Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Dharitri. Show all posts
Showing posts with label Dharitri. Show all posts

Wednesday, April 24, 2019

କାହିଁକି ସରକାର ତଥ୍ୟ ଲୁଚାଉଛନ୍ତି?

  
ବିମଳ ପ୍ରସାଦ ପାଣ୍ଡିଆ

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗମାନଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତାରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏକ ଲମ୍ବା ଡିଆଁ ମାରିଛି। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ଖୁବ ସୁନ୍ଦର ଓ ବଳିଷ୍ଠ ତଥ୍ୟ ପରିଚାଳନା ଓ ସୂଚନା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତାହା ବଢିଆ ଭାବରେ କାର୍ଯ୍ୟକାରୀ ହେଉଥିଲା। ଜଣେ ସାଧାରଣ ଲୋକ ମଧ୍ୟ ବିଭାଗର ୱେବସାଇଟକୁ ଯାଇ ଅତି ଆରାମରେ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟ ନିଜ ହାତପାଆନ୍ତାରେ ପାଇପାରୁଥିଲା। କେବଳ ଦେଶ ବା ରାଜ୍ୟର ସ୍ଥିତି ନୁହେଁ, ପ୍ରତ୍ୟେକ ପରିବାରର ତଥ୍ୟ ମିଳିପାରୁଥିଲା। ଜଣେ ଚାହିଁଲେ କାହାର ପାଇଖାନା ତିଆରି ହେଲାଣି, କାହାର ନାହିଁ ତାହା ଜାଣି ପାରୁଥିଲା। କାହାକୁ ପାଇଖାନା ପାଇଁ ରିହାତି ପଇସା ମିଳିଲା, କେବେ ମିଳିଲା ତାହା ସହଜରେ ଜାଣି ପାରୁଥିଲା। କେଉଁ ଗାଁର ପାଇଖାନା ସଂଖ୍ୟା କେତେ ଅଛି, କେଉଁ ମାସରେ କେତେ ପାଇଖାନା ତିଆରି ହେଲା ତାହା ଜଣେ ଆରାମରେ ଜାଣି ପାରୁଥିଲା। ସେହିପରି ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟକୁ ୱେବସାଇଟ ମାଧ୍ୟମରେ ହାସଲ କରିବାର ବ୍ୟବସ୍ଥା ଥିଲା। ଖାଲି ଗାଁ ନୁହେଁ, ବସ୍ତିର ପାନୀୟ ଜଳ ସ୍ଥିତିର ସୂଚନା ମିଳୁଥିଲା। କେତୋଟି ଓ କ’ଣ ଜଳ ଉତ୍ସ ଅଛି ତାହା ଜଣେ ଜାଣିପାରୁଥିଲା। କେଉଁ ଜଳ ଉତ୍ସର ଜଳ ପରୀକ୍ଷା କେବେ ହୋଇଥିଲା ଓ ପରୀକ୍ଷଣରେ ବିଭିନ୍ନ ବ୍ୟାକ୍ଟେରିଆ ଓ ରସାୟନର ମାତ୍ରା କେତେ ଥିଲା ତାହା ୱେବସାଇଟରୁ ମିଳିପାରୁଥିଲା। ସେହି ତଥ୍ୟକୁ ଠୁଳକରି ଜଣେ ଚାହିଁଲେ ବିଭିନ୍ନ ବିଷୟରେ ତର୍ଜମା କରିପାରୁଥିଲା।


ଏବେ ଆଉ ସେହି ସ୍ଥିତି ନାହିଁ। ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ତତ୍କାଳୀନ ସମ୍ପୂର୍ଣ୍ଣ ପରିମଳ ଅଭିଯାନକୁ ସ୍ୱଚ୍ଛ ଭାରତ ଅଭିଯାନରେ ପରିବର୍ତ୍ତିତ କଲେ। ପ୍ରଥମ କିଛି ବର୍ଷ ପାଇଁ ଉଭୟ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ  ୱେବସାଇଟରେ ପୂର୍ବ ଭଳି ତଥ୍ୟ ରହିଲା। କିନ୍ତୁ ତା ପରେ ସେହି ବିଭାଗର ଉଭୟ ପରିମଳ ଓ ପାନୀୟଜଳ ୱେବସାଇଟ ମଇଳା ହେବା ଆରମ୍ଭ ହୋଇଗଲା। ଲୋକଙ୍କଠୁ ତଥ୍ୟ ଲୁଚାଇବା ଅଭିଯାନ ଆରମ୍ଭ ହୋଇଗଲା। ପ୍ରଥମେ ପାଳିପଡିଲା ସ୍ୱଚ୍ଛ ଭାରତ (ଗ୍ରାମୀଣ) ସମ୍ବନ୍ଧିତ ୱେବସାଇଟର। ଏବେ ଜଣେ ସ୍ୱଚ୍ଛ ଭାରତ ୱେବସାଇଟକୁ ଗଲେ ଅତି ବେଶୀରେ  ଭାରତରେ ଓ ଭାରତର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ କେତେ ପ୍ରତିଶତ ପାଇଖାନା ଲକ୍ଷ୍ୟ ହାସଲ ହୋଇଛି ସେତିକି ହିଁ ତଥ୍ୟ ପାଇବ। ଜିଲ୍ଲାର ତଥ୍ୟ ମଧ୍ୟ ପାଇବ ନାହିଁ। ଘର, ଗାଁ, ପଞ୍ଚାୟତର ତଥ୍ୟ ତ ସପନ। ଏବେ କେବଳ କେତେ ଗାଁ ବାହ୍ୟ ମଳମୂକ୍ତ ହେଲା ତାହାର ସଂଖ୍ୟା ହିଁ ମିଳିବ, ତାହାଠୁ ଅଧିକ କିଛି ନୁହେଁ। କେଉଁ ଗାଁ ବାହ୍ୟମଳମୂକ୍ତ ହେଲାଣି ତାହା ଜଣେ ଜାଣିବାର ସୁଯୋଗ ନାହିଁ। ଏଯାଏଁ ପାନୀୟ ଜଳର ବିସ୍ତୃତ ତଥ୍ୟ ପ୍ରଦାନ କରୁଥିବା ୱେବସାଇଟ ଏବେ ସେହି ସମାନ ରାସ୍ତା ଧରିଛି। ଯେଉଁ ୱେବସାଇଟରୁ ପ୍ରତି ଉତ୍ସ, ପ୍ରତି ବସ୍ତିର ତଥ୍ୟ ମିଳୁଥିଲା ସେଠି ଏବେ କେବଳ କିଛି ମୋଟା ତଥ୍ୟ ହିଁ ମିଳୁଛି। ଉଦାହରଣସ୍ୱରୂପ, ଏବେ କେବଳ ରାଜ୍ୟର ଓ ଜିଲ୍ଲାର କେତେ ପ୍ରତିଶତ ଲୋକଙ୍କୁ ପାଇପ ଜଳ ମିଳୁଛି ତାହାର ମୋଟ ସଂଖ୍ୟା ଓ ପ୍ରତିଶତ ହିଁ ଦିଆଯାଉଛି। ଆଗରୁ ଜଣେ ଚାହିଁଲେ ଗୋଟିଏ ଗାଁ ଓ ବସ୍ତିରେ କେତେ ଲୋକ ପାଇପ ଜଳ ପାଉଛନ୍ତି ତାହାର ତଥ୍ୟ ପାଇପାରୁଥିଲା। ସେମିତି ଏବେ କେବଳ କେତୋଟି ଜଳ ଉତ୍ସର ପାଣି ପରୀକ୍ଷା ହୋଇଛି ଓ ତହିଁରୁ ମୋଟରେ କେତୋଟି ପ୍ରଦୂଷିତ ତାହାର ମୋଟ ସଂଖ୍ୟା ହିଁ ମିଳୁଛି। ପୂର୍ବରୁ, ପ୍ରତି ଉତ୍ସର ତଥ୍ୟ ମିଳୁଥିଲା। ପାଣି କେବେ ପରୀକ୍ଷା ହୋଇଥିଲା ଓ ତାହାର ପରୀକ୍ଷା ଫଳ କ’ଣ ସୁଚାଇଥିଲା ତାହା ଜଣେ ଜାଣିପାରୁଥିଲା। ଏବେ କେଉଁ ଉତ୍ସର ଜଳ ପରୀକ୍ଷା ହୋଇଛି ଓ କେଉଁ ଉତ୍ସର ଜଳ ପ୍ରଦୂଷିତ ତାହା ଜଣେ ଜାଣିବା ଆଉ ସମ୍ଭବ ନୁହେଁ। ଏମିତି ଅନେକ ତଥ୍ୟ ଉଭୟ ୱେବସାଇଟରୁ ହଟାଇ ନିଆଯାଇଛି। ଅନ୍ୟ ଭାବରେ କହିଲେ ସାଧାରଣ ଲୋକଙ୍କୁ କିଛି ଅତି ଜରୁରୀ ତଥ୍ୟ ନ ଦେବାର ସମସ୍ତ ବନ୍ଦୋବସ୍ତ କରାହୋଇଛି।  

ସାଧାରଣ ଲୋକଙ୍କଠାରୁ ଏହି ତଥ୍ୟ ଲୁଚାଇବାର କ୍ରମବର୍ଦ୍ଧମାନ ପ୍ରକ୍ରିୟା ଶାସନ ପ୍ରଣାଳୀ ପ୍ରତି ଅବିଶ୍ୱାସର ଆଙ୍ଗୁଳି ଦେଖାଇବା ପାଇଁ ବାଧ୍ୟ କରିଦିଏ। କାହିଁକି ସରକାର ଆଗରୁ ପ୍ରଦାନ କରୁଥିବା ତଥ୍ୟ ଏବେ ପ୍ରଦାନ କରୁନାହାନ୍ତି ସେହି ପ୍ରଶ୍ନ ସମସ୍ତେ କରିବା ଆବଶ୍ୟକ। କ'ଣ ଏମିତି ରହସ୍ୟ ଅଛି ଯେ ସରକାର ପାନୀୟ ଜଳ ଭଳି ଏକ ଗୁରୁତର ମାମଲାରେ ମଧ୍ୟ ଲୋକଙ୍କୁ ତଥ୍ୟ ଲୁଚାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି? ସୁପ୍ରିମ କୋର୍ଟ ଭାରତୀୟ ସମ୍ବିଧାନର ଧାରା ୨୧କୁ ବ୍ୟାଖ୍ୟା କରି କହିଛନ୍ତି ଯେ ଯେହେତୁ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ ତେଣୁ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ଜଳ ଉପରେ ଲୋକଙ୍କ ମୌଳିକ ଅଧିକାର ରହିଛି। ତେଣୁ, ପ୍ରତ୍ୟେକ ବ୍ୟକ୍ତି ସେ ପିଉଥିବା ବା ପାଉଥିବା ପାଣିର ମାନ କଣ ରହିଛି ତାହା ଜାଣିବାର ଅଧିକାର ରହିଛି। ସରକାର ସେହି ତଥ୍ୟ ପ୍ରଦାନ ନ କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ହନନ କରୁଛନ୍ତି।

ତେବେ ସରକାର କାହିଁକି ତଥ୍ୟ ଲୁଚାଉଛନ୍ତି ତାହାକୁ ନେଇଁ ଅନ୍ୟ ପ୍ରକାରର ପ୍ରଶ୍ନ ମଧ୍ୟ ମନରେ ଆସିବା ସ୍ୱାଭାବିକ। କ’ଣ ସରକାର ଲୋକଙ୍କୁ ଉନ୍ନତ ପାନୀୟ ଜଳ ଓ ପରିମଳ ସ୍ଥିତି ଯୋଗାଇବାର ଯେଉଁ ଢୋଲ ପିଟୁଛନ୍ତି ସେହି ଢୋଲରେ ବିରାଟ ବିରାଟ ଛିଦ୍ର ଭରି ରହିଛି? କ’ଣ ଗାଁ ବାହ୍ୟ ମଳମୂକ୍ତ ହୋଇଯାଇଛି ବୋଲି କରାହେଉଥିବା ଦାବିର ବାସ୍ତବତାକୁ ଢାଙ୍କିବାର ଏହା ଏକ ପ୍ରଯତ୍ନ? କ’ଣ ଯେଉଁ ମାତ୍ରା ଓ ମାନକର ପାନୀୟ ଜଳ ଯୋଗାଇ ଦିଆହେଉଛି ବୋଲି ଡିଣ୍ଡିମ ପିଟାହେଉଛି ବାସ୍ତବ ସ୍ଥିତି ତାହାଠୁ ଢେର ଭିନ୍ନ ଓ ସେଥିପାଇଁ ତଥ୍ୟ ଲୁଚାଇବାର ଏହି ବ୍ୟଗ୍ରତା? 'ଉଜ୍ବଳା', 'ଆୟୁଷ୍ମାନ ଭାରତ', 'ମୁଦ୍ରା' ଭଳି ବଡ ଯୋଜନାରେ ଆରମ୍ଭରୁ ହିଁ ପାରଦର୍ଶିତା ନାହିଁ। କିଏ ହିତାଧିକାରୀ ତାହା ଜାଣିବାର କିଛି ସୁଯୋଗ ନାହିଁ। କେବଳ କିଛି ମୋଟା ସଂଖ୍ୟା ହିଁ ଜଣେ ପାଇବ ଯହିଁରୁ କିଛି ଅନୁଶୀଳନ କରିବା ସମ୍ପୂର୍ଣ୍ଣ ଅସମ୍ଭବ।  

ବୋଧହୁଏ ଓଡିଶା ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଏହି ଗୁଣରୁ ଅନୁପ୍ରାଣିତ ହୋଇଛନ୍ତି। ଏକଦା ଓଡ଼ିଶାର 'ଇ-ଡେସ୍ପାଚ' ବ୍ୟବସ୍ଥା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ସବୁଠାରୁ ଉତ୍କୃଷ୍ଟ ଥିଲା। ସରକାର କ’ଣ ଚିଠି କାହାକୁ ପଠାଉଛନ୍ତି ଲୋକେ ତାହା ଜାଣିପାରୁଥିଲେ। ଏବେ କିନ୍ତୁ ଦେଖାଯାଉଛି ଯେ ଅଧିକାଂଶ ବିଭାଗ ଚିଠିଗୁଡ଼ିକୁ 'ଇ-ଡେସ୍ପାଚ'ରେ ଆଦୌ ଅପଲୋଡ଼ କରୁନାହାନ୍ତି ବା ଗୁପ୍ତ ଶ୍ରେଣୀର ହୋଇନଥିବା ଅନେକ ଚିଠିକୁ ମଧ୍ୟ ଲୁଚାଇ ରଖିଦେଉଛନ୍ତି। ଓଡିଶା ସରକାରଙ୍କ 'ସଂଯୋଗ' ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ମଧ୍ୟ ଏକ ଆଦର୍ଶ ବ୍ୟବସ୍ଥା ଥିଲା। ଜଣେ ସାଧାରଣ ଲୋକ ୱେବସାଇଟକୁ ଯାଇ କେଉଁ ବିଭାଗରେ କେତେ ଓ କ’ଣ ଅଭିଯୋଗ ଆସିଛି ଓ ତାହାର କେମିତି ସମାଧାନ ହୋଇଛି ତାହା ଜାଣିପାରୁଥିଲା। ଏବେ ଆଉ ସେହି ସୁଯୋଗ ନାହିଁ। କେବଳ ଜଣେ ଅଭିଯୋଗକାରୀ ତାହାର ହିଁ ଅଭିଯୋଗର ସ୍ଥିତି ଜାଣିପାରିବ। 


ଏକ ପାରଦର୍ଶୀ ବ୍ୟବସ୍ଥା ଭଲ ଶାସନ ବ୍ୟବସ୍ଥାର ସବୁଠାରୁ ପ୍ରଧାନ ଗୁଣ। ବୈଷୟିକ ପ୍ରଗତି ସହ ପାରଦର୍ଶିତା ଆହୁରି ବଢିବା କଥା। କିନ୍ତୁ ସରକାର ଆଗରୁ ଥିବା ପାରଦର୍ଶୀ ବ୍ୟବସ୍ଥାକୁ ଧ୍ବଂସ କରିଚାଲିଛନ୍ତି। ଲୋକେ ଯାହା ତଥ୍ୟ ପାଉଥିଲେ ସେତିକି ବି ଆଉ ପାଉନାହାନ୍ତି। ଏହା ପ୍ରଗତି ନୁହେଁ ଅଧୋଗତିର ସୂଚନା।

(This piece was published in my fortnightly Op-Ed column in Dhartri on April 24, 2019. That can be accessed at http://dharitriepaper.in/edition/2641/bhubaneswar/page/6)

Thursday, January 24, 2019

'ସକରାତ୍ମକତା' ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସ୍ୱାଗତଯୋଗ୍ୟ, ପ୍ରଧାନମନ୍ତ୍ରୀ ତହିଁରେ ନେତୃତ୍ୱ ଦିଅନ୍ତୁ


୨୦୧୮ ବର୍ଷର ଶେଷ 'ମନ କି ବାତ'ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ନକରାତ୍ମତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ 'ମନ କି ବାତ'ରେ ରଖିଥିବା ବିଚାରକୁ ନିଜର ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମତାର ଉଦାହରଣ ସୃଷ୍ଟିକରିବ। 

ନିଜର ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୁରେଇ ବା ବିରୋଧୀଙ୍କ ଟାହିଟାପରାକୁ ଆଦୌ ଗୁରୁତ୍ୱ ନ ଦେଇ ଯଦି ପ୍ରଧାନମନ୍ତ୍ରୀ ନିଜର ପାଞ୍ଚବର୍ଷର ଶାସନକାଳରେ ଆରମ୍ଭ କରିଥିବା ଅନେକ ଯୋଜନା କେମିତି ସୁଫଳ ଆଣିଛି ତାହା ଉପରେ ହିଁ ମନୋନିବେଶ କରିବେ ତେବେ ତାହା 'ସକରାତ୍ମକତା'ର ପ୍ରସାର ଦିଗରେ ଏକ ବିରାଟ ସଫଳତା ହେବ।
ଏହି ପ୍ରାୟ ପାଞ୍ଚବର୍ଷର ଶାସନକାଳରେ ଶ୍ରୀ ମୋଦି ଏତେ ଯୋଜନା ଆରମ୍ଭ କରିଛନ୍ତି ଯେ ସବୁ ଯୋଜନାର ଖବର ହୁଏତ ତାଙ୍କ ପାଖରେ ବି ନଥିବ। ତେବେ ଶ୍ରୀ ମୋଦି କିଛି ଖୁବ ପ୍ରଚାରିତ ଓ ବଡ ଯାକଯମକରେ ଆରମ୍ଭ ହୋଇଥିବା ଯୋଜନା, ଯଥା: କୃଷକଙ୍କ ଆୟ ଦୁଇଗୁଣ କରିବା, ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ଅଭିଯାନ, ମେକ ଇନ ଇଣ୍ଡିଆ, ବୁଲେଟ ଟ୍ରେନ, ଉଜ୍ଜ୍ଵଳା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମିଶନ ଭାଗିରଥି, ପ୍ରଧାନମନ୍ତ୍ରୀ ସାଂସଦ ଆଦର୍ଶ ଗ୍ରାମ, ନମାମି ଗଙ୍ଗେ, ଆୟୁଷ୍ମାନ ଭାରତ, ଉଡାନ, ବେଟି ବଚାଓ ବେଟି ପଢ଼ାଓ, ଷ୍ଟାର୍ଟ ଅପ ଇଣ୍ଡିଆ ଷ୍ଟାଣ୍ଡ ଅପ ଇଣ୍ଡିଆ ଆଦି ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେଇ ପାରନ୍ତି। କିଛି ଅତି ପ୍ରମୁଖ ଯୋଜନା ବିଷୟରେ ଲୋକଙ୍କୁ ଜଣାଇ ସକରାତ୍ମକତାର ଏକ ନୂଆ ଉଦାହରଣ ସୃଷ୍ଟି କରିବାର କେମିତି ଅପୂର୍ବ ସୁଯୋଗ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି ତାହାର କିଛି ଉଦାହରଣ ଏହି ଆଲେଖ୍ୟରେ ଦେଉଛୁ।


ପ୍ରଥମେ ଆସିବା 'ଚାଷୀଙ୍କ ଆୟ ଦୁଇଗୁଣ' ଯୋଜନାକୁ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୮.୨.୨୦୧୬ ତାରିଖରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବା ତାଙ୍କର ଲକ୍ଷ୍ୟ। ନୀତି ଆୟୋଗ ହିସାବ କରିଛି ଯେ ୨୦୧୫-୧୬କୁ ମୂଳ ବର୍ଷ ଭାବରେ ନେଲେ ୨୦୨୨-୨୩ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ହେଲେ କୃଷିକ୍ଷେତ୍ରରେ ବାର୍ଷିକ ହାରାହାରି ୧୦.୪% ହାରରେ ଅଭିବୃଦ୍ଧି ହେବା ଦରକାର। ନୀତି ଆୟୋଗ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆଶା ରଖିଛନ୍ତି। ତେବେ ବିରୋଧୀ ଓ ଅନେକ ଜ୍ଞାନୀ କହୁଛନ୍ତି ଯେ ବଢିବା ଦୂରର କଥା ମୋଦିଙ୍କ ଶାସନରେ କୃଷିକ୍ଷେତ୍ରରେ ଅଭିବୃଦ୍ଧିହାର ଅନେକ ଧିମେଇ ଯାଇଛି। ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି କହିଛନ୍ତି ଯେ ୟୁ.ପି.ଏ.୨ ଶାସନର ପ୍ରଥମ ଚାରିବର୍ଷରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ଥିଲା। ମୋଦିଙ୍କ ଶାସନର ପ୍ରଥମ ୪ବର୍ଷରେ ଏହି ହାର ଅଧାରୁ ଅଧିକ ଖସି ମାତ୍ର ୨.୫% ରହିଛି। ଏବେ ପ୍ରଧାନମନ୍ତ୍ରୀ ଲୋକଙ୍କ ଆୟ ଆଉ ତିନିବର୍ଷରେ କେମିତି ଦୁଇଗୁଣ ହେବ ତାହା କହି ସକରାତ୍ମକତାର ଏକ ସୁନ୍ଦର ବାର୍ତ୍ତା ଦିଅନ୍ତୁ।    

ଏହାପରେ ଆସିବା 'ସ୍ମାର୍ଟ ସିଟି' ଯୋଜନାକୁ। ସରକାରକୁ ଆସିବା ମାତ୍ରେ ୨୦୧୪ ମସିହାରେ ଶ୍ରୀ ମୋଦି 'ସ୍ମାର୍ଟ ସିଟି'ର ନାରା ଧରିଥିଲେ। ତେବେ ଏହି ଯୋଜନା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ୨୦୧୬ ମସିହା ଜୁନ ୨୫ ତାରିଖରେ। ଏହି ଯୋଜନା ଅନୁସାରେ ଦେଶର ୧୦୦ଟି ସହରରେ ଲୋକଙ୍କ ରହଣୀ ଓ ସ୍ଵାଚ୍ଛନ୍ଦ୍ୟକୁ ଏକ ଅତି ଉନ୍ନତ ସ୍ଥିତିକୁ ଅଣାଯିବ ଯାହା ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ହେବ। 'ସ୍ମାର୍ଟ ସିଟି' ଯୋଜନା ଅଧୀନରେ କିଛି ମୌଳିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିବାର ଉଦ୍ଦେଶ୍ୟ ଥିଲା - ଯଥା ପର୍ଯ୍ୟାପ୍ତ ପାଣି, ନିରନ୍ତର ବିଜୁଳି, ସ୍ୱଚ୍ଛ ପରିମଳ ଓ ବର୍ଜ୍ୟ ପରିଚାଳନା, ଉନ୍ନତ ସହରୀ ଗମନାଗମନ ବ୍ୟବସ୍ଥା, ସମସ୍ତେ ଏପରିକି ଗରିବ ମଧ୍ୟ କିଣିପାରୁଥିବା ଘର, ପ୍ରଯୁକ୍ତି ଓ ଜ୍ଞାନକୌଶଳର ବଳିଷ୍ଠ ଉପଯୋଗ, ଭାଗିଦାରିଭିତ୍ତିକ ଶାସନ ବ୍ୟବସ୍ଥା, ଉନ୍ନତ ପରିବେଶ ଏବଂ ସମସ୍ତଙ୍କ ସୁରକ୍ଷା ଇତ୍ୟାଦି। ଗତ ଜାନୁଆରୀ ୩ ତାରିଖରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ରାଉଣ୍ଡରେ 'ସ୍ମାର୍ଟ ସିଟି' ହିସାବରେ ନିଆହୋଇଥିବା ସହରମାନଙ୍କରେ ଆସନ୍ତା ୨୦୨୦-୨୧ ସୁଦ୍ଧା ସମସ୍ତ ପ୍ରକଳ୍ପ ସାରିବାର ଯୋଜନା ଅଛି। ବିରୋଧୀମାନେ ଅବଶ୍ୟ ନକରାତ୍ମକତା ଦେଖାଇ କହନ୍ତି ଯେ  'ସ୍ମାର୍ଟ ସିଟି' ଏକ ପ୍ରହେଳିକା ଓ ଏହାର କାର୍ଯ୍ୟାନ୍ୱୟନ ହାର ଅତି ମନ୍ଥର। ରାଜ୍ୟସଭାର ସେହି ଉତ୍ତରରେ ସରକାର କହିଛନ୍ତି ଯେ ୨୦୫,018 କୋଟି ଟଙ୍କାର ମୋଟ ପ୍ରକଳ୍ପ ମଧ୍ୟରୁ ୫୨,୮୬୬ କୋଟି ଟଙ୍କାର ପ୍ରକଳ୍ପର କାମ ଆରମ୍ଭ ହୋଇଛି ବା ସରିଛି। ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସକରାତ୍ମକତା ଦେଖାଇ  'ସ୍ମାର୍ଟ ସିଟି' କେମିତି ପରିବର୍ତ୍ତନ ଆଣିପାରିଛି ତାହା ଲୋକଙ୍କୁ ଜଣାନ୍ତୁ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆଉ ଏକ ମହତ୍ୱାକାଂକ୍ଷୀ ଯୋଜନା ଥିଲା ସ୍ୱଚ୍ଛ ଭାରତ ଅଭିଯାନ। ୨୦୧୪ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ ୨୦୧୯ ଗାନ୍ଧୀ ଜୟନ୍ତୀରେ,ବା ଆଉ ପ୍ରାୟ ୮ମାସରେ, ଭାରତରେ କେହି ପଦାରେ ମଳତ୍ୟାଗ କରୁ ନଥିବେ। ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟସଭାରେ ସରକାର କହିଛନ୍ତି ଯେ ଡିସେମ୍ବର ୨୦୧୮ ସୁଦ୍ଧା ଦେଶର  ୯.୦୫କୋଟି ଘରୋଇ ପାଇଖାନା ତିଆରି ହୋଇସାରିଛି। ବିରୋଧୀ ଅବଶ୍ୟ କହନ୍ତି ଯେ ତଥ୍ୟଠାରୁ ସତ୍ୟ ସମ୍ପୂର୍ଣ୍ଣ ଭିନ୍ନ। ତେବେ ସରକାର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ବାହ୍ୟ ମଳମୂକ୍ତ ବୋଲି ଘୋଷଣା କରିସାରିଲେଣି। ଯଦି ତଥ୍ୟଠାରୁ ସତ୍ୟ ଭିନ୍ନ ନୁହେଁ ତେବେ ସକାରାତ୍ମକତାର ବାଣୀକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାରେ ଏହାଠୁ ବଡ ଉପଲବ୍ଧି ବା କ'ଣ ହୋଇପାରେ! 

ପ୍ରଧାନମନ୍ତ୍ରୀ ଭାବରେ ଲାଲକିଲ୍ଲାରୁ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣରେ 'ମେକ ଇନ ଇଣ୍ଡିଆ'ର ଆହ୍ୱାନ ଦେଇ ଶ୍ରୀ ମୋଦି ବିଶ୍ୱର ନିର୍ମାତା ଓ ପୁଞ୍ଜିପତିଙ୍କୁ ଡାକିଥିଲେ, 'ଆସ, ଭାରତରେ ନିର୍ମାଣ କର ଓ ଯେଉଁଠି ବିକିବାର ଅଛି ନେଇକି ବିକ'। ଅତି ସୁନ୍ଦର ଉଦ୍ଦେଶ୍ୟ - ବିଶ୍ବରେ ଭାରତର ନାଁ, ଭାରତୀୟମାନଙ୍କୁ ରୋଜଗାର ଓ ଭାରତୀୟ ଆର୍ଥିକସ୍ଥିତି ସୁଦୃଢ ହେବାର ତାହା ମାଧ୍ୟମ ହୋଇଥାନ୍ତା। ଅବଶ୍ୟ ବିରୋଧୀ ତଥା ଅନେକ ଅର୍ଥନୀତିଜ୍ଞ କହୁଛନ୍ତି ଯେ 'ମେକ ଇନ ଇଣ୍ଡିଆ' କେବଳ ସାଇନବୋର୍ଡ଼ରେ ସୀମିତ ଏବଂ ଭାରତରୁ ରପ୍ତାନି ବଢିବା ବଦଳରେ କମିବାରେ ଲାଗିଛି। ୨୦୧୪ରେ ବା ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା ବର୍ଷରେ ଭାରତ ୩୧୮.୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ରପ୍ତାନି କରିଥିଲା। ୨୦୧୭ରେ ତାହା ୨୭୫.୮ ବିଲିୟନ ଆମେରିକୀୟ ଡଲାରକୁ ଖସି ଆସିଥିଲା। ତେବେ, ପ୍ରଧାନମନ୍ତ୍ରୀ ସକରାତ୍ମକତାର ପରିପ୍ରକାଶ କରି ବାସ୍ତବ ସ୍ଥିତି ବିଷୟରେ ଲୋକଙ୍କୁ ବୁଝାଇଲେ ତାହା ଉଦାହରଣ ହେବ।


ପ୍ରଧାନମନ୍ତ୍ରୀଙ୍କ ପାଖରେ ସେ ଆରମ୍ଭ କରିଥିବା ଯୋଜନାମାନଙ୍କର ଭଣ୍ଡାର ଅଛି । ତେଣୁ ତାଙ୍କ ପାଖରେ ସକରାତ୍ମକତାର ବିଚାରକୁ ଆଚାରରେ ପରିଣତ କରିବାର ବିଶାଳ ସାଧନ ମଧ୍ୟ ରହିଛି । ଏଇ ନିକଟରେ ଏକ ମାମଲାର ବିଚାର ଚାଲିଥିବା ବେଳେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ରଞ୍ଜନ ଗୋଗୋଇ କୁଆଡେ ବିଶିଷ୍ଟ ଓକିଲ ଶ୍ରୀ ପ୍ରଶାନ୍ତ ଭୁଷଣଙ୍କୁ କହିଲେ ଯେ 'ସବୁକୁ ଆଶାବାଦୀ ବା ସକାରାତ୍ମକ ଦୃଷ୍ଟିରେ ଦେଖିବା ଆରମ୍ଭ କରନ୍ତୁ, ଦେଖିବେ ସମାଜ ସୁନ୍ଦର ଦେଖାଯିବ'। ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ  ଭଳି ବ୍ୟକ୍ତି 'ସକରାତ୍ମକତା'ର ବାଣୀ ଦେବା ଅତି ସ୍ୱାଗତଯୋଗ୍ୟ। ତେବେ ବାଣୀ ନୁହେଁ, ଠାଣିରେ ତାହା ରୂପାନ୍ତରିତ ହେବା  ହିଁ ବାସ୍ତବ ସକରାତ୍ମକତା। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ତାହା କରି ଦେଖାଇବେ ବୋଲି ଆଶା ରଖିଲେ ବୋଧେ ଅସମୀଚୀନ ହେବ ନାହିଁ।  

( This piece was originally published in my 'Tatwa O Tarka' column in Dharitri on January 23, 2019. That can be accessed at http://dharitriepaper.in/edition/1994/bhubaneswar/page/6 )

Sunday, September 30, 2018

ସମ୍ପଦର ଯାତନା

(The hills and forest was their habitat, means of living, tradition, culture, livelihoods and what not. Not only has mining robbed the Adivasis of their basic means of existence, but  also has made their lives more miserable.)

ବଙ୍କାତେଢ଼ା  ବାଡ଼ି ଗୋଟେର ସାହାରାରେ ବଡ କଷ୍ଟରେ ଚାଲୁଛନ୍ତି ୮୦-୮୫ ବର୍ଷ ବୟସର ସୁନା ପ୍ରଧାନ। ଘରେ ତାଙ୍କର ଯୁବତୀ ବୋହୁ ପାଞ୍ଚବର୍ଷରୁ ଅଧିକ ହେଲାଣି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ନୁଆଁଣିଆ ଚାଳଘରଟିରୁ ଦରଦ ଭରା ଜୀବନର ଫରଦ ପୁରା ବିଖାରି ହୋଇଯାଉଛି। ସୁନା ପ୍ରଧାନ ବାରମ୍ବାର ଦୌଡ଼ିଛନ୍ତି ପଞ୍ଚାୟତକୁ, ଏପରିକି କେତେଥର ଦୌଡ଼ିଛନ୍ତି ତାଙ୍କ ଗାଁ ତଳକାଇଁସାରିରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବାଂଶପାଳ ବ୍ଲକ ଅଫିସକୁ। କେବଳ ଗୋଟିଏ ଆଶାରେ ଯେ ବୃଦ୍ଧ ଭତ୍ତାଟିଏ ପାଇଁ ସେ ହକଦାର ବୋଲି ସରକାର ମାନିବେ। ସରକାର ମାନି ନାହାନ୍ତି ଏଯାଏ। କେନ୍ଦୁଝର ଜିଲ୍ଲାର ସେହି ତଳକାଇଁସାରି ଗାଁମୁଣ୍ଡରୁ ହିଁ ଶିଖକୁ ତୀଖ ହୋଇ ଛିଡା ହୋଇଛି ଗନ୍ଧମାର୍ଦ୍ଦନ ପାହାଡ଼। ପାହାଡ ଉପରେ ଓଡିଶା ଖଣି ନିଗମ ଖୋଲିଚାଲିଛି ଭରଣଭରଣର ଲୁହାପଥର। କୁଆଡେ କରୁଛି ଓଡିଶାକୁ ଓ କେନ୍ଦୁଝର ଜିଲ୍ଲାକୁ ସମ୍ଭ୍ରାନ୍ତ। କିନ୍ତୁ ସେହି ପାହାଡ଼ରୁ ଦିନେ ଫଳ, ପତ୍ର, ଛତୁ, କନ୍ଦା ଗୋଟାଇ ତଥା ସେହି ପାହାଡ଼ରୁ ବାହାରୁ ଥିବା ଝରରୁ ନିଜର ସ୍ୱଳ୍ପ ଜମିରେ ଫସଲ ଫଳାଇ ନିଜର ଜୀବନକୁ ସାଉଁଟି ଏବେ ଅସହାୟ ହୋଇସାରିଥିବା ସୁନା ପ୍ରଧାନଙ୍କ ଭଳି ବୃଦ୍ଧଙ୍କୁ ଭତ୍ତାଟିଏ ମଧ୍ୟ ମିଳିପାରୁନି। ଗନ୍ଧମାର୍ଦ୍ଦନ ପାହାଡର ଆରପଟେ ଆଉ ଏକ ଗାଁ- ଲୁଣାଘର। ବସ୍ତିରେ ଗତବର୍ଷ ଯାକେ ପିଇବା ପାଣିଟିକେର ବନ୍ଦୋବସ୍ତ ନଥିଲା। ନଳକୂଅ ଥିଲା କିନ୍ତୁ ଗୋଟିଏର ବି ପାଣି ପିଇବା ଯୋଗ୍ୟ ନୁହେଁ। ଗତ ବର୍ଷ ବିଦ୍ୟାଳୟ ହତାରେ ଖୋଳାହୋଇଥିବା ନଳକୂଅରୁ ଯୋଗକୁ କେମିତି ମିଠା ପାଣି ବାହାରିଲା ଯେ ସେଇଦିନଠୁ ସେଇ ନଳକୂଅ ଗୋଟିକ ହିଁ ଗାଁ ଲୋକଙ୍କ ସାହାରା। ଆଗରୁ ବଡ ମଉଜରେ ବ୍ୟବହାର କରୁଥିବା ଛାମୁଣ୍ଡା ନାଳର  ପାଣି ଏବେ ଟ୍ରକ ମାନଙ୍କର ଗାଧୁଆ ତୁଠ ହୋଇ ସାରିଛି। ଆଉ ଗୋଟିଏ ଗାଁ- ଆମ୍ବଡହରା। ଗାଁର ଦୁଇଜଣ ଆଦିବାସୀ ଚାଷୀ ଚାରିବର୍ଷ ତଳୁ ନରେଗା ଯୋଜନାରେ ନିଜ ଜମିରେ ଚାଷ-ପୋଖରୀ  ଖୋଳି ଏଯାଏ ପଇସା ପାଇବାକୁ ଅପେକ୍ଷା କରି ରହିଛନ୍ତି - ବୋଧେ ଆଉ ମିଳିବନି କାରଣ ସେ ଲାଞ୍ଚ ଦେବାକୁ ମନା କଲେ। ଗନ୍ଧମାର୍ଦ୍ଦନ ପାହାଡର ଆଉଗୋଟିଏ କୋଣରେ ଅଛି ଉପର ଜାଗର ଗାଁ। ଗାଁ ମୁଣ୍ଡରୁ ହିଁ ଖଣି ଖୋଳା ଆରମ୍ଭ ହୋଇଛି। ଗାଁରେ ପ୍ରାୟ ସମସ୍ତେ  ଶ୍ରମଜୀବୀ, ଅଳ୍ପ କିଛି ଲେଖାଏଁ ଜମି ଅଛି ଯାହା କିଛି ମାସ ହିଁ ଖାଦ୍ୟ ଯୋଗାଇଥାଏ। ଜଙ୍ଗଲ ହିଁ ଥିଲା ତାଙ୍କର ପ୍ରମୁଖ ସାଧନ। ଏବେ ସେଇ ପାହାଡ଼ ଓ ଜଙ୍ଗଲ ତାଙ୍କୁ ଅପହଞ୍ଚ କାରଣ ତାହା ଆଉ ତାଙ୍କ ଇଲାକା ହୋଇ ରହିନାହିଁ, ତାହା ଖଣି କମ୍ପାନୀର ଇଲାକା ହୋଇଯାଇଛି। ଗାଁରେ ରହୁଥିବା ୧୪୬ ପରିବାର ମଧ୍ୟରୁ ପ୍ରାୟ ସମସ୍ତେ ଆଦିବାସୀ ଓ ଗରିବ କିନ୍ତୁ କେବଳ ୪୫ ପରିବାର ପାଖରେ ବିପିଏଲ କାର୍ଡ ଅଛି। ପାହାଡ ଉପରେ ଆଲୁଅରେ ଝଲସି ଯାଉଛି ଖଣି କିନ୍ତୁ ଗାଁ ଲୋକଙ୍କ ପାଇଁ ଡିବିରୀ ହିଁ ଭରସା, ମୋଟେ ୧୪ଟି ଘରେ ହିଁ ବିଜୁଳି ସଂଯୋଗ ଲାଗିଛି। ଖଣିରୁ କୋଶକୋଶ ଦୂରରେ ଥିବା ଗାଁମାନଙ୍କର ସାହିବସ୍ତି ଅଗଣା କେବେଠୁ କଂକ୍ରିଟ ହୋଇସାରିଲାଣି ଖଣିର ଲାଭ ପଇସାରେ କିନ୍ତୁ ଏଇସବୁ ଗାଆଁମାଙ୍କରେ ଦାଣ୍ଡ ଏବେବି ନୁଖୁରା ହୋଇ ପଡିଛି। କୁନିକୁନି ପିଲାଙ୍କ ଦୁର୍ଭାଗ୍ୟକୁ ଇଚିଣ୍ଡା ଗାଁ ବିଦ୍ୟାଳୟଟି ଠିକ ରାସ୍ତା କଡରେ ଅଛି। ଅନ୍ୟମାନଙ୍କ ପାଇଁ ରାସ୍ତାକଡ ଅଧିକ ପସନ୍ଦ। କିନ୍ତୁ ଏଠି ତାହା ନରକ। ବିଦ୍ୟାଳୟର ପିଲା ଓ ଶିକ୍ଷକ ଦଣ୍ଡେ ବି ଭଲରେ ନିଶ୍ଵାସ ମାରି ପାରୁ ନାହାନ୍ତି। ଖଣି ଓ ଟ୍ରକ ଧୂଳିରେ ଜର୍ଜରିତ ସେମାନେ। ତଥାକଥିତ 'ଡେଭେଲପମେଣ୍ଟ' ବା ଉନ୍ନତି ଏହି ଗାଁ ମାନଙ୍କରେ ଅପହଞ୍ଚ କହିଲେ ଭୁଲ ହୋଇଯିବ, ସେଠି 'ଉନ୍ନତି'ର କରାଳ ରୂପ ସ୍ଥାନୀୟ ଲୋକଙ୍କୁ ଗ୍ରାସି ଦେଇଛି। ଲୋକଙ୍କ ଜଙ୍ଗଲ ତାଙ୍କ ହାତପାଆନ୍ତାରୁ ଚାଲିଯାଇଛି, ଝରଣା ଶୁଖିଯାଇଛି, ଜମିରେ ଖଣିର ମଇଳାର ପରସ୍ତ ବସି ଉତ୍ପାଦକତା ଖସି ଯାଉଛି, ଘାସଲତାବୁଦାରେ ଖଣି ଓ ଟ୍ରକ ଧୂଳିର ବହଳ ଆସ୍ତରଣ ବସି ଗାଈଗୋରୁ ଛେଳିମେଣ୍ଢାଙ୍କ ଖାଦ୍ୟ ହଜି ଯାଉଛି। ରାସ୍ତା ଉନ୍ନତ ହୋଇଛି ସତ, କିନ୍ତୁ ତାହା ଖଣିଜ ବୁହା ଟ୍ରକମାନଙ୍କ ପାଇଁ। ଟ୍ରକ ତାଡ଼ନାରେ ଗାଁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି, ସ୍କୁଲ ପିଲାମାନେ ଉପର ଶ୍ରେଣୀର ବିଦ୍ୟାଳୟକୁ ଯିବାପାଇଁ ଡରୁଛନ୍ତି। ଜଙ୍ଗଲରୁ କାଠ, ପତ୍ର କି ଫଳମୂଳ ସଂଗ୍ରହକରି ବିକିଲେ ହିଁ ଗାଁଲୋକେ ବଜାରରୁ ତେଲଲୁଣ ଟିକେ କିଣି ପାରନ୍ତି। ଏବେ ସେତିକି ବି ସଂଗ୍ରହ କରିବା ଲୋକଙ୍କ ପାଇଁ ଦୁରୁହ ହୋଇଯାଇଛି।
 
ଇଂରାଜୀରେ 'ରିସୋର୍ସ କର୍ସ' ବା 'ସମ୍ପଦର ଯାତନା' ବୋଲି ଗୋଟେ ପ୍ରବାଦ ଅଛି। ସମ୍ପତ୍ତିକୁ ଭୋଗ କରିବା ପାଇଁ ଆଧୁନିକ ମଣିଷର ପ୍ରୟାସ ସମ୍ପଦ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ବିପତ୍ତି ହିଁ ବଢ଼ାଇଛି। ସମ୍ପଦର ଲାଭ ଅନ୍ୟମାନେ ଉଠାଇଛନ୍ତି କିନ୍ତୁ ସମ୍ପଦକୁ ସମ୍ଭାଳି ରଖିଥିବା ଲୋକେ ତଳିତଳାନ୍ତ ହୋଇଛନ୍ତି। ଉପରୋକ୍ତ କିଛି ଉଦାହରଣ ତାହାର ପ୍ରମାଣ। ସେହିଭଳି  'ସମ୍ପଦର ଯାତନା' ଗ୍ରସିତ ଲୋକମାନଙ୍କର ଯାତନା ହ୍ରାସ କରିବା ତଥା ଖଣି ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସରକାର 'ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ' ନାମରେ ଏକ ଆଇନ ଆଣିଛନ୍ତି। ଏହି ଆଇନ ଅନୁସାରେ ଖଣିଜ ଦ୍ରବ୍ୟ ଉତ୍ପାଦିତ ହେବାମାତ୍ରେ ଲାଭର ଏକ ନିର୍ଦ୍ଦିଷ୍ଟ ଭାଗ ସିଧା ଜିଲ୍ଲା ଖଣିଜ ପାଣ୍ଠିରେ ଜମା ହୁଏ ଯାହାକୁ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ଓ ଜୀବିକାକୁ ଉନ୍ନତ ଓ ସ୍ଥିର କରିବାରେ ବିନିଯୋଗ କରାଯିବା କଥା। କେନ୍ଦୁଝର ଜିଲ୍ଲା ଖାଲି ଓଡ଼ିଶାରେ ନୁହେଁ ଭାରତର ସବୁଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଥିବା ଜିଲ୍ଲା। ଏହି ଫାଉଣ୍ଡେସନ ଆରମ୍ଭ ହେବାଦିନରୁ ବିଗତ ଅଢେଇ ବର୍ଷରେ କେନ୍ଦୁଝର ଜିଲ୍ଲା ୨,୦୦୦ କୋଟି ଟଙ୍କାର ବିପୁଳ ପାଣ୍ଠି ସଂଗ୍ରହ କରିସାରିଲାଣି। ଜିଲ୍ଲାର ସମଗ୍ର ଜନସଂଖ୍ୟାକୁ ହିସାବକୁ ନେଲେ ମୁଣ୍ଡ ପିଛା ହାରାହାରି ୧୧,୧୦୦ଟଙ୍କାରୁ ବି ଅଧିକ ହେବ। ସାଧାରଣ ହାରାହାରି ହିସାବରେ ବି ସେହିଭଳି ଗୋଟିଏ ଗୋଟିଏ ଗାଁରେ ବର୍ତ୍ତମାନସୁଦ୍ଧା ୭୦-୮୦ ଲକ୍ଷ ଲେଖାଏଁ ଟଙ୍କା ପହଞ୍ଚି ଯାଇସାରିଥିବା କଥା। ଆଉ ଇଏତ ପ୍ରତ୍ୟକ୍ଷ ଭାବରେ ଖଣି ପ୍ରଭାବିତ ଗାଁ, ଅନ୍ୟୁନ ତିନି ଚାରି କୋଟି ଲେଖାଏଁ ଟଙ୍କା ସେହି ଗାଁ ମାନଙ୍କରେ ଖର୍ଚ୍ଚ ହୋଇସାରିଥିବା କଥା। କିନ୍ତୁ ଖଣି ଦ୍ୱାରା ପ୍ରତ୍ୟକ୍ଷ ଓ ପ୍ରଭୂତ ଭାବରେ ପ୍ରଭାବିତ ଏହି ତିନି ଗାଁରେ ସେହି ପାଣ୍ଠିରୁ ଗୋଟିଏ ଟଙ୍କାବି ପହଞ୍ଚି ନାହିଁ ଏଯାଏ।


ଆମର ବିଚାରରେ ଆସୁଥିବା କିଛି ଚିନ୍ତନ ଆମରି ଆଚାରରେ ଆଦୌ ପ୍ରତିଫଳିତ ହୋଇପାରୁନାହିଁ। ଖଣି-ଆକ୍ରାନ୍ତ ଲୋକଙ୍କ ପାଇଁ 'ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ' ଏକ ବଢିଆ ଚିନ୍ତନ କିନ୍ତୁ ତାହାର ରୂପାୟନ ଅତ୍ୟନ୍ତ ନୈରାଶ୍ୟଜନକ। ସେହି ପାଣ୍ଠି ବି ଲକ୍ଷ୍ୟସ୍ଥଳରେ ପହଞ୍ଚୁ ନାହିଁ। ଖଣି ଆକ୍ରାନ୍ତ ଲୋକଙ୍କର ବର୍ତ୍ତମାନର ଯନ୍ତ୍ରଣାକୁ ଉପଶମ କରିବାର ଆବଶ୍ୟକତା ତ ନିହାତି ଅଛି କିନ୍ତୁ ତାଙ୍କର ଭବିଷ୍ୟତକୁ ଆଲୋକିତ ନ କଲେ ବି ଅନ୍ଧାର ନକରିବାର ଦାୟିତ୍ୱ ସରକାର ଓ ଆମ ସମସ୍ତଙ୍କ ଉପରେ ରହିଛି। ଆଉ ୧୦-୨୦ ବର୍ଷରେ ଗନ୍ଧମାର୍ଦ୍ଦନ ପାହାଡ଼ ତଥା ସେଭଳି ଅନ୍ୟ ଖଣିରୁ ସବୁ ଲୁହାପଥର ଖୋଳି ନେବାପରେ ଆଉ କିଛି ନଥିବ - ଜଙ୍ଗଲ, ଝରଣା, ଚାଷ ଜମି ସବୁ ଉଜୁଡି ଯାଇଥିବ।  ସେତେବେଳେ ଖଣିଜ ପାଣ୍ଠି ବି ମିଳିବ ନାହିଁ। ଖଣି କାରଣରୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ଲୋକଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବାରେ ଟିକିଏ ବି ହେଳା କ୍ଷମଣୀୟ ନୁହେଁ।

(This article was publshed in my fortnightly column 'Tatwa O Tarka' in Dharitri on September 26, 2018. That may be accessed at: http://www.dharitri.com/main/news/73621 )

Wednesday, February 28, 2018

ମହାନଦୀ ଟ୍ରିବୁନାଲ – ଖୁବ୍ ବଡ଼ ଆଶା ନାହିଁ

ଗତ ଫେବୃୟାରୀ ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟରେ ଏକ ଟ୍ରିବୁନାଲ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି । ମହାନଦୀ ଅବବାହିକାରେ କେତେ ପାଣି ରହିଛି, ବିଭିନ୍ନ ରାଜ୍ୟରେ ଥିବା ଅଞ୍ଚଳ ମହାନଦୀ ଅବବାହିକାକୁ କେତେ ପାଣି ଯୋଗାନ୍ତି, ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଜଳ ବ୍ୟବହାରର ସ୍ଥିତି କ’ଣ ରହିଛି, ଏବଂ ଭବିଷ୍ୟତରେ ଜଳ ବ୍ୟବହାରର କ’ଣ ସମ୍ଭାବନା ଅଛି ଆଦି ତଥ୍ୟ ଓ ପରିସ୍ଥିତିର ବିଚାର କରି ନଦୀ ଜଳରେ କେଉଁ ରାଜ୍ୟର କେତେ ଭାଗ ରହିବ ତାହା ନିର୍ଦ୍ଧାରଣ କରିବେ ଟ୍ରିବୁନାଲ । ଟ୍ରିବୁନାଲଟେ ଗଠନ ହୋଇଗଲେ ଯେ ନଦୀ ଜଳ ବିବାଦର ସମାଧାନ ହୋଇଯିବ ଏହି ବିଶ୍ୱାସ ମୋର ପ୍ରାୟ ନାହିଁ କାରଣ ମହାନଦୀର ଚରିତ୍ର ପରିପ୍ରେକ୍ଷୀରେ ଏହି ଜଳବିବାଦ ଅନ୍ୟ ସବୁ ନଦୀ ବିବାଦଠାରୁ ଭିନ୍ନ ହେବ ନିଶ୍ଚୟ । ତେବେ ଟ୍ରିବୁନାଲରେ ବିଚାର ସମୟରେ ଅନେକ କିଛି ତଥ୍ୟ ପଦାକୁ ଆସିବ ନିଶ୍ଚୟ ଯାହା ସରକାର ତଥା ମଣିଷ ସମାଜକୁ ପ୍ରକୃତ ନିଷ୍ପତ୍ତି ନେବାର ରାସ୍ତା ଦେଖାଇବ ।   


ମହାନଦୀ ବିବାଦରେ ନିଜର ପକ୍ଷ ରଖିବା ପାଇଁ ଉଭୟ ରାଜ୍ୟ ଏମିତି ତଥ୍ୟସବୁ ରଖୁଛନ୍ତି ଯାହାକୁ ବୁଝିବା ବଡ କଠିନ ହୋଇଯାଉଛି । ଯେଉଁତଥ୍ୟ ତାଙ୍କୁ ସୁହାଉଛି, ସେହି ତଥ୍ୟର ବ୍ୟବହାର ହେଉଛି । ଛତିଶଗଡ ସରକାର ୨୦୧୬ ମସିହାରେ ଦିଲ୍ଲୀରେ ହୋଇଥିବା ମୂଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ୧୯୭୩ ମସିହାରେ ହୋଇଥିବା ମୂଖ୍ୟମନ୍ତ୍ରୀସ୍ତରୀୟ ଏକ ବୈଠକର ତଥ୍ୟ ଦେଇ କହିଲେ ଯେ ହୀରାକୁଦ ଜଳଭଣ୍ଡାରକୁ କେବଳ ଛତିଶଗଡରୁ ବାର୍ଷିକ ହାରାହାରି ୩୫,୩୦୮ ନିୟୁତ ଘନମିଟର (ନିଘମି) ବା ୨୮.୬୨ ନିୟୁତ ଏକରଫୁଟ (ନିଏଫୁ) ପାଣି ଆସୁଛି । ଏବେ ପ୍ରଶ୍ନ ହେଲା ଯେ ତତ୍କାଳୀନ ମଧ୍ୟପ୍ରଦେଶ ସରକାର ବା ଏବର ଛତିଶଗଡ ସରକାର କ’ଣ ୧୯୭୩ ମସିହା ପରେ ଆଉ ଜଳର ଆକଳନ କରିନାହାନ୍ତି? ବର୍ଷା ଓ ଜଳ ପ୍ରବାହର ଚରିତ୍ରରେ ଏହି ୪୫ ବର୍ଷରେ  କ’ଣ କିଛି ପରିବର୍ତ୍ତନ ହୋଇନାହିଁ? କଥା ହେଲା ଯେ ସେହି ତଥ୍ୟ ଦେଇ ଛତିଶଗଡ ସରକାର ଏହା କହିବାର ସୁଯୋଗ ପାଇଲେ ଯେ ଛତିଶଗଡରୁ ଆସୁଥିବା ପାଣିରେ ହୀରାକୁଦ ୬/୭ ଥର ଭରି ହୋଇଯିବ । ହୀରାକୁଦକୁ ପ୍ରଚୁର ଜଳ ଆସୁଛି ବୋଲି ୧୯୭୩ ମସିହାର ବୈଠକର ତଥ୍ୟ ଦେଲେ କିନ୍ତୁ ତାଙ୍କ ରାଜ୍ୟରୁ ଓଡିଶାକୁ ଜଳପ୍ରବାହ କମୁନାହିଁ ବୋଲି ଦେଖାଇବା ପାଇଁ ହୀରାକୁଦର ଉପରମୁଣ୍ଡରେ ଥିବା ବସନ୍ତପୁର ବ୍ୟାରେଜଠାରେ ୧୯୭୧-୭୨ରୁ ୨୦୧୪-୧୫ ବର୍ଷ ମଧ୍ୟରେ ହୋଇଥିବା ପ୍ରବାହର ଆଉଗୋଟେ ତଥ୍ୟ ଦେଲେ । ସେହି ସମୟ ମଧ୍ୟରେ ସେଠାରେ ହାରାହାରି ପ୍ରାୟ ୨୨,୦୦୦ ନିଘମି ବା ୧୭.୮ ନିଏଫୁ ପାଣି ପ୍ରବାହିତ ହେଉଥିଲା । ଛତିଶଗଡକୁ ଏହା ଦିଶିଲା ନାହିଁ ଯେ ଜଳପ୍ରବାହ କମୁନାହିଁ ବୋଲି ଦେଖାଇବା ପାଇଁ ସେ ଦେଇଥିବା ମାତ୍ରାଓଡିଶାକୁ ପ୍ରଚୁର ଜଳ ଆସୁଛି ବୋଲି ଦେଖାଇବା ପାଇଁ ଦେଇଥିବା ମାତ୍ରାରୁ ୨୮% କମ ।

ଏବେ ଦେଖିବା ଛତିଶଗଡ ସରକାର ମହାନଦୀର ପାଣିକୁ ବ୍ୟବହାର କରିବା ପାଇଁ କେମିତି ଯୋଜନା କରିଛନ୍ତି । ଛତିଶଗଡ ସରକାର କହିଛନ୍ତି ଯେ ତାଙ୍କ ରାଜ୍ୟ ମହାନଦୀରୁ ୧୦,୨୪୫ ନିଘମି ବା ୮.୩୧ ନିଏଫୁ ପାଣିି ବ୍ୟବହାର କରୁଛନ୍ତି ଓ ଆଉ ୨୩,୬୫୧ ନିଘମି ବା ୧୯.୧୭ ନିଏଫୁ ପାଣି ବ୍ୟବହାର କରିବାର ଯୋଜନା ଅଛି । ଏହି ଯୋଜନା ଅନୁସାରେ ମହାନଦୀରୁ ଛତିଶଗଡ ୩୩,୮୯୬ ନିଘମି ବା ୨୭.୪୮ ନିଏଫୁ ପାଣି ବ୍ୟବହାର କରିବ । ମହାନଦୀରେ କଣ ଏତିକି ପାଣି ଅଛି? କେନ୍ଦ୍ରୀୟ ଜଳ ଆୟୋଗ ୨୦୧୨ ମସିହାରେ ପ୍ରକାଶ କରିଥିବା ‘ଇଣ୍ଟିଗ୍ରେଟେଡ ହାଇଡ୍ରୋଲୋଜିକାଲ ଡାଟା ବୁକ୍’ ଅନୁସାରେ ସମୁଦାୟ ମହାନଦୀ ଅବବାହିକାର ହାରାହାରି ବାର୍ଷିକ ଜଳ ସମ୍ଭାବନା ହେଉଛି ୬୧,୯୫୦ ନିଘମି ବା ୫୦.୨୨ ନିଏଫୁ । ଛତିଶଗଡରେ ମହାନଦୀର ୫୩ଭାଗ ଅଞ୍ଚଳ ଅଛି କିନ୍ତୁ ଛତିଶଗଡରେ ହାରାହାରି ବର୍ଷା ଓଡିଶା ତୁଳନାରେ ନିଶ୍ଚିତ ଭାବରେ କମ୍ । ତେଣୁ ଜଳ ସମ୍ଭାବନା ଉଭୟ ରାଜ୍ୟର ପ୍ରାୟ ସମାନ । ଏହି ହିସାବରେ ଛତିଶଗଡରେ ଥିବା ସମଗ୍ର ମହାନଦୀ ଅବବାହିକାର ହାରାହାରି ବାର୍ଷିକ ଜଳସମ୍ଭାବନା ୨୫.୧ ନିଏଫୁ ହେବ । ଏମିତିରେ ଛତିଶଗଡ କେମିତି ୨୭.୪୮ ନିଏଫୁ ପାଣି ବ୍ୟବହାର କରିବ ବୋଲି ଭାବି ବି ପାରୁଛି?

ଓଡିଶା ବି କିଛି କମ୍ ନୁହେଁ । ଓଡିଶା ସରକାର କହୁଛନ୍ତି ଯେ ଏବେ ହୀରାକୁଦକୁ ଉପରମୁଣ୍ଡରୁ ପ୍ରତି ବର୍ଷ ହାରାହାରି ୧୯,୨୩୭ ନିଘମି ବା ୧୫.୬ ନିଏଫୁ ପାଣି ଆସୁଛି । ଏତିକି ଜାଣି ମଧ୍ୟ ଓଡିଶା କହୁଛି ଯେ ବିଭିନ୍ନ ବ୍ୟବହାର ପାଇଁ ତାକୁ ହୀରାକୁଦରୁ ୧୮,୧୭୫ ନିଘମି ବା ୧୪.୭୩ ନିଏଫୁ ପାଣି ଦରକାର । ଯଦି ଏବେ ୧୫.୬ ନିଏଫୁ ପାଣି ଆସୁଛି, ଓଡିଶା କେମିତି ୧୪.୭୩ ନିଏଫୁ ବା ଆସୁଥିବା ପ୍ରାୟ ସବୁ ପାଣିକୁ ବ୍ୟବହାର କରିବ ବୋଲି ଯୋଜନା କରୁଛି? ତାହାହେଲେ ଓଡିଶା ସରକାର କ’ଣ ହୀରାକୁଦରୁ ତଳକୁ ପାଣି ଛାଡିବାର ନାହିଁ? ଓଡିଶା ସରକାର ପୁଣି କହୁଛନ୍ତି ଯେ ପରିବେଶ ପାଇଁ ଆହୁରି ୯,୬୨୧ ନିଘମି ବା ୭.୮ ନିଏଫୁ ପାଣି ଦରକାର ।  ଛତିଶଗଡ ଏବେ ପ୍ରାୟ ୮.୩ ନିଏଫୁ ପାଣି ବ୍ୟବହାର କରୁଛି । ଓଡିଶା ସରକାର କଣ ଏୟା ଚାହାନ୍ତି ଯେ ଛତିଶଗଡ ରାଜ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳ ଅଧିଗ୍ରହଣ କ୍ଷେତ୍ରର ପ୍ରାୟ ୯୦%  ଥିଲେ ମଧ୍ୟ ତାହା ସେହି ଅବବାହିକାର କିଛି ପାଣି ବ୍ୟବହାର ନ କରି ଓଡିଶାକୁ ସବୁ ଛାଡି ଦେଉ? ଖାଲି ସେତିକି ନୁହେଁ, ହୀରାକୁଦ ଓ ମହାନଦୀରୁ ଶିଳ୍ପକୁ ପାଣି ଦେବାରେ କିଛି ଅସୁବିଧା ନାହିଁ ବୋଲି ଦେଖାଇବା ପାଇଁ ଓଡିଶା ସରକାର ଦେଉଛି ଗୋଟେ ତଥ୍ୟ, ଆଉ ଛତିଶଗଡରୁ ପାଣି କମିଗଲାଣି ବୋଲିି ଦେଖାଇବା ପାଇଁ ଓଡିଶା ସରକାର ଦେଉଛନ୍ତି ଆଉ ଗୋଟେ ତଥ୍ୟ । ତାହା ଉପରେ ଆମେ ପୂର୍ବ ଆଲେଖ୍ୟମାନଙ୍କରେ ଚର୍ଚ୍ଚା କରିଥିଲେ ତେଣୁ ଦୋହରାଉ ନାହିଁ ।

ଏମିତି ହିସାବ ହିଁ ବିବାଦ କରାଏ, ସମାଧାନର ବାଟ ବନ୍ଦ କରିଦିଏ । ସରକାରମାନେ ଏମିତି ତଥ୍ୟସବୁ ଦେବା ଅତି ଚିନ୍ତାଜନକ । ଏହା ନିଶ୍ଚିତ ଭାବରେ ଏକ ବାସ୍ତବତା ଯେ ବିଭିନ୍ନ ବ୍ୟବହାର ଯୋଗୁଁ ତଥା ଜଳବାୟୁରେ ପରିବର୍ତ୍ତନ କାରଣରୁ ମହାନଦୀରେ ଜଳପ୍ରବାହ ନିଶ୍ଚିତ ଭାବରେ କମୁଛି ଏବଂ ଭବିଷ୍ୟତରେ ଆହୁରି କମିବ । ସରକାରମାନେ ଜଳର ମାଲିକ ନୁହନ୍ତି, କେବଳ ତାହାର ରକ୍ଷକ । କିନ୍ତୁ କୌଣସି ସରକାର ସେହି ଦାୟିତ୍ୱ ନିର୍ବହନ କରୁନାହାନ୍ତି । ସମାଧାନ ପାଇଁ କୋର୍ଟକଚେରୀ ଟ୍ରିବୁନାଲ ଦରକାର ହେଉଛି । ତେବେ ଟ୍ରିବୁନାଲମାନ ନଦୀଜଳ ବିବାଦ ସମାଧାନ କରିବାରେ ଆଜିଯାଏ ସଫଳ ହୋଇନାହାନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ । ମହାନଦୀ କ୍ଷେତ୍ରରେ ମଧ୍ୟ ସେହି ଆଶଙ୍କା ଅଛି । ମହାନଦୀ ସମସ୍ୟା ତ ଅନ୍ୟ ନଦୀଠାରୁ ଆହୁରି ଜଟିଳ । ହୀରାକୁଦ ଭଳି ଏକ ବିଶାଳ ନଦୀବନ୍ଧ ଛତିଶଗଡ ଓ ଓଡିଶାର ସୀମାର ଠିକ୍ ତଳେ ଅଛି । ତାହା ଜଳର ଭାଗବଣ୍ଟାକୁ ନିଶ୍ଚୟ ଖୁବ୍ ଜଟିଳ କରିବ । ପୁଣି ମହାନଦୀ ଅନ୍ୟ ନଦୀଠାରୁ ଅନେକ ଭିନ୍ନ କାରଣ ଏହା ଏକ ଅତି ବନ୍ୟା ପ୍ରବଣ ନଦୀ । ଖାଲି ଭାଗବଣ୍ଟା ନୁହେଁ ବନ୍ୟା ନିୟନ୍ତ୍ରଣ ମଧ୍ୟ ପ୍ରସଙ୍ଗ ହେବ।


ଅତି ବାହାସ୍ଫୋଟିଆ ତଥ୍ୟ ଦେଇ ବିବାଦରେ ମାତିଥିବା ଦୁଇଟି ରାଜ୍ୟ ସହିତ ବନ୍ୟା ଭଳି ଏକ ପ୍ରସଙ୍ଗକୁ କେମିତି ଟ୍ରିବୁନାଲଟିଏ ସମାଧାନ କରିବ ତାହାକୁ ନେଇ ଗଭୀର ଶଙ୍କା ଅଛି । କିନ୍ତୁ ଏହି ବିଶ୍ୱାସ ଅଛି ଯେ ମହାନଦୀର ଜଳକୁ ନେଇ ଟ୍ରିବୁନାଲ ଅନ୍ତତଃ ସଠିକ୍ ତଥ୍ୟ ନିର୍ଦ୍ଧାରଣ କରିପାରିବ ଯାହା ସରକାରମାନଙ୍କୁ ଉଚିତ ବୁଦ୍ଧି ଦେବ ଯାହା ଉଚିତ ଯୋଜନା କରାଇବାରେ ସହାୟକ ହେବ ଓ ଜଳ ବିବାଦର ସମାଧାନ ପାଇଁ ଉତ୍ତର ଯୋଗାଇବ ।

(This article was originally published in my fortnightly column 'Tatwa O Tarka' in Dharitri on 28.02.2018. That piece can be accessed at: http://www.dharitri.com/e-Paper/Bhubaneswar/280218/p6.htm. A slightly revised version was carried by India Water Portal. That can be accessed at: http://hindi.indiawaterportal.org/node/68151 )

Thursday, June 15, 2017

ନଦୀ ବି ଏକ ବ୍ୟକ୍ତି , ତାହାର ବି ଅଧିକାର ରହିଛି

ବିମଳ ପ୍ରସାଦ ପାଣ୍ଡିଆ

ଚଳିତ ବର୍ଷର ମାର୍ଚ୍ଚ ୨୦ ତାରିଖରେ ଯେତେବେଳେ ଉତ୍ତରାଖଣ୍ଡ ହାଇକୋର୍ଟ ଘୋଷଣା କଲେ ଯେ ଗଙ୍ଗା ଯମୁନା ନଦୀ ତଥା ତାହାର ଶାଖା ପ୍ରଶାଖା ହେଉଛନ୍ତି ଜଣେ 'ଜୀବନ୍ତ ବ୍ୟକ୍ତି', ନ୍ୟାୟିକ ଭାବରେ ଆଧୁନିକ ଭାରତରେ କୌଣସି ନଦୀକୁ ଜଣେ ଜୀବନ୍ତ ବ୍ୟକ୍ତି ବା କାନୂନୀ ବ୍ୟକ୍ତି ଭାବରେ ସ୍ଵୀକୃତି ଦେବାରେ ତାହା ଥିଲା ପ୍ରଥମ ଘଟଣା । ତେବେ ପୃଥିବୀରେ ତାହା ପ୍ରଥମ ନ ଥିଲା । ଉତ୍ତରାଖଣ୍ଡ ହାଇକୋର୍ଟ ସେହି ରାୟ ପ୍ରଦାନ କରିବାର ଚାରି ଦିନ ପୂର୍ବରୁ ନିଉଜିଲାଣ୍ଡ ପାର୍ଲିଆମେଣ୍ଟ ସେହି ଦେଶର ତୃତୀୟ ବୃହତ୍ତମ ନଦୀ ବାଂଗନୁଈ ନଦୀକୁ ଗୋଟିଏ ଜୀବନ୍ତ ବ୍ୟକ୍ତି ବା ଜୀବନ୍ତ ସତ୍ତା ବୋଲି ପ୍ରସ୍ତାବ ନେଇ ସାରିଥିଲେ । ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତି ଗଙ୍ଗା ନଦୀ ସହିତ ପ୍ରାୟ ଅନ୍ୟ ସମସ୍ତ ନଦୀକୁ ମାତା ଭାବରେ ତଥା ଦେବୀ ଭାବରେ ଗଣ୍ୟ କରି ଆସିଛି । ଅର୍ଥାତ ବହୁ କାଳରୁ ନଦୀମାନଙ୍କୁ ବ୍ୟକ୍ତି ହିସାବରେ ଭାରତୀୟ ସଭ୍ୟତା ଗ୍ରହଣ କରିଆସିଛି । ବାଂଗନୁଈ ନଦୀକୁ ନେଇ ସ୍ଥିତି ମଧ୍ୟ ସେହିଭଳି । ସେଠାରେ ବସବାସ କରୁଥିବା ମାଓରି ଜନଜାତିର ଲୋକେ ନିଜକୁ ବାଂଗନୁଈ ନଦୀର ଉତ୍ତରାଧିକାରୀ ବୋଲି ମାନନ୍ତି ଏବଂ ନଦୀକୁ ପ୍ରଚଣ୍ଡ ସମ୍ମାନ କରନ୍ତି । ପ୍ରାୟ ଦେଢ଼ ଶତାବ୍ଦୀ ଧରି ସେହି ଜନଜାତିର ଲୋକେ ନଦୀକୁ ମା' ଓ ବ୍ୟକ୍ତିର ମାନ୍ୟତା ଦେବା ପାଇଁ ଆସୁଥିବା ଦାବୀକୁ ଶେଷରେ ନିଉଜିଲାଣ୍ଡ ପାର୍ଲିଆମେଣ୍ଟ ଗ୍ରହଣ କଲା । ଉତ୍ତରାଖଣ୍ଡ ହାଇକୋର୍ଟ ଗଙ୍ଗା ଓ ଯମୁନା ନଦୀକୁ କାନୂନୀ ବ୍ୟକ୍ତିର ମାନ୍ୟତା ଦେବାର ଦୁଇ ସପ୍ତାହ ପରେ ମେ ମାସ ଚାରି ତାରିଖରେ ମଧ୍ୟପ୍ରଦେଶର ବିଧାନ ସଭା ନର୍ମଦା ନଦୀକୁ ଏକ ବ୍ୟକ୍ତି ବୋଲି ଘୋଷଣା କରି ପ୍ରସ୍ତାବ ପାରିତ କରିଛି ।


ବିଭିନ୍ନ କୋର୍ଟ କଚେରୀ ତଥା ପାର୍ଲିଆମେଣ୍ଟ ବିଧାନସଭା ଆଦି ଏହିଭଳି ଆଦେଶ ଦେବା ବା ନିଷ୍ପତ୍ତି ନେବା ହୁଏତ ଏକ ନୂଆ କଥା ହୋଇପାରେ କିନ୍ତୁ ନଦୀ ଯେ କୌଣସି ସଭ୍ୟତାର ମେରୁଦଣ୍ଡ ଏବଂ ନଦୀ ବିନା କୌଣସି ସଭ୍ୟତା ତିଷ୍ଠି ରହିବ ଯେ ନିହାତି ଅସମ୍ଭବ ତାହା ବୁଝିବା ଏବର କଥା ନୁହେଁ । ଶ୍ରୀମଦ ଭାଗବତ ଗୀତାରେ କୁହାଯାଇଛି ବୃକ୍ଷରାଜି ହେଉଛନ୍ତି ପ୍ରଭୁଙ୍କ ଶରୀରର ଲୋମ, ବାୟୁ ହେଉଛି ପ୍ରଭୁଙ୍କର ଶ୍ଵାସ, ସମୁଦ୍ର ହେଉଛି ତାହାଙ୍କ ଉଦାର, ନଦୀସମୂହ ହେଉଛନ୍ତି ତାଙ୍କର ଶିରାପ୍ରଶିରା । ଶିରାପ୍ରଶିରା ମାଧ୍ୟମରେ ରକ୍ତ ପ୍ରବାହ ବାଣ୍ଡ ହୋଇଗଲେ ଜୀବନର ଅବସ୍ଥା ଯାହା ହେବ ନଦୀରେ ଜଳ ପ୍ରବାହ ବାଣ୍ଡ ହୋଇଗଲେ ଅବସ୍ଥା ତା'ଠାରୁ ବିଶେଷ କିଛି ଭିନ୍ନ ହେବ ନାହିଁ । ହିନ୍ଦୁ ସଂସ୍କୃତିରେ ଯେମିତି ଗଙ୍ଗା ନଦୀକୁ ମା, ଜଣେ ଦେବୀ ବୋଲି ମାନି ଭକ୍ତି ଅର୍ପଣ କରାଯାଏ, ଅନ୍ୟ ଧର୍ମରେ ମଧ୍ୟ ନଦୀ ବା ଜଳଉତ୍ସକୁ ସେମିତ ମା ବା ଦେବତା ରୂପରେ ଦେଖାଯାଏ । ମୁସଲମାନ ଧର୍ମୀୟମାନେ ମକ୍କା ମସଜିଦ ଭିତରେ ଥିବା ଜମଜମ କୂପକୁ ଅତି ଭକ୍ତିର ସହ ସମ୍ମାନ କରନ୍ତି । ଖ୍ରୀଷ୍ଟିଆନମାନେ ଜୋର୍ଡାନ ନଦୀକୁ ସେହିଭଳି ମାନ୍ୟତା ପ୍ରଦାନ କରନ୍ତି ।

ତେବେ ସମସ୍ତ ପ୍ରାଚୀନ ଜ୍ଞାନ ଓ ଆଧୁନିକ ବିଜ୍ଞାନ ନଦୀକୁ ସଭ୍ୟତାର ମୂଳ ବୋଲି କହିବା ସତ୍ୱେ ସେହି ନଦୀ ହିଁ ଏବେ ସବୁଠାରୁ ଅଧିକ ବିପଦଗ୍ରସ୍ତ । ଉତ୍ତରାଖଣ୍ଡ ହାଇକୋର୍ଟ ଗଙ୍ଗା ଓ ଯମୁନା ନଦୀକୁ ଜୀବନ୍ତ ବ୍ୟକ୍ତି ବୋଲି ତାଙ୍କ ରାୟ ପ୍ରଦାନ କରିବା ବେଳେ କହିଛନ୍ତି ଯେ ଗଙ୍ଗା ଓ ଯମୁନା ନଦୀର ଅସ୍ତିତ୍ବ ହିଁ ଏବେ ଘୋର ସଂକଟଗ୍ରସ୍ତ । ଏହିଭଳି ସଂକଟକୁ ମୁକାବିଲା କରିବା ତଥା ଗଙ୍ଗା ଓ ଯମୁନା ନଦୀକୁ ବଞ୍ଚାଇ ରଖିବା ପାଇଁ ଅସାଧାରଣ ପ୍ରୟାସର ଆବଶ୍ୟକତା ରହିଛି । ହାଇକୋର୍ଟଙ୍କ ରାୟ ସେହି ଅସାଧାରଣ ଆବଶ୍ୟକତାର ଏକ ସୂଚକ ।

ସୁପ୍ରିମ କୋର୍ଟ ପ୍ରଦାନ କରିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ରାୟକୁ ଉଦ୍ଧାର କରିବା ସହିତ ବିଭିନ୍ନ ପ୍ରାଚୀନ ମତବାଦରେ କାନୂନୀ ବ୍ୟକ୍ତି ବା ସତ୍ତାର ବର୍ଣ୍ଣନାକୁ ଉଦ୍ଧାର କରି ଉତ୍ତରାଖଣ୍ଡ ହାଇକୋର୍ଟ କହିଛନ୍ତି ଯେ ସାଧାରଣ ନ୍ୟାୟିକ ସିଦ୍ଧାନ୍ତ ଅନୁସାରେ ଯିଏ ଅଧିକାର ଜାହିର କରିବା ଓ କର୍ତବ୍ୟର ପାଳନ କରିବାରେ ସମର୍ଥ ବୋଲି ଆଇନ ବିଚାର କରେ ସେ ଜଣେ ବ୍ୟକ୍ତି । ଯଦି ଆଇନ କୌଣସି ପ୍ରାର୍ଥୀ ବା ପ୍ରସଙ୍ଗକୁ ପର୍ଯ୍ୟାପ୍ତ ଓ ଯଥାର୍ଥ କାରଣରୁ ବ୍ୟକ୍ତିର ମାନ୍ୟତା ପ୍ରଦାନ କରେ ସେ 'କାନୂନୀ ବ୍ୟକ୍ତି' ହୋଇଯାଏ ଏବଂ ଦାଇତ୍ୱ ମୁଣ୍ଡାଇଥାଏ । ଜଣେ ଶିଶୁ ବା ନିଜର ପକ୍ଷ ରଖି ପାରୁ ନଥିବା ବ୍ୟକ୍ତି ତରଫରୁ ଯେମିତି ତାଙ୍କର ପିତାମାତା ବା ଅନ୍ୟ କେହି ପକ୍ଷ ରଖିଥାନ୍ତି, ସେହିଭଳି ଜଣେ 'କାନୂନୀ ବ୍ୟକ୍ତି' ଅନ୍ୟ ଜଣେ ଅଧିକୃତ ବ୍ୟକ୍ତି ମାଧ୍ୟମରେ ତାହାର ଅଧିକାର ଜାହିର କରିଥାନ୍ତି ଓ ଦାଇତ୍ୱ ବହନ କରିଥାନ୍ତି ।

ତେବେ ନଦୀକୁ ଜୀବନ୍ତ ବ୍ୟକ୍ତି ବୋଲି ଗ୍ରହଣ କରିନେଲେ ମଣିଷର ତା'ପ୍ରତି ଘଟୁଥିବା ଅତ୍ୟାଚାରରେ କଣ ବ୍ୟାପକ ପରିବର୍ତନ ଘଟିବ ତାହା ଅଧିକ ଗୁରୁତ୍ୱ ରଖେ । ଏହି ପ୍ରସଙ୍ଗରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ୧୨ ପୃଷ୍ଠା ବିଶିଷ୍ଟ ରାୟ ଅତି ସବିଶେଷରେ କିଛି କହି ନଥିଲେ ମଧ୍ୟ ନଦୀ ଜୀବନ୍ତ ବ୍ୟକ୍ତି ବୋଲି ଯେଉଁ କାରଣ ଦର୍ଶାଇଛନ୍ତି ତାହା ଖୁବ ପ୍ରାସଙ୍ଗିକ । ନଦୀ ସହିତ ଜଡିତ ଧରଃମୀୟା ଭାବନା, ଜୀବନଜୀବିକାକୁ ପରିପୁଷ୍ଟ କରିବାରେ ତାହାର ଭୂମିକା ତଥା ଭବିଷ୍ୟତ ପୀଢ଼ି ପାଇଁ ଉତ୍ତରଦାୟିତ୍ୱତା ସବୁ କାରଣରୁ  ଗଙ୍ଗା ଯମୁନା ନଦୀ ଏକ ଜୀବନ୍ତ ବ୍ୟକ୍ତି ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ ଗଙ୍ଗା ଯମୁନା ନଦୀକୁ ହିନ୍ଦୁ ଧର୍ମାବଲମ୍ବୀ ଅତି ପବିତ୍ର ମାନେ କରନ୍ତି, ତାହାକୁ ମା'ର ମାନ୍ୟତା ଦିଅନ୍ତି । ଏହି ନଦୀ ଭାରତ ମୋଟ ଜନସଂଖ୍ୟାର ପ୍ରାୟ ଅଧା ଲୋକଙ୍କର ଅସ୍ତିତ୍ବ ଓ ହାଲଚାଲ ସ୍ଥିର କରିବାରେ ଏକ ପ୍ରମୁଖ କାରକ । ନଦୀର ପ୍ରଚଣ୍ଡ ଆଧ୍ୟାତ୍ମିକ ଓ ଭୌତିକ ଉପାଦେୟତା ରହିଛି । ସିଏ ଜୀବନ୍ତ ପ୍ରାଣୀ ଓ ପ୍ରାକୃତିକ ସମ୍ପଦକୁ ସହାୟତା ଓ ସମ୍ପନକୁ କରିବା ସହିତ ସମୁଦାୟ ଜନଜୀବନକୁ ପୁସ୍ତ କରିଛୀ । ଗଙ୍ଗା ଓ ଯମୁନା ଯୋଗୁଁ ହିମାଳୟଠାରୁ ଆରମ୍ଭ କରି ସମୁଦ୍ର ଯାଏ ଜନସମୁଦାୟ ନିଜକୁ ବଞ୍ଚାଇ ରଖିଛନ୍ତି । ଗଙ୍ଗାନଦୀ ମରିଗଲେ ସମସ୍ତ ପ୍ରାଣୀ ଓ ପ୍ରକୃତି ମରିଯିବେ । ତେଣୁ ଗଙ୍ଗା ଓ ଯମୁନା ନଦୀ ତଥା ତାଙ୍କର ସମସ୍ତ ଶାଖାପ୍ରଶାକ ଜୀବନ୍ତ ରହିବ ଆବଶ୍ୟକ ।

ତାହାକୁ ଜୀବନ୍ତ ରଖିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଭାରତୀୟ ସମ୍ବିଧାନର ଧାରା ୪୮-କ ଏବଂ ୫୧-କ(ଛ) ଧାରା ଅନୁସାରେ ଗଙ୍ଗା ଓ ଯମୁନା ନଦୀକୁ 'କାନୂନୀ ବ୍ୟକ୍ତି'ର ମାନ୍ୟତା ପ୍ରଦାନ କରି ନଦୀ ତରଫରୁ ନମାମି ଗଞ୍ଜର ନିର୍ଦେଶକ, ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟ ସଚିବ ଓ ଉତ୍ତରାଖଣ୍ଡର ଆଡ଼ଭୋକେଟ ଜେନେରାଲଙ୍କୁ ଗଙ୍ଗା ଓ ଯମୁନା ନଦୀର ମାନବୀୟ ପ୍ରତିନିଧି ନିଯୁକ୍ତ କରିଛନ୍ତି । ଅର୍ଥାତ ଇମାନୀ ଗଙ୍ଗାନଦୀ ତରଫରୁ ତାହାର ଅଧିକାର ସାବ୍ୟସ୍ତ କରିବେ ତଥା ତାହାର ଦାୟିତ୍ୱ ମୁଣ୍ଡାଇବେ । ନିଉଜିଲାଣ୍ଡର ପାର୍ଲିଆମେଣ୍ଟ ମଧ୍ୟ ସେହିଭଳି ଏକ ନିଷ୍ପତ୍ତି ନେଇଛି । ବାଂଗନୁଈ ନଦୀର ପକ୍ଷ ନେଉଥିବା ଦୁଇଜଣ ଓକିଲ ନଦୀର ମାନବୀୟ ସତ୍ତା ଭାବରେ ଦାଇତ୍ୱ ନେଇ ତାହାର ଅଧିକାର ସାବ୍ୟସ୍ତ କରିବେ ତଥା ତାହାର ଦାୟିତ୍ୱ mundaibe, ଏହି ଦୁଇଜଣ ଓକିଲଙ୍କ ମଧ୍ୟରୁ ଜଣେ ମାଓରି ଜନଜାତିର ଓ ଅନ୍ୟଜଣେ ସରକାରଙ୍କ ଓକିଲ ରହିବେ । ମଧ୍ୟପ୍ରଦେଶ ସରକାର ବିଧାସଭାରେ ନର୍ମଦା ନଦୀ ଏକ ଜୀବନ୍ତ ସତ୍ତା ବୋଲି ପ୍ରସ୍ତାବଟିଏ ଅବଶ୍ୟ ପାରିତ କରାଇ ନେଇଛନ୍ତି କିନ୍ତୁ କିଛି ନ୍ୟାୟିକ ବ୍ୟବସ୍ଥା କରି ନାହାନ୍ତି । ଖୁବ ଶୀଘ୍ର ଏ ସମ୍ବନ୍ଧରେ ଏକ ବିଲ ଆଗତ ହେବ ବୋଲି ରାଜ୍ୟ ସରକାର କହିଛନ୍ତି । 

ତେବେ ନଦୀକୁ ପ୍ରଦାନ କରାଯାଉଥିବା ଏହିଭଳି ଅଧିକାରକୁ କେମିତି ଓ କେତେ ମାତ୍ରାରେ ସାବ୍ୟସ୍ତ କରାଯାଇପାରିବ ତାହାକୁ ନେଇ ସନ୍ଦେହ କିଛି କମ ନାହିଁ । ଏବେ ନଦୀକୁ ପ୍ରଦୂଷିତ କରିବା ମଣିଷକୁ ବିଷ ଖୁଆଇବା ସହିତ ସମାନ ଅପରାଧ ହେବ । ନଦୀର ପାଣିକୁ ଟାଣିନେବା ମଣିଷର ଅଙ୍ଗପ୍ରତ୍ୟଙ୍ଗକୁ ଲୁଟିବା ଶୀତ ସମାନ ହେବ । ନଦୀର ପାଣିକୁ ସମୁଦ୍ରଜୟେ ପ୍ରବାହିତ କରି ନ ଦେବା ମଣିଷକୁ ହତ୍ୟା କରିବା ଅପରାଧ ସହିତ ସମାନ ହେବ । ଯେଉଁଠି ଲୋକଙ୍କର ମାନବୀୟ ଅଧିକାର ଡହଡହ ହୋଲି ଭୁଲୁଣ୍ଠିତ ହୋଇଚାଲିଛି, ସେଇଠି ନଦୀ ତରଫରୁ ତାହାର ପ୍ରତିନିଧିମାନେ ଅଧିକାର ସାବ୍ୟସ୍ତ କରିବାରେ କେତେ ସମର୍ଥ ହେବେ ତାହାକୁ ନେଇ ସଂଶୟ ରହିଛି ।

କେବଳ ଗଙ୍ଗା ଯମୁନା ବା ବାଂଗନୁଈ ଓ ନର୍ମଦା ନୁହନ୍ତି, ପୃଥିବୀ ପୃଷ୍ଠରେ ବହିଯାଉଥିବା ସମସ୍ତ ନଦୀ ଓ ସମସ୍ତ ପ୍ରମୁଖ ଜଳଉତ୍ସର ଧାର୍ମିକ, ସାମାଜିକ ଓ ଭୌତିକ ଭୂମିକା ରହିଚିଇ । ତେଣୁ କେବଳ ଗଙ୍ଗା ଯମୁନା ନୁହନ୍ତି, ସମସ୍ତ ନଦୀ ଗୋଟିଏଗୋଟିଏ ଜୀବନ୍ତ ବ୍ୟକ୍ତି ଓ କାନୂନୀ ବ୍ୟକ୍ତି ଭାବରେ ଗଣାଯିବାର ଆବଶ୍ୟକତା ରହିଛି । ଓଡ଼ିଶାର ମହାନଦୀ, ବ୍ରମହାନଦୀ, ବୈତରଣୀ, ବଂଶଧାରା, ଋଷିକୂଲ୍ୟା ଆଦି ସମସ୍ତ ନଦୀର ସେହି ସମାନ ଚରିତ୍ର ଓ ବୈଶିଷ୍ଠ୍ୟ ରହିଛି । ତେଣୁ ଏହିସବୁ ନଦୀ ମଧ୍ୟ ସେହିଭଳି ବ୍ୟକ୍ତି ସତ୍ତାର ହକଦାର ।

ନଦୀକୁ ପ୍ରଦାନ କରାଯାଇଥିବା ଏହିଭଳି ଅଧିକାରର ଘଟଣାକ୍ରମକୁ ନେଇ ସମଗ୍ର ମାନବ ସଭ୍ୟତା ଉତ୍ସାହିତ ହେବ ଆବଶ୍ୟକ । ନଦୀ ମାନବର ପ୍ରଦ୍ୱୀଦ୍ୱନ୍ଦୀ ନୁହେଁ ସାତହାଇ ଅଟେ । ଏହି ଅଧିକାରର ଠିକ ଭାବରେ ଅନୁପାଳନ ହେଲେ ନଦୀ ଜଳର ବଣ୍ଟନକୁ ନେଇ ମଣିଷମଣିଷ ଭିତରେ ଦ୍ଵନ୍ଦ ରହିବ ନାହିଁ କି କୌଣସି ସଭ୍ୟତା ବିପଦଗ୍ରସ୍ତ ହେବ ନାହିଁ । ସରକାରମାନେ ଏ ଦିଗରେ ଆଗେଇ ଆସିବା ଦରକାର । ମଧ୍ୟପ୍ରଦେଶ ସରକାର ନର୍ମଦା ନଦୀର ବ୍ୟକ୍ତିସ୍ୱତ୍ତ୍ୱକୁ କାନୂନୀ ରୂପ ଦେଇ ନାହାନ୍ତି ସତ କିଂଫଟୁ ସେହି ନଦୀକୁ ନେଇ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି । ଅନ୍ୟ ରାଜ୍ୟ ମଧ୍ୟ ତହିଁରୁ ଉଦବୁଦ୍ଧ ହୋଇ ନଦୀ ଓ ନଦୀ ସଭ୍ୟତାକୁ ଆଗେଇ ନେବା ପାଇଁ ସବୁମନ୍ତେ ଉଦ୍ୟମ କରିବା ଆବଶ୍ୟକ ।

(This article was published in Dharitri on June 14, 2017. That can be accessed at: http://www.dharitri.com/Bhubaneswar/140617/p6.htm )