ବିମଳ ପ୍ରସାଦ ପାଣ୍ଡିଆ
ଓଡିଶା ସରକାର ପ୍ରଦାନ କରୁଥିବା ତଥ୍ୟ ଅନୁସାରେ ଛତିଶଗଡରେ ବିଭିନ୍ନ ନଦୀବନ୍ଧ ଓ ଆନିକଟ
ଆଦିର ନିର୍ମାଣ ଯୋଗୁଁ ଅଣ-ମୌସୁମୀ ଋତୁରେ ଜଳ-ପ୍ରବେଶ ଖାଲି କମିଛି ନୁହେଁ, ଭୀଷଣ କମିଛି। ରାଜ୍ୟ ଜଳସମ୍ପଦ ବିଭାଗ କହିଛି ଯେ ପୂର୍ବ ଦଶବର୍ଷର ବିଭିନ୍ନ ମାସର ହାରାହାରି ତୁଳନାରେ ଗତ ଅଣ-ମୌସୁମୀ ଋତୁର ଜଳ-ପ୍ରବେଶ ନଭେମ୍ବରରେ ୪୧.୧%, ଡିସେମ୍ବରରେ ୩୨.୯%, ଜାନୁଆରୀରେ ୩୦.୯%, ଫେବୃଆରୀରେ ୩୯.୨%, ମାର୍ଚ୍ଚରେ ୨୭.୬%, ଏପ୍ରିଲରେ ୭୩% ଓ ମେ
ମାସରେ ୭୭.୫% ହ୍ରାସ ପାଇଛି । ଉପରମୁଣ୍ଡରେ ବନ୍ଧ ହେଲେ
ଏବଂ ଜଳର ଉତ୍ତୋଳନ ଓ ଅପସାରଣ ବଢିଲେ ତଳମୁଣ୍ଡକୁ
ଜଳପ୍ରବାହ ହ୍ରାସ ପାଇବା ନିଶ୍ଚିତ। କିନ୍ତୁ ଜଳପ୍ରବାହ ଯେତିକି
ହ୍ରାସ ପାଇଛି ବୋଲି ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ତାହା ଆଚମ୍ବିତ କରିବା
ନିଶ୍ଚିତ।
ଯଦି ଜଳ ପ୍ରବାହ ବାସ୍ତବରେ ଏତେ ଅଧିକ
କମିଛି ତାହା ଖୁବ ଉଦବେଗଜନକ।
ଏଭଳି ଭୀଷଣ ସ୍ଥିତିକୁ ନେଇ ରାଜ୍ୟ ସରକାର ତଥା ସରକାର ଚଳାଉଥିବା ଦଳ ତଥା ଅନେକ ସାମାଜିକ କର୍ମୀ ଓ
ଅନୁଷ୍ଠାନ ତୁମ୍ବି ତୋଫାନ କରୁଛନ୍ତି। କରିବା ବି କଥା। କିନ୍ତୁ ସ୍ଥିତିକୁ ସଠିକ ଆକଳନ କରି, ତଥ୍ୟର ଠୋସ ପ୍ରମାଣ ରଖି ପଦକ୍ଷେପ ନ ନେଲେ ଅଡୁଆ
ପରିସ୍ଥିତିମାନ ସୃଷ୍ଟି ହେବା ନିଶ୍ଚିତ । ସରକାର ପ୍ରଦାନ କରୁଥିବା ତଥ୍ୟରେ ହତବାକ ହୋଇ ମୁଁ ଜଳସମ୍ପଦ ବିଭାଗକୁ ଅନୁରୋଧ କଲି ଯେ ସରକାର ଯେଉଁ ଚିତ୍ର ଦେଉଛନ୍ତି
ତାହା ଏକ ସାଂଘାତିକ ସ୍ଥିତି ଓ ସରକାର ଏହି ସ୍ଥିତି ବିଷୟରେ ଲୋକଙ୍କୁ ଅଧିକ
ଜାଗ୍ରତ କରିବା ଆବଶ୍ୟକ। ମୁଁ ବିଭାଗକୁ ଅନୁରୋଧ କଲି ଯେ ମହାନଦୀରେ ଜଳ ପ୍ରବାହ ଜନିତ ସମସ୍ତ ତଥ୍ୟକୁ ସରକାର ସାର୍ବଜନୀନ କରନ୍ତୁ। ଏଯାଏ ତାହା ପ୍ରକାଶ କରି ନାହାନ୍ତି। ସ୍ଥିତିକୁ ଠିକରେ
ପରଖିବା ପାଇଁ ଲୋକଙ୍କ ପାଖରେ ବିଶେଷ କିଛି ତଥ୍ୟ ଉପଲବ୍ଧ କରାଯାଉ ନାହିଁ। ମୁଁ ସୂଚନା
ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିଛି, ଏଯାଏ ପାଇନି। ତେବେ ଜଳ ସମ୍ପଦ ବିଭାଗ ବିଭିନ୍ନ ସମୟରେ ପ୍ରଦାନ
କରିଥିବା ତୁଳନା ତଥା ଅନ୍ୟ ସରକାରୀ ସୂତ୍ରମାନଙ୍କରୁ ପ୍ରାପ୍ତ ସୂଚନାର କିଛି ବିଶ୍ଲେଷଣ ଜଳସମ୍ପଦ ବିଭାଗ ପ୍ରଦାନ କରୁଥିବା ଦାବୀ ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଛିଡା କରୁଛି।
ପ୍ରଥମେ ଦେଖିବା ଜଳସମ୍ପଦ ବିଭାଗ ପ୍ରଦାନ କରିଥିବା କିଛି ତଥ୍ୟକୁ। ଜାନୁଆରୀ ୨୦ ତାରିଖରେ ବୁର୍ଲାରେ ଅବସ୍ଥାପିତ ମହାନଦୀ
ଉପର-ଅବବାହିକାର ମୁଖ୍ୟଯନ୍ତ୍ରୀ ରାଜ୍ୟସରକାରଙ୍କୁ ଏକ ଚିଠି ଲେଖି ଜଣାଇଲେ ଯେ ଛତିଶଗଡ ସରକାର
ହୀରାକୁଦ ଉପରମୁଣ୍ଡରେ କରିଥିବା ଆନିକଟମାନଙ୍କରେ ଜଳ ଭରିବା ଆରମ୍ଭ କଲେଣି। ଏହି କାରଣରୁ
ହୀରାକୁଦକୁ ଡିସେମ୍ବର ମାସରେ ଜଳ-ପ୍ରବେଶ ପୂର୍ବ ଦଶବର୍ଷର ହାରାହାରି ପ୍ରବେଶ ତୁଳନାରେ ୩୩% କମି ଯାଇଛି। ସେଥିରେ ମୁଖ୍ୟଯନ୍ତ୍ରୀ ଆହୁରି ବି ସତର୍କ କରାଇଥିଲେ ଯେ
ଏହି ଧାରା ଅବ୍ୟାହତ ରହିଲେ ଗୁରୁତର ଅବସ୍ଥା ସୃଷ୍ଟି ହେବ। ତେବେ ମୁଖ୍ୟଯନ୍ତ୍ରୀ ମହୋଦୟ ସେହି ଚିଠିରେ ହିଁ ପ୍ରଦାନ
କରିଥିବା ସାରଣୀ ତାଙ୍କ ତର୍ଜମାକୁ ଅଯୌକ୍ତିକ ଓ ଭିତ୍ତିହୀନ ପ୍ରମାଣ କରୁଛି। ମୁଖ୍ୟଯନ୍ତ୍ରୀ
ତାଙ୍କ ଚିଠିରେ ୨୦୧୬ର ଡିସେମ୍ବର ମାସର ଜଳ-ପ୍ରବେଶ ପରିମାଣ ସହିତ ୨୦୦୫ରୁ ୨୦୧୫ ମସିହାର ଡିସେମ୍ବର
ମାସମାନଙ୍କରେ ପଶିଥିବା ଜଳର ତଥ୍ୟ ଦେଇଛନ୍ତି ଓ ସାରଣୀର ତଳେ ଏହାର ହାରାହାରି ବାହାର କରିଛନ୍ତି
୦.୧୮୩ ନିୟୁତ ଏକର ଫୁଟ। ଏହାକୁ ମୁଖ୍ୟଯନ୍ତ୍ରୀ
ପୂର୍ବ ଦଶବର୍ଷର ହାରାହାରି ବୋଲି କହିଛନ୍ତି। ଏହାକରି ମୁଖ୍ୟଯନ୍ତ୍ରୀ ହୁଏତ ନିଜର ଚତୁରତା ପ୍ରଦର୍ଶନ
କରିବାର ପ୍ରୟାସ କରିଛନ୍ତି ନହେଲେ ସେ ଏକ ଭୁଲ ହିସାବ ଦେଇ ଲୋକଙ୍କୁ ଓ ସରକାରଙ୍କୁ ବିଭ୍ରାନ୍ତ
କରିବାର ଚେଷ୍ଟା କରିଛନ୍ତି। ୨୦୦୫ରୁ ୨୦୧୫ ଦଶ ନୁହେଁ, ଏଗାର ବର୍ଷ। ତେବେ ଏଗାରବର୍ଷର ହାରାହାରି ବାହାର କରି ସେ ତାହାକୁ କାହିଁକି ଦଶବର୍ଷର ବୋଲି କହିଲେ? ମୋ ବିଚାରରେ ତାହା ଏକ ତ୍ରୁଟି ନୁହେଁ, ତାହା ଉଦ୍ଦେଶ୍ୟମୂଳକ। ଗତ ୨୦୦୬ରୁ ୨୦୧୫ ମସିହାର (ଯାହା ୨୦୧୬ ମସିହା ପୂର୍ବର
ପ୍ରକୃତ ଦଶବର୍ଷ ହେବ) ଡ଼ିସେମ୍ବର ମାସମାନଙ୍କର ଜଳ-ପ୍ରବେଶର ହାରାହାରି ଥିଲା ୦.୧୬୫ ନିୟୁତ ଏକର
ଫୁଟ। କିନ୍ତୁ ୨୦୦୫ର ଡ଼ିସେମ୍ବର ମାସରେ ହୀରାକୁଦକୁ ପଶିଥିଲା ୦.୩୬୭ ନିୟୁତ ଏକର ଫୁଟ, ଯାହା ପୂର୍ବ ଦଶବର୍ଷର ହରାହାରିର ଦୁଇଗୁଣରୁ ବି ଅଧିକ। ଏଥିରୁ ଏହି ସନ୍ଦେହ
ଦୃଢ଼ୀଭୁତ ହୋଇଛି ଯେ ୨୦୦୫ ବର୍ଷର ଡ଼ିସେମ୍ବର ମାସର ଜଳ-ପ୍ରବେଶକୁ ଜାଣିଶୁଣି ମିଶା ଯାଇଛି
ଯେମିତି କି ହାରାହାରିଟା ଖୁବ ଆଖିଦୃଶିଆ ହୋଇଯିବ ଓ ତୁଳନା କଲେ ଚଳିତ ଡ଼ିସେମ୍ବରର ଜଳ-ପ୍ରବେଶ ଖୁବ ହ୍ରାସ
ପାଇଛି ବୋଲି ଜଣା ପଡିବ। ସେହିଭଳି ହାରାହାରି ବାହାର କରି ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ ୨୦୧୬ ଡ଼ିସେମ୍ବରରେ ଜଳ
ପ୍ରବାହ ୩୭% କମିଛି। ଏହି ହିସାବ ସମ୍ପୂର୍ଣ ଉଦ୍ଦେଶ୍ୟ-ପ୍ରଣୋଦିତ ଲାଗୁଛି। ଇୟେ ତ ଗଲା ଗୋଟିଏ
ତ୍ରୁଟି। ମୁଖ୍ୟଯନ୍ତ୍ରୀଙ୍କ ତର୍ଜମାରେ ଆହୁରି ମୌଳିକ ତ୍ରୁଟି ଅଛି। କୌଣସି ବର୍ଷର ଗୋଟିଏ ଅଣ-ମୌସୁମୀ ମାସର ପ୍ରବାହକୁ
କୌଣସି ଅନ୍ୟଗୋଟିଏ ମାସ ବା କିଛି ବର୍ଷର ସେହି ମାସର ହାରାହାରି ସହିତ ତୁଳନା କରିବା ଆଦୌ ଠିକ ନୁହେଁ କାରଣ ଅଣ-ମୌସୁମୀ ଋତୁର ପ୍ରବାହମାନଙ୍କରେ
ଗୁରୁତର ଅସଙ୍ଗତି ରହିଥାଏ। ମୁଖ୍ୟଯନ୍ତ୍ରୀ ୨୦୦୫ରୁ ୨୦୧୬ ବର୍ଷର ଡ଼ିସେମ୍ବର ମାସରେ ହୀରାକୁଦକୁ ପ୍ରବେଶ କରିଥିବା ଜଳର
ଯେଉଁ ତଥ୍ୟ ଦେଇଛନ୍ତି ତାହାକୁ ବ୍ୟବହାର କରି ଅନ୍ୟଜଣେ ସମ୍ପୂର୍ଣ୍ଣ ବିପରୀତ ଯୁକ୍ତିଟିଏ ଅତି ଆରାମରେ ବାହାର କରିପାରିବ। ୨୦୧୫ ଡ଼ିସେମ୍ବରରେ ହୀରାକୁଦକୁ ୦.୦୮୮ ନିୟୁତ ଏକର ଫୁଟ ଜଳ ଆସିଥିଲା। ଏହାକୁ ୨୦୧୬ର
ପ୍ରବେଶ ସହିତ ତୁଳନା କରି ଜଣେ ନିଶ୍ଚିତ ଭାବରେ କହି ପାରିବେ ଯେ ଛତିଶଗଡରେ ଅନେକ ବନ୍ଧ ହେବା
ସତ୍ତ୍ୱେ ଚଳିତ ବର୍ଷର ଡ଼ିସେମ୍ବରରେ ଗତ ବର୍ଷର ଡ଼ିସେମ୍ବର ମାସ ତୁଳନାରେ ଜଳ-ପ୍ରବେଶ ୪୦% ଅଧିକ
ଥିଲା। ଆଉଜଣେ କହିପାରିବେ ଯେ ବିଗତ ଦଶବର୍ଷରୁ ତିନିବର୍ଷର ଡ଼ିସେମ୍ବର ମାସରେ ହୀରାକୁଦକୁ
ଜଳପ୍ରବେଶ ଗତ ଡ଼ିସେମ୍ବରର ପ୍ରବେଶ ତୁଳନାରେ କମ ଥିଲା,
ତେଣୁ ଛତିଶଗଡରେ ବନ୍ଧ ହେବା ସତ୍ତ୍ୱେ ହୀରାକୁଦକୁ ଜଳ ପ୍ରବାହରେ କିଛି ବିଶେଷ ଅସଙ୍ଗତି ବା ହ୍ରାସ ପରିଲକ୍ଷିତ ହୋଇନାହିଁ। ହୀରାକୁଦ ଇତିହାସର ବିଗତ ୫୮ଟି ଡ଼ିସେମ୍ବର ମଧ୍ୟରୁ ୧୯ଟି ଡ଼ିସେମ୍ବରରେ ଜଳ-ପ୍ରବେଶ ୨୦୧୬
ଡ଼ିସେମ୍ବର ତୁଳନାରେ କମ ଥିଲା।
ଏଥର ଦେଖିବା ହୀରାକୁଦ ସମ୍ବନ୍ଧିତ ତଥ୍ୟର ଅନ୍ୟ ଏକ ଉତ୍ସକୁ। ଓଡିଶା ଜଳବିଦ୍ୟୁତ ନିଗମ ବିଦ୍ୟୁତ ଉତ୍ପାଦନ ହେଉଥିବା
ଜଳଭଣ୍ଡାରମାନଙ୍କର ଜଳସ୍ତରର ପ୍ରତି ଦିନର ବିବରଣୀ ରଖେ। ଜଳବିଦ୍ୟୁତ ନିଗମର ତଥ୍ୟ ଅନୁସାରେ ଏଇ ଜୁନ ମାସର ପହିଲା
ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଥିଲା ୬୦୫.୧୨ ଫୁଟ। ଏହି ତାରିଖରେ ପୂର୍ବ ଦଶବର୍ଷର ହାରାହାରି ଜଳସ୍ତର ହେଉଛି ୬୦୧.୫୩ ଫୁଟ। ଗତ ଅଣ-ମୌସୁମୀ ଋତୁର ଆରମ୍ଭରେ ଅର୍ଥାତ ୨୦୧୬ ନଭେମ୍ବର
ପହିଲା ତାରିଖରେ ହୀରାକୁଦର ଜଳସ୍ତର ତାହାର ସର୍ବୋଚ୍ଚ ସ୍ତରରେ ଅର୍ଥାତ ୬୩୦ ଫୁଟରେ ଥିଲା। ଏହି ତାରିଖରେ
ପୂର୍ବ ଦଶବର୍ଷର ହାରାହାରି ସ୍ତର ହେଉଛି ୬୨୮.୦୪ ଫୁଟ। ଅର୍ଥାତ, ପୂର୍ବ ଦଶବର୍ଷର ଅଣ-ମୌସୁମୀ ଋତୁର ଆରମ୍ଭ ତାରିଖର ହାରାହାରି ତୁଳନାରେ ଚଳିତ ବର୍ଷର ଅଣ-ମୌସୁମୀ ଋତୁର ଆରମ୍ଭରେ ହୀରାକୁଦର ଜଳସ୍ତର ପ୍ରାୟ
ଦୁଇଫୁଟ ଅଧିକ ଥିବା ବେଳେ ଅଣ-ମୌସୁମୀ ଋତୁର ଶେଷରେ ହୀରାକୁଦର ଜଳସ୍ତର ତାହାର ପୂର୍ବ ଦଶବର୍ଷର ହାରାହାରି ତୁଳନାରେ ଚାରି ଫୁଟ ଅଧିକ ଥିଲା। ଅର୍ଥାତ, ପୂର୍ବ ଦଶବର୍ଷର ହାରାହାରି ଜଳସ୍ତର ହ୍ରାସ ତୁଳନାରେ ଗତ ଅଣ-ମୌସୁମୀ ଋତୁରେ ହୀରାକୁଦ
ଜଳଭଣ୍ଡାରର ଜଳସ୍ତରରେ ହ୍ରାସର ପରିମାଣ କମ ଥିଲା। ଚଳିତ ଜୁନ ପହିଲାର ଏହି ସ୍ତରକୁ ପୂର୍ବ ବାରବର୍ଷର ଏହି ଦିନରେ ଥିବା ସ୍ତର ସହିତ ମିଳାଇ ଦେଖିଲେ ଆହୁରି ପାଇବା ଯେ କେବଳ ୨୦୧୪କୁ
ଛାଡିଦେଲେ ବାକି ଏଗାରଟି ଯାକ ବର୍ଷରେ ଜଳସ୍ତର ଚଳିତ ବର୍ଷର ଜଳସ୍ତରଠାରୁ କମ
ଥିଲା। ସରକାର ଗୋଟିଏ ପ୍ରକାର ହିସାବ କରି ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ୭୭.୮% ଯାଏ
କମିଯାଇଥିବାର ଭୟାବହ ଚିତ୍ର ଦେଉଥିବା ବେଳେ ସେହି ସରକାରଙ୍କ ତଥ୍ୟର ଭିନ୍ନ ଓ ବିଶଦ ବିଶ୍ଲେଷଣ
ଆଦୌ ସେମିତି କିଛି ଭୟାବହତାର ସୂଚନା ଦେଉ ନାହିଁ।
ଏହା ନିଶ୍ଚିତ ଭାବରେ ସତ୍ୟ ଯେ ମହାନଦୀରେ ଜଳ ପ୍ରବାହ ହ୍ରାସ ହୋଇଛି ଓ ଦିନକୁ ଦିନ ଅଧିକ
ଅସମାନ ହେବାରେ ଲାଗିଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମହାନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲଢେଇ ଦିନକୁ ଦିନ ଜଟିଳ
ହେଉଥିବା ବେଳେ ଓଡିଶା ସରକାର ଯେଉଁସବୁ ବିଶ୍ଲେଷଣ ଦେଉଛନ୍ତି ତାହା ଅତି ତ୍ରୁଟିପୂର୍ଣ୍ଣ। ସରକାରୀ
ପରିସଂଖ୍ୟାନଗୁଡିକ ସମସ୍ୟାକୁ ପରଖିବାରେ ସାହାଯ୍ୟ କରି ଠିକ ଏକ ନିଷ୍କର୍ଷରେ ପହଞ୍ଚାଇବାରେ
ସମ୍ପୁର୍ଣ୍ଣ ଭାବରେ ବିଫଳ ହେଉଛନ୍ତି। ଓଡିଶା ସରକାର ଏଦିଗରେ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପ୍ରବାଦ ଅଛି, 'ମିଛ, ଡାହା ମିଛ ଓ ପରିସଂଖ୍ୟାନ'। ହୀରାକୁଦକୁ ନେଇ ପ୍ରଦାନ କରାଯାଉଥିବା ଚିତ୍ର ଓ ଦିଆଯାଉଥିବା ପରିସଂଖ୍ୟାନଗୁଡିକ ମିଛୁଆ ନ
ହୁଅନ୍ତୁ ଓ ସତ୍ୟକୁ ପ୍ରଦର୍ଶିତ କରନ୍ତୁ।
(This article was published in my fortnightly Op-Ed column in Dharitri on August 23, 2017. That article can be accessed at http://www.dharitri.com/e-Paper/Bhubaneswar/230817/p6.htm)
(This article was published in my fortnightly Op-Ed column in Dharitri on August 23, 2017. That article can be accessed at http://www.dharitri.com/e-Paper/Bhubaneswar/230817/p6.htm)