A blog that tells the facts with substance and evidence on matters related to Water, Agriculture, Environment and Governance.
Inside the Blog
Tribute To Those Toiling Tough
This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Monday, July 9, 2018
Monday, July 2, 2018
ସାମାଜିକ ଗଣମାଧ୍ୟମ ଜରିଆରେ ଶାସନରେ ସକ୍ରିୟତା ଆଣିବାର ସୁଯୋଗ ହରାଇଚାଲିଛୁ
ବିମଳ ପ୍ରସାଦ ପାଣ୍ଡିଆ
ଗତ ୨୩ ମାର୍ଚ୍ଚ ୨୦୧୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଜଣାଇଲେ ଯେ ଶାସନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସେ ସମସ୍ତ ବିଭାଗମାନଙ୍କୁ ସୋସିଆଲ ମେଡ଼ିଆ ବା ସାମାଜିକ ଗଣମାଧ୍ୟମର ଉପଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଆହୁରି ଜଣାଇଲେ ଯେ ସାମାଜିକ ଗଣମାଧ୍ୟମ ଜରିଆରେ ଛଅଟି କାମ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସେ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାହାହେଲା, (୧) ଶୁଣିବେ- ଯାହା ଉଭୟ-ମୂଖୀ ହେଉଥିବ ଅର୍ଥାତ ସରକାର ଓ ନାଗରିକ ଉଭୟେ ଉଭୟଙ୍କର କଥା ଶୁଣିବେ, (୨) ପ୍ରତ୍ୟୁତ୍ତର ଦେବେ- ଶୁଣିବା ପରେ ତାହାର ଉତ୍ତର ଦେଇ ଖୋଲା ଓ ସମ୍ବେଦନଶୀଳ ପ୍ରଶାସନର ସ୍ୱରୂପକୁ ପରିବ୍ୟାପ୍ତ କରିବେ, (୩) ଲୋକଙ୍କ ସହ ପ୍ରତ୍ୟକ୍ଷ ଓ କ୍ରିୟାଶୀଳ ପାରସ୍ପରିକ ଯୋଗାଯୋଗ ରଖିବେ, (୪) ସଠିକ୍ ସୂଚନା ସ୍ପଷ୍ଟ ଭାବରେ ଜଣାଇବେ, (୫) ଯୋଡ଼ିହେବେ- ପ୍ରତ୍ୟେକ ବିଭାଗ ଓ ଜିଲ୍ଲା ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ସୃଷ୍ଟି କରିବେ ଓ ତାହା ଜରିଆରେ ଲୋକଙ୍କ ସହ ତଥା ଅନ୍ୟମାନଙ୍କ ସହ ଯୋଡ଼ିହେବେ, ଏବଂ, (୬) ୱେବସାଇଟ ତଥା ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ନିରନ୍ତର ଅପଡ଼େଟ କରି ତାହାକୁ ସକ୍ରିୟ, ଗତିଶୀଳ ରଖିବେ। ସାମାଜିକ ଗଣମାଧ୍ୟମରେ ସରକାରୀ ବିଭାଗମାନଙ୍କୁ ଲୋକମାନଙ୍କ ସହିତ ଓ ଲୋକଙ୍କୁ ସରକାରୀ ବିଭାଗମାନଙ୍କ ସହିତ ଯୋଡ଼ି ପ୍ରଶାସନକୁ ସକ୍ରିୟ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଉଦ୍ୟମ ଖୁବ୍ ପ୍ରଶଂସନୀୟ। ମୁଖ୍ୟମନ୍ତ୍ରୀଙ୍କ ସେହି ଘୋଷଣାକୁ ଦୁଇ ବର୍ଷରୁ ଅଧିକ ହୋଇଗଲାଣି। ଏହା ମଧ୍ୟରେ ପ୍ରାୟ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ତଥା ପୋଲିସ ବିଭାଗ ଟ୍ୱିଟର ଓ ଫେସବୁକରେ ଆକାଉଣ୍ଟ ଖୋଲି ସାରିଛନ୍ତି। ଓଡ଼ିଶା ସରକାରଙ୍କ ମୂଖ୍ୟ ୱେବସାଇଟରେ ପ୍ରମୁଖ ଭାବରେ ‘ସୋସିଆଲ ୱାଲ’ ଲିଙ୍କ ପ୍ରଦାନ କରାଯାଇଛି ଯହିଁରେ ବିଭିନ୍ନ ବିଭାଗର ଟ୍ୱିଟର ଓ ଫେସବୁକର ଆକାଉଣ୍ଟ ସମ୍ପର୍କିତ ବିବରଣୀ ପ୍ରଦାନ କରାଯାଉଛି। ଏହି ଲିଙ୍କକୁ ଯାଇ ଜଣେ ବିଭିନ୍ନ ବିଭାଗର ଫେସବୁକ ବା ଟ୍ୱିଟର ଠିକଣା ଜାଣିପାରିବ ତଥା ସେହି ବିଭାଗମାନେ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମରେ କରିଥିବା ବିଭିନ୍ନ ଟ୍ୱିଟ, ପୋଷ୍ଟ ବା ରଖିଥିବା ଉତ୍ତର ଜାଣିପାରିବ। ଆକାଉଣ୍ଟ ଖୋଲିଦେବା ଯାଏ କଥା ପ୍ରାୟ ଠିକ୍ ଅଛି। ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ଏଥିରେ ଅଗ୍ରଣୀ। କିନ୍ତୁ ବିଭାଗ ଗୁଡ଼ିକ ସାମାଜିକ ଗଣମାଧ୍ୟମ ଜରିଆରେ କେତେ ଶୁଣୁଛନ୍ତି, ପ୍ରତ୍ୟୁତ୍ତର ଦେଉଛନ୍ତି, ଯୋଗାଯୋଗ ରଖୁଛନ୍ତି, ଜଣାଉଛନ୍ତି, ଯୋଡ଼ି ହେଉଛନ୍ତି ଓ କେତେ ସକ୍ରିୟ ରହିଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ।
ସାମାଜିକ ଗଣମାଧ୍ୟମ ଅନେକ ଦୃଷ୍ଟିରୁ ଅନ୍ୟ ପାରମ୍ପରିକ ଯୋଗାଯୋଗ ମାଧ୍ୟମଠାରୁ ଅନେକ ଭିନ୍ନ। ଏହାର ଗୋଟିଏ ଭଲ ଦିଗ ହେଲା ଏହା ତ୍ୱରିତ ଯୋଗାଯୋଗ ନିଶ୍ଚିତ କରାଇଥାଏ ଓ ଗୋଟିଏ ସମ୍ବାଦରେ ଅନେକ ପକ୍ଷ/ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିଥାଏ। ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ସବୁଠାରୁ ବଡ଼ ପଦାଧିକାରୀଙ୍କ ସହ ଯୋଗାଯୋଗ କରିପାରେ। ଏହାର ଆଉ ଏକ ବଡ଼ ସୁଯୋଗ ହେଲା ଯେ ଏହା ଯୁବାବର୍ଗଙ୍କୁ ସରକାର ଓ ପ୍ରଶାସନ ସହିତ ଯୋଡ଼ିହେବାରେ ପ୍ରେରିତ କରିବ କାରଣ ସାମାଜିକ ଗଣମାଧ୍ୟମରେ ଯୁବାବର୍ଗ ଅଧିକ ମାତ୍ରାରେ ସାମିଲ ଅଛନ୍ତି। ଶାସନକୁ ଉନ୍ନତ କରିବାରେ ସାମାଜିକ ଗଣମାଧ୍ୟମର ଉପଯୋଗୀ ଭୂମିକାର ଅନେକ ଉଦାହରଣ ଆମ ସମ୍ମୁଖରେ ଅଛି। ଅନେକ ବିଭାଗ, ଜିଲ୍ଲା ପ୍ରଶାସନ ଓ ପଦାଧିକାରୀ ତ୍ୱରିତ ପଦକ୍ଷେପ ନେଇ ପ୍ରଶଂସାଭାଜନ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରୁ ଜଣେ ବାଳକର ଅପହରଣ ହେଉଥିବା ସନ୍ଦେହର ଖବର ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଏକ ରାତ୍ରିକାଳୀନ ବସରୁ ସମ୍ପୃକ୍ତ ବାଳକୁ ଉଦ୍ଧାର କରିପାରିଲେ। ଦଳିତ ବୃଦ୍ଧା ମହିଳା ବାସହୀନ ଥାଇ ଅସହାୟ ଅବସ୍ଥାରେ ଥିବା ସୂଚନା ପାଇବା ପରେ ମୟୁରଭଞ୍ଜ ଜିଲ୍ଲାପାଳ କେବଳ ପ୍ରତ୍ୟୁତ୍ତର ରଖି ନାହାନ୍ତି ସେହି ସୂଚନା ଉପରେ ନେଇଥିବା ସମସ୍ତ ପଦକ୍ଷେପର ବିବରଣୀ ସାମାଜିକ ଗଣମାଧ୍ୟମରେ ନିରନ୍ତର ପ୍ରଦାନ କରିଛନ୍ତି। ପ୍ରସ୍ତୁତ ହୋଇଥିବା ଜିଲ୍ଲା ଜଳସେଚନ ଯୋଜନାରେ ଗୁରୁତର ତୃଟିମାନ ଥିବାର ସୂଚନା ପାଇ ଜଳସମ୍ପଦ ବିଭାଗ ତହିଁରେ କିଛି ସୁଧାରର ପ୍ରୟାସ କରିଛି। ସ୍ୱାସ୍ଥ୍ୟ ବିଭାଗ ତଥା ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଅନେକ ସୂଚନା, ଅଭିଯୋଗ, ଜିଜ୍ଞାସାର ଉତ୍ତର ସାମାଜିକ ଗଣମାଧ୍ୟମରେ ରଖିଛନ୍ତି ତଥା ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ସହ ଯୋଡ଼ିହୋଇ ଅନେକ ସମସ୍ୟାର ସମାଧାନ କରିବା ସହ ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ହାସଲ କରିଛନ୍ତି। ବଲାଙ୍ଗୀର, ଅନୁଗୁଳ, ବାଲେଶ୍ଵର, ନୂଆପଡା ଆଦି ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ସୋସିଆଲ ମେଡିଆ ମାଧ୍ୟମରେ ପ୍ରାପ୍ତ ସୂଚନା, ପ୍ରାର୍ଥନା, ଦାବି ବା ଅଭିଯୋଗର ଉତ୍ତର ଦେଇଥିବାର କିଛି ଉଦାହରଣ ଅଛି।
ଏହିପରି ଅନେକ ଉଦାହରଣ ରହିଛି ସତ କିନ୍ତୁ ଏହା ମଧ୍ୟ ଏକ ବାସ୍ତବତା ଯେ ଲୋକଙ୍କ ସହିତ ଯୋଡ଼ିହେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଅନକେ ବିଭାଗ ପ୍ରାୟ ପାଳନ କରିନାହାନ୍ତି। ସାମାଜିକ ଗଣମାଧ୍ୟମରେ ଉତ୍ତର ରଖିବାର ଚେଷ୍ଟା ପ୍ରାୟ ହୋଇନାହିଁ ବା ଖୁବ୍ କ୍ୱଚିତ ହୋଇଛି। ଉଦାହରଣସ୍ୱରୂପ, ଆଇନ୍ ତଥା ଇସ୍ପାତ ଓ ଖଣି ବିଭାଗ ଉତ୍ତର ଦେବା ଦୂରେ ଥାଏ ଗୋଟିଏ ମଧ୍ୟ ଟ୍ୱିଟ କରିନାହାନ୍ତି। ଅନେକ ବିଭାଗ ଓ ଜିଲ୍ଲା ପ୍ରଶାସନ ଟ୍ୱିଟର ଓ ଫେସବୁକ ଆକାଉଣ୍ଟ ଖୋଲି କାମ ସରିଗଲା ବୋଲି ଭାବୁଛନ୍ତି। ସାମାଜିକ ଗଣମାଧ୍ୟକକୁ ଯୋଗାଯୋଗର ପ୍ରମୁଖ ସାଧନ କରିବାରେ ଏହି ଅବହେଳା ଶାସନ ଓ ପ୍ରଶାସନକୁ ଲୋକଙ୍କ ନିକଟତର କରି ତାହାକୁ ସ୍ୱଚ୍ଛ, ସମ୍ବେଦନଶୀଳ ଓ ଗତିଶୀଳ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟକୁ ଆଘାତ କରୁଛି। ଅନ୍ୟଭାବରେ କହିଲେ, ଓଡ଼ିଶାରେ ସାମାଜିକ ଗଣମାଧ୍ୟମ ଜରିଆରେ ଶାସନ ଓ ପ୍ରଶାସନକୁ ଅଧିକ ଲୋକାଭିମୂଖୀ, ସମ୍ବେଦନଶୀଳ ଓ ସକ୍ରିୟ କରିବାର ଅଭିପ୍ସା ବିଶେଷ ଆଗେଇ ପାରିନାହିଁ।
ଏଥିରେ ମୋର ନିଜର ଅଭିଜ୍ଞତା ମିଶାମିଶି ରହିଛି। ସମ୍ବଲପୁର ଜିଲ୍ଲାପାଳ ମୋର ପ୍ରତିଟି ସୂଚନା ବା ଅନୁରୋଧର ଉତ୍ତର ରଖିଛନ୍ତି ଓ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପାଇପ ମରାମତି ଓ ବିପଦସଂଙ୍କୁଳ ଟ୍ରାନ୍ସଫର୍ମର ସମ୍ବଧରେ ମୋର ସୂଚନା ଉପରେ ମାତ୍ର କିଛି ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଜଳ ସମ୍ପଦ ବିଭାଗ ମୋର ଟ୍ୱିଟକୁ କିଛି ଗୁରୁତ୍ୱର ସହ ନେଇଥିବାର ସୁଚନା ମିଳିଛି। ନୂଆପଡା ଜିଲ୍ଲାପାଳ ମଧ୍ୟ ଦେଇଥିବା ଉତ୍ତର ବିଶ୍ୱାସ ଜନ୍ମାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କରିଥିବା ଅନେକ ଟ୍ୱିଟମଧ୍ୟରୁ କେବଳ ଗୋଟିଏ ଟ୍ୱିଟ ହିଁ ସମ୍ପୃକ୍ତ ଵିଭାକୁ 'ଫରୱାର୍ଡ଼' ହୋଇଛି। ଅତି ନିକୃଷ୍ଟ ଏବଂ ଖତ ଗଦାରେ ଫୋପାଡ଼ିଲା ଭଳି ହୋଇଥିବା 'ଜିଲ୍ଲା ଜଳସେଚନ ଯୋଜନା' ବିଷୟରେ ମୋର ଅନେକ ସୂଚନାକୁ ମୁଖ୍ୟମନ୍ତ୍ରୀ ବା କୃଷି ବିଭାଗ କର୍ଣ୍ଣପାତ କରି ନାହାନ୍ତି, ଏପରିକି ସାମାନ୍ୟ ଉତ୍ତରଟିଏ ମଧ୍ୟ ଦେବାର ଆବଶ୍ୟକତା ଅନୁଭବ କରିନାହାନ୍ତି।
ଭାରତରେ ସାମାଜିକ ଗଣମାଧ୍ୟମକୁ କିଭଳି ସରକାରୀ ବ୍ୟବସ୍ଥାରେ ପ୍ରଗତିଶୀଳ ଭାବରେ ଉପଯୋଗ କରାଯାଇପାରେ ତାହାର ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ର ରେଳ ବିଭାଗ ତଥା ବୈଦେଶିକ ବ୍ୟାପର ମନ୍ତ୍ରାଳୟ। ସାମାଜିକ ଗଣମାଧ୍ୟମରୁ ସୂଚନା ଆଧାରରେ ଅସୁସ୍ଥ ବ୍ୟକ୍ତି ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇବା, ଅପରାଧୀ ଗିରଫ ହେବା, ଅପହୃତ ଉଦ୍ଧାର ପାଇବା, ସମସ୍ୟାର ସମାଧାନ ହେବା, ବିଦେଶରେ ଯାତନା ଭୋଗୁଥିବା ବ୍ୟକ୍ତି ଦେଶକୁ ଫେରିବା ଭଳି ଅନେକ ଉଦାହରଣ ଅଛିି। ଲୋକେ ସମ୍ପୃକ୍ତ ବିଭାଗମାନଙ୍କରୁ ତ୍ୱରିତ ଉତ୍ତରମାନ ପାଇଛନ୍ତି। ସୁରେଶ ପ୍ରଭୂ ଓ ସୁଷମା ସ୍ୱରାଜ ଭଳି ମନ୍ତ୍ରୀ ସାମାଜିକ ଗଣମାଧ୍ୟକୁ ପ୍ରଶାସନିକ ଢାଞ୍ଚାରେ ସଂଲଗ୍ନ କରିବାରେ ନେତୃତ୍ୱ ନେଇଛନ୍ତି ଏବଂ ଖୁବ୍ ପ୍ରଶଂସିତ ହୋଇଛନ୍ତି। ସମ୍ପୃକ୍ତ ବିଭାଗମାନେ ଲୋକଙ୍କ କଥା ଶୁଣୁଛନ୍ତି ବୋଲି ଲୋକଙ୍କ ମଧ୍ୟରେ ହୃଦବୋଧ ଜାଗ୍ରତ ହୋଇଛି ଏବଂ ତାହା ସମ୍ପୃକ୍ତ ବିଭାଗମାନଙ୍କୁ ଲୋକଙ୍କ ଅଧିକ ବିଶ୍ୱାସଭାଜନ କରାଇଛି। ଏବେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଉପଭୋକ୍ତାର ଅଭିଯୋଗ ଓ ସୂଚନା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାର ଆନୁଷ୍ଠାନିକ ବ୍ୟବସ୍ଥାକୁ ସଫଳ ଭାବରେ କାର୍ଯ୍ୟକାରୀ କରୁଛି। ପ୍ରାୟ ସମସ୍ତ ବଡ଼ବଡ଼ କମ୍ପାନୀ ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ସହିତ ଯୋଡ଼ିହେବାକୁ ଅଗ୍ରାଧିକାର ଦେଉଛନ୍ତି ଓ ଗ୍ରାହକଙ୍କ ଶ୍ରଦ୍ଧାଭାଜନ ହେଉଛନ୍ତି।
ସାମାଜିକ ଗଣମାଧ୍ୟମର ଉପଯୋଗ କରି ଶାସନତନ୍ତ୍ରକୁ ଗତିଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟମାନଙ୍କର ଗତିବିଧିରୁ ଏହା ସ୍ପଷ୍ଟ ଯେ ଅନେକ ବିଭାଗ ବାଧ୍ୟରେ ପଡ଼ି ହୁଏତ ଟ୍ୱିଟର ଓ ଫେସବୁକ ଆକାଉଣ୍ଟଟିଏ ଖୋଲି ଦେଇଛନ୍ତି କିନ୍ତୁ ଲୋକଙ୍କୁ ଶୁଣିବା, ତାଙ୍କୁ ଉତ୍ତର ଦେବା ଓ ଯୋଡ଼ିହେବାର ପ୍ରଚେଷ୍ଟା ପ୍ରାୟ କରିନାହାନ୍ତି। ନିଜେ ମୂଖ୍ୟମନ୍ତ୍ରୀ ମଧ୍ୟ ଏକ ଆଦର୍ଶ ସୃଷ୍ଟି କରିପାରିନାହାନ୍ତି। ସେ ନିଜେ ଅନେକ ସୂଚନା ପ୍ରଦାନ କରୁଛନ୍ତି ସତ କିନ୍ତୁ ପାଉଥିବା ସୂଚନା ଉପରେ କାର୍ଯାନୁଷ୍ଠାନ ନିଆହେଉଛି ବୋଲି ବିଶ୍ୱାସ ଜନ୍ମାଇ ପାରିନାହାନ୍ତି। ଯୋଗାଯୋଗ ଉଭୟପକ୍ଷୀ ହୋଇପାରିନାହିଁ। ସୋସିଆଲ ମେଡିଆ ମାଧ୍ୟମରେ ପ୍ରାପ୍ତ ସୂଚନା, ଅଭିଯୋଗ, ଆପତ୍ତିର ଉତ୍ତର ଦେବାରେ ବା ତାହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନେବାରେ କାହାର କିଛି ଉତ୍ତର ଦାୟିତ୍ୱ ଥିବାର ଆଦୌ କିଛି ସୂଚନା ମିଳୁ ନାହିଁ। ତେଣୁ ପ୍ରଶାସନକୁ ପ୍ରଗତିଶୀଳ ଓ ଲୋକାଭିମୂଖୀ କରିବାର ଏକ ବଡ଼ ସୁଯୋଗ ପ୍ରାୟ ଖସିଚାଲିଛି।
(This article was originally published in my fortnightly Op-Ed column in Dharitri. The same can be accessed at: http://www.dharitri.com/main/news/50018 )
Subscribe to:
Posts (Atom)