ପାଞ୍ଚଟି ରାଜ୍ୟରେ ନିର୍ବାଚନର ବିଗୁଲ ବାଜିଗଲା। ଆଉ କିଛି ମାସରେ ଲୋକସଭା ନିର୍ବାଚନର ବିଗୁଲ ବି ବାଜିଯିବ। ନେତା ତ ସେମିତି ଗର୍ଜୁଛନ୍ତି,
ଆହୁରି ଗର୍ଜିବେ। ଭଲ ହୁଅନ୍ତା ଯଦି ଜାତି,
ଧର୍ମ,
ବ୍ୟକ୍ତିଗତ ସ୍ତରକୁ ବିମର୍ଷ ଓ ଆକ୍ଷେପ ନ ଖସି ନୀତି ଓ ସ୍ଥିତି ଉପରେ ତର୍କ ହୁଅନ୍ତା। ଯଦି ଗଣତନ୍ତ୍ରର ଏହି ମହାଋତୁରେ ଆମେ ଆମକୁ ଶାସନ କରୁଥିବା ଦଳମାନଙ୍କୁ ପରଖିବା ତେବେ
ପାଇବା ଯେ ପ୍ରାୟ ସବୁ ଦଳ ଆମକୁ ଠକି ଚାଲିଛନ୍ତି। ବିରୋଧୀ ଦଳ ସେଭଳି ତର୍କ ଉପରେ ହିଁ ଜୋର ଦେଲେ ମୋଦି ଓ ଅମିତ ଶାହା ନେତୃତ୍ୱାଧୀନ ଭାରତୀୟ ଜନତା ଦଳ ଖୁବ ଅଡୁଆରେ ପଡ଼ିବା ନିଶ୍ଚିତ। ସେଭଳି କିଛି ଆଡୁଆର ଚର୍ଚ୍ଚା କରିବା ଏଠାରେ।
ପ୍ରଥମେ ଆସିବା ତୈଳ ଦରକୁ। ୨୦୧୩-୧୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ଭାରତୀୟ ଜନତା ଦଳର ସମସ୍ତ ନେତା ପେଟ୍ରୋଲ ଡିଜେଲ ଦରକୁ ନେଇ ତତ୍କାଳୀନ ମନମୋହନ ସିଂ ସରକାର ଉପରେ ପ୍ରବଳ ଆକ୍ଷେପ କରୁଥିଲେ।
ସେତେବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦରରେ ନିଆଁ ଲାଗିଥିଲା। ତଥାପି ବି ମୋଦି ସମେତ ସମସ୍ତେ ଦୋଷ ୟୁପିଏ ସରକାର ଉପରେ ହିଁ ଲଦିବାରେ ଟିକିଏ ବି ହେଳା କରୁ ନଥିଲେ। ଆକ୍ଷେପର ସୀମା ଅତି ତଳକୁ ଖସି ଯାଇଥିଲା। ବିଜେପି ନେତା ତୈଳଦରକୁ ୟୁପିଏ ସରକାରରେ ଥିବା ନେତାଙ୍କ ବୟସ ସହିତ ତୁଳନା
କରିବାକୁ ବି ପଛେଇ ନ ଥିଲେ। ୨୦୧୧
ଫେବୃଆରୀରୁ ୨୦୧୪ ଅଗଷ୍ଟ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ତୈଳଦର ବ୍ୟାରେଲ ପ୍ରତି ୧୦୦ ଡଲାରରୁ ଅଧିକ ରହିଥିଲା। ଏପ୍ରିଲ ୨୦୧୧ ଓ ମାର୍ଚ୍ଚ ୨୦୧୨ରେ ଆନ୍ତର୍ଜାତୀୟ ବଜାରରେ ତୈଳଦର ୧୩୦ ଡଲାରକୁ ଛୁଇଁଥିଲା। ଜୁନ ୨୦୧୪ରୁ ଆନ୍ତର୍ଜାତୀୟ ବଜାରରେ ତେଲଦର ହଠାତ ପ୍ରବଳ ଖସିବା ଆରମ୍ଭ ହେଲା। ୨୦୧୪ ମସିହା ଜୁନ ୧୯ ତାରିଖରେ ୧୧୬ ଡଲାର ଥିଲା। ମାତ୍ର ୬ମାସରେ ତାହା ୪୫ ଡଲାରକୁ ଖସିଆସିଲା। କିଛି ଦିନ ସାମାନ୍ୟ ବଢିବା ପରେ ୨୦୧୬ ମସିହା ଜାନୁୟାରୀ ୧୯ତାରିଖରେ ତାହା ୨୮ ଡଲାରକୁ ଖସି ଆସିଲା। ତୈଳଦର କମିଥିବା ବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ମୋଦି ଖସୁଥିବା ତୈଳଦରକୁ ନିଜର ଭାଗ୍ୟସହ ଯୋଡି ଜନତାଙ୍କୁ କହିଥିଲେ ଭାଗ୍ୟବାନ ଅର୍ଥାତ ତାଙ୍କୁ ଭୋଟ ଦିଅ। ଅନ୍ତର୍ଜାତୀୟ ବଜାରରେ ଦର ଖସିଥିବା ସୁଯୋଗରେ ସରକାର ପେଟ୍ରୋଲ ଡିଜେଲକୁ ନିୟନ୍ତ୍ରଣମୁକ୍ତ କରିଦେଲେ ଏବଂ ପେଟ୍ରୋଲ ବିକ୍ରୟକାରୀ କମ୍ପାନୀମାନେ ନିଜେ ଦର ସ୍ଥିର କରିବା ଆରମ୍ଭ କଲେ। କେବଳ ପେଟ୍ରୋଲ ଡିଜେଲକୁ ନିୟନ୍ତ୍ରଣମୁକ୍ତ କଲେନି,
ତା'ସହିତ ଏକ୍ସାଇଜ ଡ୍ୟୁଟିକୁ ମଧ୍ୟ ଅନେକ ବଢ଼ାଇଦେଲେ। ଏବେ ଭାରତରେ ତୈଳଦର ପ୍ରାୟ ପ୍ରତିଦିନ ନୂଆ ରେକର୍ଡ କରୁଛି। ସେତେବେଳେ ସମସ୍ତ ଦୋଷ ୟୁପିଏ ସରକାର ଉପରେ ଲଦୁଥିବା ଭାରତୀୟ ଜନତା ପାର୍ଟିର ନେତାଗଣ ଏବେ ଆନ୍ତର୍ଜାତୀୟ ବଜାରକୁ
ଦାୟୀ କରୁଛନ୍ତି। ବ୍ରେଣ୍ଟ ତୈଳଦର ଏବେ ଆସି ପହଞ୍ଚିଛି ୮୫ ଡଲାରରେ। ଆନ୍ତର୍ଜାତୀୟ
ବଜାରରେ ତୈଳଦର ଏବେ ମଧ୍ୟ ୟୁପିଏ ସରକାର ବେଳର ଦରଠାରୁ ଢେର କମ ଅଛି। କିନ୍ତୁ ଦେଶ ଭିତରେ ତୈଳଦରରେ ନିଆଁ ଲାଗିଛି।
ଏବେ ଆସିବା ଭାରତର ମୁଦ୍ରା 'ଟଙ୍କା'ର ସ୍ଥିତିକୁ। ମନମୋହନ ସିଂ ସରକାର ଶେଷଆଡକୁ ଟଙ୍କାର ମୂଲ୍ୟରେ ତୀବ୍ର ହ୍ରାସ ହେବା ମୋଦିଙ୍କୁ ଏକ ବଢିଆ ସୁଯୋଗ ଦେଇଥିଲା। ମୁଦ୍ରାର ବିନିମୟ ହାର ଅନେକ କାରଣ ଉପରେ ନିର୍ଭର କରେ କିନ୍ତୁ ମୋଦି ଓ ଭାରତୀୟ ଜନତା ପାର୍ଟିର ନେତା ସବୁ ଦୋଷ ଲଦିଥିଲେ 'ଦିଲ୍ଲୀରେ ଶାସନ କରୁଥିବା'
ତତ୍କାଳୀନ ସରକାର ଉପରେ। ଏହା ବି କହିବାକୁ ପଛାଇ ନଥିଲେ ଯେ 'ଏବେ ଟଙ୍କା ଓ ୟୁପିଏ ସରକାର ଭିତରେ ନିଜର ଇଜ୍ଜତକୁ ମୁକୁଳା କରିବାର ପ୍ରତିଯୋଗିତା ଲାଗିଛି'।
ଏବେ ଟଙ୍କାର ଅବସ୍ଥା ଅତି ସାଙ୍ଘାତିକ। ପ୍ରତିଦିନ ଅଧିକ ଦୁର୍ବଳ ହେବାର ନୂଆ ରେକର୍ଡ କରିଚାଲିଛି। ମନମୋହନ ସିଂ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବାବେଳେ ଗୋଟେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଥିଲା ୪୫ଟଙ୍କା। ତାଙ୍କର ୧୦ବର୍ଷର ଶାସନକାଳ ସରିବାବେଳକୁ ଟଙ୍କା ଦୁର୍ବଳ ହୋଇ ୫୯ଟଙ୍କାକୁ ଖସି ଆସିଥିଲା। ଅର୍ଥାତ ୧୦ ବର୍ଷରେ ଟଙ୍କା ୧୪ଟଙ୍କା ଦୁର୍ବଳ ହୋଇଥିଲା। ମୋଦିଙ୍କ ଶାସନକାଳ ୫ବର୍ଷ ବି ପୁରା ହୋଇନାହିଁ। ଟଙ୍କା ତଳିତଳାନ୍ତ ହୋଇ ଡଲାର ତୁଳନାରେ
୭୪ଟଙ୍କାକୁ ଖସିଆସିଲାଣି। ଅର୍ଥାତ ମନମୋହନ ସିଂ ସରକାର ବେଳେ ଟଙ୍କା ଯେତିକି ଦୁର୍ବଳ ହୋଇଥିଲା ମୋଦି ସରକାରର ୫ବର୍ଷରୁ କମ ସମୟରେ ମଧ୍ୟ ତାହାଠୁ ଅଧିକ ଦୁର୍ବଳ ହେଲାଣି। ହାରାହାରି ହିସାବରେ ମନମୋହନ ସିଂ ସରକାରର ୧୦ବର୍ଷର ଶାସନ ସମୟରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ବାର୍ଷିକ ହାରାହାରି ୨.୭% ହାରରେ ଦୁର୍ବଳ ହୋଇଥିଲା ବେଳେ ମୋଦିଙ୍କ ଶାସନରେ ତାହା ବାର୍ଷିକ ହାରାହାରି ୪.୭% ହାରରେ ଦୁର୍ବଳ ହୋଇଚାଲିଛି।
ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ପଛରେ ସବୁଠାରୁ ବଡ କାରଣ ହେଲା ଦେଶର 'କରେଣ୍ଟ ଆକାଉଣ୍ଟ'ର ସ୍ଥିତି। କରେଣ୍ଟ ଆକାଉଣ୍ଟ ହେଲା ଦେଶର ରପ୍ତାନି ଓ ଆମଦାନୀର ସ୍ଥିତି। ଯଦି ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ହୁଏ ତେବେ କରେଣ୍ଟ ଆକାଉଣ୍ଟ ଡେଫିସିଟ କୁହାଯାଏ। ମନମୋହନ ସିଂ ସରକାରର ଶେଷ ବର୍ଷରେ ବା ୨୦୧୪ରେ ଦେଶର ଜି.ଡି.ପି. ତୁଳନାରେ କରେଣ୍ଟ ଆକାଉଣ୍ଟ ଡେଫିସିଟ ଥିଲା ୧.୧%। ୨୦୧୫ ମସିହାରେ ତେଲ ଦର ଖସିବା କାରଣରୁ ତାହା ୦.୬%କୁ ଖସିଥିଲା। କିନ୍ତୁ ଦେଶର ରପ୍ତାନି ହାର କମିଚାଲିବା କାରଣରୁ କରେଣ୍ଟ ଆକାଉଣ୍ଟ ଡେଫିସିଟ ପୁଣି ବଢିବା ଆରମ୍ଭ କଲା ଏବଂ ଗତ ଜୁନ ମାସରେ ସରିଥିବା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ତାହା ୨.୪%କୁ ବଢି ସାରିଥିଲା। ଜୁନ ପରେ ତେଲ ଦର ଖୁବ ବଢିଛି ଓ ଟଙ୍କା ପ୍ରବଳ ଦୁର୍ବଳ ହୋଇଛି ତେଣୁ ସେପ୍ଟେମ୍ବର ତ୍ରୟମାସରେ କରେଣ୍ଟ ଆକାଉଣ୍ଟ ଡେଫିସିଟ ୨.୮%କୁ ବଢିସାରିଥିବ ବୋଲି ଆକଳନ ହୋଇଛି। ଏହାର ଅର୍ଥ ହେଲାଯେ ମନମୋହନ ସିଂ ସରକାରର ଶେଷ ବର୍ଷରେ ପ୍ରାକୃତିକ ତୈଳ ଦର ବର୍ତ୍ତମାନଠାରୁ ଅତିକମରେ ୨୫% ଅଧିକ ଥାଇ ମଧ୍ୟ କରେଣ୍ଟ ଆକାଉଣ୍ଟ ସ୍ଥିତି ଭଲ ଥିଲା। ମୋଦି ସରକାରରେ ତାହା ଭୟଙ୍କର ଭାବରେ ଦୟନୀୟ ହୋଇଛି।
କେବଳ ଭାରତର ଆର୍ଥିକ ସ୍ଥିତି ଖରାପ ହୋଇନାହିଁ,
ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମୋଦି କରିଥିବା ଅନେକ ଘୋଷଣାର ରୂପାୟନକୁ ନେଇ ମୋଦି ଓ ଏନ.ଡି.ଏ. ସରକାରକୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ଉପାଦାନ ଭରି ରହିଛି। ଉଦାହରଣସ୍ୱରୂପ,
ଯୁବତୀଯୁବକଙ୍କୁ ରୋଜଗାର,
କୃଷକଙ୍କ ଲାଭ ଦୁଇଗୁଣ କରିବା,
ସ୍ୱଚ୍ଛତା ଓ ପାରଦର୍ଶିତାକୁ ନେଇ ମୋଦି ସରକାରଙ୍କୁ ଘେରିପାରିବେ ବିରୋଧୀ ଦଳ। ଏପରିକି ମୋଦିଙ୍କ ନିଜର କିଛି ଅତି ପ୍ରିୟ ଯୋଜନା,
ଯଥା - ଗଙ୍ଗା ନଦୀ ସଫେଇ ଓ ନବଜୀବନ,
ସ୍ମାର୍ଟ ସିଟି,
ବୁଲେଟ ଟ୍ରେନ,
ସ୍ୱଚ୍ଛ ଭାରତ ଯୋଜନା ଓ ଉଜ୍ବଳା ଭଳି ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି ବା ଖୁବ ବାଟବଣା ହୋଇସାରିଛି।
କେବଳ ମୋଦି ସରକାର ନୁହେଁ, ଦେଶର ପ୍ରାୟ ସମସ୍ତ ରାଜ୍ୟ ସରକାର ଏବେ ପ୍ରଚାର ସର୍ବସ୍ବ ହୋଇଗଲେଣି। ମୂଳ ତତ୍ତ୍ୱରୁ ଲୋକଙ୍କ ଦୃଷ୍ଟି ଅନ୍ୟଆଡ଼କୁ ଟାଣିବାର ପ୍ରୟାସ ସବୁବେଳେ ଚାଲିଛି। ଅନେକ ଲୋକ ସେହିଭଳି ପ୍ରଚାରରେ ଭ୍ରମିତ ହୋଇଯାଆନ୍ତି। ସତ୍ୟ ବାଟବଣା ହୋଇଯାଏ। କିନ୍ତୁ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଶାଛଡା ହେବା ଉଚିତ ନୁହେଁ। ସରକାରର କଥା ଓ କାର୍ଯ୍ୟକୁ ପରଖି ନିଜର ମତ ଦେବାର ଏହା ଅନେକ ସୁଯୋଗ ଦେଇଥାଏ। ତେଣୁ ପାଞ୍ଚଟି ରାଜ୍ୟର ବିଧାନସଭା ତଥା
ଆସନ୍ତା ଲୋକସଭା ନିର୍ବାଚନକୁ ଆଶାର ନଜରରେ ଦେଖିବା ସହ ଏହା ମଧ୍ୟ ଆଶା କରିବା ଯେ ରାଜନୈତିକ ଦଳମାନେ ବିଦ୍ବେଷ ଓ ନକରାତ୍ମକତାରୁ ଉର୍ଦ୍ଧ୍ୱକୁ ଯାଇ ତର୍କ ଓ ଶାଳୀନତାର ସୀମାକୁ ଆପଣାଇନେବେ। ଆଉ ଏହା ମଧ୍ୟ ଆଶା କରିବା ଯେ ଲୋକେ ଆଖି ଝଲସା ପ୍ରଚାରରେ ଭାସି ନ ଯାଇ ଗଣତନ୍ତ୍ରର ଏହି ମହାପର୍ବରେ ଆମକୁ ଶାସନ କରୁଥିବା ବା ଶାସନ କରିବାକୁ ଇଛୁକ ଥିବା
ରାଜନୈତିକ ଦଳ ଓ ନେତାଙ୍କୁ ସତ୍ୟତା ଓ ତାର୍କିକତାର ତରାଜୁରେ ପରଖିବେ।