ସାରା ସୁରତ ସହରରେ ୩୬୭, କିନ୍ତୁ ସେଠୁ ଓଡିଶାକୁ ଫେରାନ୍ତଙ୍କ ଭିତରୁ ୨୯୪ କରୋନା ସଂକ୍ରମିତ ବାହାରି ସାରିଲେଣି। ଏହା ହଜମ ନହେବା ଭଳି ତଥ୍ୟ କିନ୍ତୁ ଏହା ଚିତ୍କାର କରି କହେ - କରୋନାକୁ ଡରିବାର ବେଳ ସରିଗଲା, ସମାନ୍ୟକୁ ଫେରିଚାଲ
ସୁରତ ଫେରନ୍ତା ଓଡ଼ିଆ
ପ୍ରବାସୀଙ୍କ ମଧ୍ୟରେ କରୋନା ସଂକ୍ରମଣର ଗତି ଓ ସ୍ଥିତିର କିଛି ହିସାବ ଦେଶର କରୋନା ଲଢେଇରେ
ଘୋଡାଇ ହୋଇ ରହିଯାଉଥିବା ଅନେକ ଅସହଜ ବାସ୍ତବତାକୁ ବନ୍ଧା ପୁଟୁଳା ଭିତରୁ ଉଜାଗର କରୁଛି। ତାଲା-ବନ୍ଦୀରେ
ଥିବା ଭାରତ ମେ ୩ ତାରିଖରୁ ଦେଶର ବିଭିନ୍ନ ପ୍ରାନ୍ତରରେ ଫସି ରହିଥିବା ପ୍ରବାସୀଙ୍କ ଘରବାହୁଡ଼ାର
ବାଟ ଖୋଲିଥିଲା। ୬୫ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସୁରତ ସହରରେ ପ୍ରାୟ ୧୦ଲକ୍ଷ ଓଡ଼ିଆ
ରହନ୍ତି। ସୁରତରୁ ଏହା ମଧ୍ୟରେ କେତେ ଲୋକ ଫେରିଲେଣି ତାହାର ଠୋସ ହିସାବ ନାହିଁ, କିନ୍ତୁ ଅନ୍ଦାଜ କରିହେବ ଯେ ଫେରି ସାରିଥିବା ଲୋକଙ୍କ ସଂଖ୍ୟା ଖୁବ୍ ବେଶୀ ନୁହଁ।
ସେତିକିରେ କିନ୍ତୁ ଓଡ଼ିଶାର କରୋନା ମାନଚିତ୍ର ଅନେକ ବଦଳି ସାରିଲାଣି। ମେ ୩ ତାରିଖ ସୁଦ୍ଧା
ଓଡ଼ିଶାରେ ସର୍ବମୋଟ ମାତ୍ର ୧୬୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେତେବେଳଯାଏ କରୋନା
ପଜିଟିଭ ସୂଚୀରେ ଜଣେ ବି ସୁରତ ଫେରନ୍ତା ନଥିଲେ। ମେ ୧୩ ତାରିଖ ବେଳକୁ ସେହି ସୂଚୀରେ ୨୯୪ ଜଣ
ନୂଆ ସୁରତ ଫେରନ୍ତା ଯୋଡି ହୋଇ ସାରିଥିଲେ। ଦଶ ଦିନ ଭିତରେ ସୁରତରୁ ଓଡିଶାକୁ ଅଳ୍ପ କେଇ ହଜାର ହିଁ
ପ୍ରବାସୀ ଫେରିଥିବେ। ତାଙ୍କ ଭିତରୁ କିଛି ପ୍ରବାସୀଙ୍କର ହିଁ କରୋନା ସଂକ୍ରମଣ ପାଇଁ ପରୀକ୍ଷା
ହୋଇଥିବ। ସେତିକିରେ ୨୯୪ ଜଣ ସୁରତ ଫେରନ୍ତା କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଥିବା ବେଳେ ସୁରତ
ମହାନଗର ନିଗମ କିନ୍ତୁ କହୁଛି ଯେ ସହରରେ ମେ ୧୩ ତାରିଖ ବେଳକୁ କେବଳ ୩୬୭ ଜଣ ସକ୍ରିୟ କରୋନା ସଂକ୍ରମିତ ବ୍ୟକ୍ତି ଅଛନ୍ତି। ଏହି ତଥ୍ୟ ଆଦୌ ହଜମ ହେଉନାହିଁ। ଅସମର୍ଥିତ ସୂତ୍ରର ସୂଚନା ଅନୁସାରେ ପ୍ରତି ୧୦ରୁ ୧୫ ଜଣ ସୁରତ ଫେରନ୍ତା
ପ୍ରବାସୀଙ୍କ ନମୁନାରେ ଜଣେ କରୋନା ସଂକ୍ରମିତ ବାହାରୁଛନ୍ତି। ଓଡିଶାକୁ ଫେରୁଥିବା ସୁରତ ପ୍ରବାସୀଙ୍କ
ସଂକ୍ରମଣ ହାରକୁ ହିସାବକୁ ନେଲେ ସୁରତରେ କରୋନାର ସଂକ୍ରମଣ ଯେ କେତେ ବ୍ୟାପକ ହୋଇସାରିଲାଣି
ତାହା ଅନୁମାନ କରିବା ଆଦୌ କଷ୍ଟକର ନୁହେଁ।
ଏହି ସ୍ଥିତିରୁ ବାରି ହେଉଥିବା ପ୍ରଥମ ଅସହଜ
ଚିତ୍ରଟି ହେଲା ଯେ,
ସୁରତରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ
ସଂଖ୍ୟାଠାରୁ ଲୁକ୍କାୟିତ ହୋଇ ରହିଥିବା ସଂକ୍ରମିତଙ୍କ ସଂଖ୍ୟା ଅନେକଗୁଣ ଅଧିକ। ଓଡ଼ିଶାକୁ
ପହଞ୍ଚୁଥିବା ପ୍ରବାସୀଙ୍କ ପରୀକ୍ଷା ହେଉଛି ବୋଲି ହିଁ କରୋନା ସଂକ୍ରମଣର ଅଧିକ ମାମଲା
ଲୋକଲୋଚନକୁ ଆସୁଛି। ଅନ୍ୟ ଅସହଜ ଚିତ୍ରଟି ଆହୁରି ଭୟାବହ। କେନ୍ଦ୍ର ସରକାର ପ୍ରବାସୀଙ୍କ
ଯାତାୟାତ ପାଇଁ ଅନୁମତି ଦେବା ମାତ୍ରେ ଗୁଜୁରାଟ ସରକାର ଅତ୍ୟନ୍ତ ଆଗଭର ହୋଇ ଓଡ଼ିଶା ତଥା ଅନ୍ୟ
ରାଜ୍ୟର ପ୍ରବାସୀଙ୍କୁ ବସ୍ ମାଧ୍ଯମରେ ପଠାଇବା ଆରମ୍ଭ କରିଦେଇଥିଲେ। ଗତ ସପ୍ତାହରେ ଯେତେବେଳେ
ଓଡ଼ିଶା ହାଇକୋର୍ଟ ସଂକ୍ରମିତ ହୋଇ ନଥିବା ପ୍ରବାସୀଙ୍କୁ ହିଁ ଓଡିଶାକୁ ଆସିବାକୁ ଦିଆଯିବ ବୋଲି
ନିର୍ଦ୍ଦେଶ ଦେଲେ ସେତେବେଳେ ଗୁଜୁରାଟ ସରକାର ରାତିକ ଭିତରେ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ
କଲେ ଓ କେନ୍ଦ୍ର ସରକାରଙ୍କ 'ସଲିସିଟର ଜେନେରାଲ' ପରଦିନ ସୁପ୍ରିମ କୋର୍ଟ ଖୋଲିବା ମାତ୍ରେ ହିଁ ସ୍ଥଗିତାଦେଶ ନେଇ ଆସିଲେ। ହାଇକୋର୍ଟଙ୍କ
ସେହିଭଳି ନିର୍ଦ୍ଦେଶ ଅବଶ୍ୟ ମାନବତାର ବିରୋଧୀ ଥିଲା ବୋଲି ଏକ ବଡ ବର୍ଗ ବିଶ୍ୱାସ କରନ୍ତି
କିନ୍ତୁ ଗୁଜୁରାଟ ସରକାରଙ୍କ ତ୍ୱରିତ ପଦକ୍ଷେପରୁ ସିଏ ପ୍ରବାସୀଙ୍କୁ ତଡିବା ପାଇଁ ବ୍ୟଗ୍ର
ଥିବାର କଟୁ ବାସ୍ତବତା ବାରି ହୋଇଯାଉଛି। କାହିଁକି ତରବରରେ ଅଛନ୍ତି ତାହାରି କାରଣ ବୁଝିବା
ଆଦୌ କଷ୍ଟ ନୁହେଁ। ଗୁଜରାଟ ସରକାର ହୁଏତ କରୋନାର ସଂକ୍ରାମକ ସ୍ଥିତିକୁ ବୋଧହୁଏ ସଂକ୍ରମଣର
ବିଶାଳ ସ୍ୱରୂପକୁ ଜାଣି ତାହାକୁ ଲୁଚାଇଛନ୍ତି ଓ ପ୍ରବାସୀଙ୍କୁ ଘରବାହୁଡା କରାଇବାର ବାହାନାରେ ନିଜ ବୋଝ ହାଲୁକା କରିବା ପାଇଁ କରୋନାର ଏକ
ପ୍ରକାର ରପ୍ତାନି ହିଁ କରୁଛନ୍ତି। ହୁଏତ ସୁରତରେ ସଂକ୍ରମଣର ଏହି ହାର ଜାଣିଥିଲେ ଓଡିଶା ସରକାର
ପ୍ରବାସୀଙ୍କ ପାଇଁ ଭିନ୍ନ ବ୍ୟବସ୍ଥା କରିଥାନ୍ତେ। କରୋନାର ବାସ୍ତବ ତଥ୍ୟ ପ୍ରଘଟ ନ କରିବା
କାରଣରୁ ଏକ ପକ୍ଷରେ ଓଡିଶା ଭଳି ଅପେକ୍ଷାକୃତ ଭଲ ସ୍ଥିତିରେ ଥିବା ରାଜ୍ୟର ପରିସ୍ଥିତି ବ୍ୟାପକ
ମାତ୍ରାରେ ଜଟିଳ ହେବା ନିଶ୍ଚିତ ହୋଇଯାଇଥିବା ବେଳେ ଏହା ଗୁଜୁରାଟ ଭଳି ରାଜ୍ୟ କେମିତି କରୋନା
ସମ୍ବନ୍ଧରେ ବିରାଟ ମିଛର ପସରା ଖୋଲି ବସିଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଦେଉଛି।
କଟୁ ବାସ୍ତବତାକୁ ଘୋଡାଇ ରଖିବାର
ଏହି ପ୍ରବୃତ୍ତି ସୁରତ ନଗରୀ ବା ଗୁଜରାଟ ରାଜ୍ୟରେ ସୀମିତ ଥିବ ବୋଲି ବିଶ୍ୱାସ ହେଉନାହିଁ। ଏହା
ପୂର୍ବରୁ ଓଡ଼ିଶାରେ କରୋନା ସଂକ୍ରମଣରେ ବୃଦ୍ଧି ପାଇଁ କଲିକତାକୁ ଏକପ୍ରକାର ଦୋଷୀ ବୋଲି ଧରି
ନିଆଯାଇଥିଲା। ତାହା ପୂର୍ବରୁ ନିଜାମୁଦ୍ଦିନ ମର୍କଜ଼ ଉପରେ ସବୁ ଦୋଷ ଅଜାଡି ହୋଇଥିଲା। ଅନ୍ୟ
ରାଜ୍ୟ ବା ଦେଶମାନଙ୍କରେ ବି ସେହିଭଳି ଅବସ୍ଥା। ସମସ୍ତେ ଅନ୍ୟ ଉପରେ ଦୋଷ ଲଦିବାରେ ବ୍ୟସ୍ତ।
ପ୍ରକୃତ ବାସ୍ତବତା ହେଲା ଯେ, ଆମେ ଯଥେଷ୍ଟ ପରୀକ୍ଷଣ
କରୁନାହିଁ। ଯେହେତୁ ବାହାରୁ ଆସୁଥିବା ଲୋକଙ୍କୁ ହିଁ କରୋନା ସଂକ୍ରମଣର ସନ୍ଦେହରେ ପରୀକ୍ଷା
କରୁଛୁ, ତାଙ୍କଠାରେ ହିଁ ସାଧାରଣତଃ ସଂକ୍ରମଣ ମିଳୁଛି। ଏହି କାରଣରୁ ଏକ ଭ୍ରାନ୍ତ ଧାରଣା ଜନମାନସରେ
ଚେରମାଡି ବସୁଛି ଯେ ବାହାରୁ ଆସୁଥିବା ଲୋକେ ହିଁ କରୋନା ଭୁତାଣୁର ବାହକ। ଏହି କାରଣରୁ ହିଁ
ବାହାରୁ ଆସୁଥିବା ଲୋକ, ଏପରିକି ବାହାରୁ ଆସୁଥିବା ଆପଣା ପ୍ରବାସୀଙ୍କ ଉପରେ ମାନସିକ, ସାମାଜିକ, ପ୍ରଶାସନିକ ଓ ସ୍ଥଳ ବିଶେଷରେ ଶାରୀରିକ ପ୍ରହାର ବଢ଼ିବାରେ ଲାଗିଛି। ପ୍ରବାସୀ ଫେରନ୍ତାଙ୍କ
ପ୍ରତି ବାଟଘାଟରେ,
ନିଜ ଗାଁରେ ଏମିତି ବାଛବିଚାର ହେଉଛି ଯାହା ଆମ ମୁଣ୍ଡ ତଳକୁ
କରିଦେବା କଥା। ତେବେ, ସୁରତ ବା କଲିକତାକୁ ଉଦାହରଣ ଭାବରେ ନେଲେ ଏହା ସ୍ପଷ୍ଟ
ହୋଇଯାଏ ଯେ ପ୍ରାୟ ସମସ୍ତ ସ୍ଥାନରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ତାହାଠାରୁ ଢେର
ଗୁଣ ଲୋକଙ୍କ ଦେହରେ କରୋନା ପଶି ସାରିଛି। ଓଡ଼ିଶାରେ ମଧ୍ୟ ସ୍ଥିତି ତାହା ଥିବ ନିଶ୍ଚୟ। ନିଜକୁ
ସୁସ୍ଥ ବିଚାରି ପ୍ରବାସୀଙ୍କ ଉପରେ ଦାଉ ସାଧୁଥିବା ଅନେକ ସ୍ଥାନୀୟ ଲୋକଙ୍କ ଶରୀରରେ ନିଶ୍ଚିତ
ଭାବରେ କରୋନା ପ୍ରବେଶ କରିସାରିଥିବ।
ତେବେ, ଏହାର ଏକ ବଡ ସକାରାତ୍ମକ ଦିଗ ଅଛି। କରୋନା ଭୁତାଣୁ ଅନେକ ଲୋକଙ୍କର ଶରୀରରେ ଅବଶ୍ୟ ଅଛି
କିନ୍ତୁ ଅଧିକାଂଶ କ୍ଷେତ୍ରରେ ସାମାନ୍ଯ ଲକ୍ଷଣ ବି ପ୍ରକାଶ ପାଉନି। ଜୀବନହାନୀର ମାତ୍ରା ତ' ଖୁବ କମ। ଓଡ଼ିଶାରେ ମିଳିଥିବା ଅନେକ କରୋନା ପଜିଟିଭ ମାମଲାରୁ ଏହା ମଧ୍ୟ ପ୍ରାୟ ସାବ୍ୟସ୍ତ
ହୋଇସାରିଛି ଯେ କରୋନା ଭୁତାଣୁ ଜଣକ ଠାରୁ ଅନ୍ୟ ଜଣଙ୍କ ନିକଟକୁ ସଂକ୍ରମିତ ହେବାର ହାର ଖୁବ କମ୍, ନାହିଁ କହିଲେ ଚଳେ। ଉଦାହରଣ ସ୍ୱରୂପ, ତାମିଲନାଡ଼ୁରୁ
ଫେରିବାର ୪୫ ଦିନ ପରେ ବଲାଙ୍ଗୀରର ଦୁଇଜଣ ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ। ସେହି ସମୟ ଭିତରେ
ସେମାନେ ସାଧାରଣ ବ୍ୟକ୍ତିଙ୍କ ଭଳି ସମସ୍ତଙ୍କ ସହ ମିଶିଥିଲେ। ସେମାନେ ସଂକ୍ରମିତ ବୋଲି
ଜଣାପଡ଼ିବାର ୧୦ ଦିନ ପରେ ବି ଅନ୍ୟ କେହି ସେମାନଙ୍କ ଠାରୁ ସଂକ୍ରମିତ ହୋଇଥିବାର ଜଣା
ପଡ଼ିନାହିଁ। ତେଣୁ,
ଆମେ କରୋନାକୁ ଏକ ସାଧାରଣ ସମସ୍ୟା ଭାବରେ ଦେଖିବା ଆରମ୍ଭ
କରିଦେବା କଥା। ଏହା ଏକ ବଡ଼ ବିପଦ ଆଦୌ ନୁହେଁ, ଅନ୍ତତଃ ଭାରତରେ।
କରୋନା ପ୍ରତି ଭୟ ଛାଡି ଦିଆଯାଉ। କରୋନାଠାରୁ ‘ଲକ୍-ଡାଉନ’ କାହିଁ କେତେଗୁଣ ଅଧିକ କ୍ଷତି କରୁଛି।
ରାଜ୍ୟ ଓ ଦେଶକୁ ଆଉ ଅଧିକ ଦିନ ବନ୍ଦ କରି ରଖାଯାଇ ପାରିବ ନାହିଁ। ତେଣୁ, ଆମେ ଗୁରୁତ୍ୱର ସହ
ସାମାନ୍ୟ ଜନଜୀବନ ଓ ବ୍ୟବସ୍ଥାକୁ ଫେରିବାର ପ୍ରୟାସ ଆରମ୍ଭ କରିବା ଦରକାର। କରୋନା ପାଇଁ କାହାର
ମନ ଓ ଶରୀର କଷ୍ଟ ନ ପାଉ, ପ୍ରବାସୀ ଓ ଅପରିଚିତ ଅସାମାଜିକ ବିଦ୍ୱେଷର ଶିକାର ନ
ହୁଅନ୍ତୁ, ଲୋକଙ୍କ ଖାଇବା ଓ ରହିବାରେ ବାଧା ନ ଉପୁଜୁ ଓ ଆମେ ପୁଣି ସାମାନ୍ୟ ସ୍ଥିତିକୁ ଫେରି
ଆସୁ।
(This article was originally published in 'Dharitri' on 14th May 2020. That can be accessed at http://dharitriepaper.in/edition/5390/bhubaneswar/page/6)