ବିମଳ ପାଣ୍ଡିଆ
ଭାରତର ଅନେକ ଲୋକ 'ନାଇକା' ବୋଲି ଗୋଟେ କମ୍ପାନୀ ଅଛି ଜାଣି ନଥିବେ। କମ୍ପାନୀଟି ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ବିକେ। ନିଜେ ତିଆରି କରେ ନାହିଁ, ଅନ୍ୟମାନଙ୍କର ପ୍ରସ୍ତୁତ ସାମଗ୍ରୀ ବିକେ। ଅନ୍ୟ ଭାବରେ କହିଲେ, କମ୍ପାନୀଟି କେବଳ ଏକ ଦୋକାନୀ। ଅନ୍ୟର ପ୍ରସ୍ତୁତ ସାମଗ୍ରୀ କିଣି, କିଛି ଲାଭ ରଖି ଗ୍ରାହକଙ୍କୁ, ବିଶେଷ କରି ଯୁବ ମହିଳା ଗ୍ରାହକଙ୍କୁ ବିକେ। ମୁଖ୍ୟତଃ ଅନଲାଇନରେ ବିକେ। ତା'ସହିତ କମ୍ପାନୀର ୭୬ଟି ଦୋକାନ ରହିଛି। ନିକଟରେ ଜାରି କରିଥିବା ତ୍ରୈମାସିକ ରିପୋର୍ଟରେ କମ୍ପାନୀ କହିଛି ଯେ ଗତ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ତିନି ମାସରେ କମ୍ପାନୀ ୮୮୫ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରି ଲାଭ କରିଛି ୧.୧୭ କୋଟି ଟଙ୍କା। ସେତିକି ମାତ୍ର ବେପାର, ଲାଭ ମୋଟେ ଏକ କୋଟିରୁ କିଛି ଅଧିକ କିନ୍ତୁ ଶେୟାର ବଜାର ଅନୁସାରେ ସେହି କମ୍ପାନୀର ମୂଲ୍ୟ ହେଉଛି ଏକ ଲକ୍ଷ କୋଟିରୁ ଅଧିକ। ଏଇଟା କେତେ କମ କି ବେଶୀ ସାଧାରଣ ଲୋକଟେ ଜାଣିବା ପାଇଁ ଆମେ କିଛି ଉଦାହରଣ ଦେଖିବା। 'ହିରୋ' କମ୍ପାନୀର ଯାନ ଆମେ ସବୁଠାରେ ସବୁସମୟରେ ପ୍ରାୟ ଦେଖିଥାଉ। ଭାରତର ଏକ ବଡ଼ କମ୍ପାନୀ ବୋଲି ମାନୁ, ହିରୋର ବ୍ରାଣ୍ଡକୁ ମାନ୍ୟତା ଦେଇଥାଉ। କିନ୍ତୁ, ବଜାରର ମାପକାଠି ଅନୁସାରେ ଅନେକ ଲୋକ ଜାଣି ନ ଥିବା ନାଇକା କମ୍ପାନୀଟି କୁଆଡେ ହିରୋ କମ୍ପାନୀଠୁ ଦୁଇଗୁଣ ବଡ଼। ଆଉ ଗୋଟେ ଉଦାହରଣ ଦେଖିବା। ଭାରତ ପେଟ୍ରୋଲିୟମ କର୍ପୋରେସନ। ଭାରତର ଅନ୍ୟତମ ବୃହତ ତୈଳ କମ୍ପାନୀ। କୋଚି ଓ ମୁମ୍ବାଇରେ ଏହି କମ୍ପାନୀର ଦୁଇଟି ବିଶାଳ ପେଟ୍ରୋଲିୟମ ରିଫାଇନାରୀ ଅଛି। ଦେଶର କୋଣଅନୁକୋଣରେ ଏହାର ପେଟ୍ରୋଲ-ଡିଜେଲ ପମ୍ପ ରହିଛି ତଥା କମ୍ପାନୀ ବିତରଣ କରୁଥିବା ଭାରତ ଗ୍ୟାସକୁ ଦେଶର ଅନେକ ପରିବାର ବ୍ୟବହାର କରନ୍ତି। କମ୍ପାନୀ ତୈଳ ଖୋଜ ଓ ଉତ୍ତୋଳନରେ ମଧ୍ୟ ସାମିଲ ହେଲାଣି। କିନ୍ତୁ, ଶେୟାର ବଜାରର ମାପକରେ 'ଭାରତ ପେଟ୍ରୋଲିୟମ' କମ୍ପାନୀଟି 'ନାଇକା' କମ୍ପାନୀଠାରୁ ଛୋଟ, ଅନେକ ଛୋଟ। 'ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ)'ର ଅନେକ ବିଶାଳ ଲୁହା କାରଖାନା ଓ ଖଣି ଭାରତର ବିଭିନ୍ନ ପ୍ରାନ୍ତରରେ ଅଛି। କିନ୍ତୁ ଶେୟାର ବଜାରର ମାପକରେ 'ନାଇକା' କମ୍ପାନୀ 'ସେଲ'ଠୁ କୁଆଡେ ଅଢେଇ ଗୁଣ ବଡ଼। ଓଡ଼ିଶାର ଅନେକ ଲୋକ କୃଷକ। ତାଙ୍କ ବୃତ୍ତି ସହିତ ସମ୍ବନ୍ଧିତ ଏକ ଉଦାହରଣ ଦେବା। 'କରମଣ୍ଡଳ' ହେଉଛି ଭାରତର ସବୁଠାରୁ ବଡ଼ ସାର ବା ଉର୍ବରକ ଉତ୍ପାଦକ କମ୍ପାନୀ। ତାହାର 'ଗ୍ରୋମୋର' ବ୍ରାଣ୍ଡରେ ମିଳୁଥିବା ସାର ଅଧିକାଂଶ ଚାଷୀଙ୍କର ପ୍ରଥମ ପସନ୍ଦ। ଶେୟାର ବଜାରର ମାପକରେ ସେହି କମ୍ପାନୀଟି କୁଆଡେ 'ନାଇକା' କମ୍ପାନୀର ଚାରି ଭାଗର ଭାଗେରୁ ବି ସାନ ହେବ। ଏବେ ଆସିବା 'ପେଟିଏମ୍' କମ୍ପାନୀକୁ। କମ୍ପାନୀ ଆରମ୍ଭ ହେଲା ଦିନରୁ ଲାଭ କରିନି। କେବେ ଲାଭ କରିବ, କରିବ ବା ନାହିଁ ତାହା ଜଣା ନାହିଁ। ଏହା ମୁଁ କହୁ ନାହିଁ। କମ୍ପାନୀ ଏବେ ଶେୟାର ବଜାରକୁ ପ୍ରବେଶ କରିଛି। ସେ ଜାରି କରିଥିବା ଦସ୍ତାବିଜରେ ହିଁ କହିଛି ଯେ ଆମେ କେବେ ଲାଭ କରିବୁ ଜଣା ନାହିଁ। କିନ୍ତୁ ଶେୟାର ବଜାରକୁ ପ୍ରବେଶ କଲା ବେଳେ ନିଜକୁ ଦେଢ଼ ଲକ୍ଷ କୋଟି ଟଙ୍କାର କମ୍ପାନୀ ବୋଲି ଘୋଷଣା କଲା। ନିଜକୁ ସେ ଟାଟା ଷ୍ଟିଲ, ଇଣ୍ଡିଆନ ଅଏଲ କର୍ପୋରେସନ, ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଭଳି ବିଶାଳ କମ୍ପାନୀମାନଙ୍କଠୁ ବି ବଡ଼ ବୋଲି ବିଚାରିଲା।
'ବିଟ କଏନ' ଅସତ୍ୟକୁ ସତ୍ୟ ବିଚାରିବାର ଆଉ ଏକ ବିରାଟ ଉଦାହରଣ। ବିଟ କଏନ କ'ଣ ତାହା ପୃଥିବୀର ୧୦୦ରୁ ୯୫ ଲୋକ ବୁଝି ନଥିବେ। କିନ୍ତୁ, ଏବେ ସରକାରମାନେ ତାହା ଉପରେ ଚର୍ଚ୍ଚା କରିବା ଆରମ୍ଭ କଲେଣି। ଏହା କୁଆଡେ ଏକ ମୁଦ୍ରା। ଏହାକୁ 'ବିକେନ୍ଦ୍ରୀକୃତ ଡିଜିଟାଲ କରେନ୍ସି' ବୋଲି କୁହା ହେଉଛି। ପୃଥିବୀର ବିଭିନ୍ନ ଦେଶରେ ଭିନ୍ନଭିନ୍ନ ମୁଦ୍ରା ବ୍ୟବହାର ହୁଏ। ସମସ୍ତ ମୁଦ୍ରାର ନିୟନ୍ତ୍ରଣ ବ୍ୟବସ୍ଥା ଥାଏ। ଆମର ରିଜର୍ଭ ବ୍ୟାଙ୍କ ଭଳି ବ୍ୟାଙ୍କ ମୁଦ୍ରାକୁ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ବିଟ କଏନର କେହି ନିୟନ୍ତ୍ରକ ନାହାନ୍ତି। ଏହି ତଥାକଥିତ ମୁଦ୍ରାକୁ ଲୋକେ ଦ୍ରବ୍ୟ କିଣାବିକା ପାଇଁ କେତେ ବ୍ୟବହାର କରୁଛନ୍ତି ତାହା ମୁଁ ଜାଣିନି, କିନ୍ତୁ ଏହି ମୁଦ୍ରାର କିଣାବିକା ବିଭିନ୍ନ ଆନ୍ତର୍ଜାତୀୟ ଶେୟାର ବଜାରରେ ଖୁବ ଜୋରରେ ଚାଲିଛି, ଆଉ ଏମିତି ଚାଲିଛି ଯେ ତାହାର କଳ୍ପନା କରିବା ବି ଆମ ପାଇଁ କଷ୍ଟ ହୋଇ ପଡୁଛି। ୨୦୧୦ ମସିହାରେ ବାଣିଜ୍ୟିକ କାରବାର ପାଇଁ ବିଟ କଏନର ପ୍ରଥମ ବ୍ୟବହାର ହୋଇଥିଲା ବୋଲି କିଛି ଆଲେଖ୍ୟ ରହିଛି। ଲାଜିଓ ହେନେଜେ ନାମକ ଜଣେ ବ୍ୟକ୍ତି ୧୦,୦୦୦ (ହଁ, ଦଶ ହଜାର) ବିଟ କଏନ ଦେଇ 'ପାପା ଜନସ' ବୋଲି ଗୋଟିଏ ଖାଦ୍ୟ ଦୋକାନରୁ ଦୁଇଟି (ହଁ, ଦୁଇଟି) ପିଜ୍ଜା କିଣିଥିଲେ କୁଆଡେ। ୨୦୧୩ ମସିହାରେ ବିଟ କଏନକୁ ପ୍ରଥମ କରି ଆମେରିକୀୟ ଡ଼ଲାର ସହିତ ଅଦଳବଦଳ କରାଯାଇଥିଲା ବୋଲି ଗୋଟିଏ ଆଲେଖ୍ୟ କହେ। ଗୋଟିଏ ବିଟ କଏନକୁ ୨୨ ଆମେରିକୀୟ ଡ଼ଲାର ଦେଇ ଅଦଳବଦଳ ହୋଇଥିଲା। ବର୍ତ୍ତମାନକୁ ଆସିବା। ଗୋଟିଏ ବିଟ କଏନକୁ ୧୯ ନଭେମ୍ବରରେ ଲୋକେ ୫୬,୦୦୦, (ହଁ, ଛପନ ହଜାର) ଆମେରିକୀୟ ଡ଼ଲାର ଦେଇକି ବଦଳ କରୁଥିଲେ, ସାତ ଦିନ ଆଗରୁ ତାହା ୬୪,୦୦୦ ଡ଼ଲାରରେ ବି ଅଦଳବଦଳ ହେଉଥିଲା। ୨୦୧୦ ମସିହାରେ ଦୁଇଟି ପିଜ୍ଜା ଦେଇ ୧୦,୦୦୦ ବିଟ କଏନ ରଖିଥିବା 'ପାପା ଜନସ' ଯଦି ଏବେ ସେହି ମୁଦ୍ରା ରଖିଥିବେ, ତେବେ ତାହାର ମୂଲ୍ୟ ଏବେ ୫୬ କୋଟି ଆମେରିକୀୟ ଡଲାର ବା ୪,୨୦୦ କୋଟି ଟଙ୍କା ହେବ। ବିଟ କଏନ ଭଳି ଅନେକ ମୁଦ୍ରା ଏବେ ବଜାରରେ। ଦ୍ରବ୍ୟ ଓ ସେବା କିଣାବିକା ପାଇଁ ବ୍ୟବହାର ହେଉ ନ ହେଉ, ଶେୟାର ବଜାରରେ ବ୍ୟାପକ ଭାବରେ କାରବାର ହେଉଛି ସେହିଭଳି ମୁଦ୍ରା। ଇଂରାଜୀରେ ସେହିଭଳି ମୁଦ୍ରାକୁ 'crypto currency' ବୋଲି କୁହାହେଉଛି। 'crypto’ ର ଆକ୍ଷରିକ ଓଡ଼ିଆ ଅନୁବାଦ ହେଲା ଗୋପନୀୟ। ଲୋକେ କ'ଣ ବୁଝିଛନ୍ତି ଆମେମାନେ ବୁଝିବାକୁ ଅକ୍ଷମ କିନ୍ତୁ ସେହି ମୁଦ୍ରାର କିଣାବିକା କରି ଅନେକ ଲୋକ ଲକ୍ଷପତି, କୋଟିପତି ଓ କାଙ୍ଗାଳ ହୋଇଚାଲିଛନ୍ତି।
ଅସତ୍ୟର ଏହି ଗହୀର ଚେର ଖାଲି
ଶେୟାର ବଜାରରେ ନାହିଁ, ଏହା ଆଜିର ସମାଜର ପ୍ରାୟ ସବୁ
କ୍ଷେତ୍ରରେ ମାଡି ଚାଲିଛି। ଚାଷକୁ ଏବେ ଏକ
ସମ୍ଭ୍ରାନ୍ତ ଓ ସାମାଜିକ ପ୍ରତିଷ୍ଠା ରଖୁଥିବା ବୃତ୍ତି ଭାବରେ ବିବେଚନା କରାଯାଉ ନାହିଁ। ଚାଷ ଓ ଚାଷୀ ଯେମିତି ସମାଜ ଓ ସରକାରଙ୍କ ପାଇଁ ବୋଝ। ଅନ୍ୟ ବୃତ୍ତିର ରୋଜଗାର ଚାଷୀର ରୋଜଗାର ଠାରୁ କାହିଁରେ କେତେ ଅଧିକ। ଶ୍ରମକୁ ଜୀବିକା କରୁଥିବା ଲୋକଙ୍କ ବି ଦଶା ବି ସେମିତି। ଯିଏ ଶ୍ରମଜୀବି ସିଏ ସମାଜର
ସବୁଠାରୁ ତଳେ ଥିବା ବ୍ୟକ୍ତି ବୋଲି ଧରି ନିଆ ଯାଉଛି। ଶ୍ରମଜୀବୀଙ୍କୁ 'ତୁମେ' ବା 'ଆପଣ' ବୋଲି ସମ୍ବୋଧନ କଲେ ଅନେକ ଲୋକଙ୍କର କୁଆଡେ ଇଜ୍ଜତ ପଳାଇଯାଏ। ତାଙ୍କୁ 'ତୁ' ବୋଲି ହିଁ ସମ୍ବୋଧନ କରିବେ। ଏହିଭଳି ଅନେକ ଅସତ୍ୟ
ଆମ ସମାଜକୁ ଜାବୁଡି ଧରିଛି। ଆମେ ସେହି ଅସତ୍ୟ ନାଟକର ଦର୍ଶକ ନୁହେଁ, ଗୋଟେଗୋଟେ କଳାକାର ହୋଇସାରିଛେ। ମିଥ୍ୟାର ଏହି ରଙ୍ଗମଞ୍ଚରୁ ଆମେ ଶୀଘ୍ରମୁକୁଳିବା ନିହାତି ଦରକାର। ଅସତ୍ଯର ଏହି ଚେରକୁ ଉପାଡିବାରେ ବିଳମ୍ବ ହେଲେ ବିପଦ
(This article was originally published in Op-Ed column 'Tatwa O Tarka' in Dharitri on 20th November 2021. It can be accessed at: http://dharitriepaper.in/edition/9294/bhubaneswar/page/6)