ ଏପରି ତଥ୍ୟ ଓ ତୁଳନା ନ ଦିଅନ୍ତୁ ଯାହାକୁ ନେଇ ଲୋକେ
ବିଭ୍ରାନ୍ତ ହେବେ ଓ ବିରୋଧୀ ବିଦ୍ରୁପ
କରିବାର ସୁଯୋଗ ପାଇବେ। ଉପରେ ଆନିକଟ ହେଲେ ଏବଂ ଶିଳ୍ପସଂସ୍ଥାମାନ ପାଣି
ଟାଣିଲେ ହୀରାକୁଦକୁ ଅଣ-ମୌସୁମୀ ଜଳପ୍ରବେଶ ହ୍ରାସ ପାଇବା ନିଶ୍ଚିତ। ଯଦି ସେହି ପାଣିରେ
ଜଳସେଚନ ହେଉଥାନ୍ତା ତେବେ କିଛି ପାଣି ପୁଣି ନଦୀକୁ ଫେରି ଆସିଥାନ୍ତା, କିନ୍ତୁ ଶିଳ୍ପ କ୍ଷେତ୍ରରେ ତାହା ପ୍ରାୟ ହୁଏ ନାହିଁ
ଏବଂ ଯାହା ବି ନଦୀକୁ ଫେରେ ତାହା ପ୍ରାୟ ବର୍ଜ୍ୟଜଳ ହିଁ ଥାଏ ଯାହା ପାଣିକୁ ଖରାପ କରିଦିଏ। ସେହିଭଳି ସତ୍ୟତାକୁ ସଠିକ ଭାବରେ ଉପସ୍ଥାପିତ କରାଯିବାର ଆବଶ୍ୟକତା ରହିଛି ଓ ରାଜ୍ୟ
ସରକାର ତାହା କରିବା ଦରକାର। ଛତିଶଗଡ ସରକାର ମହାନଦୀରେ ବାନ୍ଧୁଥିବା ଆନିକଟମାନଙ୍କର
ତଥ୍ୟ ତଥା ସେସବୁର ବର୍ତ୍ତମାନର ସ୍ଥିତି କଣ ତାହା ରାଜ୍ୟସରକାର ଜଣାଇବା ଦରକାର। ସେଓରୀନାରାୟଣ, ବସନ୍ତପୁର, ମିରୋନି, ସରାଡ଼ିହ ଓ କଲମା ଆନିକଟ ସମ୍ପର୍କିତ ସାମାନ୍ୟ କିଛି ତଥ୍ୟ ଉପଲବ୍ଧ ହେଉଛି। ସାମୋଡା, ଚିଚପୋଲ, କୁଦାରୀ ଓ
କୁଦୁରମାଳ ଭଳି ଆନିକଟ ତଥା ପ୍ରସ୍ତାବିତ ଆରପା-ଭୈସାଯୋର ଭଳି ଜଳସେଚନ ପ୍ରକଳ୍ପ
ସମ୍ବନ୍ଧିତ ଆଦୌ କିଛି ତଥ୍ୟ ନାହିଁ।
ମହାନଦୀରେ ହେଉଥିବା
ଯେଉଁ ୫ଟି ଆନିକଟର କିଛି ତଥ୍ୟ ମୋ ପାଖରେ ଅଛି ତହିଁରୁ ବିଭିନ୍ନ ଶିଳ୍ପସଂସ୍ଥାମାନ ବାର୍ଷିକ
୯୬୦ ନିୟୁତ ଘନ ମିଟର ଜଳ ଟାଣିବେ। ନଭେମ୍ବରରୁ ମେ ମାସ ମଧ୍ୟରେ ସେମାନେ ଟାଣିବେ ପ୍ରାୟ ୦.୪୫୪ ନିୟୁତ ଏକର
ଫୁଟ ଜଳ। ବିଗତ ୫୮ଟି ବର୍ଷର ନଭେମ୍ବର-ମେ ଋତୁରେ ହାରାହାରି ୧.୩୦୩ ନିୟୁତ ଏକର ଫୁଟ ଜଳ ହୀରାକୁଦ ଜଳଭଣ୍ଡାରକୁ
ପ୍ରବେଶ କରିଥିଲା। ଏଥିରୁ ସ୍ପଷ୍ଟ ଯେ ନଭେମ୍ବରରୁ ମେ ମଧ୍ୟରେ ହୀରାକୁଦକୁ
ପୂର୍ବରୁ ପ୍ରବେଶ କରୁଥିବା ହାରାହାରି ଜଳର ତିନି-ଭାଗର ଭାଗେରୁ ଉର୍ଦ୍ଧ୍ଵ ଜଳ କେବଳ ପାଞ୍ଚଟି
ଆନିକଟରୁ ଶିଳ୍ପସଂସ୍ଥାମାନେ ଟାଣିବେ। ଏହା ଆଦୌ କମ ନୁହେଁ। ଅକ୍ଟୋବରରୁ ମେ ମାସକୁ ଅଣ-ମୌସୁମୀ ଋତୁ ବୋଲି ଧରିଲେ ସ୍ଥିତି
ଟିକେ କମ ବିକଟ ଲାଗେ। ଛତିଶଗଡ଼ର ୫ଟି ଆନିକଟରୁ ଶିଳ୍ପସଂସ୍ଥାମାନେ ଆବଣ୍ଟିତ
ହୋଇଥିବା ସବୁ ଜଳ ଟାଣିଲେ ସେମାନେ ଅକ୍ଟୋବରରୁ ମେ ମାସ ମଧ୍ୟରେ ପ୍ରାୟ ୦.୫୧୯ ନିୟୁତ ଏକର ଫୁଟ ଜଳ ଉଠାଇବେ। ଏହି ସମୟରେ ଚଳିତ ବର୍ଷ ହୀରାକୁଦକୁ ପଶିଥିଲା ୪.୩୩୯ ନିୟୁତ ଏକର
ଫୁଟ ଜଳ ଏବଂ ହୀରାକୁଦ ଇତିହାସର ୫୮ ବର୍ଷର ଏହି ସମୟରେ ଜଳଭଣ୍ଡାରକୁ ହାରାହାରି ୩.୨୨୬ ନିୟତ ଏକର ଫୁଟ ଜଳ ପଶିଥିଲା। ଏବେ ପୁଣି ମୂଳ କଥାକୁ ଆସିବା। ଅକ୍ଟୋବରରୁ ଅଣ-ମୌସୁମୀ ଋତୁର
ଆରମ୍ଭ ଧରିଲେ ହୀରାକୁଦ ଇତିହାସର ହରାହାରିଠାରୁ ମଧ୍ୟ ଚଳିତ ବର୍ଷର ଅଣ-ମୌସୁମୀ ଋତୁରେ ଅଧିକ ଜଳ
ପ୍ରବେଶ ଘଟିଥିଲା। ଯଦି ଚଳିତ ବର୍ଷର ଅକ୍ଟୋବର-ମେ ଋତୁରେ ସର୍ବକାଳୀନ
ହରାହାରିଠାରୁ ମଧ୍ୟ ଅଧିକ ପାଣି ଆସିଛି,
ତାହାହେଲେ ଓଡିଶା କେମିତି
ଦମ୍ଭର ସହିତ କହିପାରିବ ଯେ ଛତିଶଗଡ ଆନିକଟମାନଙ୍କରେ ପାଣି ଅଟକାଇବା କାରଣରୁ ଓଡିଶାକୁ
ଜଳପ୍ରବେଶ କମିଛି?
ଏହା ସତ ଯେ ଯେଉଁଭଳି
ପରିସଂଖ୍ୟାନ ଦେଇ ରାଜ୍ୟ ସରକାର ଦର୍ଶାଇବାକୁ ଚାହିଁଛନ୍ତି ଯେ ହୀରାକୁଦକୁ ଅଣ-ମୌସୁମୀ
ଜଳପ୍ରବେଶ ଅତିଶୟ କମିଛି ତାହାକୁ ଜଣେ ପ୍ରତ୍ୟାଖ୍ୟାନ କରିବାର ଯଥେଷ୍ଟ ତର୍କ ରହିଛି। କିନ୍ତୁ ଏହା ମଧ୍ୟ
ସତ ଯେ କେବଳ ୫ଟି ଆନିକଟରୁ ଶିଳ୍ପସଂସ୍ଥାମାନେ ଯେତିକି ପାଣି ଉଠାଇବେ ତାହା ହୀରାକୁଦରୁ ଓଡିଶା
ସରକାର ଆବଣ୍ଟିତ କରିସାରିଥିବା ମୋଟ ଜଳର ଦେଢଗୁଣ ଅଧିକ। ଛତିଶଗଡ଼ରେ ଏମିତି
ଅନେକ ବନ୍ଧ ତିଆରି ଚାଲିଛି। ତେଣୁ, ଓଡିଶା ସରକାର ନିଜର ଆଭିମୁଖ୍ୟ ଠିକ୍ ରଖିବା ସହିତ ଉପଯୁକ୍ତ ଓ ବଳିଷ୍ଠ ଯୁକ୍ତି ପ୍ରସ୍ତୁତ
କରିବା ଦରକାର।
No comments:
Post a Comment