Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Double. Show all posts
Showing posts with label Double. Show all posts

Tuesday, March 20, 2018

ଚାଷୀର ଝୋଲା ମେଲା, ଅମ୍ବାନୀର ପୁଳାପୁଳା

(ଗତ ଚାରି ବର୍ଷରେ ଚାଷୀର ଆୟ ଯେଉଁଠି ଥିଲା ସେଇଠି ହିଁ ଅଛି କିନ୍ତୁ ମୁକେଶ୍ ଅମ୍ବାନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨ବର୍ଷରୁ କମ୍ ସମୟରେ ଦୁଇଗୁଣା ବଢି ସାରିଛି)


ସାରା ଭାରତରେ ସମଗ୍ର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯେତିକି ମୋଟ ମୂଲ୍ୟ ବା ଉତ୍ପାଦ ବଢ଼ିଛି (ଇଂରାଜୀରେ ଯାହାକୁ ‘ଗ୍ରସ ଭାଲ୍ୟୁ ଆଡେଡ (ଜି.ଭି.ଏ.)’ କୁହାଯାଏ) ତାହା ଭାରତର କେବଳ ଜଣେ ବ୍ୟକ୍ତିର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ସହ ପ୍ରାୟ ସମାନ।  ଭାରତ ସରକାର ଚଳିତ ବର୍ଷର ଅର୍ଥନୈତିକ ସର୍ଭେରେ ଦେଇଥିବା ତଥ୍ୟ ଅନୁସାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଜି.ଭି.ଏ.ରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା  ବଢ଼ିଛି। ଖୁବ୍ ନିକଟରେ ଫୋର୍ବସ ଜାରି କରିଥିବା ଧନୀ ତାଲିକା ଅନୁସାରେ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ଗତ ବର୍ଷେରେ ବଡ଼ିଛି ୧.୧୦ ଲକ୍ଷ କୋଟି ଟଙ୍କା। ଅମ୍ବାନୀଙ୍କ ପୁରା ପରିବାରର ସମ୍ପତ୍ତି ମିଶାଇ ଦେଲେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା ମୋଟ ବୃଦ୍ଧି ତୁଳନାରେ ମୁକେଶ ଅମ୍ବାନୀଙ୍କ ପରିବାରର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ଅନେକ ଅଧିକ ହୋଇଯିବ। ମାତ୍ର ଦୁଇ ବର୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ବଡ଼ିଛି ଦୁଇ ଗୁଣରୁ ଅଧିକ। କେବଳ ବିଗତ ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତିରେ ୧.୭୩ ଗୁଣ ବା ପ୍ରାୟ ୭୩ ପ୍ରତିଶତ ବୃଦ୍ଧି ଘଟିଛି। ଧନାଢ଼୍ୟ ବ୍ୟକ୍ତିଙ୍କ ସମ୍ପତ୍ତିରେ ଏମିତି ବୃଦ୍ଧି ଘଟି ଚାଲିଥିବା ବେଳେ ୨୦୧୫ ତୁଳନାରେ ୨୦୨୨ ମସିହା ସୁଦ୍ଧା, ସାତ ବର୍ଷରେ, ଚାଷୀଙ୍କ ଆୟ ଦୁଇଗୁଣା କରିବାର ଅଭିପ୍ରାୟ ଫଳ ମୁହାଁ ହେବାର ସଙ୍କେତ ବି ଏଯାଏ ମିଳି ନାହିଁ। 


କୃଷକଙ୍କ ଆୟ ଦୁଇଗଣା କେମିତି କରିେହେବ ତାହା ଦେଖିବା ପାଇଁ ଭାରତ ସରକାର ଅଶୋକ ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟୀ କହେ ଯେ ଭାରତର ପ୍ରାୟ ୧୧.୯ କୋଟି ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ୨୦୧୫-୧୬ ବର୍ଷରେ ୯୬,୭୦୩ ଟଙ୍କା ଥିଲା। ସେହି ବର୍ଷଠାରୁ ଦୁଇ ବର୍ଷ ଗଡ଼ି ସାରିଲାଣି। ଆୟ ବଢୁଛି ନା ନାହିଁ ତାହାର କୌଣସି ସୂଚନା ସରକାରଙ୍କ ତରଫରୁ ମିଳୁ ନାହିଁ। ବଡ଼ ଆଶ୍ଚର୍ଯ୍ୟର କଥା ଯେ ଆଜିର କମ୍ପ୍ୟୁଟର ଯୁଗରେ ମଧ୍ୟ ସରକାର ଚାଷୀ ପରିବାରର ଆୟର ହିସାବ ପେଡ଼ି ପ୍ରସ୍ତୁତ କରିପାରି ନାହାନ୍ତି। ଦଲୱାଇ କମିଟୀ ଯେଉଁ ହିସାବ ଦେଇଛନ୍ତିି ତାହା ଏକ ନମୁନା ସର୍ବେକ୍ଷଣର ତଥ୍ୟ। ନମୁନା ସର୍ବେକ୍ଷଣ ବେଳେବେଳେ ବାସ୍ତବତାରୁ ଟିକେ ନୁହେଁ, ଅନେକ ଭିନ୍ନ ହୋଇଥାଏ। ଯଦି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ରଖାଯାଇଛି ତେବେ ଭାରତ ସରକାର ଏମିତି ବ୍ୟବସ୍ଥା କରିବା ଦରକାର ଯେଉଁଠି ପ୍ରତି ବର୍ଷ ଚାଷୀଙ୍କ ଆୟରେ କେତେ ବୃଦ୍ଧି ଘଟି କୋଉଠି ପହଞ୍ଚିଲା ତାହା ରୋକଠୋକ୍ ଜଣାପଡିଯିବ। କିନ୍ତୁ ସରକାର ଏଯାଏ ସେମିତି ବ୍ୟବସ୍ଥା କରି ନାହାନ୍ତି। କରିବେ ଭଳି ବି ଜଣା ପଡ଼ୁନାହିଁ। ଚଳିତ ବର୍ଷ ଯେମିତି ଲୋକସଭାରେ ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଘୋଷଣା କରିଦେଲେ ଯେ ସରକାର ଅଧିକାଂଶ ଫସଲ ପାଇଁ ଚାଷ ଖର୍ଚ୍ଚର ଦେଢ଼ଗୁଣା ସର୍ବନିମ୍ନ ସହାୟକ ଦର ଦେଇ ସାରିଛନ୍ତି, ସେମିତି ଗୋଟିଏ ଦିନ ଆସିବ ସରକାର ଘୋଷଣା କରିଦେବେ ଯେ ଚାଷୀଙ୍କ ଆୟ ଦୁଇଗୁଣା ହୋଇଗଲା। ଲୋକେ କାବା ହେବେ ଯାହା। ଏହା ଜଳଜଳ ଦେଖା ଦେଲାଣି ଯେ ଚାଷୀଙ୍କୁ ଦେଡ଼ଗୁଣା ଦର ନିଶ୍ଚିତ କରିସାରିଥିବା ଭଳି ଡାହା ମିଛକୁ ସରକାର ଯେଉଁଭଳି ତଥ୍ୟ ଓ ପରିସଂଖ୍ୟାନର ଖୋଳରେ ଢାଙ୍କିବାର ଚେଷ୍ଟା କଲେ ସେହିଭଳି ଚେଷ୍ଟା ଚାଷୀଙ୍କ ଆୟ ଦୁଇଗଣ ହୋଇଗଲା ବୋଲି ଘୋଷଣା କରିବାରେ ବି ହେବ।  କାରଣ, ଚାଷୀଙ୍କ ଆୟ ଯେଉଁଠି ଥିଲା ଏବେ ବି ସେଇଠି ଅଛି। 

ଦଲୱାଇ କମିଟୀଙ୍କ ହିସାବ ଅନୁସାରେ ଚାଷୀ ପରିବାରର ପ୍ରକୃତ ଆୟ ପ୍ରତି ବର୍ଷ ହାରାହାରି ୧୦.୪୧% ହାରରେ ବଡ଼ିଲେ ହିଁ ୨୦୨୨-୨୩ ବର୍ଷ ସୁଦ୍ଧା ଆୟ ଦୁଇଗଣା ହେବ। ଚଳନ୍ତି ଆୟରୁ ମୁଦ୍ରାସ୍ପୀତି ଓ ଦରବୃଦ୍ଧିକୁ କାଟିବା ପରେ ଯେଉଁ ଆୟ ରହିଲା ତାହାହେଲା ପ୍ରକୃତ ଆୟ। ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟର ପ୍ରଥମ ଅଧ୍ୟାୟରେ ହିଁ ଭାରତ ସରକାର କହିଛନ୍ତି ଯେ, ‘ବିଗତ ଚାରି ବର୍ଷରେ କୃଷି କ୍ଷେତ୍ରର ପ୍ରକୃତ ଉତ୍ପାଦ ଓ କୃଷି କ୍ଷେତ୍ରର ପ୍ରକୃତ ଆୟ ସ୍ଥିର ରହିଛି’। ଅନ୍ୟ ଭାବରେ କହିଲେ କୃଷି ଉତ୍ପାଦ ଓ ଆୟ ବଢ଼ି ନାହିଁ। ସେହି ସର୍ଭେ ରିପୋର୍ଟରେ ଆଉ ଏକ ବଡ଼ିଆ ଗ୍ରାଫ ଅଛି। ସେହି ଗ୍ରାଫରେ ୨୦୫୫-୫୬ ମସିହାରୁ ୨୦୧୭-୧୮ ମସିହା ଯାଏ କୃଷି କ୍ଷେତ୍ରର ପ୍ରକୃତ ଜି.ଭି.ଏ.ରେ ବୃଦ୍ଧିହାରର ପାଞ୍ଚବର୍ଷିଆ ଚଳମାନ ହାରାହାରି ବା ମୁଭିଙ୍ଗ ଆଭରେଜ କେତେ ରହିଥିଲା ତାହା ଦର୍ଶାଯାଇଛି। ସେହି ଗ୍ରାଫ ଅନୁସାରେ ସବୁଠାରୁ ଅଧିକ ପ୍ରକୃତ ଜି.ଭି.ଏ. ବୃଦ୍ଧି ହାର ସବୁଜ ବିପ୍ଲବ ସମୟରେ ରହିଥିଲା କିନ୍ତୁ ତାହା ମଧ୍ୟ ୬% ଡେଇଁ ପାରି ନଥିଲା। ବିଗତ ତିନି ବର୍ଷରେ ପ୍ରକୃତ ଜି.ଭି.ଏ.ର ଚଳମାନ ବୃଦ୍ଧି ହାର ପ୍ରାୟ ୨.୫% ପ୍ରତିଶତ ହିଁ ରହିଛି। ଆୟ ଦୁଇଗଣା କରିବା ପାଇଁ ଆବଶ୍ୟକତା ଅଛି ୧୦.୪% ବୃଦ୍ଧିହାରର ଅଛି କିନ୍ତୁ ବିଗତ ତିନି ବର୍ଷରେ ପ୍ରକୃତ ବୃଦ୍ଧିହାର ରହିଛି ମୋଟେ ୨.୫%। କେମିତି ଚାଷୀ ଆୟ ଦୁଇଗୁଣା ହେବ ବୋଲି ସରକାର ଏବେ ମଧ୍ୟ କହୁଛନ୍ତୁି ତାହା ଆଦୌ ବୁଝି ହେଉନାହିଁ।


ଅର୍ଥନୈତିକ ସର୍ଭେ ରିପୋର୍ଟରେ ଖାଲି ସେତିକି କୁହାଯାଇ ନାହିଁ, ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ‘ଜଳବାୟୁ ପରିବର୍ତ୍ତନ କାରଣରୁ କୃଷି କ୍ଷେତ୍ରରୁ ଆୟରେ ହାରାହାରି ୧୫ରୁ ୧୮% ହ୍ରାସ ଘଟିପାରେ। ଅଣଜଳସେଚିତ ଅଞ୍ଚଳରେ ଆୟରେ ହ୍ରାସର ମାତ୍ରା ୨୦-୨୫% ପର୍ଯ୍ୟନ୍ତ ହୋଇପାରେ।’ ଏହା ଦର୍ଶାଇ ସର୍ଭେ କହିଛି ଯେ ଏହି କାରଣରୁ କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ସହଜ ନୁହେଁ ଓ ତାହା ହାସଲ କରିବା ଅଭିଯାନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି। ଏକରେ ଯେତିକି ଆୟ ବଢ଼଼ିବା କଥା ତାହା ହେଉ ନାହିଁ ଏବଂ ତହିଁରେ ପୁଣି ଜଳବାୟୁ ପରିବର୍ତ୍ତନ କାରଣରୁ ଆୟ କମିବ ବୋଲି କୁହାଗଲାଣି। ଚାଷୀଙ୍କ ଆୟ ଦୁଇଗୁଣା ହେବା କଥା ଚୁଲିକୁ ଯିବା ନିଶ୍ଚିତ ଜଣା ପଡିଲାଣି।


ଏବେ ଚାଷ ସବୁଠାରୁ ନିକମା ଜୀବିକା ହୋଇଗଲାଣି। କିନ୍ତୁ ନିକମା ହୋଇ ବି ଦେଶର ଏକ ବହୁତ ବଡ଼ ଭାଗ ଚାଷରୁ ହିଁ ଯାହା କିଛି ବି ହେଉ ପଛେ ରୋଜଗାର ଟିକକ ଜୁଟାନ୍ତି ଓ ଦେଶକୁ ଖାଦ୍ୟ ଯୋଗାନ୍ତି। ଦେଶର ତାଙ୍କ ପ୍ରତି ଉତ୍ତରଦାୟିତ୍ୱ ରହିଛି। ତେଣୁ, ଆୟ ଦୁଇଗୁଣା କରିବା, ଖର୍ଚ୍ଚର ଦେଡ଼ଗୁଣା ଦର ଦେବା ଭଳି ଭେଳିକି ନ କରି ସରକାର ଚାଷୀଙ୍କୁ ନିଶ୍ଚିତ ସର୍ବନିମ୍ନ ଆୟ ଯୋଗାଇବାର ଯୋଜନା କରିବା ଆବଶ୍ୟକ। ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ କହିଛି ଯେ, ‘ବିଜୁଳୀ ଓ ସାର ଆଦିରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ପ୍ରତ୍ୟକ୍ଷ ଆୟ ସହାୟତା ଦେବାର ଆବଶ୍ୟକତା ରହିଛି’। ଚାଷୀ ଖାଲି ଚାଷ ଖର୍ଚ୍ଚ ଉଠାଇ କିଛି ଲାଭ ପାଇଲେ ଚଳିବ ନାହିଁ, ତାକୁ ଆର୍ଥିକ ସ୍ୱଚ୍ଛଳତା ଓ ସାମାଜିକ ସ୍ୱୀକୃତି ଆବଶ୍ୟକ। ସରକାର ସେହି ଦିଗରେ ତାଙ୍କର ଅଙ୍ଗୀକାରବଦ୍ଧତା ପ୍ରଦର୍ଶିତ କରିବା ଦରକାର। ସରକାରଙ୍କ ଚାଷୀଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା କେତେ ଅଛି ଜଣା ପଡ଼ୁନାହିଁ କିନ୍ତୁ କର୍ପୋରେଟ ଜଗତ ପ୍ରତି ତାଙ୍କ ସୁଦୃଷ୍ଟିରୁ ପୁଳାପୁଳା ଅମ୍ବାନୀ ଆଦାନୀ ସୃଷ୍ଟି ହୋଇଚାଲିଛନ୍ତି। ଭାରତ ଭଳି ଏକ ଦେଶରେ ଥିବା ସାଂଘାତିକ ବୈଷମ୍ୟତାକୁ ଏହା ଆହୁରି ବ୍ୟାପକ କରୁଛି ଓ କୃଷି କ୍ଷେତ୍ର ପାଇଁ ଭୀଷଣ ବିପଦ ଆଣୁଛି। 

(This article was originally published in my fortnightly column in Dharitri 'Tatwa O Tarka' on 14th March 2018. That can be accessed at: http://www.dharitri.com/e-Paper/Bhubaneswar/140318/p6.htm)

Thursday, February 15, 2018

ଚାଷୀ ଆୟରେ ଦୁ'ଗୁଣାର ଭ୍ରମ

ପ୍ରଧାନମନ୍ତ୍ରୀଙ୍କ ଅନେକ ଘୋଷଣା ମଧ୍ୟରୁ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଘୋଷଣାକୁ ଲୋକେ ଗୁରୁତ୍ୱର ସହ ନେଇଥିଲେ ତାହା ଚାଷୀଙ୍କ ମନରେ ଏକ ଆଶା ଜାଗ୍ରତ କରାଇଥିଲା ପ୍ରଧାନମନ୍ତ୍ରୀ ପ୍ରଥମ କରି ଚାଷୀଙ୍କ ଆୟ ଦୁଇଗୁଣା କରିବୁ ବୋଲି କହିଥିଲେ ୨୦୧୬ ମସିହା ଫେବୃଆରୀ ୨୮ ତାରିଖରେ ୨୦୧୬ ମସିହା ମାର୍ଚ୍ଚ ମାସ ୯ ତାରିଖରେ ରାଜ୍ୟସଭାରେ ସେହି କଥା କହିଲେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇ ଗୁଣା କରିବାର ଯେଉଁ ସମୟସୀମା ରଖିଛନ୍ତି ତାହା ଗଡି ଚାଲିଛି ଏବେ ପରଖିବାର ସମୟ ଆସିଛି ଯେ ଏହି ଘୋଷଣାର ସ୍ଥିତି କେମିତି ରହିଛି ଓ କେତେ ଆଶା ଜାଗ୍ରତ ହୋଇଛି


ଆୟ କେମିତି ଦୁଇଗୁଣ ହେବ ତାହାର ଉପାୟ ଖୋଜିବା ପାଇଁ କମିଟିମାନ ନିଶ୍ଚୟ ଗଠନ କରିଛନ୍ତି ସରକାର ଶ୍ରୀ ଅଶୋକ ଦଳୱାଇଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଏକ କମିଟି ଗଠନ କରିଛନ୍ତି କମିଟି ତାହାର ପ୍ରଥମ ଓ ଆଂଶିକ ରିପୋର୍ଟ ଦେଇଛି ଅଗଷ୍ଟ ୨୦୧୭ରେ ସେମିତି ନୀତି ଆୟୋଗ ମଧ୍ୟ ରଣନୀତି ଓ ରୂପରେଖ ପ୍ରସ୍ତୁତ କରିଛନ୍ତି ଅନ୍ୟ ଏକ ରିପୋର୍ଟରେ ସେହି ରିପୋର୍ଟଟି ପ୍ରକାଶିତ ହୋଇଥିଲା ୨୦୧୭ ମସିହା ମାର୍ଚ୍ଚ ମାସରେ ସରକାରଙ୍କ କମିଟିମାନଙ୍କୁ ଦୁଇ ବର୍ଷ ଲାଗିଗଲା କେବଳ ଏହା ଖୋଜିବାରେ ଯେ କେଉଁ ଉପାୟରେ ଚାଷୀଙ୍କ ଆୟ ଦୁଇଗୁଣ କରାଯାଇପାରିବ ଗୋଟିଏ କମିଟିର ଖୋଜା ଏବେବି ଚାଲିଛି

ତେବେ, ଏହି ଦୁଇଗୁଣାର ରହସ୍ୟଟି କଣ? ଦଲୱାଇ କମିଟି ଗୋଟିଏ ଚାଷୀ ପରିବାରର ବାର୍ଷିକ ହାରାହାରି ଆୟ ଯାହା ୨୦୧୫-୧୬ରେ ୯୬,୭୦୩ ଟଙ୍କା ଥିଲା ତାହା ୨୦୨୨-୨୩ ବେଳକୁ ୨,୧୯,୭୨୪ ଟଙ୍କାକୁ ବଢାଇବାର ଲକ୍ଷ୍ୟ ସ୍ଥିର କରିଛି ନୀତି ଆୟୋଗଙ୍କ ରିପୋର୍ଟ କହୁଛି ଯେ ୨୦୦୧ରୁ ୨୦୧୪ ମଧ୍ୟରେ ଚାଷୀଙ୍କ ଆୟ ଯେଉଁ ହାରରେ ବଢିଥିଲା, ଯଦି ସେହି ହାରରେ ବଢିଚାଲେ ତେବେ ୨୦୨୨-୨୩ ବର୍ଷ ସୁଦ୍ଧା ଚାଷୀଙ୍କ ଆୟ ପ୍ରାୟ ୬୬% ବଢିବ ଓ ୨୦୨୫-୨୬ ସୁଦ୍ଧା ବା ୧୦ ବର୍ଷରେ ତାହା ଦ୍ଵିଗୁଣିତ ହେବ ବା ୧୦୦% ବୃଦ୍ଧି ପାଇବ ନୀତି ଆୟୋଗଙ୍କ ରିପୋର୍ଟ କୃଷି କ୍ଷେତ୍ରର ସାତଟି ବିଭାଗ ଚିହ୍ନଟ କରି ତହିଁରେ ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବୃଦ୍ଧି ହାର କେତେହେଲେ ଆୟ ଦୁଇଗୁଣ ହେବ ତାହା କହିଛି ସେହି ସାତଟିରୁ ଗୋଟିଏ ହେଲା ଉତ୍ପାଦକତା ରିପୋର୍ଟ କହିଛି ଯେ ଫସଲ ଉତ୍ପାଦକତା ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବାର୍ଷିକ ୪.୧% ହାରରେ ବଢିବା ଦରକାର ସେମିତି ଖୋଜାଖୋଜି କରି ଦଲୱାଇ କମିଟିର ପ୍ରାଥମିକ ରିପୋର୍ଟ କହିଛି ଯେ ଯଦି ୨୦୧୫-୧୬ ବର୍ଷ ତୁଳନାରେ ୨୦୨୨-୨୩ ସୁଦ୍ଧା ଭାରତର ଚାଷୀଙ୍କ ଆୟ ଦୁଇ ଗୁଣା କରିବାର ଅଛି ତେବେ ଏହି ସାତ ବର୍ଷର ପ୍ରତ୍ୟେକ ବର୍ଷ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ହାରାହାରି ୧୦.୪୧% ହାରରେ ବଢିବା ଦରକାର 

ପାଞ୍ଚ ବର୍ଷରୁ ଦୁଇ ବର୍ଷ ବିତି ସାରିଲାଣି ଟିକିଏ ଦେଖିନେଲେ ହେବ ଯେ ବାସ୍ତବ ସ୍ଥିତି କଣ ରହିଛି ପ୍ରଥମେ ଦେଖିବା ଉତ୍ପାଦକତା କେନ୍ଦ୍ରସରକାରଙ୍କ କୃଷି ବିଭାଗର ତଥ୍ୟ ଅନୁସାରେ ୨୦୧୬-୧୭ ବର୍ଷରେ ଖାଦ୍ୟଶସ୍ୟ ଜାତୀୟ ଫସଲର ଅମଳ ତାହାର ପୂର୍ବ ବର୍ଷ ତୁଳନାରେ ୪.୦୧% ବଢିଥିଲା ଆୟୋଗଙ୍କ ଆକଳନ ଅନୁସାରେ ଉତ୍ପାଦକତା ବାର୍ଷିକ ହାରାହାରି ୪.୧% ହାରରେ ବଢିବା କଥା ୨୦୧୬-୧୭ ବର୍ଷରେ ଉତ୍ପାଦକତା ତ ନୁହେଁ ମୋଟ ଉତ୍ପାଦନ ବଢ଼ିଲା ୪.୦୧% ଭାରତରେ ସବୁ ବର୍ଷ ଚାଷ ସମାନ ଯାଏନାହିଁ ପ୍ରତି ବର୍ଷର ଉତ୍ପାଦନ ଓ ଉତ୍ପାଦକତାରେ ଅନେକ ପ୍ରଭେଦ ରହେ ୨୦୦୧ରୁ ୨୦୧୩ ମଧ୍ୟରେ ଫସଲ ଉତ୍ପାଦକତା ବାର୍ଷିକ ମାତ୍ର ୩.୧% ହାରରେ ବଢିଥିଲା ୨୦୧୫-୧୬ରେ ଉତ୍ପାଦନ ହାର ଖୁବ କମ ଥିଲା କାରଣ ଦେଶର ଅନେକ ଅଂଚଳରେ ମରୁଡି ପଡିଥିଲା ଚଳିତ ବର୍ଷର କେବଳ ଖରିଫ ଋତୁ ସରିଛି ଏବଂ ତାହା ନିରାଶ ହିଁ କରୁଛି କୃଷି ବିଭାଗର ପ୍ରଥମ ଆଗୁଆ ଅନୁମାନ ସୁଚାଇଛି ଯେ ଚଳିତ ଖରିଫ ଋତୁରେ ଅମଳ ପୂର୍ବ ବର୍ଷଠାରୁ ପ୍ରାୟ ୨.୮% କମ ହେବ ଅର୍ଥାତ ଗୋଟିଏ ବର୍ଷ ଯଦି ଉତ୍ପାଦନ ବଢ଼ିଲା, ପରବର୍ଷ ପୁଣି ଖସିଆସିଲା ଫସଲର ଉତ୍ପାଦକତାକୁ ପ୍ରତିବର୍ଷ ଅନ୍ତତଃ ୪.୧% ହାରରେ ବଢାଇବାର ଲକ୍ଷ୍ୟ ପ୍ରଥମ ଦୁଇବର୍ଷରେ ଫସର ଫାଟି ସାରିଛି ଏଣେ, ଦଲୱାଇ କମିଟି ରିପୋର୍ଟ କହିଛି ଯେ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ୧୦.୪୧% ହାରରେ ବଢିବା ଦରକାର ଅଛି କିନ୍ତୁ, ସେହି ଲକ୍ଷ୍ୟ ମଧ୍ୟ ପ୍ରାୟ ଅପହଞ୍ଚ ବୋଲି ଆରମ୍ଭରୁ ହିଁ ଜଣାପଡୁଛି ୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ ପ୍ରକୃତ ଆୟ ମୋଟେ ୩.୫% ହାରରେ ହିଁ ବୃଦ୍ଧି ପାଇଥିଲା ଅନ୍ୟ ଭାବରେ କହିଲେ, ସେହି ଦଶନ୍ଧିରେ ଚାଷୀଙ୍କ ପ୍ରକୃତ ଆୟ ଯେଉଁ ହାରରେ ବଢିଥିଲା ତାହାଠାରୁ ଅନ୍ତତଃ ତିନି ଗୁଣ ଅଧିକ ହାରରେ ବଢିଲେ ଯାଇ ହିଁ ଚାଷୀଙ୍କ ଆୟ ଦୁଇଗଣ ବଢି ପାରିବ ଗତ ଦୁଇ ବର୍ଷରେ ତାହାର କାଣିଚାଏ ବି ଉପଲବ୍ଧି ହୋଇନାହିଁ

ଏମିତି ସ୍ଥିତିରେ ସମସ୍ତଙ୍କ ସନ୍ଦେହ ହେଲାଣି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ମଧ୍ୟ ପୋକ ଚରିଯିବେ ତେବେ ସରକାରରେ ବଡ ଚତୁର ଅର୍ଥନୀତିଜ୍ଞ ମାନେ ଅଛନ୍ତି ଏମିତି ଛାଡ଼ିବେ ନାହିଁ ତାଙ୍କ ପାଇଁ ଗୋଟେ ସହଜ ଉପାୟ ଅଛି କୃଷି କ୍ଷେତ୍ରରୁ ରୋଜଗାର ଉଠାଉଥିବା ଚାଷୀଙ୍କ ପରିବାର ସଂଖ୍ୟା କମାଇ ଦିଅ ସେହି ସମାନ ଉତ୍ପାଦନ ହେଲେ ମଧ୍ୟ ଯଦି କମ ଚାଷୀ ପରିବାର ବା କମ କୃଷକ ରହିବେ, ତାଙ୍କର ହାରାହାରି ଆୟ ସେମିତି ବଢ଼ିଯିବ  କିଛି ନ କରି ମଧ୍ୟ ଆୟ ଦୁଇଗଣ ହେଇଯିବ ବୋଧେ ଏହା ହିଁ ଏବେ ପ୍ରଚେଷ୍ଟା ରହିଛି କୃଷି କ୍ଷେତ୍ରରୁ କୃଷକଙ୍କୁ ବାହାରକରିଦେବାର ରୀତିମତ ଚେଷ୍ଟା ଚାଲିଛି ତାହାର କିଛି ଉଲ୍ଲେଖ ମଧ୍ୟ ରହିଛି ଉଭୟ ନୀତି ଆୟୋଗ ଓ ଦଲୱାଇ କମିଟି ରିପୋର୍ଟ ମାନଙ୍କରେ

ସେହିଭଳି ପ୍ରଚେଷ୍ଟାକୁ ଅନୁମାନ କରିଛନ୍ତି ସବୁଜ ବିପ୍ଲବର ଜନକ ସ୍ଵାମୀନାଥାନ ତଥା ଭାରତର ସମ୍ମାନାସ୍ପଦ କୃଷି ବିଶେଷଜ୍ଞ ଦେବେନ୍ଦର ଶର୍ମା ତେଣୁ, ସ୍ଵାମୀନାଥାନ ଏହି କଥା ବାରମ୍ବାର କହୁଛନ୍ତି ଯେ ଫସଲର ସର୍ବନିମ୍ନ ସହାୟକ ଦର ଚାଷୀକୁ ଅନ୍ୟୁନ ୫୦% ଲାଭ ଦେବା ଦରକାର ସେହିପରି ଦେବେନ୍ଦର ଶର୍ମା କହନ୍ତି ଯେ ଏତେ ଦୁଃସାଧ୍ୟ ହେଲାଣି ଯେ ଚାଷୀ ନିଜକୁ ମାରିଦେଉଛି ଏହା ହେଲେ ଲୋକେ ଖାଇବାକୁ ପାଇବେ ନି ଚାଷ ଓ ଚାଷୀକୁ ବଞ୍ଚାଇବାକୁ ହେଲେ ଅନ୍ୟ ପଦକ୍ଷେପ ସହ ଚାଷୀଙ୍କୁ ପ୍ରତିମାସ ଏକ ନିଶ୍ଚିତ ଆୟ ଉପଲବ୍ଧ କରାଇବା ଦରକାର ଯାହା ଚାଷୀ ପରିବାରର ବର୍ତ୍ତମାନର ହାରାହାରି ମାସିକ ଆୟ ୧,୭୦୦ ଟଙ୍କାରୁ ଯଥେଷ୍ଟ ଅଧିକ ହେଉଥିବ

ନୀତି ଆୟୋଗ ଗୋଟେ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି ଦଲୱାଇ କମିଟି ଗୋଟିଏ ପରେ ଗୋଟିଏ ରିପୋର୍ଟ ତିଆରୁଛନ୍ତି, ସରିନି ଏଯାଏଁ ସେହି କମିଟି ୧୪ଟି ଭାଗରେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିବ ସବୁ ଭାଗ ଖୁବ ବିଶାଳ ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡ଼ା ଚାଲିଛି, ସରିଲା ବେଳକୁ ଦୁଇ ହଜାର ପୃଷ୍ଠା ଉପରକୁ ହୋଇଯିବ କିନ୍ତୁ ଚାଷୀଙ୍କ ଆୟ ବଢିବାର କିଛି ସୂଚନା ମିଳିନି ଏଯାଏଁ ସାତ ବର୍ଷରେ ଚାଷୀଙ୍କ ଆୟ ଦୁଇଗୁଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ଫଳବତୀ ହେବାର ଆଶା ଛାଡି ସାରିଲେଣି ଚାଷୀ ଓ ଅନେକ ବିଶେଷଜ୍ଞ ରାଜନୀତିଜ୍ଞ ମାନେ ଏହାକୁ ଆଉ ଏକ 'ଜୁମଲା' ବୋଲି କହିବା ଆରମ୍ଭ କରିଦେଲେଣି

(This article was originally published in my fortnightly column in Dharitri - 'Tatwa O Tarka' - on January 10, 2018. That can be accessed at http://www.dharitri.com/e-Paper/Bhubaneswar/100118/p6.htm )