ହୀରାକୁଦ ଜଳଭଣ୍ଡାରର ପ୍ରାୟ ୬୮ ବର୍ଷର ଇତିହାସରେ ବନ୍ୟା ମୁକାବିଲାରେ ତାହାର ଯୋଗଦାନ ପାଇଁ କିଛି ବାହାବା ଅବଶ୍ୟ ପାଇଛି କିନ୍ତୁ ବନ୍ୟାକୁ ରୋକି ପାରି ନଥିବା କାରଣରୁ ବା ବନ୍ୟାର କାରଣ ହୋଇଥିବାରୁ ଢେର୍ ଅଧିକ ଗାଳି ବି ଖାଇଛି। ୧୯୮୨ ମସିହାରେ ହୀରାକୁଦ ତଳ ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାକୁ ଜଳଭଣ୍ଡାରୁ ଅଧିକ ପାଣି ନ ଛାଡ଼ି ଆହୁରି ବଡ ବିପତ୍ତି ହେବାକୁ ଦେଇ ନଥିବାରୁ ଅନେକ ବାହାବା ପାଇଥିଲା। କିନ୍ତୁ ୨୦୦୮, ୨୦୧୧ ଭଳି ଅନେକ ବର୍ଷରେ ହୀରାକୁଦ ଜଳଭଣ୍ଡାର ସାଧାରଣ ବନ୍ୟାକୁ ବଡ ବନ୍ୟାରେ ପରିଣତ କରିଥିବାର ଅନେକ ଅଭିଯୋଗ ଉଠିଥିଲା। ଚଳିତ ବର୍ଷ ମଧ୍ୟ ହୀରାକୁଦ ମହାନଦୀର ତଳମୁଣ୍ଡରେ ବନ୍ୟା ରୋକି ନଥିବାର ରଡ଼ି ଅନେକ ଦିନ ଧରି ଗର୍ଜି ଥିଲା। ସେହି ସମୟରେ ଆଉ ଗୋଟେ ବର୍ଗ ଅଭିଯୋଗ କରୁଥିଲେ ଯେ ତ୍ରିକୋଣଭୂମିରେ ବନ୍ୟାକୁ ରୋକିବା ପାଇଁ ସରକାର ହୀରାକୁଦ ବନ୍ଧର ସୁରକ୍ଷା ସହିତ ଖେଳ ଖେଳୁଛନ୍ତି। ମହାନଦୀ ଓ ହୀରାକୁଦ ନଦୀବନ୍ଧ ଯୋଜନାକୁ ବୁଝିବାର ଟିକେ ଚେଷ୍ଟା କଲେ ଆମେ ଜାଣି ଯିବା ଯେ ମହାନଦୀ ବ୍ୟବସ୍ଥାରେ ବଡ଼ ବନ୍ୟା ରୋକିବାରେ ହୀରାକୁଦ ଜଳଭଣ୍ଡାରର ସାମର୍ଥ୍ୟ ନିହାତି ମାମୁଲି କିନ୍ତୁ ମହାନଦୀ ବ୍ୟବସ୍ଥାରେ ମାରାତ୍ମକ ବନ୍ୟା ସୃଷ୍ଟିକରିବାରେ ସେ ଏକ ବଡ଼ କାରଣ ହେବାର ଆଶଙ୍କା ଖୁବ୍ ବଢ଼ି ଚାଲିଛି।
ହୀରାକୁଦ ଜଳଭଣ୍ଡାରଟି ପୃଥିବୀର ବିଶାଳ କୁତ୍ରିମ ଜଳଭଣ୍ଡାରମାନଙ୍କ ମଧ୍ୟରୁ ଗୋଟିଏ ନିଶ୍ଚୟ। କିନ୍ତୁ ପୂର୍ଣ୍ଣ
ଥିବା ବେଳେ ପ୍ରାୟ ୭୫୦ ବର୍ଗ କିଲୋମିଟରର ବିସ୍ତୀର୍ଣ୍ଣ ଅଞ୍ଚଳରେ ଜଳ ପ୍ଲାବିତ ହୋଇ ରହୁଥିବା ହୀରାକୁଦ
ଜଳଭଣ୍ଡାରଟି ତାହାର ଜଳ ଗ୍ରହଣ କ୍ଷେତ୍ରକୁ ଦେଖିଲେ ନିହାତି ଛୋଟ।
ଜଳଭଣ୍ଡାରଟି ପୂର୍ଣ୍ଣ ଥିବା
ବେଳେ ଯେତିକି ଅଞ୍ଚଳରେ ପାଣି ମାଡ଼ି ରହେ ତାହାର ୧୧୧ ଗୁଣ ଅଧିକ ଅଞ୍ଚଳରୁ ଜଳଭଣ୍ଡାରକୁ ଜଳ
ଆସିଥାଏ। ହୀରାକୁଦ ନଦୀବନ୍ଧ ନିର୍ମାଣ
ବେଳେ ୧୯୨୬ ରୁ ୧୯୪୬ ବର୍ଷର ଜଳପ୍ରବାହକୁ ନେଇ ଆକଳନ ହୋଇଥିଲା ଯେ ହୀରାକୁଦ ଦେଇ ବର୍ଷରେ
ହାରାହାରି ୫୦୦ ଲକ୍ଷ ଏକର ଫୁଟ ଜଳ ପ୍ରବାହିତ ହୋଇଥାଏ। ଯଦି
ପୁରା ଓଡିଶା ଏକ ସମତଳ ଅଞ୍ଚଳ ହୁଏ ଓ ଏହାର ସମଗ୍ର ଅଞ୍ଚଳରେ ୫୦୦ ଲକ୍ଷ ଏକର ଫୁଟ ଜଳ ଯଦି ମାଡ଼ି
ରହେ ତେବେ ସାରା ଓଡ଼ିଶା ୧ ମିଟରରୁ ଅଧିକ ଉଚ୍ଚତାର ଜଳରେ ବୁଡିଯିବ। ବନ୍ଧ
ତିଆରି ବେଳେ ମୋଟ ୪୭.୨ ଲକ୍ଷ ଏକର ଫୁଟ ଜଳ ଧରି ରଖିବା ପାଇଁ ଭଣ୍ଡାର ତିଆରି ହୋଇଥିଲା। ଅର୍ଥାତ୍, ହୀରାକୁଦ ଦେଇ ହାରାହାରି ଯେତେ ଜଳ ପ୍ରବାହିତ ହୁଏ,
ତିଆରି ବେଳେ ବି ତାହାର ମୋଟେ
୧୧ ଭାଗର ଭାଗେ ଜଳ ହିଁ ଧରି ରଖିବାର ସାମର୍ଥ୍ୟ ଥିଲା। ଏବେ ହୀରାକୁଦର ସେହି କ୍ଷମତା ବି ନାହିଁ। ପୋତି ହେବା ଯୋଗୁଁ ଏବେ ଜଳଭଣ୍ଡାରର ବ୍ୟବହାରଯୋଗ୍ୟ ଜଳଧାରଣ କ୍ଷମତା
ପ୍ରାୟ ୩୬ ଲକ୍ଷ ଏକର ଫୁଟ ହିଁ ଅଛି। ଅନେକ ବର୍ଷରେ ହାରାହାରି ଠାରୁ ଢେର୍ ଅଧିକ ଜଳ ପ୍ରବାହିତ ହେବାର
ନଜିର ଅଛି। ହୀରାକୁଦ ବନ୍ଧ ତିଆରି ହେବା ଆଗରୁ ୧୯୧୯ ମସିହାରେ ସର୍ବାଧିକ ୬୯୯ ଲକ୍ଷ ଏକର ଫୁଟ ଜଳ
ପ୍ରବାହିତ ହୋଇଥିଲା। ହୀରାକୁଦ ବନ୍ଧ ନିର୍ମାଣ ହେବାର ଚାରି ବର୍ଷ ପରେ ୧୯୬୧ ମସିହାରେ
୭୩୬.୨୯ ଲକ୍ଷ
ଏକର ଫୁଟ ଜଳ ହୀରାକୁଦ ଦେଇ ପ୍ରବାହିତ ହୋଇଥିଲା। ଅର୍ଥାତ, ହୀରାକୁଦ ଯେତିକି ଜଳ ରୋକି ପାରିଥିଲା ତାହାର ପ୍ରାୟ ୨୦ ଗୁଣ ଅଧିକ
ଜଳ ଜଳଭଣ୍ଡାର ଦେଇ ପ୍ରବାହିତ ହୋଇଥିଲା। ଏଥିରୁ ଅନୁମାନ କରନ୍ତୁ ହୀରାକୁଦଟି କେତେ ଛୋଟ।
ହୀରାକୁଦ ଠାରେ ସମ୍ଭାବ୍ୟ ସର୍ବାଧିକ ବନ୍ୟା ପ୍ରବାହର ଭୁଲ ଆକଳନ କାରଣରୁ ଓ ନଦୀବନ୍ଧର
ଢାଞ୍ଚାଗତ ଦୁର୍ବଳତା ବା ସୀମିତତା କାରଣରୁ ହୀରାକୁଦ ନଦୀବନ୍ଧ ଏକ ବଡ ବିପଦ ହେବାକୁ ଯାଉଛି। ଆକଳନ
ହୋଇଥିବା ସମ୍ଭାବ୍ୟ ପ୍ରବାହର କଥା ଛାଡି ଦିଆଯାଉ, ଯଦି ୨୦ ଲକ୍ଷ କ୍ୟୁସେକ ଜଳ ବି ହୀରାକୁଦକୁ ଆସିବ ତେବେ ହୀରାକୁଦ
ବନ୍ୟା ସମ୍ଭାଳିବ କ'ଣ ଓଲଟି ନଦୀବନ୍ଧକୁ ହିଁ ସମ୍ଭାଳିବା ଦୁରୁହ ହେଇଯିବ।
ହୀରାକୁଦ ନଦୀବନ୍ଧରେ ଥିବା
ମୋଟ ୬୪ଟି ସ୍ଲୁଇସ ଓ ୩୪ଟି କ୍ରେଷ୍ଟ ଗେଟ୍ ମାଧ୍ୟମରେ ସର୍ବାଧିକ ୧୫ ଲକ୍ଷ କ୍ୟୁସେକ୍ ଜଳ ହିଁ
ଛଡା ଯାଇ ପାରିବ। ତାହାଠାରୁ ଅଧିକ ଜଳ ଛାଡିବା ସାମର୍ଥ୍ୟ ହୀରାକୁଦର ନାହିଁ। ବନ୍ଧ
ନିର୍ମାଣ ସମୟର ସର୍ବୋଚ୍ଚ ବନ୍ୟା ଜଳ ପ୍ରବାହ ସମ୍ଭାବନା ଆକଳନ ଅନୁସାରେ ସେତିକି ନିଷ୍କାସନ
ସାମର୍ଥ୍ୟ ରଖିଲେ ଚଳିଯିବ ବୋଲି ବିଚାର କରାଯାଇଥିଲା।
୧୯୪୮ ମସିହାର ହୀରାକୁଦ ବନ୍ଧ
ପ୍ରକଳ୍ପ ରିପୋର୍ଟରେ କୁହାଯାଇଥିଲା ଯେ ହୀରାକୁଦ ଦେଇ ଗୋଟିଏ ସେକେଣ୍ଡରେ ସର୍ବାଧିକ ୯.୪୨ ଲକ୍ଷ ଘନ ଫୁଟ (କ୍ୟୁସେକ୍) ବନ୍ୟା ଜଳ ପ୍ରବାହିତ ହେବାର ଇତିହାସ
ରହିଛି। ବନ୍ଧ ନିର୍ମାଣକୁ ଚାରି ବର୍ଷ
ବି ଯାଇ ନଥିଲା। ୧୯୬୧ ମସିହାରେ ହୀରାକୁଦକୁ
୧୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିଲା। ଭାଗ୍ୟ ଭଲ ସେତେବେଳେ ଜଳଭଣ୍ଡାରକୁ ଅଗଷ୍ଟ ସେପ୍ଟେମ୍ବର ମାସରେ ପ୍ରାୟ
ଖାଲି ରଖା ଯାଉଥିଲା। ସମ୍ଭାଳି ହେଇଗଲା। ଅନେକ ଥର
୯.୪୨ ଲକ୍ଷ
କ୍ୟୁସେକରୁ ଅଧିକ ଜଳ ହୀରାକୁଦ ଜଳଭଣ୍ଡାରକୁ ପଶିଛି। ନରାଜ
ଠାରେ ୯ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ବନ୍ୟା
ପରିସ୍ଥିତି ସୃଷ୍ଟି ହୁଏ। ୨୦୧୧
ମସିହା ସେପ୍ଟେମ୍ବର ୧୦ ତାରିଖରେ ହୀରାକୁଦ ଜଳଭଣ୍ଡାରକୁ ୧୧.୦୬ କ୍ୟୁସେକ୍ ବନ୍ୟାଜଳ ପଶୁଥିଲା ବେଳେ ୫୫ଟି ସ୍ଲୁଇସ ଓ ୪ଟି
କ୍ରେଷ୍ଟ ଗେଟ୍, ମୋଟ ୫୯ଟି
ଗେଟ୍, ମାଧ୍ୟମରେ ୯.୮୧ ଲକ୍ଷ କ୍ୟୁସେକ୍ ଜଳ
ଛଡା ଯାଇଥିଲା। ୧୯୮୦ ମସିହାରେ ୮୪ଟି ଗେଟ୍ ଓ ୧୯୭୨ରେ ୭୬ଟି ଗେଟ୍ ଖୋଲିବାକୁ
ପଡିଥିଲା। ଏତିକି ପାଣି ପ୍ରବାହିତ ହେଲେ ଜଳଭଣ୍ଡାର ପାଇଁ ତାହା କେତେ ଅଧିକ ବା କମ ଜାଣିବା ପାଇଁ
ହୁଏତ ଜିଜ୍ଞାସା ହେଉଥିବ। ଧରନ୍ତୁ
ହୀରାକୁଦ ଜଳଭଣ୍ଡାରଟି ପୁରା ଖାଲି ଅଛି। ସେହିଭଳି ସ୍ଥିତିରେ ଯଦି ୧୦ ଲକ୍ଷ କ୍ୟୁସେକ୍ ହାରରେ ଜଳ ଆସେ ଓ ଯଦି
ହୀରାକୁଦ ଜଳଭଣ୍ଡାରର ସବୁ ଗେଟ ବନ୍ଦ ଥାଏ ତେବେ ହୀରାକୁଦ ଜଳଭଣ୍ଡାରକୁ ସମ୍ପୂର୍ଣ୍ଣ ଭରିଯିବା
ପାଇଁ ମୋଟେ ୪୪ ଘଣ୍ଟା ହିଁ ଲାଗିବ। କୌଣସି ସମୟରେ ବି ଜଳଭଣ୍ଡାରର ସମ୍ପୂର୍ଣ୍ଣ ପେଟ ବନ୍ୟା ଜଳକୁ ରଖିବା
ପାଇଁ ପୁରା ଖାଲି ନ ଥାଏ। ହୀରାକୁଦର ଅନ୍ୟ ଆବଶ୍ୟକତା ପାଇଁ ଜଳଭଣ୍ଡାରରେ ଜଳ ଭରି ରଖିବା
ଦରକାର। ସେପ୍ଟେମ୍ବର ଶେଷ ସୁଦ୍ଧା ଜଳଭଣ୍ଡାରକୁ ପୁରା ଭରିବା ପାଇଁ 'ରୁଲ୍ କର୍ଭ' ସୁପାରିଶ କରିଛି।
୧୯୭୬ ମସିହାରେ ଏକ ବିଶେଷଜ୍ଞ ଦଳ ଆକଳନ କଲେ ଯେ ହୀରାକୁଦ ଠାରେ ସର୍ବାଧିକ ୨୮.୭୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶଙ୍କା ଅଛି। ଅର୍ଥାତ୍, ହୀରାକୁଦର ବର୍ତ୍ତମାନ ଯେତିକି ଜଳ ନିଷ୍କାସନ
କ୍ଷମତା ଅଛି ତାହାର ପାଖାପାଖି ଦୁଇଗୁଣ ଅଧିକ ଜଳ ପ୍ରବାହର ଆଶଙ୍କା ଅଛି। ୧୯୯୭ ମସିହାରେ କେନ୍ଦ୍ରୀୟ ଜଳ ଆୟୋଗ ଆକଳନ କଲେ ଯେ ହୀରାକୁଦଠାରେ
ସର୍ବାଧିକ ୨୪.୫ ଲକ୍ଷ କ୍ୟୁସେକ୍
ଜଳ ବହିବାର ଆଶଙ୍କା ଅଛି। ଓଡିଶା ସରକାର ୧୯୭୬ର ବିଶେଷଜ୍ଞ ଦଳର ରିପୋର୍ଟକୁ ଗ୍ରହଣ କରିଥିଲେ। ତାହାକୁ ୪୬
ବର୍ଷ ହୋଇସାରିଲାଣି। କେନ୍ଦ୍ରୀୟ
ଜଳ ଆୟୋଗର ଅକଳନକୁ ବି ୨୫ ବର୍ଷ ହେଲାଣି। ଅଧିକ ଜଳ
ନିଷ୍କାସନ ବ୍ୟବସ୍ଥା କରିବା ପାଇଁ କମିଟି କରିଥିବା ସୁପାରିଶ ଏଯାଏ କାର୍ଯ୍ୟକାରୀ ହୋଇ ନାହିଁ। ହୀରାକୁଦର ସ୍ଥିତି ଏବେ ଆହୁରି ବିକଟ କାରଣ ହୀରାକୁଦର ସମସ୍ତ ଗେଟ୍
ଠିକ୍ ଭାବରେ ଖୋଲୁ ନାହିଁ। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଓଡିଶା
ସରକାର ପ୍ରସ୍ତୁତ କରିଥିବା ଏକ ନୋଟରେ କୁହାଯାଇଛି ଯେ କିଛି ଗେଟ୍ ଅଚଳ ହୋଇଯାଇଥିବା କାରଣରୁ
ଏବେ ନଦୀବନ୍ଧର ସର୍ବୋଚ୍ଚ ବନ୍ୟାଜଳ କ୍ଷମତା ୧୩ ଲକ୍ଷ କ୍ୟୁସେକକୁ ଖସି ଆସିଛି।
୧୯୭୯ ମସିହାରେ ଗୁଜରାଟର ମଚ୍ଚୁ ନଦୀବନ୍ଧର ଏକ ଅଂଶ ଭୁଶୁଡି ଯାଇଥିଲା। ହୀରାକୁଦକୁ ମଚ୍ଚୁର ୪୩ଗୁଣରୁ ଅଧିକ ଅଞ୍ଚଳରୁ ଜଳ ଆସିଥାଏ। ମାମୁଲି ମଚ୍ଚୁ ନଦୀବନ୍ଧ ଭୁଶୁଡ଼ିବାରୁ ୨୫,୦୦୦ ଜୀବନ ଯାଇଥିଲା ବୋଲି ରିପୋର୍ଟ ଅଛି। ୧୯୭୫ ମସିହାରେ ହୀରାକୁଦରୁ ଆକାରରେ ଅନେକ ଛୋଟ ଚାଇନାର ବେନକ୍ୟୁଓ ନଦୀବନ୍ଧ ଭୁଶୁଡି ୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ। ସେହି ଜଳଭଣ୍ଡାରର ମୋଟ ଜଳଧାରଣ କ୍ଷମତା ହୀରାକୁଦର ୧୦ ଭାଗର ଭାଗେ ବି ନଥିଲା। ଏଥିରୁ ହୀରାକୁଦ ନଦୀବନ୍ଧର ବିପଦ କେତେ ବିରାଟ ଭାବିଦେଲେ ଦେହ ଶୀତେଇ ଯିବ।
(This article was first published in Odia leading newspaper 'Dharitri' in my column 'Tatwa O Tarka' on 10th October 2022. That can be accessed at http://dharitriepaper.in/edition/11610/bhubaneswar/page/6 )