(The hills and forest was their habitat, means of living, tradition, culture, livelihoods and what not. Not only has mining robbed the Adivasis of their basic means of existence, but also has made their lives more miserable.)
ବଙ୍କାତେଢ଼ା ବାଡ଼ି ଗୋଟେର ସାହାରାରେ ବଡ କଷ୍ଟରେ ଚାଲୁଛନ୍ତି ୮୦-୮୫ ବର୍ଷ ବୟସର ସୁନା ପ୍ରଧାନ। ଘରେ ତାଙ୍କର ଯୁବତୀ ବୋହୁ ପାଞ୍ଚବର୍ଷରୁ ଅଧିକ ହେଲାଣି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ନୁଆଁଣିଆ ଚାଳଘରଟିରୁ ଦରଦ ଭରା ଜୀବନର ଫରଦ ପୁରା ବିଖାରି ହୋଇଯାଉଛି। ସୁନା ପ୍ରଧାନ ବାରମ୍ବାର ଦୌଡ଼ିଛନ୍ତି ପଞ୍ଚାୟତକୁ, ଏପରିକି କେତେଥର ଦୌଡ଼ିଛନ୍ତି ତାଙ୍କ ଗାଁ ତଳକାଇଁସାରିରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବାଂଶପାଳ ବ୍ଲକ ଅଫିସକୁ। କେବଳ ଗୋଟିଏ ଆଶାରେ ଯେ ବୃଦ୍ଧ ଭତ୍ତାଟିଏ ପାଇଁ ସେ ହକଦାର ବୋଲି ସରକାର ମାନିବେ। ସରକାର ମାନି ନାହାନ୍ତି ଏଯାଏ। କେନ୍ଦୁଝର ଜିଲ୍ଲାର ସେହି ତଳକାଇଁସାରି ଗାଁମୁଣ୍ଡରୁ ହିଁ ଶିଖକୁ ତୀଖ ହୋଇ ଛିଡା ହୋଇଛି ଗନ୍ଧମାର୍ଦ୍ଦନ ପାହାଡ଼। ପାହାଡ ଉପରେ ଓଡିଶା ଖଣି ନିଗମ ଖୋଲିଚାଲିଛି ଭରଣଭରଣର ଲୁହାପଥର। କୁଆଡେ କରୁଛି ଓଡିଶାକୁ ଓ କେନ୍ଦୁଝର ଜିଲ୍ଲାକୁ ସମ୍ଭ୍ରାନ୍ତ। କିନ୍ତୁ ସେହି ପାହାଡ଼ରୁ ଦିନେ ଫଳ, ପତ୍ର, ଛତୁ, କନ୍ଦା ଗୋଟାଇ ତଥା ସେହି ପାହାଡ଼ରୁ ବାହାରୁ ଥିବା ଝରରୁ ନିଜର ସ୍ୱଳ୍ପ ଜମିରେ ଫସଲ ଫଳାଇ ନିଜର ଜୀବନକୁ ସାଉଁଟି ଏବେ ଅସହାୟ ହୋଇସାରିଥିବା ସୁନା ପ୍ରଧାନଙ୍କ ଭଳି ବୃଦ୍ଧଙ୍କୁ ଭତ୍ତାଟିଏ ମଧ୍ୟ ମିଳିପାରୁନି। ଗନ୍ଧମାର୍ଦ୍ଦନ ପାହାଡର ଆରପଟେ ଆଉ ଏକ ଗାଁ- ଲୁଣାଘର। ବସ୍ତିରେ ଗତବର୍ଷ ଯାକେ ପିଇବା ପାଣିଟିକେର ବନ୍ଦୋବସ୍ତ ନଥିଲା। ନଳକୂଅ ଥିଲା କିନ୍ତୁ ଗୋଟିଏର ବି ପାଣି ପିଇବା ଯୋଗ୍ୟ ନୁହେଁ। ଗତ ବର୍ଷ ବିଦ୍ୟାଳୟ ହତାରେ ଖୋଳାହୋଇଥିବା ନଳକୂଅରୁ ଯୋଗକୁ କେମିତି ମିଠା ପାଣି ବାହାରିଲା ଯେ ସେଇଦିନଠୁ ସେଇ ନଳକୂଅ ଗୋଟିକ ହିଁ ଗାଁ ଲୋକଙ୍କ ସାହାରା। ଆଗରୁ ବଡ ମଉଜରେ ବ୍ୟବହାର କରୁଥିବା ଛାମୁଣ୍ଡା ନାଳର ପାଣି ଏବେ ଟ୍ରକ ମାନଙ୍କର ଗାଧୁଆ ତୁଠ ହୋଇ ସାରିଛି। ଆଉ ଗୋଟିଏ ଗାଁ- ଆମ୍ବଡହରା। ଗାଁର ଦୁଇଜଣ ଆଦିବାସୀ ଚାଷୀ ଚାରିବର୍ଷ ତଳୁ ନରେଗା ଯୋଜନାରେ ନିଜ ଜମିରେ ଚାଷ-ପୋଖରୀ ଖୋଳି ଏଯାଏ ପଇସା ପାଇବାକୁ ଅପେକ୍ଷା କରି ରହିଛନ୍ତି - ବୋଧେ ଆଉ ମିଳିବନି କାରଣ ସେ ଲାଞ୍ଚ ଦେବାକୁ ମନା କଲେ। ଗନ୍ଧମାର୍ଦ୍ଦନ ପାହାଡର ଆଉଗୋଟିଏ କୋଣରେ ଅଛି ଉପର ଜାଗର ଗାଁ। ଗାଁ ମୁଣ୍ଡରୁ ହିଁ ଖଣି ଖୋଳା ଆରମ୍ଭ ହୋଇଛି। ଗାଁରେ ପ୍ରାୟ ସମସ୍ତେ ଶ୍ରମଜୀବୀ, ଅଳ୍ପ କିଛି ଲେଖାଏଁ ଜମି ଅଛି ଯାହା କିଛି ମାସ ହିଁ ଖାଦ୍ୟ ଯୋଗାଇଥାଏ। ଜଙ୍ଗଲ ହିଁ ଥିଲା ତାଙ୍କର ପ୍ରମୁଖ ସାଧନ। ଏବେ ସେଇ ପାହାଡ଼ ଓ ଜଙ୍ଗଲ ତାଙ୍କୁ ଅପହଞ୍ଚ କାରଣ ତାହା ଆଉ ତାଙ୍କ ଇଲାକା ହୋଇ ରହିନାହିଁ, ତାହା ଖଣି କମ୍ପାନୀର ଇଲାକା ହୋଇଯାଇଛି। ଗାଁରେ ରହୁଥିବା ୧୪୬ ପରିବାର ମଧ୍ୟରୁ ପ୍ରାୟ ସମସ୍ତେ ଆଦିବାସୀ ଓ ଗରିବ କିନ୍ତୁ କେବଳ ୪୫ ପରିବାର ପାଖରେ ବିପିଏଲ କାର୍ଡ ଅଛି। ପାହାଡ ଉପରେ ଆଲୁଅରେ ଝଲସି ଯାଉଛି ଖଣି କିନ୍ତୁ ଗାଁ ଲୋକଙ୍କ ପାଇଁ ଡିବିରୀ ହିଁ ଭରସା, ମୋଟେ ୧୪ଟି ଘରେ ହିଁ ବିଜୁଳି ସଂଯୋଗ ଲାଗିଛି। ଖଣିରୁ କୋଶକୋଶ ଦୂରରେ ଥିବା ଗାଁମାନଙ୍କର ସାହିବସ୍ତି ଅଗଣା କେବେଠୁ କଂକ୍ରିଟ ହୋଇସାରିଲାଣି ଖଣିର ଲାଭ ପଇସାରେ କିନ୍ତୁ ଏଇସବୁ ଗାଆଁମାଙ୍କରେ ଦାଣ୍ଡ ଏବେବି ନୁଖୁରା ହୋଇ ପଡିଛି। କୁନିକୁନି ପିଲାଙ୍କ ଦୁର୍ଭାଗ୍ୟକୁ ଇଚିଣ୍ଡା ଗାଁ ବିଦ୍ୟାଳୟଟି ଠିକ ରାସ୍ତା କଡରେ ଅଛି। ଅନ୍ୟମାନଙ୍କ ପାଇଁ ରାସ୍ତାକଡ ଅଧିକ ପସନ୍ଦ। କିନ୍ତୁ ଏଠି ତାହା ନରକ। ବିଦ୍ୟାଳୟର ପିଲା ଓ ଶିକ୍ଷକ ଦଣ୍ଡେ ବି ଭଲରେ ନିଶ୍ଵାସ ମାରି ପାରୁ ନାହାନ୍ତି। ଖଣି ଓ ଟ୍ରକ ଧୂଳିରେ ଜର୍ଜରିତ ସେମାନେ। ତଥାକଥିତ 'ଡେଭେଲପମେଣ୍ଟ' ବା ଉନ୍ନତି ଏହି ଗାଁ ମାନଙ୍କରେ ଅପହଞ୍ଚ କହିଲେ ଭୁଲ ହୋଇଯିବ, ସେଠି 'ଉନ୍ନତି'ର କରାଳ ରୂପ ସ୍ଥାନୀୟ ଲୋକଙ୍କୁ ଗ୍ରାସି ଦେଇଛି। ଲୋକଙ୍କ ଜଙ୍ଗଲ ତାଙ୍କ ହାତପାଆନ୍ତାରୁ ଚାଲିଯାଇଛି, ଝରଣା ଶୁଖିଯାଇଛି, ଜମିରେ ଖଣିର ମଇଳାର ପରସ୍ତ ବସି ଉତ୍ପାଦକତା ଖସି ଯାଉଛି, ଘାସଲତାବୁଦାରେ ଖଣି ଓ ଟ୍ରକ ଧୂଳିର ବହଳ ଆସ୍ତରଣ ବସି ଗାଈଗୋରୁ ଛେଳିମେଣ୍ଢାଙ୍କ ଖାଦ୍ୟ ହଜି ଯାଉଛି। ରାସ୍ତା ଉନ୍ନତ ହୋଇଛି ସତ, କିନ୍ତୁ ତାହା ଖଣିଜ ବୁହା ଟ୍ରକମାନଙ୍କ ପାଇଁ। ଟ୍ରକ ତାଡ଼ନାରେ ଗାଁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି, ସ୍କୁଲ ପିଲାମାନେ ଉପର ଶ୍ରେଣୀର ବିଦ୍ୟାଳୟକୁ ଯିବାପାଇଁ ଡରୁଛନ୍ତି। ଜଙ୍ଗଲରୁ କାଠ, ପତ୍ର କି ଫଳମୂଳ ସଂଗ୍ରହକରି ବିକିଲେ ହିଁ ଗାଁଲୋକେ ବଜାରରୁ ତେଲଲୁଣ ଟିକେ କିଣି ପାରନ୍ତି। ଏବେ ସେତିକି ବି ସଂଗ୍ରହ କରିବା ଲୋକଙ୍କ ପାଇଁ ଦୁରୁହ ହୋଇଯାଇଛି।
ଇଂରାଜୀରେ 'ରିସୋର୍ସ କର୍ସ' ବା 'ସମ୍ପଦର ଯାତନା' ବୋଲି ଗୋଟେ ପ୍ରବାଦ ଅଛି। ସମ୍ପତ୍ତିକୁ ଭୋଗ କରିବା ପାଇଁ ଆଧୁନିକ ମଣିଷର ପ୍ରୟାସ ସମ୍ପଦ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ବିପତ୍ତି ହିଁ ବଢ଼ାଇଛି। ସମ୍ପଦର ଲାଭ ଅନ୍ୟମାନେ ଉଠାଇଛନ୍ତି କିନ୍ତୁ ସମ୍ପଦକୁ ସମ୍ଭାଳି ରଖିଥିବା ଲୋକେ ତଳିତଳାନ୍ତ ହୋଇଛନ୍ତି। ଉପରୋକ୍ତ କିଛି ଉଦାହରଣ ତାହାର ପ୍ରମାଣ। ସେହିଭଳି 'ସମ୍ପଦର ଯାତନା' ଗ୍ରସିତ ଲୋକମାନଙ୍କର ଯାତନା ହ୍ରାସ କରିବା ତଥା ଖଣି ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସରକାର 'ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ' ନାମରେ ଏକ ଆଇନ ଆଣିଛନ୍ତି। ଏହି ଆଇନ ଅନୁସାରେ ଖଣିଜ ଦ୍ରବ୍ୟ ଉତ୍ପାଦିତ ହେବାମାତ୍ରେ ଲାଭର ଏକ ନିର୍ଦ୍ଦିଷ୍ଟ ଭାଗ ସିଧା ଜିଲ୍ଲା ଖଣିଜ ପାଣ୍ଠିରେ ଜମା ହୁଏ ଯାହାକୁ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ଓ ଜୀବିକାକୁ ଉନ୍ନତ ଓ ସ୍ଥିର କରିବାରେ ବିନିଯୋଗ କରାଯିବା କଥା। କେନ୍ଦୁଝର ଜିଲ୍ଲା ଖାଲି ଓଡ଼ିଶାରେ ନୁହେଁ ଭାରତର ସବୁଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଥିବା ଜିଲ୍ଲା। ଏହି ଫାଉଣ୍ଡେସନ ଆରମ୍ଭ ହେବାଦିନରୁ ବିଗତ ଅଢେଇ ବର୍ଷରେ କେନ୍ଦୁଝର ଜିଲ୍ଲା ୨,୦୦୦ କୋଟି ଟଙ୍କାର ବିପୁଳ ପାଣ୍ଠି ସଂଗ୍ରହ କରିସାରିଲାଣି। ଜିଲ୍ଲାର ସମଗ୍ର ଜନସଂଖ୍ୟାକୁ ହିସାବକୁ ନେଲେ ମୁଣ୍ଡ ପିଛା ହାରାହାରି ୧୧,୧୦୦ଟଙ୍କାରୁ ବି ଅଧିକ ହେବ। ସାଧାରଣ ହାରାହାରି ହିସାବରେ ବି ସେହିଭଳି ଗୋଟିଏ ଗୋଟିଏ ଗାଁରେ ବର୍ତ୍ତମାନସୁଦ୍ଧା ୭୦-୮୦ ଲକ୍ଷ ଲେଖାଏଁ ଟଙ୍କା ପହଞ୍ଚି ଯାଇସାରିଥିବା କଥା। ଆଉ ଇଏତ ପ୍ରତ୍ୟକ୍ଷ ଭାବରେ ଖଣି ପ୍ରଭାବିତ ଗାଁ, ଅନ୍ୟୁନ ତିନି ଚାରି କୋଟି ଲେଖାଏଁ ଟଙ୍କା ସେହି ଗାଁ ମାନଙ୍କରେ ଖର୍ଚ୍ଚ ହୋଇସାରିଥିବା କଥା। କିନ୍ତୁ ଖଣି ଦ୍ୱାରା ପ୍ରତ୍ୟକ୍ଷ ଓ ପ୍ରଭୂତ ଭାବରେ ପ୍ରଭାବିତ ଏହି ତିନି ଗାଁରେ ସେହି ପାଣ୍ଠିରୁ ଗୋଟିଏ ଟଙ୍କାବି ପହଞ୍ଚି ନାହିଁ ଏଯାଏ।
ଆମର ବିଚାରରେ ଆସୁଥିବା କିଛି ଚିନ୍ତନ ଆମରି ଆଚାରରେ ଆଦୌ ପ୍ରତିଫଳିତ ହୋଇପାରୁନାହିଁ। ଖଣି-ଆକ୍ରାନ୍ତ ଲୋକଙ୍କ ପାଇଁ 'ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ' ଏକ ବଢିଆ ଚିନ୍ତନ କିନ୍ତୁ ତାହାର ରୂପାୟନ ଅତ୍ୟନ୍ତ ନୈରାଶ୍ୟଜନକ। ସେହି ପାଣ୍ଠି ବି ଲକ୍ଷ୍ୟସ୍ଥଳରେ ପହଞ୍ଚୁ ନାହିଁ। ଖଣି ଆକ୍ରାନ୍ତ ଲୋକଙ୍କର ବର୍ତ୍ତମାନର ଯନ୍ତ୍ରଣାକୁ ଉପଶମ କରିବାର ଆବଶ୍ୟକତା ତ ନିହାତି ଅଛି କିନ୍ତୁ ତାଙ୍କର ଭବିଷ୍ୟତକୁ ଆଲୋକିତ ନ କଲେ ବି ଅନ୍ଧାର ନକରିବାର ଦାୟିତ୍ୱ ସରକାର ଓ ଆମ ସମସ୍ତଙ୍କ ଉପରେ ରହିଛି। ଆଉ ୧୦-୨୦ ବର୍ଷରେ ଗନ୍ଧମାର୍ଦ୍ଦନ ପାହାଡ଼ ତଥା ସେଭଳି ଅନ୍ୟ ଖଣିରୁ ସବୁ ଲୁହାପଥର ଖୋଳି ନେବାପରେ ଆଉ କିଛି ନଥିବ - ଜଙ୍ଗଲ, ଝରଣା, ଚାଷ ଜମି ସବୁ ଉଜୁଡି ଯାଇଥିବ। ସେତେବେଳେ ଖଣିଜ ପାଣ୍ଠି ବି ମିଳିବ ନାହିଁ। ଖଣି କାରଣରୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ଲୋକଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବାରେ ଟିକିଏ ବି ହେଳା କ୍ଷମଣୀୟ ନୁହେଁ।
(This article was publshed in my fortnightly column 'Tatwa O Tarka' in Dharitri on September 26, 2018. That may be accessed at: http://www.dharitri.com/main/news/73621 )