ବିମଳ ପାଣ୍ଡିଆ
(ପ୍ରଧାନମନ୍ତ୍ରୀ ହିଁ କହିଥିଲେ ଆସନ୍ତୁ ଟିକା ନେଇ ଭାରତରୁ କରୋନାକୁ ଦୂର କରିବା। କିନ୍ତୁ ପ୍ରଧାନମନ୍ତ୍ରୀ ହିଁ ଝୁଣ୍ଟିଛନ୍ତି। ତାଙ୍କ କଥା, ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇ ନାହିଁ। କରୋନା କରାଳ ରୂପ ନେଇଥିବା ବେଳେ ସରକାର ଦେଶବାସୀଙ୍କୁ ଟିକା ଯୋଗାଇବାରେ କରିଛନ୍ତି ଗୁରୁତର ଅବହେଳା।)
ସେଇ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ପ୍ରାୟ ୩୭.୪୮ ଲକ୍ଷ ଲୋକ କୋଭିଡ ଟୀକା ନେଇଥିଲେ। ତା'ପରଠୁ କେବଳ ୧୨ ଏପ୍ରିଲକୁ ଛାଡିଦେଲେ ଅନ୍ୟ ସମସ୍ତ ଦିନରେ କମ ଲୋକ ହିଁ ଟିକା ନେଇଛନ୍ତି। ତାହାରି ତିନିଦିନ ପରେ, ଏପ୍ରିଲ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଚାରିଦିନିଆ 'ଟିକା ଉତ୍ସବ'ର ଆରମ୍ଭ କରି ଦେଶବାସୀଙ୍କୁ 'ଚାରିଟି ଅନୁରୋଧ' ରଖିଥିଲେ। ତହିଁରୁ ଗୋଟିଏ ଥିଲା, 'each one vaccinate one', ପ୍ରତ୍ୟେକେ ଆଉ ଜଣେଙ୍କୁ ଟିକା ଦେଉ ବା ଟିକା ନେବାରେ ସାହାଯ୍ୟ କରୁ। ପୁଣି ଲାଗିଲା ଯେମିତି ଦେଶରେ ଟିକା ଭରିକି ଅଛି, ଲୋକେ ଖାଲି ଯାହା ଟିକା ନେବା ପାଇଁ ମଙ୍ଗୁ ନାହାନ୍ତି। ଏପ୍ରିଲ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଅନେକ ନିର୍ବାଚନୀ ରାଲିରେ ଯୋଗଦେଇ ତହିଁରେ ବିପୁଳ ସଂଖ୍ୟାରେ ଜନସମାଗମ ହୋଇଥିବାରୁ ଅଭିଭୂତ ହୋଇଯାଉଥିଲେ। ତାକୁ ଦେଖି ଅନେକଙ୍କୁ ଲାଗିଥିବ ଦେଶରେ କରୋନା ନାହିଁ ବା କରୋନାକୁ ଫୁ କରିବା ପାଇଁ ସବୁ ତୟାର ହୋଇ ରହିଛି। ସେହିଦିନ ଭାରତରେ ୨.୭୪ ଲକ୍ଷ ନୂତନ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ ଯାହା ସେହି ସମୟର ନୂଆ ରେକର୍ଡ ଥିଲା। କୋଭିଡ଼କୁ ଆମେ ନୁହେଁ, କୋଭିଡ ଆମକୁ ଫୁ କରି ମାଡି ଚାଲିଥିଲା। ବାଧ୍ୟ ହୋଇ ତାହାରି ପର ଦିନ ହିଁ, ୧୮ ଏପ୍ରିଲରେ, ପ୍ରଧାନମନ୍ତ୍ରୀ କରୋନାକୁ ନେଇ ଅନେକ ବୈଠକ କରି ସଂଧ୍ୟାବେଳକୁ ପୁଣି ମେଞ୍ଚେ ଘୋଷଣା କଲେ। ତହିଁରୁ ଗୋଟିଏ ଘୋଷଣା ଥିଲା ଯେ ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ମେ ପହିଲାରୁ ଟିକା ପାଇଁ ଯୋଗ୍ୟ ହେବେ। ପ୍ରଧାନମନ୍ତ୍ରୀ ଆହୁରି ପଦେ ଯୋଡ଼ି କହିଲେ, ସରକାର ବର୍ଷେ ହେଲାଣି ଦେଶର ଅଧିକାଂଶ ଲୋକଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ଟିକା ଦେବା ପାଇଁ ରାତିଦିନ ଗୋଟିଏ କରି ଦେଇଛି। ପୁଣି ଲାଗିଲା ଯେମିତି ସବୁ ପ୍ରସ୍ତୁତ ହୋଇ ରହିଛି, ଖାଲି ଯାହା ଲୋକେ ଟିକା କେନ୍ଦ୍ରରେ ପହଞ୍ଚିବା କଥା। ମେ ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତେ ଯୋଗ୍ୟ ହୋଇଗଲେ, ପ୍ରଧାନମନ୍ତ୍ରୀ କହିଲେ ଟିକା ନେବା ପାଇଁ ସମସ୍ତେ ଧାଇଁ ଆସ, ଟିକା ଉତ୍ସବ ବି ପାଳିତ ହୋଇଗଲା। କିନ୍ତୁ, ଟିକା ପ୍ରଦାନର ଗତି ତଳକୁ ଓ ଆହୁରି ତଳକୁ ହିଁ ଖସି ଚାଲିଛି। 'ଟିକା ଉତ୍ସବ'ର ଚାରିଦିନରେ ଦୈନିକ ହାରାହାରି ୩୦.୬ ଲକ୍ଷ ଲୋକ ହିଁ ଟିକା ନେଇଥିଲେ। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଯୋଗ୍ୟ କରିବା ସତ୍ତ୍ୱେ ମେ ମାସର ପ୍ରଥମ ଛଅ ଦିନରେ ଦୈନିକ ହାରାହାରି ମାତ୍ର ୧୫.୫୪ ଲକ୍ଷ ଲୋକଙ୍କୁ ହିଁ ଟିକା ଦିଆଯାଇଥିଲା। ଦେଶରେ ସେତେବେଳକୁ ପ୍ରତିଦିନ ଚାରି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ଚାଲିଥିଲେ। ପ୍ରଧାନମନ୍ତ୍ରୀ ଓ ସରକାରଙ୍କ କହିବା ଓ ବାସ୍ତବତା ମଧ୍ୟରେ ଥିବା ପ୍ରଭେଦ ପ୍ରତିଦିନ ଅଧିକ ପ୍ରସାରିତ ହେବାରେ ଲାଗିଥିଲା।
ଭାରତର ସଂଘୀୟ ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ। କିନ୍ତୁ, ମହାମାରୀ ସ୍ଥିତିରେ ପ୍ରମୁଖ ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି ନିଷ୍ପତ୍ତି ନେବା ସହ ତାହାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି। ଟିକା କ୍ଷେତ୍ରରେ ତାହା ହେଉଥିବାର ବୋଧ ହେଉନାହିଁ। କେନ୍ଦ୍ର ସରକାର ନିଷ୍ପତ୍ତି ଥୋପି ଦେଉଥିବା ଭଳି ମନେ ହେଉଛି। ଏପ୍ରିଲ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ଟିକାକରଣ ପାଇଁ ଗୋଟିଏ ତଥାକଥିତ 'ତୃତୀୟ ପର୍ଯ୍ୟାୟ' କୌଶଳ ଘୋଷଣା ହେଲା। ସେଥିରେ କୁହାହେଲା, ମେ ପହିଲାରୁ ଟିକା ପ୍ରସ୍ତୁତକାରୀମାନେ ୫୦% ଟିକା ରାଜ୍ୟ ସରକାରଙ୍କୁ ଓ ଖୋଲା ବଜାରରେ ବିକ୍ରି କରିପାରିବେ। ରାଜ୍ୟ ସରକାରଙ୍କ ସହ ଏ ବିଷୟରେ ଆଗରୁ ଆଲୋଚନା ହୋଇଥିବାର ସୂଚନା ମିଳିନାହିଁ। କେନ୍ଦ୍ର ସରକାର ଟିକାକରଣକୁ ବଢାଇବାରେ ନିଜ ଅଙ୍ଗିକାରବଦ୍ଧତା ଦେଖାଇବା ବଦଳରେ ନିଜ ମୁଣ୍ଡରୁ ବୋଝ ଖସାଇବାରେ ବେଶୀ ବ୍ୟସ୍ତ ଥିବା ସ୍ପଷ୍ଟ ଜଣାପଡୁଥିଲା। କଥା ଜଟିଳ ହେଲା ଯେତେବେଳେ ଟିକା ପ୍ରସ୍ତୁତକାରୀ କମ୍ପାନୀ ରାଜ୍ୟ ସରକାରଙ୍କ ପାଇଁ ଦୁଇଗୁଣରୁ ଅଧିକ ଦର ସ୍ଥିର କଲେ। କୋଭିସୀଲଡ଼ ପ୍ରସ୍ତୁତକାରୀ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଟିକା ଯୋଗାଉଥିବା ବେଳେ ରାଜ୍ୟ ସରକାରମାନଙ୍କ ପାଇଁ ୪୦୦ ଟଙ୍କା ଦର ଠୁଙ୍କିଲେ। ପରେ ଅବଶ୍ୟ ‘ଆମେ ଉଦାରତା ଦେଖାଉଛୁ’ କହି ରାଜ୍ୟ ସରକାରମାନଙ୍କୁ ୩୦୦ ଟଙ୍କାରେ ଦେବୁ ବୋଲି ଘୋଷଣା କଲେ। ଏହାବି କେନ୍ଦ୍ର ସରକାରଙ୍କୁ ବିକୁଥିବା ଦରଠୁ ଦୁଇଗୁଣ ଅଧିକ। ଏହା ସହିତ କେନ୍ଦ୍ର ସରକାର ଆଉ ଗୋଟେ ଜଟିଳତା ସୃଷ୍ଟି କଲେ। କେନ୍ଦ୍ର ସରକାରଙ୍କୁ ୫୦% ଟିକା ଦେବା ପରେ ବାକି ଟିକାକୁ ପ୍ରସ୍ତୁତକାରୀ କମ୍ପାନୀ କାହାକୁ ବିକିବେ ତାହାର ନିଷ୍ପତି ତାଙ୍କ ଉପରେ ଛାଡିଦେଲେ। ସେମିତିରେ ସବୁ ରାଜ୍ୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚାପ ଦେବା ସ୍ୱାଭାବିକ, ଦେଇଥିବେ ମଧ୍ୟ। ଫଳ ହେଲା ଏୟା ଯେ ମୋତେ ଧମକ ମିଳୁଛି କହି ସିରମ ଇନ୍ଷ୍ଟିଚ୍ୟୁଟର ମାଲିକ ଭାରତ ଛାଡି ବିଲାତ ପଳାଇଲେ। ଏହା ଭାରତର ଛବିକୁ କେତେ ସଫା ବା ମଳିନ କଲା ତାହା ଅଲଗା କଥା କିନ୍ତୁ ଭାରତରେ ଟିକାକରଣର ସ୍ଥିତି ଓ ଗତି ଯେ ଅତ୍ୟନ୍ତ ଖରାପ ତାହା ବାରି ହୋଇଗଲା।
ଏବେ ଭାରତରେ ହାହାକାର ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାକ୍ତରଖାନାରେ ଖଟିଆ ମିଳୁନି, ଅମ୍ଳଜାନ ଟିକେ ନପାଇ ଲୋକ ଅକାଳରେ ମରୁଛନ୍ତି। ସ୍ମସାନରେ ଦାହ ପାଇଁ ଜାଗା ମିଳୁନି। ଏହି ଦୁଃସ୍ଥିତି ପାଇଁ ସାରା ପୃଥିବୀର ଦୃଷ୍ଟି ଏବେ ଭାରତ ଉପରେ। ଟିକା କରୋନାକୁ ରୋକିବାରେ କେତେ ଫଳପ୍ରଦ ହେଉଛି, ତାହାକୁ ନେଇ ଅନେକ ଶଙ୍କା ଅବଶ୍ୟ ଅଛି କିନ୍ତୁ ଘନ ଅନ୍ଧକାର ମଧ୍ୟରେ ଏହା ଏକମାତ୍ର ଆଶାର ଆଲୋକ ବୋଲି ଏବେ ମନେକରାଯାଉଛି। ଜାନୁୟାରୀ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ବଡ ଗର୍ବରେ 'ଭ୍ୟାକସିନ ମୈତ୍ରୀ' ଆରମ୍ଭ କରିଥିଲେ। ଭାରତ ବିଶ୍ୱକୁ ଭ୍ୟାକସିନ ଯୋଗାଉଛି କହି ବାହାଦୁରି ମାରିଥିଲେ। ଏହାକୁ ସେତେବେଳେ ତାଙ୍କର 'ଭ୍ୟାକସିନ କୂଟନୀତି' ବୋଲି କୁହାଗଲା। ଏବେ ଭାରତ ଭ୍ୟାକସିନ ଆମଦାନୀ କରିବା ପାଇଁ ବାଧ୍ୟ ହୋଇଛି। ରାଜ୍ୟ ସରକାରମାନେ ଦେଶର ଦୁଇ ଟିକା ଉତ୍ପାଦନକାରୀ ସହିତ ବିଦେଶର ଟିକା ଉତ୍ପାଦାନକାରୀଙ୍କ ଠାରୁ ଟିକା କିଣିବା ବା ଧାଡି ଲଗାଇଛନ୍ତି। ଟିକା ସଂଗ୍ରହ କରି ରାଜ୍ୟ ସରକାରମାଙ୍କୁ ଜଗିବା କେନ୍ଦ୍ର ସରକାରଙ୍କର ପ୍ରମୁଖ ଦାଇତ୍ୱ ଥିଲା। କେନ୍ଦ୍ର ସରକାର ଏହି ଘଡିସନ୍ଧି ମୁହୂର୍ତ୍ତରେ ନିଜର ସେହି ଦାୟିତ୍ୱରୁ ସମ୍ପୂର୍ଣ୍ଣ ଓହରି ଯାଇଛି କହିଲେ ଚଳେ।
ଏବେବି କେନ୍ଦ୍ର ସରକାରଙ୍କ ପ୍ରଚାରତନ୍ତ୍ର କହୁଛି ଭାରତର ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱର ସବୁଠାରୁ ବଡ। ବାସ୍ତବତା ହେଲା ଯେ, ୧୬ ଜାନୁଆରୀରୁ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲେ ସୁଦ୍ଧା ମେ ୮ ତାରିଖ ବେଳକୁ ମାତ୍ର ୧୦ ପ୍ରତିଶତ ଲୋକ ହିଁ ପ୍ରଥମ ଡୋଜ ଟିକା ପାଇଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ହିଁ ଦ୍ଵିତୀୟ ଡୋଜ ପାଇଛନ୍ତି। ଅତି ଛୋଟଛୋଟ ଦେଶ ବି ଏଇ ମାମଲାରେ ଭାରତ ଠାରୁ ଢେର ଆଗରେ। ଏବେ ବି ସମୟ ଅଛି। ସଂଘୀୟ ବ୍ୟବସ୍ଥାକୁ ଲାତ ମାରି ନୁହେଁ, ତାହାକୁ ବଳିଷ୍ଠ କରି, ଯେତେ ଅଧିକ ସମ୍ଭବ ସେତେ ଅଧିକ ଲୋକଙ୍କ ମତ ଓ ତାଙ୍କର ଯୋଗଦାନ ପାଇଁ ସୁଯୋଗ ଓ ବ୍ୟବସ୍ଥା ସୃଷ୍ଟି କରି ଟିକାକରଣ ବ୍ୟବସ୍ଥାକୁ ସଜାଡି ହେବ ଏବଂ କୋଭିଡ ମହାମାରୀଙ୍କୁ ଅଧିକ ଫଳପ୍ରଦ ଭାବରେ ମୁକାବିଲା କରି ହେବ। ଏଥିପାଇଁ ରାଜନୀତିରୁ ଉର୍ଦ୍ଧ୍ଵକୁ ଯିବାକୁ ହେବ ତଥା କଥାରେ ଓ କାମରେ ତାଳମେଳ ରଖିବାକୁ ହେବ। ପ୍ରଧାନମନ୍ତ୍ରୀ ଏହା କରିବାରେ ସବୁଠାରୁ ଅଧିକ ଝୁଣ୍ଟିଛନ୍ତି ଓ ଦେଶ କରୋନା ମାଡ଼ରେ ହାମୁଡେଇ ହୋଇ ପଡିଛି। ଦେଶ ପ୍ରଧାନମନ୍ତ୍ରୀଙ୍କଠାରୁ ନେତୃତ୍ୱ ଆବଶ୍ୟକ କରେ।
(This article was first published without the images and chart in 'Dharitri' on 13 May 2021. That can be accessed at: http://dharitriepaper.in/edition/7951/bhubaneswar/page/6 )