୨୦୧୮ ବର୍ଷର ଶେଷ 'ମନ କି ବାତ'ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ନକରାତ୍ମତାର ପ୍ରସାର କରିବା
ଅତି ସହଜ କିନ୍ତୁ ଲୋକେ ସକାରାତ୍ମତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି
ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ 'ମନ କି ବାତ'ରେ ରଖିଥିବା
ବିଚାରକୁ ନିଜର ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମତାର ଉଦାହରଣ ସୃଷ୍ଟିକରିବ।
ନିଜର ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା
କରିବାର ପ୍ରବୃତ୍ତିରୁ ନିଜକୁ ଦୁରେଇ ବା ବିରୋଧୀଙ୍କ ଟାହିଟାପରାକୁ ଆଦୌ ଗୁରୁତ୍ୱ ନ ଦେଇ ଯଦି
ପ୍ରଧାନମନ୍ତ୍ରୀ ନିଜର ପାଞ୍ଚବର୍ଷର ଶାସନକାଳରେ ଆରମ୍ଭ କରିଥିବା ଅନେକ ଯୋଜନା କେମିତି ସୁଫଳ
ଆଣିଛି ତାହା ଉପରେ ହିଁ ମନୋନିବେଶ କରିବେ ତେବେ ତାହା 'ସକରାତ୍ମକତା'ର ପ୍ରସାର ଦିଗରେ
ଏକ ବିରାଟ ସଫଳତା ହେବ।
ଏହି ପ୍ରାୟ ପାଞ୍ଚବର୍ଷର
ଶାସନକାଳରେ ଶ୍ରୀ ମୋଦି ଏତେ ଯୋଜନା ଆରମ୍ଭ କରିଛନ୍ତି ଯେ ସବୁ ଯୋଜନାର ଖବର ହୁଏତ ତାଙ୍କ ପାଖରେ
ବି ନଥିବ। ତେବେ ଶ୍ରୀ ମୋଦି
କିଛି ଖୁବ ପ୍ରଚାରିତ ଓ ବଡ ଯାକଯମକରେ ଆରମ୍ଭ ହୋଇଥିବା ଯୋଜନା, ଯଥା: କୃଷକଙ୍କ ଆୟ ଦୁଇଗୁଣ କରିବା, ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ
ଅଭିଯାନ, ମେକ ଇନ ଇଣ୍ଡିଆ, ବୁଲେଟ ଟ୍ରେନ, ଉଜ୍ଜ୍ଵଳା,
ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମିଶନ ଭାଗିରଥି, ପ୍ରଧାନମନ୍ତ୍ରୀ
ସାଂସଦ ଆଦର୍ଶ ଗ୍ରାମ, ନମାମି ଗଙ୍ଗେ, ଆୟୁଷ୍ମାନ ଭାରତ, ଉଡାନ, ବେଟି ବଚାଓ ବେଟି ପଢ଼ାଓ, ଷ୍ଟାର୍ଟ ଅପ ଇଣ୍ଡିଆ ଷ୍ଟାଣ୍ଡ ଅପ ଇଣ୍ଡିଆ ଆଦି ଯୋଜନା ଉପରେ ଅଧିକ
ଗୁରୁତ୍ୱ ଦେଇ ପାରନ୍ତି। କିଛି ଅତି ପ୍ରମୁଖ ଯୋଜନା ବିଷୟରେ ଲୋକଙ୍କୁ ଜଣାଇ ସକରାତ୍ମକତାର ଏକ
ନୂଆ ଉଦାହରଣ ସୃଷ୍ଟି କରିବାର କେମିତି ଅପୂର୍ବ ସୁଯୋଗ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି ତାହାର
କିଛି ଉଦାହରଣ ଏହି ଆଲେଖ୍ୟରେ ଦେଉଛୁ।
ପ୍ରଥମେ ଆସିବା 'ଚାଷୀଙ୍କ ଆୟ ଦୁଇଗୁଣ' ଯୋଜନାକୁ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୮.୨.୨୦୧୬ ତାରିଖରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ୨୦୨୨ ମସିହା ସୁଦ୍ଧା
ଚାଷୀଙ୍କ ଆୟ ଦୁଇଗୁଣ କରିବା ତାଙ୍କର ଲକ୍ଷ୍ୟ। ନୀତି ଆୟୋଗ ହିସାବ କରିଛି ଯେ ୨୦୧୫-୧୬କୁ ମୂଳ ବର୍ଷ ଭାବରେ ନେଲେ
୨୦୨୨-୨୩ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ହେଲେ କୃଷିକ୍ଷେତ୍ରରେ ବାର୍ଷିକ ହାରାହାରି ୧୦.୪% ହାରରେ ଅଭିବୃଦ୍ଧି ହେବା ଦରକାର। ନୀତି ଆୟୋଗ ଏହି ଲକ୍ଷ୍ୟ
ହାସଲ ହୋଇପାରିବ ବୋଲି ଆଶା ରଖିଛନ୍ତି। ତେବେ ବିରୋଧୀ ଓ ଅନେକ
ଜ୍ଞାନୀ କହୁଛନ୍ତି ଯେ ବଢିବା ଦୂରର କଥା ମୋଦିଙ୍କ ଶାସନରେ କୃଷିକ୍ଷେତ୍ରରେ ଅଭିବୃଦ୍ଧିହାର
ଅନେକ ଧିମେଇ ଯାଇଛି। ବିଶିଷ୍ଟ କୃଷି
ଅର୍ଥନୀତିଜ୍ଞ ଅଶୋକ ଗୁଲାଟି କହିଛନ୍ତି ଯେ ୟୁ.ପି.ଏ.୨ ଶାସନର ପ୍ରଥମ ଚାରିବର୍ଷରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ଥିଲା। ମୋଦିଙ୍କ ଶାସନର ପ୍ରଥମ ୪ବର୍ଷରେ ଏହି ହାର ଅଧାରୁ ଅଧିକ ଖସି ମାତ୍ର
୨.୫% ରହିଛି। ଏବେ ପ୍ରଧାନମନ୍ତ୍ରୀ ଲୋକଙ୍କ ଆୟ ଆଉ ତିନିବର୍ଷରେ କେମିତି ଦୁଇଗୁଣ
ହେବ ତାହା କହି ସକରାତ୍ମକତାର ଏକ ସୁନ୍ଦର ବାର୍ତ୍ତା ଦିଅନ୍ତୁ।
ଏହାପରେ ଆସିବା 'ସ୍ମାର୍ଟ ସିଟି' ଯୋଜନାକୁ। ସରକାରକୁ ଆସିବା ମାତ୍ରେ ୨୦୧୪ ମସିହାରେ ଶ୍ରୀ ମୋଦି 'ସ୍ମାର୍ଟ ସିଟି'ର ନାରା ଧରିଥିଲେ। ତେବେ ଏହି ଯୋଜନା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ୨୦୧୬ ମସିହା
ଜୁନ ୨୫ ତାରିଖରେ। ଏହି ଯୋଜନା
ଅନୁସାରେ ଦେଶର ୧୦୦ଟି ସହରରେ ଲୋକଙ୍କ ରହଣୀ ଓ ସ୍ଵାଚ୍ଛନ୍ଦ୍ୟକୁ ଏକ ଅତି ଉନ୍ନତ ସ୍ଥିତିକୁ
ଅଣାଯିବ ଯାହା ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ହେବ। 'ସ୍ମାର୍ଟ ସିଟି'
ଯୋଜନା ଅଧୀନରେ କିଛି ମୌଳିକ ସ୍ଥିତିରେ ଯଥେଷ୍ଟ
ଉନ୍ନତି ଆଣିବାର ଉଦ୍ଦେଶ୍ୟ ଥିଲା - ଯଥା ପର୍ଯ୍ୟାପ୍ତ ପାଣି, ନିରନ୍ତର ବିଜୁଳି, ସ୍ୱଚ୍ଛ ପରିମଳ ଓ
ବର୍ଜ୍ୟ ପରିଚାଳନା, ଉନ୍ନତ ସହରୀ ଗମନାଗମନ
ବ୍ୟବସ୍ଥା, ସମସ୍ତେ ଏପରିକି ଗରିବ ମଧ୍ୟ
କିଣିପାରୁଥିବା ଘର, ପ୍ରଯୁକ୍ତି ଓ ଜ୍ଞାନକୌଶଳର
ବଳିଷ୍ଠ ଉପଯୋଗ, ଭାଗିଦାରିଭିତ୍ତିକ ଶାସନ
ବ୍ୟବସ୍ଥା, ଉନ୍ନତ ପରିବେଶ ଏବଂ
ସମସ୍ତଙ୍କ ସୁରକ୍ଷା ଇତ୍ୟାଦି। ଗତ ଜାନୁଆରୀ ୩ ତାରିଖରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରଦେଇ
ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ରାଉଣ୍ଡରେ 'ସ୍ମାର୍ଟ ସିଟି' ହିସାବରେ ନିଆହୋଇଥିବା
ସହରମାନଙ୍କରେ ଆସନ୍ତା ୨୦୨୦-୨୧ ସୁଦ୍ଧା ସମସ୍ତ ପ୍ରକଳ୍ପ ସାରିବାର ଯୋଜନା ଅଛି। ବିରୋଧୀମାନେ ଅବଶ୍ୟ ନକରାତ୍ମକତା ଦେଖାଇ କହନ୍ତି ଯେ 'ସ୍ମାର୍ଟ ସିଟି'
ଏକ ପ୍ରହେଳିକା ଓ ଏହାର କାର୍ଯ୍ୟାନ୍ୱୟନ ହାର ଅତି
ମନ୍ଥର। ରାଜ୍ୟସଭାର ସେହି
ଉତ୍ତରରେ ସରକାର କହିଛନ୍ତି ଯେ ୨୦୫,018 କୋଟି ଟଙ୍କାର ମୋଟ
ପ୍ରକଳ୍ପ ମଧ୍ୟରୁ ୫୨,୮୬୬ କୋଟି ଟଙ୍କାର ପ୍ରକଳ୍ପର
କାମ ଆରମ୍ଭ ହୋଇଛି ବା ସରିଛି। ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସକରାତ୍ମକତା ଦେଖାଇ 'ସ୍ମାର୍ଟ ସିଟି'
କେମିତି ପରିବର୍ତ୍ତନ ଆଣିପାରିଛି ତାହା ଲୋକଙ୍କୁ
ଜଣାନ୍ତୁ।
ପ୍ରଧାନମନ୍ତ୍ରୀ ଶ୍ରୀ
ମୋଦିଙ୍କ ଆଉ ଏକ ମହତ୍ୱାକାଂକ୍ଷୀ ଯୋଜନା ଥିଲା ସ୍ୱଚ୍ଛ ଭାରତ ଅଭିଯାନ। ୨୦୧୪ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ
୨୦୧୯ ଗାନ୍ଧୀ ଜୟନ୍ତୀରେ,ବା ଆଉ ପ୍ରାୟ ୮ମାସରେ, ଭାରତରେ କେହି ପଦାରେ
ମଳତ୍ୟାଗ କରୁ ନଥିବେ। ଗତ ଡିସେମ୍ବର ୨୭
ତାରିଖରେ ରାଜ୍ୟସଭାରେ ସରକାର କହିଛନ୍ତି ଯେ ଡିସେମ୍ବର ୨୦୧୮ ସୁଦ୍ଧା ଦେଶର ୯.୦୫କୋଟି ଘରୋଇ ପାଇଖାନା
ତିଆରି ହୋଇସାରିଛି। ବିରୋଧୀ ଅବଶ୍ୟ
କହନ୍ତି ଯେ ତଥ୍ୟଠାରୁ ସତ୍ୟ ସମ୍ପୂର୍ଣ୍ଣ ଭିନ୍ନ। ତେବେ ସରକାର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ବାହ୍ୟ
ମଳମୂକ୍ତ ବୋଲି ଘୋଷଣା କରିସାରିଲେଣି। ଯଦି ତଥ୍ୟଠାରୁ ସତ୍ୟ ଭିନ୍ନ ନୁହେଁ ତେବେ ସକାରାତ୍ମକତାର ବାଣୀକୁ
ନେଇ ଲୋକଙ୍କ ପାଖରେ ପହଞ୍ଚିବାରେ ଏହାଠୁ ବଡ ଉପଲବ୍ଧି ବା କ'ଣ ହୋଇପାରେ!
ପ୍ରଧାନମନ୍ତ୍ରୀ ଭାବରେ
ଲାଲକିଲ୍ଲାରୁ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣରେ 'ମେକ ଇନ ଇଣ୍ଡିଆ'ର ଆହ୍ୱାନ ଦେଇ ଶ୍ରୀ ମୋଦି
ବିଶ୍ୱର ନିର୍ମାତା ଓ ପୁଞ୍ଜିପତିଙ୍କୁ ଡାକିଥିଲେ, 'ଆସ, ଭାରତରେ ନିର୍ମାଣ କର ଓ ଯେଉଁଠି ବିକିବାର ଅଛି ନେଇକି ବିକ'। ଅତି ସୁନ୍ଦର ଉଦ୍ଦେଶ୍ୟ - ବିଶ୍ବରେ ଭାରତର ନାଁ, ଭାରତୀୟମାନଙ୍କୁ ରୋଜଗାର ଓ
ଭାରତୀୟ ଆର୍ଥିକସ୍ଥିତି ସୁଦୃଢ ହେବାର ତାହା ମାଧ୍ୟମ ହୋଇଥାନ୍ତା। ଅବଶ୍ୟ ବିରୋଧୀ ତଥା ଅନେକ ଅର୍ଥନୀତିଜ୍ଞ କହୁଛନ୍ତି ଯେ 'ମେକ ଇନ ଇଣ୍ଡିଆ' କେବଳ ସାଇନବୋର୍ଡ଼ରେ ସୀମିତ
ଏବଂ ଭାରତରୁ ରପ୍ତାନି ବଢିବା ବଦଳରେ କମିବାରେ ଲାଗିଛି। ୨୦୧୪ରେ ବା ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା ବର୍ଷରେ ଭାରତ ୩୧୮.୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ରପ୍ତାନି କରିଥିଲା। ୨୦୧୭ରେ ତାହା ୨୭୫.୮ ବିଲିୟନ ଆମେରିକୀୟ ଡଲାରକୁ
ଖସି ଆସିଥିଲା। ତେବେ, ପ୍ରଧାନମନ୍ତ୍ରୀ ସକରାତ୍ମକତାର ପରିପ୍ରକାଶ କରି ବାସ୍ତବ ସ୍ଥିତି
ବିଷୟରେ ଲୋକଙ୍କୁ ବୁଝାଇଲେ ତାହା ଉଦାହରଣ ହେବ।
ପ୍ରଧାନମନ୍ତ୍ରୀଙ୍କ ପାଖରେ
ସେ ଆରମ୍ଭ କରିଥିବା ଯୋଜନାମାନଙ୍କର ଭଣ୍ଡାର ଅଛି । ତେଣୁ ତାଙ୍କ ପାଖରେ ସକରାତ୍ମକତାର ବିଚାରକୁ ଆଚାରରେ ପରିଣତ କରିବାର
ବିଶାଳ ସାଧନ ମଧ୍ୟ ରହିଛି । ଏଇ ନିକଟରେ ଏକ ମାମଲାର
ବିଚାର ଚାଲିଥିବା ବେଳେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ରଞ୍ଜନ ଗୋଗୋଇ କୁଆଡେ ବିଶିଷ୍ଟ ଓକିଲ ଶ୍ରୀ ପ୍ରଶାନ୍ତ ଭୁଷଣଙ୍କୁ କହିଲେ ଯେ 'ସବୁକୁ ଆଶାବାଦୀ ବା ସକାରାତ୍ମକ ଦୃଷ୍ଟିରେ ଦେଖିବା ଆରମ୍ଭ କରନ୍ତୁ, ଦେଖିବେ ସମାଜ ସୁନ୍ଦର ଦେଖାଯିବ'। ପ୍ରଧାନମନ୍ତ୍ରୀ ଓ
ପ୍ରଧାନ ବିଚାରପତିଙ୍କ ଭଳି ବ୍ୟକ୍ତି 'ସକରାତ୍ମକତା'ର ବାଣୀ ଦେବା ଅତି ସ୍ୱାଗତଯୋଗ୍ୟ। ତେବେ ବାଣୀ ନୁହେଁ, ଠାଣିରେ ତାହା ରୂପାନ୍ତରିତ
ହେବା ହିଁ ବାସ୍ତବ ସକରାତ୍ମକତା। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ତାହା କରି ଦେଖାଇବେ ବୋଲି ଆଶା ରଖିଲେ ବୋଧେ ଅସମୀଚୀନ ହେବ ନାହିଁ।
( This piece was originally published in my 'Tatwa O Tarka' column in Dharitri on January 23, 2019. That can be accessed at http://dharitriepaper.in/edition/1994/bhubaneswar/page/6 )