ବିମଳ ପ୍ରସାଦ ପାଣ୍ଡିଆ
ଚଳିତ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହ ଶେଷ ବେଳକୁ ହୀରାକୁଦ ଜଳଭଣ୍ଡାରକୁ ନେଇ ଯେଉଁ ଚିନ୍ତା ଗ୍ରାସୁଥିଲା, ଆଜିର ତାରିଖରେ ସେହି ଚିନ୍ତା ନାହିଁ। ସେପ୍ଟେମ୍ବର ୨୦ ତାରିଖରେ ହୀରାକୁଦର ଜଳସ୍ତର ଥିଲା ୬୨୧.୩୩ ଫୁଟ। ଜଳଭଣ୍ଡାରର ପ୍ରାୟ ୫ଭାଗରୁ ଭାଗେ ଖାଲିଥିଲା। ପ୍ରାୟ ପ୍ରତିଦିନ ଜଳଭଣ୍ଡାରର ଜଳସ୍ତର କମି ଚାଲିଥିଲା। ସମସ୍ତେ ଚିନ୍ତିତ ଥିଲେ ଯେ ହୀରାକୁଦର ପେଟ ଏବର୍ଷ ଭୟାନକ ଖାଲି ରହିବ। କିନ୍ତୁ ମାତ୍ର ଚାରି ଦିନରେ ସ୍ଥିତି ବଦଳି ଯାଇଛି। ୬୩୦ ଫୁଟର ପୂର୍ଣ୍ଣ ଓ ସର୍ବୋଚ୍ଚ ଜଳସ୍ତର କ୍ଷମତା ଥିବା ହୀରାକୁଦ ବନ୍ଧର ଜଳସ୍ତର ୨୪ ତାରିଖରେ ୬୨୯ ଫୁଟକୁ ଛୁଇଁ ସାରିଥିଲା। ପାଖାପାଖି ଦୁଇ ଲକ୍ଷ କ୍ୟୁସେକ ପାଣି ହୀରାକୁଦକୁ ପଶୁଥିଲା। ବନ୍ଧ କର୍ତ୍ତୃପକ୍ଷ ମହାନଦୀରେ ବନ୍ୟାଜଳ ନିଷ୍କାସନ ହେବ ବୋଲି ସତର୍କ କରାଇ ସାରିଲେଣି। କୌଣସି ବଡ ଲଘୁଚାପ, ବାତ୍ୟା ବା ସେମିତି ବିରାଟ ବର୍ଷା ନ ହୋଇ ମଧ୍ୟ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମାତ୍ର ଚାରିଦିନରେ ବଢିଗଲା ପ୍ରାୟ ୮ଫୁଟ।
ମହାନଦୀ ଜଳର ଭାଗବଣ୍ଟାକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ବଢି ଛାଲିଛି। ମାତ୍ର ପାଞ୍ଚଦିନ ତଳେ ହୀରାକୁଦର ଶୁଷ୍କ ଅବସ୍ଥାକୁ ନେଇ ଓଡିଶା ପାଖରେ ଯଦି ବାହାନା ଥିଲା ଯେ ଛତିଶଗଡରେ ଜଳର ଅବରୋଧ କାରଣରୁ ଜଳ ପ୍ରବାହ କମି ହୀରାକୁଦ ଶୁଷ୍କ ରହିଯାଇଛି, ଏବେ ଛତିଶଗଡ ହୁଏତ ବାହାନା କରିପାରେ ଯେ ଦେଖ, ଆମ ରାଜ୍ୟରୁ ଯେତେ ପାଣି ବହି ଯାଉଛି ତାହା ତୁମ ପାଇଁ କେତେ ବଳକା। ଦୁଇ ରାଜ୍ୟରେ ମହାନଦୀ ଜଳର ଅଧିକ ଉପଯୋଗ ଓ ତାହାଯୋଗୁଁ ସମ୍ଭାବ୍ୟ ଜଳସଙ୍କଟକୁ ନେଇ ବିବାଦ ବଢି ଚାଲିଥିବାବେଳେ, ବିଗତ ଚାରିଦିନରେ ହୀରାକୁଦ ଜଳଭଣ୍ଡାରରେ ଘଟିଥିବା ପରିବର୍ତ୍ତନ ଅନ୍ୟ ଏକ ବିପଦ, ଯାହା ଆହୁରି ଭୟାବହ, ତାହାର ଚିନ୍ତା କରିବା ପାଇଁ ଆମକୁ ବାଧ୍ୟ କରିଦିଏ। ବିଗତ ଚାରିଦିନରେ ହୀରାକୁଦର ଜଳସ୍ତରରେ ଘଟିଥିବା ବିରାଟ ବୃଦ୍ଧି ଜଳାଭାବର ଚିନ୍ତାକୁ ହୁଏତ ପ୍ରଶମିତ କରିଦେଇଛି ଆଉ ବନ୍ୟା ବି ଏଯାଏଁ କରିନି କିନ୍ତୁ ତାହା ହୀରାକୁଦର ବନ୍ୟା ପ୍ରଶମନ ଅକ୍ଷମତାକୁ ପୁଣିଥରେ ଉଜାଗର କରିବା ସହିତ ଚେତାଇ ଦେଇଛି ଯେ ହୀରାକୁଦ ବନ୍ଧ କେମିତି ବନ୍ୟା ସୃଷ୍ଟିର କାରଣ ହୋଇପାରେ। ଏହି ବିପଦକୁ ଦର୍ଶାଇବା ପାଇଁ ମୁଁ ଅନ୍ୟ ତିନିଟି ଉଦାହରଣ ଦେବି।
୧୯୯୮ ମସିହା ଜାନୁଆରୀ ୩୦ ତାରିଖ ଅପରାହ୍ନରେ ପ୍ରତିଷ୍ଠିତ ବୁର୍ଲା ଇଂଜିନିୟରିଂ କଲେଜର ୮ଜଣ ଛାତ୍ର କଲେଜ ପାର୍ଶ୍ୱସ୍ଥ ମହାନଦୀକୁ ଯାଇଥିଲେ ସଂଧ୍ୟାର କିଛି ସମୟ ଖୁସିରେ ବିତାଇବା ପାଇଁ। ହୀରାକୁଦ ନଦୀବନ୍ଧଠାରୁ ମାତ୍ର କିଛି କିଲୋମିଟର ତଳେ ଅବସ୍ଥିତ ଏହି ସ୍ଥାନ। ଅଳ୍ପ କିଛି ସମୟ ବିତାଇଛନ୍ତି କି ନାହିଁ, ଶୁଖିଲା ଥିବା ମହାନଦୀରେ ମାଡିଆସିଲା ଭୀଷଣ ଜଳ। କିଛି ସମୟ ମଧ୍ୟରେ ହିଁ ମୃତ୍ୟୁର ମୁହଁକୁ ଭାସିଗଲେ ୭ଜଣ ମେଧାବୀ ଛାତ୍ର। କେବଳ ଜଣେ ନିଜ ଜୀବନ ବଞ୍ଚାଇ ପାରିଲେ। ତାହା ବର୍ଷା ଋତୁ ନଥିଲା, ତାହାଥିଲା ଶୀତର ମାସ। ସେହି ସମୟରେ ହିଁ ସମସ୍ତେ ଧାଁଆନ୍ତି ନଦୀକୁ - ବୁଲିବା ପାଇଁ, ବଣଭୋଜି କରିବା ପାଇଁ। କାରଣ, ସେହି ସମୟରେ ନଦୀରେ ବନ୍ୟାର ଆଶଙ୍କା ନଥାଏ, ଆଉ ନଦୀରେ ନିର୍ମଳ ଶାନ୍ତ ଧାର ଥାଏ। କିନ୍ତୁ ସେହି ଜାନୁୟାରୀ ଥିଲା ଭିନ୍ନ। ଜାନୁୟାରୀ ୨୬ତାରିଖରୁ ହୀରାକୁଦ ଉପରମୁଣ୍ଡରେ ଆରମ୍ଭ ହୋଇଥିଲା ବର୍ଷା। ୨୫ ତାରିଖରେ ହୀରାକୁଦର ଜଳସ୍ତର ଥିଲା ୬୨୭ ଫୁଟ, କିନ୍ତୁ ୨୯ ତାରିଖ ରାତି ବେଳକୁ ତାହା ୬୩୦ ଫୁଟରେ ପହଞ୍ଚି ସାରିଥିଲା। ୩୦ତାରିଖ ୯ଟା ବେଳକୁ ହୀରାକୁଦ ଜଳସ୍ତର ତାହାର ପୂର୍ଣ୍ଣସ୍ତର ଡେଇଁ ପହଞ୍ଚି ସାରିଥିଲା ୬୩୦.୩୫ ଫୁଟକୁ। ୨୬ରୁ ୩୦ତାରିଖ ମଧ୍ୟରେ ହୀରାକୁଦକୁ ଖୁବ ଅଧିକ ଜଳ ପ୍ରବେଶ କରିନଥିଲା। ୨୯ତାରିଖ ଅପରାହ୍ନରୁ ହୀରାକୁଦକୁ ହଠାତ ଏକଲକ୍ଷ କ୍ୟୁସେକରୁ ଅଧିକ ଜଳ ପଶିବା ଆରମ୍ଭ କରିଥିଲା। ୩୦ ତାରିଖ ସକାଳ ୬ଟା ବେଳକୁ ସର୍ବାଧିକ ୩ଲକ୍ଷ ୫୫ହଜାର କ୍ୟୁସେକ ଜଳ ପଶୁଥିଲା। ଜଳଭଣ୍ଡାର କର୍ତ୍ତୃପକ୍ଷ ଅଳ୍ପଅଳ୍ପ ଜଳ ଛାଡୁଥିଲେ। କିନ୍ତୁ ଅପରାହ୍ନରେ ବନ୍ଧ କର୍ତ୍ତୃପକ୍ଷ ହଠାତ ବିକଳରେ ଖୋଳିପକାଇଥିଲେ ହୀରାକୁଦର ଗେଟ। ଜଳଭଣ୍ଡାରର ସ୍ଥିତି ଏତେ ବିକଟ ହୋଇସାରିଥିଲା ଯେ ଲୋକଙ୍କୁ ଜଣାଇବାର ଓ ପ୍ରସ୍ତୁତ କରିବାର ବି ସୁଯୋଗ କୁଆଡେ ନଥିଲା ତାଙ୍କପାଖରେ। ଆଉ ସେଥିରେ ଲିଭିଯାଇଥିଲା ଛାତ୍ରଙ୍କ ଜୀବନ ଓ ଆହୁରି ହଜାରହଜାର ଲୋକଙ୍କର ଜୀବିକା। ଏଠି କହିବା କଥା ହେଲା ଉପରମୁଣ୍ଡରେ ବର୍ଷା ହୋଇଥିଲା ସତ, କିନ୍ତୁ ତାହା ଖୁବ ଅଧିକ ନଥିଲା। ତଥାପି ମଧ୍ୟ ତାହା ହୀରାକୁଦର ଅକ୍ଷମତା ଓ ବିପଦପ୍ରବଣତାକୁ ଉଦ୍ଭାସିତ କରିଦେଇଥିଲା। ଅଣ-ମୌସୁମୀ ଋତୁରେ ଏହା ସାମାନ୍ୟ ବନ୍ୟାଟିଏକୁ ରୋକି ନପାରି ଉଦୀୟମାନ ଛାତ୍ରଙ୍କ ଜୀବନ ନେଇଗଲା, ଲୋକଙ୍କ ଜୀବିକା ଉଜାଡିଦେଲା।
ସେମିତି ଆଉ ଏକ ଘଟଣା ଘଟିଥିଲା ୨୦୦୮ ମସିହାରେ। ହୀରାକୁଦର ଜଳ ପରିଚାଳନା ପରିପ୍ରେକ୍ଷୀରେ ତାହାଥିଲା ମୌସୁମୀ ଋତୁର ଶେଷ ମାସ। ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହ ଥାଏ। ଉପକୂଳ ପଟୁ ବର୍ଷା ଧୀରେଧୀରେ ପଶ୍ଚିମକୁ ଗତିକରି ହୀରାକୁଦର ଉପରମୁଣ୍ଡରେ ବରଷିବା ଆରମ୍ଭ କଲା। ହୀରାକୁଦକୁ ଜଳପ୍ରବେଶ କରିବା ଆରମ୍ଭ ହୋଇଗଲା। ସେପ୍ଟେମ୍ବର ୭ ତାରିଖରେ ଜଳସ୍ତର ୬୨୭ଫୁଟରେ ଥାଏ। ଜଳସ୍ତର ସେତିକି ବେଶୀ ରହିବା କଥା ଆଦୌ ନୁହେଁ କିନ୍ତୁ ହୀରାକୁଦକୁ ପୂର୍ଣ୍ଣ ରଖିବା ଅଭିପ୍ରାୟ ରଖି ବନ୍ଧ କର୍ତ୍ତୃପକ୍ଷ ଅଧିକ ପାଣି ରଖିଚାଲିଥାନ୍ତି। ମାତ୍ର ଦୁଇ ଦିନରେ ହୀରାକୁଦର ଜଳସ୍ତର ୬୩୦ଫୁଟକୁ ଛୁଇଁଗଲା। ହୀରାକୁଦ ଆଉ ପାଣି ଅଟକାଇପାରିଲା ନାହିଁ, ପ୍ରାୟ ୫ଲକ୍ଷ କ୍ୟୁସେକ ପାଣି ଛାଡିଲେ। ହୀରାକୁଦର ତଳମୁଣ୍ଡରେ ଥିବା ତେଲନଦୀରେ ବି ପ୍ରବଳ ପ୍ରବାହ ଆସୁଥାଏ। ଉଭୟ ନଦୀର ପ୍ରବାହ ମିଶି ବନ୍ୟାର ମହାପ୍ରଳୟ ସୃଷ୍ଟି କରିଦେଲେ। ହୀରାକୁଦ ବନ୍ୟାକୁ ରୋକି ପାରିଲା ନାହିଁ, ବରଂ କାରଣ ସାଜିଲା।
ସେମିତି ସ୍ଥିତି ହୋଇଥିଲା ୨୦୧୧ ମସିହା ସେପ୍ଟେମ୍ବରରେ। ଏହି ପରିଚାଳନାକୁ ନେଇ ସିଏଜି ବି ଆପତ୍ତି ଜଣାଇଛନ୍ତି, କହିଛନ୍ତି ହୀରାକୁଦ ହିଁ ବନ୍ୟା କରାଇଲା। ସେହି ସେପ୍ଟେମ୍ବରରେ ଛତିଶଗଡରେ ବର୍ଷା ସହିତ ମିନିମାତାବାଙ୍ଗୋ ଡ୍ୟାମରୁ ବି ବହିଆସିଲା ଅତିରିକ୍ତ ବନ୍ୟାଜଳ। ୬ତାରିଖରେ ଜଳସ୍ତର ଥାଏ ୬୨୫.୬୫ ଫୁଟରେ। ୯ତାରିଖ ବେଳକୁ ହୀରାକୁଦକୁ ପଶୁଥାଏ ପ୍ରବଳ ଜଳ। ବନ୍ଧ କର୍ତ୍ତୃପକ୍ଷ ଖୋଲିଦେଲେ ହୀରାକୁଦର ୬୪ଟି ସ୍ଲୁଇସ ଗେଟରୁ ୫୭ଟି, ତାହାସହିତ ଖୋଲିଲେ ଆହୁରି ୪ଟି କ୍ରେଷ୍ଟ ଗେଟ। ପ୍ରାୟ ୧୦ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଲା ଏକା ହୀରାକୁଦରୁ। ତଳମୁଣ୍ଡରେ ସୃଷ୍ଟିକଲା ପ୍ରବଳ ପ୍ରଳୟ।
ଏହି ଉଦାହରଣ ସ୍ପଷ୍ଟ କରିଦିଏ ଯେ ମୌସୁମୀ ଶେଷଆଡକୁ ହୀରାକୁଦ ବନ୍ୟା ପ୍ରଶମନ କରିବାରେ କେବଳ ଅକ୍ଷମ ନୁହେଁ, ବଡ ବନ୍ୟା ଓ ବିପଦର ଏକ କାରଣ ମଧ୍ୟ। ଏବେ ଛତିଶଗଡରୁ କମ ପାଣି ଆସିବ ଭାବି ହୀରାକୁଦକୁ ଭରିବା ଉତ୍ସୁକତା ଓ ବାଧ୍ୟତା ଆହୁରି ବଢିବା ନିଶ୍ଚିତ। ତାହା ମୌସୁମୀର ଶେଷାର୍ଦ୍ଧରେ ବନ୍ୟା ବିପଦକୁ ଆହୁରି ଘନୀଭୂତ କରିବ। ସେପ୍ଟେମ୍ବର ମାସରେ ପ୍ରାୟ ସବୁ ବନ୍ଧ ପୋଖରୀ ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଇଥାଏ, ଭୁତଳକୁ ମଧ୍ୟ ବେଶୀ ଝରେ ନାହିଁ। ସବୁ ବର୍ଷାଜଳ ତଳକୁ ବୋହିଥାଏ। ହୀରାକୁଦର ମୋଟ ଜଳଗ୍ରହଣ କ୍ଷେତ୍ର ହେଲା ୮୩,୪୦୦ ବର୍ଗକିଲୋମିଟର। ଏହାର ଏକ-ତୃତୀୟାଂଶ ଅଂଚଳରେ ବି ଯଦି କୌଣସି ଦିନ ମାତ୍ର ୧୦୦ ମିଲିମିଟର ବର୍ଷା ହୁଏ ଏବଂ ଧରାରେ ପଡିଥିବା ବର୍ଷାଜଳର ୮୦% ନଦୀରେ ବହିଆସେ ତେବେ ଗୋଟିଏ ଦିନରେ ହୀରାକୁଦକୁ ୧.୮ ନିୟୁତ ଏକର ଫୁଟ ଜଳ ଆସିବ। ସେପ୍ଟେମ୍ବର ଅକ୍ଟୋବର ମାସରେ ଏତିକି ଜଳ ଆସିଲେ ହୀରାକୁଦ ବିପଦ ହେବା ସାର। ଏହା ଉପରେ ଅଧିକ ଚର୍ଚ୍ଚାକରିବା ପରବର୍ତ୍ତୀ ଆଲେଖ୍ୟରେ।
(This article was published in my fortnightly Op-Ed column 'Tatwa O Tarka' in Dharitri on September 27, 2017. The e-paper version can be accessed at: http://www.dharitri.com/e-Paper/Bhubaneswar/270917/p6.htm . The web version can be accessed at http://www.dharitri.com/editorialdetails?Dharitri=59cab8c326c4d )
(This article was published in my fortnightly Op-Ed column 'Tatwa O Tarka' in Dharitri on September 27, 2017. The e-paper version can be accessed at: http://www.dharitri.com/e-Paper/Bhubaneswar/270917/p6.htm . The web version can be accessed at http://www.dharitri.com/editorialdetails?Dharitri=59cab8c326c4d )