ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ମାସିକ ୧୮,୦୦୦ ତାଙ୍କ। 'କୃଷି ଖର୍ଚ୍ଚ ଓ ଦର ଆୟୋଗ'ଙ୍କ ହିସାବକୁ ଯଦି ଆମେ ଗ୍ରହଣ କରିବା ତେବେ ସର୍ବନିମ୍ନ ମୂଳ ଦରମା ପାଉଥିବା ଜଣେ ସରକାରୀ କର୍ମଚାରୀ ଯେତିକି ଦରମା ଗୋଟିଏ ବର୍ଷରେ ପାଆନ୍ତି ସେତିକି ଟଙ୍କାର ଲାଭ ପାଇବା ପାଇଁ ଜଣେ ହାରାହାରି ଭାରତୀୟ ଧାନ ଚାଷୀକୁ ୫୧ ହେକ୍ଟର ବା ୧୨୫ ଏକର ଜମିରେ ଧାନ ଚାଷ କରିବାକୁ ପଡିବ। କେନ୍ଦ୍ର ସରକାର ପ୍ରତିବର୍ଷ ବିଭିନ୍ନ ଚାଷ ଋତୁର ପ୍ରାରମ୍ଭରେ ସେହି ରୂତୁରେ ହେଉଥିବା ଫସଲମାନଙ୍କ ପାଇଁ ସର୍ବନିମ୍ନ ସହାୟକ ଦ୍ୱାରା ସ୍ଥିର କରନ୍ତି। 'କୃଷି ଖର୍ଚ୍ଚ ଓ ଦର ଆୟୋଗ' କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଫସଲର ସର୍ବନିମ୍ନ ସୁପାରିଶ କରିଥାନ୍ତି। କେନ୍ଦ୍ର ସରକାର ପ୍ରାୟତଃ ଆୟୋଗଙ୍କ ସୁପାରିଶକୁ ମାନିନେଇ ସର୍ବନିମ୍ନ ସହାୟକ ଦର ବା ସାଧାରଣରେ ଅଧିକ ପରିଚିତ 'ଏମଏସପି' (ଇଂରାଜୀରେ 'ମିନିମମ ସପୋର୍ଟ ପ୍ରାଇସ') ଘୋଷଣା କରନ୍ତି। ୨୦୧୭-୧୮ ଖରିଫ ଋତୁ ପାଇଁ ଆୟୋଗ କରିଥିବା ଆକଳନ ଅନୁସାରେ ଆସନ୍ତା ଖରିଫ ଋତୁରେ ଗୋଟିଏ ଜମିରେ ଧାନ ଚାଷ କରିବା ପାଇଁ ୫୩,୫୩୮ ଟଙ୍କା ଖର୍ଚ୍ଚ ହେବ ଓ ଗୋଟିଏ ହେକ୍ଟରରୁ ୫୭,୮୦୩ ଟଙ୍କାର ଫସଲ ଅମଳ ହେବ। ଅର୍ଥାତ ଗୋଟିଏ ହେକ୍ଟରରୁ ୪,୨୬୫ ଟଙ୍କା ବା ଗୋଟିଏ ଏକରରୁ ୧,୭୨୬ ଟଙ୍କାର ଲାଭ ମିଳିବ। ଆଉ ଗୋଟିଏ ହିସାବରେ କହିଲେ ଜଣେ ଚାଷୀ ଧାନ ଚାଷ କରିବା ପାଇଁ ଯେତିକି ମୋଟ ଖର୍ଚ୍ଚ ଉଠାଇବ ତହିଁରେ ୮ ପ୍ରତିଶତରୁ ବି କମ ଲାଭ ପାଇବ। ଅର୍ଥାତ, ଜଣେ ଧାନ ଚାଷୀ ତାହାର ନିବେଶରୁ ଲାଭ ପାଇବ ମୋତେ ୮ ପ୍ରତିଶତ। ଅନେକ ରାଜ୍ୟରେ ଗୋଟିଏ ଫସଲ ହେଉଥିବା ୧୦ ଏକର ଜମି ଯାହାର ଅକେହୀ ସିଏ ବଡ ଚାଷୀ ବୋଲି ଧରାଯାଏ। ସରକାରଙ୍କ ଏମଏସପି ଅନୁସାରେ ଧାନଚାଷ କରୁଥିବା ସେହିପରି ଏକ ବଡ଼ଚାଷୀର ବାର୍ଷିକ ଆୟ ହେବ ମୋଟେ ୧୭,୨୬୦ ଟଙ୍କା।
ଏବେ ଆଉ ଗୋଟିଏ ହିସାବ ଦେଖିବା। ଧରି ନିଆଯାଉ ଯେ ବର୍ଷ ୨୦୦୬ରେ ଜଣେ ସରକାରୀ ଚାକିରିଆ ଓ ଜଣେ ଧାନ ଚାଷୀ ସମାନ ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ସବୁ ରୋଜଗାର ପୁରା ଖର୍ଚ୍ଚ ହୋଇଯାଉଥିଲା। ଚାକିରିଆ ଜଣକ କିଛି ପଦୋନ୍ନତି ନ ପାଇଲେ ବି କି ଷଷ୍ଠ ବେତନ ଆୟୋଗ ନିର୍ଦ୍ଧାରିତ ବର୍ଦ୍ଧିତ ଦରମା ନ ନେଲେ ବି କେବଳ ଯେତିକି ମହଙ୍ଗା ଭତ୍ତା ବଢିଛି ସେଥିରେ ତାଙ୍କ ଦରମା ଦଶବର୍ଷ ପରେ ୨୦୧୬ ମସିହା ବେଳକୁ ୩୧,୫୦୦ ଟଙ୍କାରେ ପହଞ୍ଚିଥିବ। ଧରିନିଆଯାଉ ଯେ ଚାଷୀଜଣକ ସେହି ଦଶବର୍ଷଯାକ ତାହାର ଉତ୍ପାଦିତ ଧାନକୁ ସର୍ବନିମ୍ନ ସହାୟକ ଦରରେ ବିକ୍ରି କରି ପାରିଛନ୍ତି। ସେହି ଦଶବର୍ଷରେ ବଢିଥିବା ଏମଏସପି କାରଣରୁ ଚାଷୀଜଣକର ବିକ୍ରିଲବ୍ଧ ଆୟ ୧୦,୦୦୦ ଟଙ୍କାରୁ ବଢି ହୋଇଥିବ ୨୩,୭୩୧ ଟଙ୍କା। ଅର୍ଥାତ, ବିଗତ ଦଶବର୍ଷରେ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ମହଙ୍ଗା ଭତ୍ତା କାରଣରୁ ଚାକୀରିଆଙ୍କର ଦରମା ୨୧୫ ପ୍ରତିଶତ ବଢିଥିବା ବେଳେ ଜଣେ ଚାଷୀର ଆୟ ବଢିଛି କେବଳ ୧୩୭ ପ୍ରତିଶତ। ୨୦୦୬ ତୁଳନାରେ ୨୦୧୬ରେ ଉଭୟଙ୍କର ମୋଟ ଆୟ ଅବଶ୍ୟ ବଢିଛି କିନ୍ତୁ ପ୍ରକୃତ ଆୟ କେତେ ବଢିଛି ତାହା ଅଧିକ ଗୁରୁତ୍ୱପୂର୍ଣ। ୨୦୦୬ରେ ଉଭୟ ତାଙ୍କର ପୁରା ୧୦,୦୦୦ ଟଙ୍କାର ଦରମାକୁ ଖର୍ଚ୍ଚ କରିଦେଉଥିଲେ। ଏବେ ଦେଖିବା ସେମାନେ ପାଉଥିବା ଦରମା ବା ଆୟରୁ କେତେ ଖର୍ଚ୍ଚ ହେଉଥିବ। ମୁଦ୍ରାସ୍ପିତି ବା ଦରଦାମରେ ଘଟୁଥିବା ବୃଦ୍ଧି ହିସାବକୁ ନେଲେ ଆମେ ପ୍ରକୃତ ଆୟରସ୍ଥିତି ଜାଣି ପାରିବା। ସେହି ଦଶ ବର୍ଷରେ ମୁଦ୍ରାସ୍ପିତି ହାର ଯାହା ରହିଥିଲା ସେହି ଅନୁସାରେ ୨୦୦୬ ବର୍ଷରେ ୧୦,୦୦୦ ଟଙ୍କାରେ ଯାହା କିଣି ହେଉଥିଲା, ସେତିକି କିଣିବା ପାଇଁ ୨୦୧୬ ମସିହାରେ ୨୩,୬୩୭ ଟଙ୍କା ଦରକାର ହେଲା। ଦଶ ବର୍ଷ ପରେ ବ୍ୟୟ ଆସି ପହଞ୍ଚିଲା ୨୩,୬୩୭ ଟଙ୍କାରେ, ଚାଷୀର ଆୟ କିନ୍ତୁ ହେଲା ୨୩,୭୩୧ ଟଙ୍କା। ତେଣୁ ଚାଷୀଟି ତାର ପୁରା ଆୟକୁ ବ୍ୟୟ କଲେଯାଇ ହିଁ ୨୦୦୬ରେ ଯେତିକି କିଣି ପାରୁଥିଲା ସେତିକି କିଣି ପାରିବ। ତା ପ୍ରକୃତ ଆୟରେ ଟିକିଏ ବି ପରିବର୍ତ୍ତନ ହୋଇନାହିଁ। ଚାଷୀ ଜଣକର ବିକ୍ରିଲବ୍ଧ ଆୟ ବଢି ଥିଲେ ବି ସେ ୨୦୦୬ରେ ଉପାର୍ଜନ କରୁଥିବା ଆୟରେ ଯେତିକି କିଣି ପାରୁଥିଲା ଏବେ ବି ସେତିକି ହିଁ କିଣି ପାରୁଛି। କିନ୍ତୁ, ୨୦୦୬ରେ ୧୦,୦୦୦ ଟଙ୍କା ଦରମା ପାଉଥିବା ସରକାରୀ କର୍ମଚାରୀଜଣକ ଏବେ ସେତିକି ଜିନିଷ କିଣି ଆହୁରି ୮,୦୦୦ ଟଙ୍କା ବଳକା ରଖୁଥିବେ।
ଆମେ ଉପରେ କରିଥିବା ହିସାବରେ କେବଳ ଉତ୍ପାଦିତ ଫସଲର ମୋଟ ବିକ୍ରିଲବ୍ଧ ଆୟ କଥା ହିଁ ହିସାବ କରିଛୁ। ତାହା ଚାଷୀର ଲାଭ ନୁହେଁ। ଏହି ସମୟ ମଧ୍ୟରେ ଚାଷଖର୍ଚ୍ଚ ମୁଦ୍ରାସ୍ପିତି ହାରଠାରୁ ଢେର ଅଧିକ ରହିଛି। ତେଣୁ ଚାଷୀର ଲାଭ ୨୦୧୦ ତୁଳନାରେ ଖୁବ କମିଛି। ଏଥିରୁ ସ୍ପଷ୍ଟ ଯେ ସରକାର ସ୍ଥିର କରୁଥିବା ସର୍ବନିମ୍ନ ସହାୟକ ଦର ଚାଷୀଙ୍କୁ ସମାନତା ଦେବାରେ ବା ଚାଷୀଙ୍କୁ ଲାଭ ଦେବାରେ ସମ୍ପୂର୍ଣ ବିଫଳ ହୋଇଛି। ସରକାର କହନ୍ତି ଯେ ଏମଏସପି ଜରିଆରେ ଚାଷୀଙ୍କୁ ଏକ ଲାଭଜନକ ଦର ନିଶ୍ଚିତ କରାଯାଉଛି। କିନ୍ତୁ, ପ୍ରକୃତରେ ଦେଖିବାକୁ ଗଲେ ଏମଏସପି ସୁପାରିଶ କରୁଥିବା 'କୃଷି ଖର୍ଚ୍ଚ ଓ ଦର ଆୟୋଗ' ତାଙ୍କର କାମକୁ ବା ଏମଏସପିକୁ ଚାଷୀର ଦୃଷ୍ଟିରେ ଦେଖି ନାହାନ୍ତି ବା ଚାଷୀର ଲାଭକୁ ନିଶ୍ଚିତ କରିବା ପାଇଁ ଆଦୌ ନିଷ୍ଠା ପ୍ରଦର୍ଶିତ କରିନାହାନ୍ତି। ସପ୍ତମ ଦରମା ଆୟୋଗଙ୍କ ରିପୋର୍ଟଟି ୮୮୦ ପୃଷ୍ଠା ବିଶିଷ୍ଟ। ଏତେବଡ ରିପୋର୍ଟରେ କିନ୍ତୁ ଗୋଟିଏ ଜାଗାରେ ହିଁ କୁହାଯାଇଛି ଯେ ସପ୍ତମ ଦରମା ଆୟୋଗଙ୍କୁ କେବଳ ତିନିଟି ଦିଗ ପ୍ରତି ଦୃଷ୍ଟି ଦେଇ ଦରମା ସୁପାରିଶ କରିବାର ଅଛି: ୧) ରାଷ୍ଟ୍ରର ଆର୍ଥିକ ସ୍ଥିତି ଓ ରାଜକୋଷିୟ ବିବେକକୁ ଦେଖିବା, ୨) ଉନ୍ନୟନ ଖର୍ଚ୍ଚ ତଥା କଲ୍ୟାଣକାରୀ ପଦକ୍ଷେପ ମାନଙ୍କ ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଯେମିତି ବଳକା ରହିବ ତାହା ଦେଖିବା, ଏବଂ ୩) ଆୟୋଗଙ୍କ ସୁପାରିଶ ଦ୍ୱାରା ରାଜ୍ୟ ସରକାରମାନଙ୍କ ଆର୍ଥିକ ସ୍ଥିତି ଉପରେ କେମିତି ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ତାହାକୁ ଦେଖିବା। ଏହି ତିନିଟି ମାତ୍ର ଦିଗ ପ୍ରତି ଦୃଷ୍ଟି ଦେଇ ବେତନ କମିଶନ ତାଙ୍କ ସୁପାରିଶ କରିଥାନ୍ତି। କିନ୍ତୁ ଚାଷୀକୁ ତାହାର ଉତ୍ପାଦ ପାଇଁ ସର୍ବନିମ୍ନ ଦର ସ୍ଥିର କରିବା ବେଳକୁ ନିଘା ପଡୁଛି ସବୁ ଆଡେ, ଶହେ ବିଷୟ ଆଲୋଚନାକୁ ଆସୁଛି। ୨୦୧୭-୧୮ ଖରିଫ ଋତୁ ପାଇଁ 'କୃଷି ଖର୍ଚ୍ଚ ଓ ଦର ଆୟୋଗ' ପ୍ରସ୍ତୁତ କରିଥିବା ରିପୋର୍ଟଟି ମୋଟେ ୧୬୮ ପୃଷ୍ଠା ବିଶିଷ୍ଟ, ବେତନ ଆୟୋଗଙ୍କ ରିପୋର୍ଟର ପ୍ରାୟ ପାଞ୍ଚ ଭାଗରୁ ଭାଗେ। କିନ୍ତୁ ସେଥିରେ ଅନେକ ଯାଗାରେ କୁହାଯାଇଛି ଅନେକ ଦୃଷ୍ଟି ମଧ୍ୟରୁ ଖର୍ଚ୍ଚ କେବଳ ଗୋଟିଏ ଦୃଷ୍ଟି। ଆୟୋଗ କହିଛନ୍ତି ଯେ ତାଙ୍କ ଚିନ୍ତା ଓ ଦୃଷ୍ଟି କେବଳ ଫସଲର ଉତ୍ପାଦନ ଖର୍ଚ୍ଚ ଦେଖିବାର ନୁହେଁ, ତାଙ୍କର ଦୃଷ୍ଟି ଆହୁରି ଅନେକ ବିଷୟ ଉପରେ। ରିପୋର୍ଟର ଗୋଟିଏ ସ୍ଥାନରେ ଆୟୋଗ କହିଛନ୍ତି ଯେ, ଖର୍ଚ୍ଚ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଯଥା ଚାହିଦା ଓ ଯୋଗାଣର ସ୍ଥିତି, ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଦରାର ଧାରା, ବିଭିନ୍ନ ଫସଲ ମଧ୍ୟରେ ଆବଶ୍ୟକତା ଅନୁଯାୟୀ ସମାନତା, କୃଷି ଓ ଅଣ-କୃଷି କ୍ଷେତ୍ର ମଧ୍ୟରେ ବାଣିଜ୍ୟିକ ସାର୍ଟ, ଉପଭୋକ୍ତା ଓ ସାମଗ୍ରିକ ଅର୍ଥବ୍ୟବସ୍ଥା ଉପରେ ସମ୍ଭାବ୍ୟ ପ୍ରଭାବ ତଥା ଜମିଜଳ ଭଳି ସମ୍ପଦର ଯୁକ୍ତିଯୁକ୍ତ ଉପଯୋଗ ଆଦିର ଧ୍ୟାନ ରଖି ଆୟୋଗ ଏମଏସପି ସୁପାରିଶ କରିଥାନ୍ତି। ସରକାରମାନେ ମଧ୍ୟ ଆୟୋଗର ସୁପାରିଶକୁ ବହନ କରି ଚାଷୀକୁ ଫସଲର ଲାଭଜନକ ଦର ଦେବା ଦାୟିତ୍ୱକୁ ଏଡାଇ ଯାଉଛନ୍ତି। ସପ୍ତମ ବେତନ ଆୟୋଗର ସୁପାରିଶରେ କିଛି କର୍ମଚାରୀଵର୍ଗ ଅସନ୍ତୁଷ୍ଟ ହେଲାପରେ ସରକାର ତୁରନ୍ତ ସଚିବସ୍ତରୀୟ କମିଟୀ ଗଠନ କରିଦେଲେ କିନ୍ତୁ ଚାଷୀକୁ ଦର ପ୍ରଦାନ କଲାବେଳେ ସେମିତି କିଛି ଉଦ୍ୟମ ପ୍ରାୟ ହେଉନାହିଁ।
ଚାଷୀର ଫସଲ ପାଇଁ ଦର ସ୍ଥିର କରିବା ବେଳକୁ ମୁଦ୍ରାସ୍ପିତି କଥା ବାରମ୍ବାର କୁହାଯାଉଛି। କିନ୍ତୁ ସରକାରୀ କର୍ମଚାରୀଙ୍କୁ ମହଙ୍ଗାଭତ୍ତା ଦେଲାବେଳକୁ ତାହା ଉପରେ ବିଶେଷ ନିଘା ନାହିଁ। ୨୦୧୬-୧୭ ବର୍ଷରେ ଭାରତରେ ଧାନ ଓ ଗହମର ରେକର୍ଡ ଉତ୍ପାଦନ ହୋଇଥିବା କଥା ସରକାର କହିଛନ୍ତି। ଏହି ବର୍ଷ ୧୦୮.୮୬ ନିୟୁତ ଟନ ଧାନ ଓ ୯୬.୬୪ ନିୟୁତ ଟନ ଗହମ ଉତ୍ପାଦନ ହୋଇଛି। ଗତ ବର୍ଷ ଧାନ ଓ ଗହମର ଏମଏସପିରେ ଯଥାକ୍ରମେ କ୍ୱିଣ୍ଟାଲ ପ୍ରତି ୬୦ଟଙ୍କା ଓ ୧୦୦ଟଙ୍କା ବୃଦ୍ଧି ଘଟିଥିଲା। ସରକାର ଉତ୍ପାଦନ ହେଉଥିବା ସମସ୍ତ ଧାନ ଓ ଗହମ କିଣନ୍ତି ନାହିଁ, ତାହାର କିଛି ଅଂଶ ହିଁ କିଣନ୍ତି। କିନ୍ତୁ ଯଦି ବି ସରକାର ଉତ୍ପାଦିତ ହୋଇଥିବା ସମସ୍ତ ଧାନ ଓ ଗହାମକୁ କ୍ରୟ କରିଥାନ୍ତେ ତେବେ ଏମଏସପିରେ ବୃଦ୍ଧି ଯୋଗୁଁ ସରକାରଙ୍କୁ ପୂର୍ବ ବର୍ଷ ତୁଳନାରେ ମୋଟେ୧୬,୨୨୫ କୋଟି ଟଙ୍କା ହିଁ ଅଧିକ ଦେବାକୁ ପଡିଥାନ୍ତା। ସେଥିରେ ପୁଣି ଏହି କ୍ରୟ ଭାର ସରକାରଙ୍କ ଉପରେ ପୁରା ପଡେ ନାହିଁ। ସରକାର କ୍ରୟ କରିଥିବା ଧାନକୁ ପୁଣି ବିକ୍ରି କରିଥାନ୍ତି ବା ଖାଦ୍ୟ ସୁରକ୍ଷା ତଥା ଅନ୍ୟ ଯୋଜନା ଜରିଆରେ ତାହା ଲୋକଙ୍କୁ ଯୋଗାଇଥାନ୍ତି। ତେଣୁ ସରକାର କେବଳ ଏକ ମଧ୍ୟସ୍ଥିର କାମ କରିଥାନ୍ତି କହିଲେ ଚାଲେ। କିନ୍ତୁ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସିଧା ସରକାରଙ୍କ ଉପରେ ବୋଝ ହୋଇଥାଏ ତଥା ସେତିକି ଟଙ୍କା ଉନ୍ନୟନ ଯୋଜନା କରିବା ପାଇଁ ଆଉ ଉପଲବ୍ଧ ହୋଇ ନଥାଏ। ଗତ ବର୍ଷ ସପ୍ତମ ବେତନ ଆୟୋଗର ସୁପାରିଶ କାରଣରୁ ଏକା କେନ୍ଦ୍ର ସରକାର କେବଳ ତାଙ୍କ କର୍ମଚାରୀଙ୍କ ପାଇଁ ୧.୦୨ ଲକ୍ଷ କୋଟି ଟଙ୍କାର ଅଧିକ ଦରମା ଖର୍ଚ୍ଚ ବହନ କରିଛନ୍ତି। ସପ୍ତମ ବେତନ ଆୟୋଗ ସୁପାରିଶ ଲାଗୁହେବା ପରେ ଗତ ବର୍ଷେ ମଧ୍ୟରେ କେନ୍ଦ୍ର ସରକାର ଦୁଇଥର ମହଙ୍ଗାଭତ୍ତା ବଢ଼ାଇ ସାରିଲେଣି ଯାହା ଯୋଗୁଁ ବାର୍ଷିକ ୧୧,୪୭୯ କୋଟି ଟଙ୍କାର ଅତିରିକ୍ତ ଦରମା କେବଳ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି। ଏହା ବାହାରେ ରାଜ୍ୟ ସରକାରମାନଙ୍କର କର୍ମଚାରୀ, ବ୍ୟାଙ୍କ ଇନ୍ସୁରାନ୍ସ ତଥା ସରକାରୀ ଉଦ୍ୟୋଗ ଆଦିର କର୍ମଚାରୀ ଅଛନ୍ତି। ଥୋକେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସରକାର ଯେତିକି ମହଙ୍ଗା ଭତ୍ତା ଦେଲେ, ଭାରତରେ ବର୍ଷଯାକରେ ଉତ୍ପାଦିତ ହୋଇଥିବା ସମସ୍ତ ଧାନ ଓ ଗହମକୁ ଏମଏସପି ଦରରେ କିଣିଲେ ସରକାରଙ୍କୁ ତହିଁରୁ ଅଳ୍ପ କିଛି ଅଧିକ ହିଁ ବ୍ୟୟ କରିବାକୁ ହେବ।
ଏମଏସପି କଥା ଏତିକିରେ ସରୁନାହିଁ। ଏମଏସପି କେମିତି ସ୍ଥିର ହେଉଛି ତହିଁରେ ବି ଅନେକ କଥା ରହିଛି। ୨୦୧୪-୧୫ ବର୍ଷରେ ହୋଇଥିବା ପ୍ରକୁତ ଚାଷ ଖର୍ଚ୍ଚକୁ ହିସାବକୁ ନେଇ ଆୟୋଗ ଆଗାମୀ ୨୦୧୭-୧୮ ଖରିଫ ଋତୁ ପାଇଁ ବ୍ୟୟର ଅନୁମାନ ଲଗାଇଛନ୍ତି। ୨୦୧୪-୧୫ ବର୍ଷରେ ଓଡ଼ିଶାର ଚାଷୀ ଗୋଟିଏ ହେକ୍ଟରରେ ଧାନ ଚାଷ କରିବା ପାଇଁ ଖର୍ଚ୍ଚ କରିଥିଲେ ୪୯,୦୩୮ ଟଙ୍କା କିନ୍ତୁ ଅମଳ ପାଇଥିଲେ ୪୧,୩୭୯ ଟଙ୍କା। ଅର୍ଥାତ ପ୍ରତି ଏକ ହେକ୍ଟର ଜମିରେ ହୋଇଥିଲା ପ୍ରାୟ ୭,୩୦୦ ଟଙ୍କାର କ୍ଷତି। ଏମିତିଆ ସ୍ଥିତିକୁ ଆୟୋଗ ଆଦୌ ଗୁରୁତ୍ୱ ଦେଇନାହାନ୍ତି କିନ୍ତୁ ଚିରାଚରିତ ଢଙ୍ଗରେ ସୁପାରିଟିଏ କରିଛନ୍ତି। ଏମିତିଆ କଥା ଆହୁରି ଅଛି। ଗୋଟିଏ ଲେଖାରେ ସବୁକୁ କହି ହେଉ ନାହିଁ। ପରବର୍ତ୍ତୀ ଲେଖାରେ ଏମଏସପି ପେଡ଼ିକୁ ଆହୁରି ଖୋଲିବା।
(Note: This article was published in my fortnight Op-Ed column 'Tatwa O Tarka' in Dharitri. I have reproduced it here to enable easy mobile phone viewing. The original article can be accessed at http://www.dharitri.com/Bhubaneswar/120717/p6.htm )
No comments:
Post a Comment