Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Farmer. Show all posts
Showing posts with label Farmer. Show all posts

Tuesday, March 20, 2018

ଚାଷୀର ଝୋଲା ମେଲା, ଅମ୍ବାନୀର ପୁଳାପୁଳା

(ଗତ ଚାରି ବର୍ଷରେ ଚାଷୀର ଆୟ ଯେଉଁଠି ଥିଲା ସେଇଠି ହିଁ ଅଛି କିନ୍ତୁ ମୁକେଶ୍ ଅମ୍ବାନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨ବର୍ଷରୁ କମ୍ ସମୟରେ ଦୁଇଗୁଣା ବଢି ସାରିଛି)


ସାରା ଭାରତରେ ସମଗ୍ର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯେତିକି ମୋଟ ମୂଲ୍ୟ ବା ଉତ୍ପାଦ ବଢ଼ିଛି (ଇଂରାଜୀରେ ଯାହାକୁ ‘ଗ୍ରସ ଭାଲ୍ୟୁ ଆଡେଡ (ଜି.ଭି.ଏ.)’ କୁହାଯାଏ) ତାହା ଭାରତର କେବଳ ଜଣେ ବ୍ୟକ୍ତିର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ସହ ପ୍ରାୟ ସମାନ।  ଭାରତ ସରକାର ଚଳିତ ବର୍ଷର ଅର୍ଥନୈତିକ ସର୍ଭେରେ ଦେଇଥିବା ତଥ୍ୟ ଅନୁସାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଜି.ଭି.ଏ.ରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା  ବଢ଼ିଛି। ଖୁବ୍ ନିକଟରେ ଫୋର୍ବସ ଜାରି କରିଥିବା ଧନୀ ତାଲିକା ଅନୁସାରେ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ଗତ ବର୍ଷେରେ ବଡ଼ିଛି ୧.୧୦ ଲକ୍ଷ କୋଟି ଟଙ୍କା। ଅମ୍ବାନୀଙ୍କ ପୁରା ପରିବାରର ସମ୍ପତ୍ତି ମିଶାଇ ଦେଲେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା ମୋଟ ବୃଦ୍ଧି ତୁଳନାରେ ମୁକେଶ ଅମ୍ବାନୀଙ୍କ ପରିବାରର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ଅନେକ ଅଧିକ ହୋଇଯିବ। ମାତ୍ର ଦୁଇ ବର୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ବଡ଼ିଛି ଦୁଇ ଗୁଣରୁ ଅଧିକ। କେବଳ ବିଗତ ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତିରେ ୧.୭୩ ଗୁଣ ବା ପ୍ରାୟ ୭୩ ପ୍ରତିଶତ ବୃଦ୍ଧି ଘଟିଛି। ଧନାଢ଼୍ୟ ବ୍ୟକ୍ତିଙ୍କ ସମ୍ପତ୍ତିରେ ଏମିତି ବୃଦ୍ଧି ଘଟି ଚାଲିଥିବା ବେଳେ ୨୦୧୫ ତୁଳନାରେ ୨୦୨୨ ମସିହା ସୁଦ୍ଧା, ସାତ ବର୍ଷରେ, ଚାଷୀଙ୍କ ଆୟ ଦୁଇଗୁଣା କରିବାର ଅଭିପ୍ରାୟ ଫଳ ମୁହାଁ ହେବାର ସଙ୍କେତ ବି ଏଯାଏ ମିଳି ନାହିଁ। 


କୃଷକଙ୍କ ଆୟ ଦୁଇଗଣା କେମିତି କରିେହେବ ତାହା ଦେଖିବା ପାଇଁ ଭାରତ ସରକାର ଅଶୋକ ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟୀ କହେ ଯେ ଭାରତର ପ୍ରାୟ ୧୧.୯ କୋଟି ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ୨୦୧୫-୧୬ ବର୍ଷରେ ୯୬,୭୦୩ ଟଙ୍କା ଥିଲା। ସେହି ବର୍ଷଠାରୁ ଦୁଇ ବର୍ଷ ଗଡ଼ି ସାରିଲାଣି। ଆୟ ବଢୁଛି ନା ନାହିଁ ତାହାର କୌଣସି ସୂଚନା ସରକାରଙ୍କ ତରଫରୁ ମିଳୁ ନାହିଁ। ବଡ଼ ଆଶ୍ଚର୍ଯ୍ୟର କଥା ଯେ ଆଜିର କମ୍ପ୍ୟୁଟର ଯୁଗରେ ମଧ୍ୟ ସରକାର ଚାଷୀ ପରିବାରର ଆୟର ହିସାବ ପେଡ଼ି ପ୍ରସ୍ତୁତ କରିପାରି ନାହାନ୍ତି। ଦଲୱାଇ କମିଟୀ ଯେଉଁ ହିସାବ ଦେଇଛନ୍ତିି ତାହା ଏକ ନମୁନା ସର୍ବେକ୍ଷଣର ତଥ୍ୟ। ନମୁନା ସର୍ବେକ୍ଷଣ ବେଳେବେଳେ ବାସ୍ତବତାରୁ ଟିକେ ନୁହେଁ, ଅନେକ ଭିନ୍ନ ହୋଇଥାଏ। ଯଦି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ରଖାଯାଇଛି ତେବେ ଭାରତ ସରକାର ଏମିତି ବ୍ୟବସ୍ଥା କରିବା ଦରକାର ଯେଉଁଠି ପ୍ରତି ବର୍ଷ ଚାଷୀଙ୍କ ଆୟରେ କେତେ ବୃଦ୍ଧି ଘଟି କୋଉଠି ପହଞ୍ଚିଲା ତାହା ରୋକଠୋକ୍ ଜଣାପଡିଯିବ। କିନ୍ତୁ ସରକାର ଏଯାଏ ସେମିତି ବ୍ୟବସ୍ଥା କରି ନାହାନ୍ତି। କରିବେ ଭଳି ବି ଜଣା ପଡ଼ୁନାହିଁ। ଚଳିତ ବର୍ଷ ଯେମିତି ଲୋକସଭାରେ ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଘୋଷଣା କରିଦେଲେ ଯେ ସରକାର ଅଧିକାଂଶ ଫସଲ ପାଇଁ ଚାଷ ଖର୍ଚ୍ଚର ଦେଢ଼ଗୁଣା ସର୍ବନିମ୍ନ ସହାୟକ ଦର ଦେଇ ସାରିଛନ୍ତି, ସେମିତି ଗୋଟିଏ ଦିନ ଆସିବ ସରକାର ଘୋଷଣା କରିଦେବେ ଯେ ଚାଷୀଙ୍କ ଆୟ ଦୁଇଗୁଣା ହୋଇଗଲା। ଲୋକେ କାବା ହେବେ ଯାହା। ଏହା ଜଳଜଳ ଦେଖା ଦେଲାଣି ଯେ ଚାଷୀଙ୍କୁ ଦେଡ଼ଗୁଣା ଦର ନିଶ୍ଚିତ କରିସାରିଥିବା ଭଳି ଡାହା ମିଛକୁ ସରକାର ଯେଉଁଭଳି ତଥ୍ୟ ଓ ପରିସଂଖ୍ୟାନର ଖୋଳରେ ଢାଙ୍କିବାର ଚେଷ୍ଟା କଲେ ସେହିଭଳି ଚେଷ୍ଟା ଚାଷୀଙ୍କ ଆୟ ଦୁଇଗଣ ହୋଇଗଲା ବୋଲି ଘୋଷଣା କରିବାରେ ବି ହେବ।  କାରଣ, ଚାଷୀଙ୍କ ଆୟ ଯେଉଁଠି ଥିଲା ଏବେ ବି ସେଇଠି ଅଛି। 

ଦଲୱାଇ କମିଟୀଙ୍କ ହିସାବ ଅନୁସାରେ ଚାଷୀ ପରିବାରର ପ୍ରକୃତ ଆୟ ପ୍ରତି ବର୍ଷ ହାରାହାରି ୧୦.୪୧% ହାରରେ ବଡ଼ିଲେ ହିଁ ୨୦୨୨-୨୩ ବର୍ଷ ସୁଦ୍ଧା ଆୟ ଦୁଇଗଣା ହେବ। ଚଳନ୍ତି ଆୟରୁ ମୁଦ୍ରାସ୍ପୀତି ଓ ଦରବୃଦ୍ଧିକୁ କାଟିବା ପରେ ଯେଉଁ ଆୟ ରହିଲା ତାହାହେଲା ପ୍ରକୃତ ଆୟ। ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟର ପ୍ରଥମ ଅଧ୍ୟାୟରେ ହିଁ ଭାରତ ସରକାର କହିଛନ୍ତି ଯେ, ‘ବିଗତ ଚାରି ବର୍ଷରେ କୃଷି କ୍ଷେତ୍ରର ପ୍ରକୃତ ଉତ୍ପାଦ ଓ କୃଷି କ୍ଷେତ୍ରର ପ୍ରକୃତ ଆୟ ସ୍ଥିର ରହିଛି’। ଅନ୍ୟ ଭାବରେ କହିଲେ କୃଷି ଉତ୍ପାଦ ଓ ଆୟ ବଢ଼ି ନାହିଁ। ସେହି ସର୍ଭେ ରିପୋର୍ଟରେ ଆଉ ଏକ ବଡ଼ିଆ ଗ୍ରାଫ ଅଛି। ସେହି ଗ୍ରାଫରେ ୨୦୫୫-୫୬ ମସିହାରୁ ୨୦୧୭-୧୮ ମସିହା ଯାଏ କୃଷି କ୍ଷେତ୍ରର ପ୍ରକୃତ ଜି.ଭି.ଏ.ରେ ବୃଦ୍ଧିହାରର ପାଞ୍ଚବର୍ଷିଆ ଚଳମାନ ହାରାହାରି ବା ମୁଭିଙ୍ଗ ଆଭରେଜ କେତେ ରହିଥିଲା ତାହା ଦର୍ଶାଯାଇଛି। ସେହି ଗ୍ରାଫ ଅନୁସାରେ ସବୁଠାରୁ ଅଧିକ ପ୍ରକୃତ ଜି.ଭି.ଏ. ବୃଦ୍ଧି ହାର ସବୁଜ ବିପ୍ଲବ ସମୟରେ ରହିଥିଲା କିନ୍ତୁ ତାହା ମଧ୍ୟ ୬% ଡେଇଁ ପାରି ନଥିଲା। ବିଗତ ତିନି ବର୍ଷରେ ପ୍ରକୃତ ଜି.ଭି.ଏ.ର ଚଳମାନ ବୃଦ୍ଧି ହାର ପ୍ରାୟ ୨.୫% ପ୍ରତିଶତ ହିଁ ରହିଛି। ଆୟ ଦୁଇଗଣା କରିବା ପାଇଁ ଆବଶ୍ୟକତା ଅଛି ୧୦.୪% ବୃଦ୍ଧିହାରର ଅଛି କିନ୍ତୁ ବିଗତ ତିନି ବର୍ଷରେ ପ୍ରକୃତ ବୃଦ୍ଧିହାର ରହିଛି ମୋଟେ ୨.୫%। କେମିତି ଚାଷୀ ଆୟ ଦୁଇଗୁଣା ହେବ ବୋଲି ସରକାର ଏବେ ମଧ୍ୟ କହୁଛନ୍ତୁି ତାହା ଆଦୌ ବୁଝି ହେଉନାହିଁ।


ଅର୍ଥନୈତିକ ସର୍ଭେ ରିପୋର୍ଟରେ ଖାଲି ସେତିକି କୁହାଯାଇ ନାହିଁ, ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ‘ଜଳବାୟୁ ପରିବର୍ତ୍ତନ କାରଣରୁ କୃଷି କ୍ଷେତ୍ରରୁ ଆୟରେ ହାରାହାରି ୧୫ରୁ ୧୮% ହ୍ରାସ ଘଟିପାରେ। ଅଣଜଳସେଚିତ ଅଞ୍ଚଳରେ ଆୟରେ ହ୍ରାସର ମାତ୍ରା ୨୦-୨୫% ପର୍ଯ୍ୟନ୍ତ ହୋଇପାରେ।’ ଏହା ଦର୍ଶାଇ ସର୍ଭେ କହିଛି ଯେ ଏହି କାରଣରୁ କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ସହଜ ନୁହେଁ ଓ ତାହା ହାସଲ କରିବା ଅଭିଯାନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି। ଏକରେ ଯେତିକି ଆୟ ବଢ଼଼ିବା କଥା ତାହା ହେଉ ନାହିଁ ଏବଂ ତହିଁରେ ପୁଣି ଜଳବାୟୁ ପରିବର୍ତ୍ତନ କାରଣରୁ ଆୟ କମିବ ବୋଲି କୁହାଗଲାଣି। ଚାଷୀଙ୍କ ଆୟ ଦୁଇଗୁଣା ହେବା କଥା ଚୁଲିକୁ ଯିବା ନିଶ୍ଚିତ ଜଣା ପଡିଲାଣି।


ଏବେ ଚାଷ ସବୁଠାରୁ ନିକମା ଜୀବିକା ହୋଇଗଲାଣି। କିନ୍ତୁ ନିକମା ହୋଇ ବି ଦେଶର ଏକ ବହୁତ ବଡ଼ ଭାଗ ଚାଷରୁ ହିଁ ଯାହା କିଛି ବି ହେଉ ପଛେ ରୋଜଗାର ଟିକକ ଜୁଟାନ୍ତି ଓ ଦେଶକୁ ଖାଦ୍ୟ ଯୋଗାନ୍ତି। ଦେଶର ତାଙ୍କ ପ୍ରତି ଉତ୍ତରଦାୟିତ୍ୱ ରହିଛି। ତେଣୁ, ଆୟ ଦୁଇଗୁଣା କରିବା, ଖର୍ଚ୍ଚର ଦେଡ଼ଗୁଣା ଦର ଦେବା ଭଳି ଭେଳିକି ନ କରି ସରକାର ଚାଷୀଙ୍କୁ ନିଶ୍ଚିତ ସର୍ବନିମ୍ନ ଆୟ ଯୋଗାଇବାର ଯୋଜନା କରିବା ଆବଶ୍ୟକ। ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ କହିଛି ଯେ, ‘ବିଜୁଳୀ ଓ ସାର ଆଦିରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ପ୍ରତ୍ୟକ୍ଷ ଆୟ ସହାୟତା ଦେବାର ଆବଶ୍ୟକତା ରହିଛି’। ଚାଷୀ ଖାଲି ଚାଷ ଖର୍ଚ୍ଚ ଉଠାଇ କିଛି ଲାଭ ପାଇଲେ ଚଳିବ ନାହିଁ, ତାକୁ ଆର୍ଥିକ ସ୍ୱଚ୍ଛଳତା ଓ ସାମାଜିକ ସ୍ୱୀକୃତି ଆବଶ୍ୟକ। ସରକାର ସେହି ଦିଗରେ ତାଙ୍କର ଅଙ୍ଗୀକାରବଦ୍ଧତା ପ୍ରଦର୍ଶିତ କରିବା ଦରକାର। ସରକାରଙ୍କ ଚାଷୀଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା କେତେ ଅଛି ଜଣା ପଡ଼ୁନାହିଁ କିନ୍ତୁ କର୍ପୋରେଟ ଜଗତ ପ୍ରତି ତାଙ୍କ ସୁଦୃଷ୍ଟିରୁ ପୁଳାପୁଳା ଅମ୍ବାନୀ ଆଦାନୀ ସୃଷ୍ଟି ହୋଇଚାଲିଛନ୍ତି। ଭାରତ ଭଳି ଏକ ଦେଶରେ ଥିବା ସାଂଘାତିକ ବୈଷମ୍ୟତାକୁ ଏହା ଆହୁରି ବ୍ୟାପକ କରୁଛି ଓ କୃଷି କ୍ଷେତ୍ର ପାଇଁ ଭୀଷଣ ବିପଦ ଆଣୁଛି। 

(This article was originally published in my fortnightly column in Dharitri 'Tatwa O Tarka' on 14th March 2018. That can be accessed at: http://www.dharitri.com/e-Paper/Bhubaneswar/140318/p6.htm)

Thursday, February 15, 2018

ଖର୍ଚ୍ଚର ଦେଢଗୁଣା ଫସଲ ଦର – ଏତେ ବଡ ମିଛ?

ଲୋକସଭାରେ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଲେ ଯେ ମୋଦି ସରକାର ରବି ଋତୁରେ ହେଉଥିବା ଅଧିକାଂଶ ଫସଲ ପାଇଁ ଏମ୍.ଏସ୍.ପି ବା ଫସଲର ସର୍ବନିମ୍ନ ସହାୟକ ଦରକୁ ଚାଷ ଖର୍ଚ୍ଚର ଦେଢଗୁଣା ବା ଖର୍ଚ୍ଚର ୧୫୦% କରି ସାରିଛନ୍ତି । ସେ ପୁଣି କହିଲେ ଯେ ବାକିଥିବା ସମସ୍ତ ଫସଲ ପାଇଁ ମଧ୍ୟ ତାଙ୍କ ସରକାର ଏମିତି ଏମ୍.ଏସ୍.ପି ରଖିବେ ଯାହା ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ଦେଢଗୁଣା ହେବ । ତାହାହେଲେ କଣ ସତରେ ସରକାର ଅଧିକାଂଶ ଫସଲ ପାଇଁ ଯାହା ଖର୍ଚ୍ଚ ହୁଏ ତାହାର ଦେଢଗୁଣା ଦର ବା ୫୦% ଲାଭ ନିଶ୍ଚିତ କରିସାରିଛନ୍ତି? କେତେଜଣଙ୍କର ମନେ ଥିବ କେଜାଣି କିନ୍ତୁ ତିନି ବର୍ଷ ତଳେ ଏହି ସରକାର ସୁପ୍ରିମକୋର୍ଟରେ ଏକ ହଲଫନାମା ଦେଇ କହିଥିଲେ ଯେ ସରକାର ଚାଷୀଙ୍କୁ ଚାଷଖର୍ଚ୍ଚ ଉପରେ ୫୦% ଲାଭ ନିଶ୍ଚିତ କରୁଥିବା ସର୍ବନିମ୍ନ ସହାୟକ ଦର ଦେଇପାରିବେ ନାହିଁ କାରଣ ତାହା ଅର୍ଥନୀତିକୁ ବିଗାଡି ଦେବ । ତାହାହେଲେ ସୁପ୍ରିମକୋର୍ଟରେ ତିନିବର୍ଷ ତଳେ ଦେଇଥିବା ହଲଫନାମା ଆଉ ବର୍ତ୍ତମାନ ଭିତରେ କଣ ଏତେ ପରିବର୍ତ୍ତନ ହୋଇଯାଇଛି? ଏଥର ଏହି ପ୍ରସଙ୍ଗରେ ଆମେ କିଛି ସତ୍ୟ ଦରାଣ୍ଡିବା । 


ଚାଷଖର୍ଚ୍ଚର ହିସାବ କରିବା ପ୍ରଥାକୁ ସରକାର ଖୁବ୍ ଜଟିଳ କରି ରଖିଛନ୍ତି । କାହାକୁ ଚାଷ ଖର୍ଚ୍ଚ ବିଚାର କରାଯାଏ ତାହାକୁ ନେଇ ଭୟଙ୍କର ଦ୍ୱନ୍ଦ୍ୱ ରହିଛି । ଏମ୍.ଏସ୍.ପି ନିର୍ଦ୍ଧାରଣ ପ୍ରକ୍ରିୟାରେ ଅନେକ ପ୍ରକାରର ଚାଷ ଖଚ୍ଚର୍ର ହିସାବ ଦିଆଯାଏ, ତିନିଟି ତହିଁରୁ ପ୍ରମୁଖ । ଇଂରାଜୀରେ ତାହାକୁ (୧) A2, (୨) A2+FL, ଓ (୩) C2 କୁହାଯାଏ । A2ହେଲା ଚାଷୀ ବହନ କରିଥିବା ମୂଳ ଖର୍ଚ୍ଚ । ଏଥିରେ ଅନ୍ତର୍ଭକ୍ତ ଅଛି ଟଙ୍କା ବା ସାମଗ୍ରୀ ଆକାରରେ ହୋଇଥିବା ସମସ୍ତ ଖର୍ଚ୍ଚ ଯଥା ଶ୍ରମ, ବଳଦ, ଯନ୍ତ୍ର, ବିହନ, ଔଷଧ, ବିଷ, ଖତ, ସାର, ଜଳସେଚନ ଖର୍ଚ୍ଚ ଇତ୍ୟାଦି । ଏହା ପାଇଁ ଚାଷୀ ପ୍ରତ୍ୟକ୍ଷ ଦେୟ ପ୍ରଦାନ କରିଥାଏ ବା ବ୍ୟୟ କରିଥାଏ ।  ଏହାପରେ ଆସିଲା A2+FLପ୍ରାୟ ସମସ୍ତ ଚାଷୀ ପରିବାର ଫସଲର ଉତ୍ପାଦନ ପାଇଁ ନିଜେ ଶ୍ରମ ଦିଅନ୍ତି ।  A2ରେ ରହିଥିବା ସମସ୍ତ ଖର୍ଚ୍ଚ ସହିତ ଚାଷୀ ପରିବାର ନିଜେ ପ୍ରଦାନ କରିଥିବା ଶ୍ରମର ଖର୍ଚ୍ଚ ମିଶି A2+FLଦର ସ୍ଥିର ହୁଏ । ତୃତୀୟଟି ହେଲା C2A2+FL ଦରରେ ଜମିର କର ବା ଶୁଳ୍କ ଏବଂ ଚାଷୀ ଚାଷ ତୁଲାଇବା ପାଇଁ କରିଥିବା ଭିତ୍ତିଭୂମି ଯଥା ଟ୍ରାକ୍ଟର, ପମ୍ପ, ବାଡ, ଅନ୍ୟ ଭିତ୍ତିଭୂମି ଇତ୍ୟାଦିରେ ହୋଇଥିବା ନିବେଶର ସୁଧ ଯୋଡି C2ଦର ସ୍ଥିର କରାଯାଏ ।

ଚାଷ ଖର୍ଚ୍ଚର ଏହି ଜଟିଳ ବର୍ଗୀକରଣ ପ୍ରକ୍ରିୟା ପରେ ଆସନ୍ତୁ ଦେଖିବା ଚଳିତ ରବି ଋତୁର ଫସଲ ପାଇଁ ସରକାର କେତେ ଏମ୍.ଏସ୍.ପି ସ୍ଥିର କରିଛନ୍ତି । ରବି ଋତୁରେ ସାଧାରଣତଃ ୬ପ୍ରକାରର ଫସଲ ପାଇଁ ଏମ୍.ଏସ୍.ପି ଦର ସ୍ଥିର ହୁଏ, ତାହା ହେଲା ଗହମ, ବାର୍ଲି, ଚନା ବା ବୁଟ, ମସୁର, ସୋରିଷ ଓ କୁସୁମ ସରକାର ୨୦୧୮-୧୯ ରବି ଋତୁ ପାଇଁ ଏହି ୬ପ୍ରକାର ଫସଲର ଏମ୍.ଏସ୍.ପି ଦର ଯଥାକ୍ରମେ ୧୭୩୫, ୧୪୧୦, ୪୨୫୦, ୪୧୫୦, ୩୯୦୦ ଓ ୪୦୦୦ ନିର୍ଦ୍ଧାରଣ କରିଛନ୍ତି । ଏହି ୫ପ୍ରକାର ଫସଲ ପାଇଁ ସ୍ଥିର ହୋଇଥିବା ଏମ୍.ଏସ୍.ପି ମଧ୍ୟରୁ ଗୋଟିଏ ବି ଫସଲର ଏମ୍.ଏସ୍.ପି C2ଚାଷଖର୍ଚ୍ଚର ଦେଢଗୁଣା ଦର ଦେଉନାହିଁ । ସବୁଠାରୁ ପାଖକୁ ଆସୁଛି ଗହମ ଫସଲ । ଗହମ ଫସଲର C2ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପ୍ରତି ୧୨୫୬ଟଙ୍କା ହୋଇଥିବା ବେଳେ ଏମ୍.ଏସ୍.ପି ସ୍ଥିର ହୋଇଛି ୧୭୩୫ ଟଙ୍କା । ଅର୍ଥାତ ୧୨୫୬ ଟଙ୍କାର ଖର୍ଚ୍ଚ କରି ଚାଷୀ ଏମ୍.ଏସ୍.ପି ଦର ପାଇଲେ ୪୭୯ ଟଙ୍କା ଲାଭ ଅର୍ଥାତ ମୋଟେ ୩୮% ଲାଭ ପାଇବ । ଗହମ ଫସଲରେ ବି ୫୦% ଲାଭ ନାହିଁ । ଅନ୍ୟ ଫସଲର ଅବସ୍ଥା ତ ଆହୁରି ଶୋଚନୀୟ । କିନ୍ତୁ ଜେଟଲୀ ମହାଶୟ କହିଲେ ଯେ ତାଙ୍କ ସରକାର ରବି ଫସଲମାନଙ୍କ ପାଇଁ ୫୦% ଲାଭ ନିଶ୍ଚିତ କରିସାରିଛନ୍ତି । ଏହାକୁ ନେଇ ତୁମ୍ବି ତୋଫାନ ହେଲା ପରେ ସରକାର କହିଲେ ଯେ ସେ C2ନୁହେଁ A2+FLଦରକୁ ଖର୍ଚ୍ଚ ହିସାବରେ ଗ୍ରହଣ କରନ୍ତି । ସେହି ହିସାବରେ କୁସୁମ ଫସଲକୁ ଛାଡିଦେଲେ ଅନ୍ୟସବୁ ଫସଲ ଏମ୍.ଏସ୍.ପି ଦର ଚାଷ ଖର୍ଚ୍ଚ ଉପରେ ଅବଶ୍ୟ ଅନ୍ୟୁନ ୫୦% ଲାଭ ଦେଉଛି ।


ତେବେ ସରକାର କେବେଠୁ ତାହାହେଲେ ଏମ୍.ଏସ୍.ପି ଦରକୁ ଚାଷଖର୍ଚ୍ଚର ୧୫୦% କରିଦେଇ ଅନ୍ୟୁନ ୫୦% ଲାଭ ନିଶ୍ଚିତ କରିସାରିଲେଣି? ଆସନ୍ତୁ ଦେଖିବା ଗତ ୟୁପିଏ ସରକାରର ଶେଷ ବର୍ଷରେ ସ୍ଥିତି କଣ ଥିଲା । ବଡ ମଜାର କଥା ହେଲା ଯେ ସରକାର ଏବେ ଯାହା କରିଦେଇଛୁ ବୋଲି ବାହାବା ଦରାଣ୍ଡୁଛନ୍ତି ସେହି ସ୍ଥିତି ତ ୨୦୧୩-୧୪ ତଥା ତାହାର ଆଗରୁ ବି ଥିଲା! ୨୦୧୩-୧୪ ବର୍ଷରେ ବି କେବଳ କୁସୁମ ଫସଲକୁ ଛାଡିଦେଲେ ରବି ଋତୁର ଅନ୍ୟ ସମସ୍ତ ଫସଲର ଏମ୍.ଏସ୍.ପି ଦର ଚାଷ ଖର୍ଚ୍ଚର ଦେଢଗୁଣାରୁ ଅଧିକ ଥିଲା । ଗହମ, ବାର୍ଲି, ଚନା ବା ବୁଟ, ମସୁର ଓ ସୋରିଷ ଫସଲର ଏମ୍.ଏସ୍.ପି ଦର ଚାଷଖର୍ଚ୍ଚର ଯଥାକ୍ରମେ  ୧.୯ଗୁଣ, ୧.୬ ଓ ଗୁଣ, ୧.୭ଗୁଣ ଓ ୨.୪ଗୁଣ ଥିଲା । ତାହାହେଲେ ସରକାର ନୂଆ କଲେ କ? ୟୁପିଏ ସରକାର ତ ତାହା ଆଗରୁ କରିସାରିଥିଲେ । ଏବେ ଖରିଫ ଧାନ ଫସଲକୁ ଆସିବା ।  ସରକାରଙ୍କ ହିସାବ ଅନୁସାରେ ୨୦୧୭-୧୮ର ଖରିଫ ଋତୁରେ ଧାନ ଫସଲ ପାଇଁ ସରକାର ଧାର୍ଯ୍ୟ କରିଥିବା ଏମ୍.ଏସ୍.ପି ଦର ୧.୪ ଗୁଣ ଅଛି କାରଣ ସରକାର ଧାନର A2+FLଚାଷଖର୍ଚ୍ଚକୁ କ୍ୱିଣ୍ଟାଲ ପ୍ରତି ୧୧୧୭ଟଙ୍କା ହିସାବ କରିଥିବା ବେଳେ ଏମ୍.ଏସ୍.ପି ଦର ରଖିଛନ୍ତି ୧୫୫୦ଟଙ୍କା । ପୂର୍ବ ସରକାରର ଶେଷ ବର୍ଷରେ ବି ଧାନର ଏମ୍.ଏସ୍.ପି ଦର A2+FLଚାଷଖର୍ଚ୍ଚର ୧.୪ଗୁଣ ଥିଲା । ତାହାର ପୂର୍ବ ବର୍ଷ ତ ଧାନର ଏମ୍.ଏସ୍.ପି ଦର ଚାଷଖର୍ଚ୍ଚର ୧.୫ଗୁଣ ବା ଦେଢଗୁଣ ଥିଲା । ୨୦୧୨-୧୩ ବର୍ଷରେ ଧାନର A2+FLଚାଷଖର୍ଚ୍ଚ କ୍ୱିଣ୍ଟାଲପ୍ରତି ୮୪୭ଟଙ୍କା ଥିବା ବେଳେ ଏମ୍.ଏସ୍.ପି ସ୍ଥିର ହୋଇଥିଲା ୧୨୫୦ ଟଙ୍କା । ଅର୍ଥାତ, ଯଦି ବର୍ତ୍ତମାନ ସରକାରର ଯୁକ୍ତିକୁ ଧରିନେବା ତାହାହେଲେ ପୂର୍ବ ସରକାର ଧାନ, ଗହମ ସହିତ ଅଧିକାଂଶ ଫସଲର ଚାଷ ଖର୍ଚ୍ଚ ଉପରେ କେବେଠୁ ୫୦% ଲାଭ ନିଶ୍ଚିତ କରିସାରିଥିଲେ । ତାହା ହେଲେ ଏଇ ସରକାର ନୂଆ ଆଉ କଲା କ? ବଡ କଥା ହେଲା, ଚାଷୀ କରିଥିବା ନିବେଶ ଉପରେ ସୁଧ, ଅନ୍ୟ ଚାଷଋଣର ସୁଧ ତଥା ଜମିର କର ଆଦି ବି ବାସ୍ତବ ଖର୍ଚ୍ଚ ଅଟେ, ତାହାକୁ ଆଦୌ ଏଡାଇ ହେବନାହିଁ । ସ୍ୱାମୀନାଥନ କମିଟି ଚାଷୀର ପ୍ରକୃତ ଖର୍ଚ୍ଚ ବା C2ଉପରେ ୫୦% ଲାଭ ପାଇଁ ସୁପାରିଶ କରିଥିଲେ, ‘A2+FLଖର୍ଚ୍ଚ ଉପରେ ନୁହେଁ ।


ଡାହା ମିଛକୁ ସଂଖ୍ୟା ଓ ପରିସଂଖ୍ୟାନର ଖୋଳପା ଦେଇ ଲୋକଙ୍କୁ ଭୂତାଇବାର ଓ ଭୂଲେଇବାର ଏକ ପରମ୍ପରା ସୃଷ୍ଟି ହୋଇଗଲାଣି ବର୍ତ୍ତମାନ ସରକାରର ଯୁକ୍ତିକୁ ଗ୍ରହଣ କଲେ ଚାଷୀମାନେ ଏହି ସରକାରର ବହୁ ପୂର୍ବରୁ ମଧ୍ୟ ଚାଷ ଖର୍ଚ୍ଚ ଉପରେ ଦେଢଗୁଣା ଲାଭ ପାଉଛନ୍ତି । ଯଦି ସେତେବେଳେ ବି ଏହି ସ୍ଥିତି ଥିଲା, ତାହାହେଲେ ତିନିବର୍ଷ ତଳେ ସରକାର ଦେଢଗୁଣା ଲାଭ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦେଇଥିଲେ କାହିଁକି?

(This article was published on February 14, 2018 in Dharitri - in my fortnightly column 'Tatwa O Tarka'. That can be accessed at http://www.dharitri.com/e-Paper/Bhubaneswar/140218/p6.htm )

ଚାଷୀ ଆୟରେ ଦୁ'ଗୁଣାର ଭ୍ରମ

ପ୍ରଧାନମନ୍ତ୍ରୀଙ୍କ ଅନେକ ଘୋଷଣା ମଧ୍ୟରୁ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଘୋଷଣାକୁ ଲୋକେ ଗୁରୁତ୍ୱର ସହ ନେଇଥିଲେ ତାହା ଚାଷୀଙ୍କ ମନରେ ଏକ ଆଶା ଜାଗ୍ରତ କରାଇଥିଲା ପ୍ରଧାନମନ୍ତ୍ରୀ ପ୍ରଥମ କରି ଚାଷୀଙ୍କ ଆୟ ଦୁଇଗୁଣା କରିବୁ ବୋଲି କହିଥିଲେ ୨୦୧୬ ମସିହା ଫେବୃଆରୀ ୨୮ ତାରିଖରେ ୨୦୧୬ ମସିହା ମାର୍ଚ୍ଚ ମାସ ୯ ତାରିଖରେ ରାଜ୍ୟସଭାରେ ସେହି କଥା କହିଲେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇ ଗୁଣା କରିବାର ଯେଉଁ ସମୟସୀମା ରଖିଛନ୍ତି ତାହା ଗଡି ଚାଲିଛି ଏବେ ପରଖିବାର ସମୟ ଆସିଛି ଯେ ଏହି ଘୋଷଣାର ସ୍ଥିତି କେମିତି ରହିଛି ଓ କେତେ ଆଶା ଜାଗ୍ରତ ହୋଇଛି


ଆୟ କେମିତି ଦୁଇଗୁଣ ହେବ ତାହାର ଉପାୟ ଖୋଜିବା ପାଇଁ କମିଟିମାନ ନିଶ୍ଚୟ ଗଠନ କରିଛନ୍ତି ସରକାର ଶ୍ରୀ ଅଶୋକ ଦଳୱାଇଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଏକ କମିଟି ଗଠନ କରିଛନ୍ତି କମିଟି ତାହାର ପ୍ରଥମ ଓ ଆଂଶିକ ରିପୋର୍ଟ ଦେଇଛି ଅଗଷ୍ଟ ୨୦୧୭ରେ ସେମିତି ନୀତି ଆୟୋଗ ମଧ୍ୟ ରଣନୀତି ଓ ରୂପରେଖ ପ୍ରସ୍ତୁତ କରିଛନ୍ତି ଅନ୍ୟ ଏକ ରିପୋର୍ଟରେ ସେହି ରିପୋର୍ଟଟି ପ୍ରକାଶିତ ହୋଇଥିଲା ୨୦୧୭ ମସିହା ମାର୍ଚ୍ଚ ମାସରେ ସରକାରଙ୍କ କମିଟିମାନଙ୍କୁ ଦୁଇ ବର୍ଷ ଲାଗିଗଲା କେବଳ ଏହା ଖୋଜିବାରେ ଯେ କେଉଁ ଉପାୟରେ ଚାଷୀଙ୍କ ଆୟ ଦୁଇଗୁଣ କରାଯାଇପାରିବ ଗୋଟିଏ କମିଟିର ଖୋଜା ଏବେବି ଚାଲିଛି

ତେବେ, ଏହି ଦୁଇଗୁଣାର ରହସ୍ୟଟି କଣ? ଦଲୱାଇ କମିଟି ଗୋଟିଏ ଚାଷୀ ପରିବାରର ବାର୍ଷିକ ହାରାହାରି ଆୟ ଯାହା ୨୦୧୫-୧୬ରେ ୯୬,୭୦୩ ଟଙ୍କା ଥିଲା ତାହା ୨୦୨୨-୨୩ ବେଳକୁ ୨,୧୯,୭୨୪ ଟଙ୍କାକୁ ବଢାଇବାର ଲକ୍ଷ୍ୟ ସ୍ଥିର କରିଛି ନୀତି ଆୟୋଗଙ୍କ ରିପୋର୍ଟ କହୁଛି ଯେ ୨୦୦୧ରୁ ୨୦୧୪ ମଧ୍ୟରେ ଚାଷୀଙ୍କ ଆୟ ଯେଉଁ ହାରରେ ବଢିଥିଲା, ଯଦି ସେହି ହାରରେ ବଢିଚାଲେ ତେବେ ୨୦୨୨-୨୩ ବର୍ଷ ସୁଦ୍ଧା ଚାଷୀଙ୍କ ଆୟ ପ୍ରାୟ ୬୬% ବଢିବ ଓ ୨୦୨୫-୨୬ ସୁଦ୍ଧା ବା ୧୦ ବର୍ଷରେ ତାହା ଦ୍ଵିଗୁଣିତ ହେବ ବା ୧୦୦% ବୃଦ୍ଧି ପାଇବ ନୀତି ଆୟୋଗଙ୍କ ରିପୋର୍ଟ କୃଷି କ୍ଷେତ୍ରର ସାତଟି ବିଭାଗ ଚିହ୍ନଟ କରି ତହିଁରେ ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବୃଦ୍ଧି ହାର କେତେହେଲେ ଆୟ ଦୁଇଗୁଣ ହେବ ତାହା କହିଛି ସେହି ସାତଟିରୁ ଗୋଟିଏ ହେଲା ଉତ୍ପାଦକତା ରିପୋର୍ଟ କହିଛି ଯେ ଫସଲ ଉତ୍ପାଦକତା ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବାର୍ଷିକ ୪.୧% ହାରରେ ବଢିବା ଦରକାର ସେମିତି ଖୋଜାଖୋଜି କରି ଦଲୱାଇ କମିଟିର ପ୍ରାଥମିକ ରିପୋର୍ଟ କହିଛି ଯେ ଯଦି ୨୦୧୫-୧୬ ବର୍ଷ ତୁଳନାରେ ୨୦୨୨-୨୩ ସୁଦ୍ଧା ଭାରତର ଚାଷୀଙ୍କ ଆୟ ଦୁଇ ଗୁଣା କରିବାର ଅଛି ତେବେ ଏହି ସାତ ବର୍ଷର ପ୍ରତ୍ୟେକ ବର୍ଷ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ହାରାହାରି ୧୦.୪୧% ହାରରେ ବଢିବା ଦରକାର 

ପାଞ୍ଚ ବର୍ଷରୁ ଦୁଇ ବର୍ଷ ବିତି ସାରିଲାଣି ଟିକିଏ ଦେଖିନେଲେ ହେବ ଯେ ବାସ୍ତବ ସ୍ଥିତି କଣ ରହିଛି ପ୍ରଥମେ ଦେଖିବା ଉତ୍ପାଦକତା କେନ୍ଦ୍ରସରକାରଙ୍କ କୃଷି ବିଭାଗର ତଥ୍ୟ ଅନୁସାରେ ୨୦୧୬-୧୭ ବର୍ଷରେ ଖାଦ୍ୟଶସ୍ୟ ଜାତୀୟ ଫସଲର ଅମଳ ତାହାର ପୂର୍ବ ବର୍ଷ ତୁଳନାରେ ୪.୦୧% ବଢିଥିଲା ଆୟୋଗଙ୍କ ଆକଳନ ଅନୁସାରେ ଉତ୍ପାଦକତା ବାର୍ଷିକ ହାରାହାରି ୪.୧% ହାରରେ ବଢିବା କଥା ୨୦୧୬-୧୭ ବର୍ଷରେ ଉତ୍ପାଦକତା ତ ନୁହେଁ ମୋଟ ଉତ୍ପାଦନ ବଢ଼ିଲା ୪.୦୧% ଭାରତରେ ସବୁ ବର୍ଷ ଚାଷ ସମାନ ଯାଏନାହିଁ ପ୍ରତି ବର୍ଷର ଉତ୍ପାଦନ ଓ ଉତ୍ପାଦକତାରେ ଅନେକ ପ୍ରଭେଦ ରହେ ୨୦୦୧ରୁ ୨୦୧୩ ମଧ୍ୟରେ ଫସଲ ଉତ୍ପାଦକତା ବାର୍ଷିକ ମାତ୍ର ୩.୧% ହାରରେ ବଢିଥିଲା ୨୦୧୫-୧୬ରେ ଉତ୍ପାଦନ ହାର ଖୁବ କମ ଥିଲା କାରଣ ଦେଶର ଅନେକ ଅଂଚଳରେ ମରୁଡି ପଡିଥିଲା ଚଳିତ ବର୍ଷର କେବଳ ଖରିଫ ଋତୁ ସରିଛି ଏବଂ ତାହା ନିରାଶ ହିଁ କରୁଛି କୃଷି ବିଭାଗର ପ୍ରଥମ ଆଗୁଆ ଅନୁମାନ ସୁଚାଇଛି ଯେ ଚଳିତ ଖରିଫ ଋତୁରେ ଅମଳ ପୂର୍ବ ବର୍ଷଠାରୁ ପ୍ରାୟ ୨.୮% କମ ହେବ ଅର୍ଥାତ ଗୋଟିଏ ବର୍ଷ ଯଦି ଉତ୍ପାଦନ ବଢ଼ିଲା, ପରବର୍ଷ ପୁଣି ଖସିଆସିଲା ଫସଲର ଉତ୍ପାଦକତାକୁ ପ୍ରତିବର୍ଷ ଅନ୍ତତଃ ୪.୧% ହାରରେ ବଢାଇବାର ଲକ୍ଷ୍ୟ ପ୍ରଥମ ଦୁଇବର୍ଷରେ ଫସର ଫାଟି ସାରିଛି ଏଣେ, ଦଲୱାଇ କମିଟି ରିପୋର୍ଟ କହିଛି ଯେ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ୧୦.୪୧% ହାରରେ ବଢିବା ଦରକାର ଅଛି କିନ୍ତୁ, ସେହି ଲକ୍ଷ୍ୟ ମଧ୍ୟ ପ୍ରାୟ ଅପହଞ୍ଚ ବୋଲି ଆରମ୍ଭରୁ ହିଁ ଜଣାପଡୁଛି ୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ ପ୍ରକୃତ ଆୟ ମୋଟେ ୩.୫% ହାରରେ ହିଁ ବୃଦ୍ଧି ପାଇଥିଲା ଅନ୍ୟ ଭାବରେ କହିଲେ, ସେହି ଦଶନ୍ଧିରେ ଚାଷୀଙ୍କ ପ୍ରକୃତ ଆୟ ଯେଉଁ ହାରରେ ବଢିଥିଲା ତାହାଠାରୁ ଅନ୍ତତଃ ତିନି ଗୁଣ ଅଧିକ ହାରରେ ବଢିଲେ ଯାଇ ହିଁ ଚାଷୀଙ୍କ ଆୟ ଦୁଇଗଣ ବଢି ପାରିବ ଗତ ଦୁଇ ବର୍ଷରେ ତାହାର କାଣିଚାଏ ବି ଉପଲବ୍ଧି ହୋଇନାହିଁ

ଏମିତି ସ୍ଥିତିରେ ସମସ୍ତଙ୍କ ସନ୍ଦେହ ହେଲାଣି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ମଧ୍ୟ ପୋକ ଚରିଯିବେ ତେବେ ସରକାରରେ ବଡ ଚତୁର ଅର୍ଥନୀତିଜ୍ଞ ମାନେ ଅଛନ୍ତି ଏମିତି ଛାଡ଼ିବେ ନାହିଁ ତାଙ୍କ ପାଇଁ ଗୋଟେ ସହଜ ଉପାୟ ଅଛି କୃଷି କ୍ଷେତ୍ରରୁ ରୋଜଗାର ଉଠାଉଥିବା ଚାଷୀଙ୍କ ପରିବାର ସଂଖ୍ୟା କମାଇ ଦିଅ ସେହି ସମାନ ଉତ୍ପାଦନ ହେଲେ ମଧ୍ୟ ଯଦି କମ ଚାଷୀ ପରିବାର ବା କମ କୃଷକ ରହିବେ, ତାଙ୍କର ହାରାହାରି ଆୟ ସେମିତି ବଢ଼ିଯିବ  କିଛି ନ କରି ମଧ୍ୟ ଆୟ ଦୁଇଗଣ ହେଇଯିବ ବୋଧେ ଏହା ହିଁ ଏବେ ପ୍ରଚେଷ୍ଟା ରହିଛି କୃଷି କ୍ଷେତ୍ରରୁ କୃଷକଙ୍କୁ ବାହାରକରିଦେବାର ରୀତିମତ ଚେଷ୍ଟା ଚାଲିଛି ତାହାର କିଛି ଉଲ୍ଲେଖ ମଧ୍ୟ ରହିଛି ଉଭୟ ନୀତି ଆୟୋଗ ଓ ଦଲୱାଇ କମିଟି ରିପୋର୍ଟ ମାନଙ୍କରେ

ସେହିଭଳି ପ୍ରଚେଷ୍ଟାକୁ ଅନୁମାନ କରିଛନ୍ତି ସବୁଜ ବିପ୍ଲବର ଜନକ ସ୍ଵାମୀନାଥାନ ତଥା ଭାରତର ସମ୍ମାନାସ୍ପଦ କୃଷି ବିଶେଷଜ୍ଞ ଦେବେନ୍ଦର ଶର୍ମା ତେଣୁ, ସ୍ଵାମୀନାଥାନ ଏହି କଥା ବାରମ୍ବାର କହୁଛନ୍ତି ଯେ ଫସଲର ସର୍ବନିମ୍ନ ସହାୟକ ଦର ଚାଷୀକୁ ଅନ୍ୟୁନ ୫୦% ଲାଭ ଦେବା ଦରକାର ସେହିପରି ଦେବେନ୍ଦର ଶର୍ମା କହନ୍ତି ଯେ ଏତେ ଦୁଃସାଧ୍ୟ ହେଲାଣି ଯେ ଚାଷୀ ନିଜକୁ ମାରିଦେଉଛି ଏହା ହେଲେ ଲୋକେ ଖାଇବାକୁ ପାଇବେ ନି ଚାଷ ଓ ଚାଷୀକୁ ବଞ୍ଚାଇବାକୁ ହେଲେ ଅନ୍ୟ ପଦକ୍ଷେପ ସହ ଚାଷୀଙ୍କୁ ପ୍ରତିମାସ ଏକ ନିଶ୍ଚିତ ଆୟ ଉପଲବ୍ଧ କରାଇବା ଦରକାର ଯାହା ଚାଷୀ ପରିବାରର ବର୍ତ୍ତମାନର ହାରାହାରି ମାସିକ ଆୟ ୧,୭୦୦ ଟଙ୍କାରୁ ଯଥେଷ୍ଟ ଅଧିକ ହେଉଥିବ

ନୀତି ଆୟୋଗ ଗୋଟେ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି ଦଲୱାଇ କମିଟି ଗୋଟିଏ ପରେ ଗୋଟିଏ ରିପୋର୍ଟ ତିଆରୁଛନ୍ତି, ସରିନି ଏଯାଏଁ ସେହି କମିଟି ୧୪ଟି ଭାଗରେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିବ ସବୁ ଭାଗ ଖୁବ ବିଶାଳ ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡ଼ା ଚାଲିଛି, ସରିଲା ବେଳକୁ ଦୁଇ ହଜାର ପୃଷ୍ଠା ଉପରକୁ ହୋଇଯିବ କିନ୍ତୁ ଚାଷୀଙ୍କ ଆୟ ବଢିବାର କିଛି ସୂଚନା ମିଳିନି ଏଯାଏଁ ସାତ ବର୍ଷରେ ଚାଷୀଙ୍କ ଆୟ ଦୁଇଗୁଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ଫଳବତୀ ହେବାର ଆଶା ଛାଡି ସାରିଲେଣି ଚାଷୀ ଓ ଅନେକ ବିଶେଷଜ୍ଞ ରାଜନୀତିଜ୍ଞ ମାନେ ଏହାକୁ ଆଉ ଏକ 'ଜୁମଲା' ବୋଲି କହିବା ଆରମ୍ଭ କରିଦେଲେଣି

(This article was originally published in my fortnightly column in Dharitri - 'Tatwa O Tarka' - on January 10, 2018. That can be accessed at http://www.dharitri.com/e-Paper/Bhubaneswar/100118/p6.htm )

Saturday, October 21, 2017

ଚାଷୀ ଛାଡ଼ିବେ ଚାଷ, ଜମି ରହିବ ପଡିଆ

ବିମଳ ପ୍ରସାଦ ପାଣ୍ଡିଆ

ଚାଷୀ ଛାଡ଼ିବେ ଚାଷ, ଜମି ରହିବ ପଡିଆ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ଆବାହନରେ ଓଡ଼ିଶାର ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରା ସମୟରେ ବାହାରିଛି କୃଷକଙ୍କ ରୋଷ ଓ କୋହ ଚାଷୀମାନେ ପ୍ରଶ୍ନ କରିଛନ୍ତି ଯେ ସର୍ବନିମ୍ନ ସହାୟକ ଦର ଯଦି ତାଙ୍କୁ ଲାଭ ଟିକିଏ ଦେଇ ନ ପାରିବ ତେବେ ସେମାନେ ଚାଷ କରିବେ ବା କାହିଁକି? କେହିକେହି ଏହାକୁ ଚେତାବନୀ କହିପାରନ୍ତି ମୁଁ କିନ୍ତୁ ଏହାକୁ ଚାଷୀମନର ମରମ ବେଦନାର ପ୍ରତିଫଳନ ତଥା ସାମାଜିକ ଓ ଆର୍ଥିକ ଭାବରେ ଭୁଲୁଣ୍ଠିତ ହୋଇଯାଉଥିବା ଚାଷୀ ନିକଟରେ ଅନ୍ୟ କୌଣସି ବିକଳ୍ପର ଅଭାବ ବୋଲି ହିଁ ବିଚାର କରିବି କେବଳ ଓଡିଶା କାହିଁକି ସାରା ଭାରତରେ ଏବେ କୃଷି ଓ କୃଷକଙ୍କ ସେହି ଅବସ୍ଥା ଏବେ କୃଷକ ଗୋଷ୍ଠୀ ସମାଜର ସବୁଠୁ ନିମ୍ନରେ ଥିବା ବର୍ଗ ବୋଲି ଗଣାଗଲେଣି ଏବଂ କୃଷି ସବୁଠାରୁ ଅପନ୍ତରା ଜୀବିକା ବୋଲି ବିବେଚ୍ୟ ହେଲାଣି ବର୍ଷବର୍ଷ ଧରି କୃଷିକ୍ଷେତ୍ର ଓ କୃଷକଙ୍କ ପ୍ରତି ହୋଇଆସିଥିବା ବୈମାତୃକ ମନୋଭାବର ପରିଣାମ ଏବେ ଅତି ଭୟଙ୍କର ରୂପ ନେଲାଣି ଏକଦା ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ହେଉଥିବା ଚାଷ ଜୀବିକା ଏଭଳି ଏକ ସ୍ଥିତିରେ ପହଞ୍ଚିବା ଅତି ଚିନ୍ତାଜନକ କାରଣ ଏବେ ବି ଅଧିକାଂଶ ପରିବାର ଚାଷ ଉପରେ ହିଁ ମୁଖ୍ୟତଃ ନିର୍ଭରଶୀଳ ଦୁର୍ଭାଗ୍ୟର କଥା ଯେ ସରକାରୀ ନୀତି ବା ଅନ୍ୟ ବର୍ଗ ପାଇଁ ସରକାରୀ ପ୍ରୀତି ହିଁ ଚାଷୀର ଦୁର୍ଭାଗ୍ୟର ଏକ ବଡ କାରଣ ହୋଇଛି ତାହାର ଉତ୍ପାଦିତ ଫସଲର ଲାଭଜନକ ଦର ନ ପାଇ ଚାଷୀ ତଳିତଳାନ୍ତ ହୋଇ ଯାଉଛି। 

୧୯୮୪-୮୫ରେ ଧାନର ସର୍ବନିମ୍ନ ସହାୟକ ଦର ବା ଏମଏସପି କ୍ୱିଣ୍ଟାଲ ପ୍ରତି ୧୩୭ ଟଙ୍କା ଥିଲା ୨୦୧୬-୧୭ରେ ତାହା ପହଞ୍ଚିଲା ୧,୪୭୦ ଟଙ୍କାରେ ୩୨ ବର୍ଷରେ ଧାନର ଏମଏସପି ବଢିଲା ୧୦.୭ ଗୁଣ ଅନ୍ୟ କାହା ସହ ଏହାକୁ ତୁଳନା ନ କରିବା ଯାଏ ହୁଏତ ଜଣେ କହିଦେବ ଯେ ଧାନ ଦର ତ ଖୁବ୍ ବଢିଛି' ଏବେ କିନ୍ତୁ ଅନେକ ତୁଳନାର ସୁଅ ଛୁଟିଲାଣି ଏଇ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬-୧୭ ବର୍ଷ ପାଇଁ ଅର୍ଥନୀତିର ପରିସଂଖ୍ୟାନ ଜାରି କରିଛନ୍ତି ତାହାର ଅନୁଶୀଳନ କରି ସରକାରୀ ତଥ୍ୟର ତର୍ଜମା କରୁଥିବା ଗବେଷକ ରାକେଶ ଦୁବୁଡୁ ପାଇଲେ ଯେ ଧାନର ଏମଏସପି ୧୯୮୪-୮୫ ରୁ ୨୦୧୬-୧୭ ମଧ୍ୟରେ କେବଳ ୧୦.୭ ଗୁଣ ବଢିଥିବା ବେଳେ ସରକାର ସଂଗ୍ରହ କରିଥିବା ଖଜଣା ସେହି ସମୟରେ ୫୦ ଗୁଣ ବୃଦ୍ଧି ପାଇଛି ଏହାକୁ ସେ ସରକାରୀ କର୍ମଚାରୀଙ୍କ ଦରମା ସହ ତୁଳନା କରି ଦେଖିଛନ୍ତି ଏହି ୩୨ ବର୍ଷର ସମୟ ମଧ୍ୟରେ ସରକାରୀ ବାବୁମାନେ ତିନିଟି ଦରମା ଆୟୋଗରୁ ଛପ୍ପରଫାଡ ଲାଭ ସହିତ ୧୦୮ଟି ଭତ୍ତା ବି ପାଇଛନ୍ତି ସେମିତି ଏକ ତୁଳନା କୃଷି ବିଶାରଦ ଭାବରେ ଭାରତରେ ତଥା ଭାରତ ବାହାରେ ପ୍ରଖ୍ୟାତ ଶ୍ରୀ ଦେବିନ୍ଦର ଶର୍ମା ମହୋଦୟ ମଧ୍ୟ କରିଛନ୍ତି ତାଙ୍କର ଗବେଷଣାରୁ ସେ ପାଇଛନ୍ତି ଯେ ୧୯୭୦ରୁ ୨୦୧୫ ବା ୪୫ ବର୍ଷର ଏହି ଅବଧିରେ ଗହମର ଏମଏସପି ୧୯ଗୁଣ ବୃଦ୍ଧି ପାଇଥିଲା ସେହି ସମୟରେ ସରକାରୀ ବାବୁଙ୍କ ମୂଳ ଦରମା ସର୍ବନିମ୍ନ ୧୨୦ରୁ ଆରମ୍ଭ କରି ୧୫୦ଗୁଣ, କଲେଜ ଶିକ୍ଷକଙ୍କ ଦରମା ୧୫୦ରୁ ୧୭୦ଗୁଣ, ବିଦ୍ୟାଳୟ ଶିକ୍ଷକଙ୍କ ଦରମା ୨୮୦ରୁ ୩୨୦ଗୁଣ ଏବଂ କର୍ପୋରେଟ ଜଗତରେ କାମ କରୁଥିବା କର୍ମଚାରୀଙ୍କ ଦରମା ୩୦୦ରୁ ୧୦୦୦ ଗୁଣ ବଢିଛି ଯଦି ସମାଜର ସବୁବର୍ଗ ମଧ୍ୟରେ ଆୟ ସମାନତା ରଖିବା ପାଇଁ ଅନ୍ୟବର୍ଗଙ୍କ ଆୟ ବୃଦ୍ଧି ସହିତ ତାଳ ଦେଇ ଫସଲର ଏମଏସପି ମଧ୍ୟ ବୃଦ୍ଧି କରାଯାଇଥାନ୍ତା ତେବେ ଧାନ ଓ ଗହମର ଏମଏସପି ଅତିକମରେ ୧୦୦ ଗୁଣ ବଢିବାର ଆବଶ୍ୟକତା ଥିଲା ବୋଲି କହନ୍ତି ଶ୍ରୀ ଶର୍ମା ମୁଁ ବି ସେମିତି ଏକ ହିସାବ ଦେଇଥିଲି ଗତ ଜୁଲାଇ ୧୨ ତାରିଖରେ 'ଧରିତ୍ରୀ'ର 'ତତ୍ତ୍ୱ ଓ ତର୍କ' ସ୍ତମ୍ଭରେ ପ୍ରକାଶିତ ହୋଇଥିବା 'ଦରମା ବନାମ ଧାନ ଦର' ଆଲେଖ୍ୟରେ। ସେହି ଆଲେଖ୍ୟଟି ମୋ ବ୍ଲଗରେ ପ୍ରକାଶିତ ହୋଇଥିଲା 'ଏମଏସପି ଆଦୌ ଚାଷୀଙ୍କ ପାଇଁ ନୁହେଁ' ଶୀର୍ଷକରେ ସେଥିରେ ବିଗତ ଦଶବର୍ଷରେ ଜଣେ ଧାନଚାଷୀ ପାଇଥିବା ଏମଏସପି ସହିତ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ପାଇଥିବା ଦରମାର ଏକ ତୁଳନା କରିଥିଲି ଦର୍ଶାଇଥିଲି ଯେ ବିଗତ ଦଶବର୍ଷରେ ଦରମା କମିଶନର ଲଡୁ ଓ ପ୍ରମୋସନ ଆଦି କଥା ଛାଡି କେବଳ ମହଙ୍ଗାଭତ୍ତା କାରଣରୁ ଜଣେ ସରକାରୀ କର୍ମଚାରୀର ଦରମା ୨୧୫ ପ୍ରତିଶତ ବଢିଥିବା ବେଳେ ଏମଏସପିରେ ବୃଦ୍ଧି କାରଣରୁ ଜଣେ ଧାନଚାଷୀର ବିକ୍ରିଲବ୍ଧ ଆୟ ମାତ୍ର ୧୩୭ ପ୍ରତିଶତ ହିଁ ବଢିଛି ଯଦି ମହଙ୍ଗା ଭତ୍ତା ପ୍ରକୃତରେ ମୁଦ୍ରାସ୍ପିତି ବା ମହଙ୍ଗାଇକୁ ହିଁ ମେଣ୍ଟାଇବା ପାଇଁ ଉଦ୍ଦିଷ୍ଟ ତାହାହେଲେ ଚାଷୀକୁ ଦିଆଯାଇଥିବା ଏମଏସପି ଅର୍ଥବ୍ୟବସ୍ଥାରେ ଘଟିଥିବା ମହଙ୍ଗାଇକୁ ବି ଭରଣା କରିପାରି ନାହିଁ ଚାଷୀର ବାସ୍ତବ ଆୟ କମିଛି, ସମାନ ବି ରହି ପାରି ନାହିଁ

ସ୍ଥିତି ଏମିତି ବିକଟ ରହିଥିବା ବେଳେ ମୋଦି ସରକାରଙ୍କ ଚାଷୀଙ୍କ ଆୟକୁ ସାତ ବର୍ଷରେ ଦୁଇଗୁଣା କରିବା ନାରା ଏକ ଆଶା ସୃଷ୍ଟି କରିଥିଲା କିନ୍ତୁ ଗତ ଦୁଇ ବର୍ଷରେ ତହିଁରେ କିଛି ପ୍ରଗତି ହୋଇଥିବାର କାଣିଚାଏ ବି ସୁଚନା ମିଳିନାହିଁ ଏବେ ବି କୃଷି ସମ୍ବନ୍ଧିତ ସରକାରୀ ନୀତି ନିର୍ଦ୍ଧାରକମାନେ ଏହି ବିଚାର ରଖିଚାଲିଛନ୍ତି ଯେ ଫସଲର ଉତ୍ପାଦନ ବୃଦ୍ଧି ସବୁ ସମସ୍ୟାର ନିଦାନ ସେହି ବିଚାର ସମ୍ପୁର୍ଣ୍ଣ ଭ୍ରମାତ୍ମକ ଓ ମିଥ୍ୟା ବୋଲି ବାରମ୍ବାର ପ୍ରମାଣିତ ହୋଇଚାଲିଛି, କିନ୍ତୁ ସରକାର ଓ ନୀତି ପ୍ରସ୍ତୁତ କରୁଥିବା ଲୋକେ ସେହି ସତ୍ୟତା କେମିତି ଜାଣିପାରୁ ନାହାନ୍ତି ତାହା ଏକ ଆଶ୍ଚର୍ଯ୍ୟ ଯଦି କେବଳ ଉତ୍ପାଦନ ହିଁ ଚାଷକୁ ଲାଭଜନକ କରିପାରୁଥାନ୍ତା ତେବେ ଓଡ଼ିଶାର ଆଳୁ ଓ ପିଆଜ ଚାଷୀ ଏବେ ଲକ୍ଷପତି ହୋଇସାରିଥାନ୍ତେ ପନିପରିବା ଚାଷୀ ଉତ୍ପାଦକୁ ରାସ୍ତାରେ ଅଜାଡୁ ନଥାନ୍ତେ, ଫସଲକୁ ଉଜାଡୁ ନ ଥାନ୍ତେ ଦୁଗ୍ଧ ଚାଷୀ ଦୁଗ୍ଧକୁ ରାସ୍ତାରେ ନାଳରେ ବୁହାଉ ନଥାନ୍ତେ ଯୋଉଠି ବି କେବେ ଉତ୍ପାଦନରେ ବୃଦ୍ଧି ହୋଇଛି, ଚାଷୀ ଲାଭ ଛାଡ, ମାଡ ହିଁ ପାଇଛି ସେହିଭଳି ପ୍ରତ୍ୟେକ କ୍ଷେତ୍ରରେ ଅହେତୁକ ଦର ଖସି ସବୁ ସପନକୁ ଉଜାଡିଛି ଏପରିକି ଡାଲି ଓ ତୈଳବୀଜ ଭଳି ଫସଲ, ଯାହା ଅନେକ ଦିନ ସାଇତି କରି ରଖାଯାଇପାରେ, ତାହା ମଧ୍ୟ ଚାଷୀକୁ ଲାଭ ପ୍ରଦାନ କରିପାରୁନାହିଁ    

ଚାଷୀର ଆୟ ଦୁଇଗୁଣ କରିବା ପାଇଁ ନୀତି ଆୟୋଗ ପ୍ରସ୍ତୁତ କରିଥିବା ଭିତ୍ତିପତ୍ରରେ ସେହି ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧିକୁ ହିଁ ଗୁରୁତ୍ୱ ଦିଆଯାଇଛି ନୀତିଆୟୋଗ ଆଉଏକ ଦିଗକୁ ଗୁରୁତ୍ୱ ଦେଇଛି ଯାହାକୁ ଅନେକ ଅର୍ଥନୀତିଜ୍ଞ ଖୁବ ତ୍ରୁଟିପୂର୍ଣ୍ଣ ବୋଲି କହନ୍ତି ସେଥିରେ କୁହାଯାଇଛି ଯେ କୃଷକ ଓ କୃଷିଜୀବିଙ୍କୁ ଅନ୍ୟକ୍ଷେତ୍ରକୁ ଅପସାରଣ କରିବାର ଆବଶ୍ୟକତା ଅଛି

ବାକି ଯାହା ହେଉ କି ନହେଉ କୃଷକ ଓ କୃଷିଜୀବିଙ୍କୁ କୃଷିକ୍ଷେତ୍ରରୁ ତଡ଼ିବାର ସରକାରୀ ଲକ୍ଷ୍ୟ ସିଦ୍ଧି ହୋଇଚାଲିଛି ଚାଷୀ ପରିବାର ଯୁବକ ଯୁବତୀ ଏବେ ପାନ ଚା ଦୋକାନ ଆଦି ବେପାର ବା ଦୂର ରାଇଜରେ କେଉଁଠି ମୂଲକାମକୁ ବରଂ ଆବୋରି ନେଉଛନ୍ତି କିନ୍ତୁ କ୍ଷେତକୁ ପଶିବାର ଚିନ୍ତା ବି କରୁନାହାନ୍ତି ଅନ୍ୟ ବିକଳ୍ପକୁ ଚାହିଁ ବସିଛନ୍ତି କୃଷକ ପରିବାରର ସଦସ୍ୟ ସାମାନ୍ୟ ସୁଯୋଗ ପାଇଲେ ଚାଷକୁ କରୁଛନ୍ତି ଟା-ଟା ଏହା ଅତି ବିପଦଜନକ ଚାଷୀକୁ ଭଲ ଲାଭ ଏବେ ସବୁଠାରୁ ପ୍ରଧାନ ଲକ୍ଷ୍ୟ ହେବା ଦରକାର ଲାଭ ନ ମିଳିଲେ ଜମି ପଡିଆ ପକାଇବା ବ୍ୟତୀତ ଅନ୍ୟକିଛି ବିକଳ୍ପ ହିଁ ନାହିଁ ଚାଷୀ ପାଖରେ

(This article was published in my fortnightly column for 'Dharitri' on October 25, 2017. The Dharitric article can be accessed at http://www.dharitri.com/e-Paper/Bhubaneswar/251017/p6.htm)