Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Right of River. Show all posts
Showing posts with label Right of River. Show all posts

Thursday, June 14, 2018

ମହାନଦୀର ହକ୍

 (ମହାନଦୀର ପାଣି ସମୁଦ୍ରକୁ ବହି ନଷ୍ଟ ହୋଇଯାଉଛି ବୋଲି ରଡ଼ି ଛାଡ଼ୁଥିବା ଲୋକଙ୍କ ପାଇଁ ମୁଁ ଦୁଇଟି ପ୍ରମୁଖ ଭାବରେ ଉଦ୍ଧୃତ ନଦୀର ଉଦାହରଣ ଦେଇ ଗୋଟିଏ ସାଧାରଣ ପ୍ରଶ୍ନ ରଖୁଛି।)

ବିମଳ ପ୍ରସାଦ ପାଣ୍ଡିଆ

ଇଂଜିନିୟର ମାନେ ଯେତେବେଳେ ବି ନଦୀ ଅବବାହିକାର ସଘନ ‘ଉନ୍ନୟନ’ କଥା କୁହନ୍ତି ସେମାନେ ଅଷ୍ଟ୍ରେଲିଆର ମୁରେ-ଡାର୍ଲିଙ୍ଗ ନଦୀ ଅବବାହିକା ଓ ଆମେରିକାର ଟେନ୍ନେସି ନଦୀର ନାଁ ନିଅନ୍ତି। ଉଭୟ ନଦୀରେ ଅନେକ ବନ୍ଧ ବ୍ୟାରେଜ ଆଦି ବନ୍ଧା ଯାଇଛି। ମୁରେ-ଡାର୍ଲିଙ୍ଗ ଏକ ଶୁଷ୍କ ଅବବାହିକା ଅଟେ କିନ୍ତୁ ତାହା ଅଷ୍ଟ୍ରେଲିଆ ମହାଦେଶର ଅନ୍ୟତମ ସଘନ କୃଷି ଅଞ୍ଚଳ। ତେଣୁ ସେଠାରେ ନଦୀ ପାଣିର ଚାହିଦା ଓ ଦାବୀ ଖୁବ୍ ଅଧିକ। ମୁରେ-ଡାର୍ଲିଂ ଅବବାହିକାଟି ଆକାରରେ ମହାନଦୀ ଅବବାହିକାଠାରୁ ସାଢ଼େ-ସାତଗୁଣ ବଡ଼। କିନ୍ତୁ ଏତେ ସାନ ଥିବା ମହାନଦୀରେ ମୁରେ-ଡାର୍ଲିଂ ନଦୀ ତୁଳନାରେ ସାଢ଼େ-ଚାରି ଗୁଣା ଅଧିକ ପାଣି ପ୍ରବାହିତ ହୋଇଥାଏ। ଏମିତି ଏକ ଶୁଷ୍କ ତଥା ପାଣି ପାଇଁ ଆତୁର ଥିବା ଅଞ୍ଚଳ ତଥା ଏମିତି ଏକ ନଦୀ ଯହିଁରେ ବ୍ୟାପକ ମାତ୍ରାରେ ଡ୍ୟାମ ବ୍ୟାରେଜ ଆଦି ବନ୍ଧାଯାଇ ନଦୀ ପାଣିକୁ ଚାଷ ତଥା ଅନ୍ୟ ବ୍ୟବହାର ପାଇଁ ଅପସାରଣ କରାଯାଉଛି, ସେହିପରି ଏକ ନଦୀର ନିଜର ପରିବେଶିକ ଆବଶ୍ୟକତା ପାଇଁ ଅନ୍ୟୁନ ୨.୬ ନିୟୁତ ଏକର ଫୁଟ(ନି.ଏ.ଫୁ.) ଜଳର ଆବଶ୍ୟକତା ଅଛି ବୋଲି ଅଷ୍ଟ୍ରେଲିୟ ସରକାରମାନେ ଉପଲବ୍ଧି କରିଛନ୍ତି। ଦୀର୍ଘ ଦିନର ବିବାଦ ପରେ ଚଳିତ ଜୁନ୍ ମାସର ପ୍ରଥମ ସପ୍ତାହରେ ଅଷ୍ଟ୍ରେଲିଆର କେନ୍ଦ୍ର ସରକାର ତଥା ମୁରେ-ଡାର୍ଲିଙ୍ଗ ଅବବାହାକାରେ ଥିବା ପାଞ୍ଚଟି ରାଜ୍ୟର ସରକାରମାନେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି ଯେ ନଦୀ ଅବବାହିକାରେ ଉତ୍ପନ୍ନ ହେଉଥିବା ସମୁଦାୟ ୧୨ ନି.ଏ.ଫୁ. ପ୍ରବାହରୁ ଅତି କମରେ ପ୍ରାୟ ୨୨% ଜଳ ନଦୀର ନିଜର ଆବଶ୍ୟକତା ଅଟେ ତେଣୁ ଅନ୍ତତଃ ସେତିକି ନିହାତି ଭାବରେ ଛାଡ଼ିଦିଆଯିବ।  


ଏବେ ଆସିବା ଇଂଜିନିୟରମାନେ ଦେଉଥିବା ଅନ୍ୟ ନଦୀର ଉଦାହରଣକୁ। ଟେନ୍ନେସି ହେଉଛି ଓହିଓ ନଦୀର ଏକ ଉପନଦୀ। ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟାଞ୍ଚଳରେ ଥିବା ଏହି ନଦୀ ଅବବାହିକାରେ ହାରାହାରି ୧,୨୯୫ ମିଲିମିଟର ବର୍ଷା ହୋଇଥାଏ ଯାହା ଆମ ଓଡ଼ିଶାର ହାରାହାରି ବର୍ଷାଠାରୁ ସାମାନ୍ୟ କମ୍। ପ୍ରାୟ ୧,୦୪୯ କିଲୋମିଟର ଦୀର୍ଘ ଟେନ୍ନେସି ନଦୀ ଓ ତାହାରି ଉପନଦୀମାନଙ୍କରେ ୧୯୨୦ ଦଶନ୍ଧିରୁ ଅନେକ ବନ୍ଧବକ୍ଟ୍ର୍ୟାରେଜ ବନ୍ଧା ହୋଇଛି। ତେବେ ଏତେ ବନ୍ଧବାଡ଼ ମାଧ୍ୟମରେ କେତେ ପାଣି ବ୍ୟବହାର ହେଉଛି ଆମେ ଜାଣିବାକୁ ଚାହିଁବା। ଟେନ୍ନେସି ନଦୀ ଉପତ୍ୟକା ଅଥରିଟୀ ବା ପ୍ରାଧିକରଣର ସୂଚନା ଅନୁସାରେ ବିଭିନ୍ନ ବ୍ୟବହାର ପାଇଁ ବାର୍ଷିକ ହାରାହାରି ୧୫.୯୩ ନି.ଏ.ଫୁ. ପାଣି ବ୍ୟବହାର ହୋଇଥାଏ। ଇଂଜିନିୟର ଏ. ଏନ. ଖୋସଲାଙ୍କ ଦ୍ୱାରା ପ୍ରସ୍ତୁତ ହୀରାକୁଦ ମୂଳ ଯୋଜନା ଖସଡ଼ା ଅନୁସାରେ ହୀରାକୁଦ ପରିଯୋଜନାର ବାର୍ଷିକ ଜଳ ଆବଶ୍ୟକତା ହେଉଛି ୧୨.୨୮ ନି.ଏ.ଫୁ.। ଅର୍ଥାତ, ହୀରାକୁଦ ପରିଯୋଜନାର ଜଳ ଆବଶ୍ୟକତା ଯାହା, ସମଗ୍ର ଟେନ୍ନେସି ନଦୀ ଅବବାହିକାର ଜଳର ବ୍ୟବହାର ତାହାଠୁ ସାମାନ୍ୟ ଅଧିକ। ତେବେ ଏହା ଜାଣିବା ଦରକାର ଯେ ସେହି ନଦୀରୁ ‘ବ୍ୟବହାର’ ହେଉଥିବା ପାଣି ମଧ୍ୟରୁ ପ୍ରାୟ ୯୫% ପାଣି ପୁଣି ନଦୀକୁ ଫେରିଆସେ କାରଣ ସମୁଦାୟ ବ୍ୟବହାର ହେଉଥିବା ଜଳ ମଧ୍ୟରୁ ୮୪.୨% ଜଳବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୋଇଥାଏ। ନଦୀକୁ ଫେରି ଆସୁ ନଥିବା ପାଣିର ପରିମାଣ ହେଲା ମାତ୍ର ୦.୮୫ ନି.ଏ.ଫୁ.। ଏହା ହୀରାକୁଦର ପ୍ରତ୍ୟକ୍ଷ ସେଚାଞ୍ଚଳରେ ରବି ଋତୁରେ ଜଳସେଚନ ପାଇଁ ବ୍ୟବହାର ହେଉଥିବା ଜଳର ପରିମାଣଠାରୁ ମଧ୍ୟ କମ୍। ୨୦୦୭ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଫେସର ଜୟସେଲନଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବିଶେଷଜ୍ଞ କମିଟୀ ଆକଳନ କରିଥିଲେ ଯେ ହୀରାକୁଦର ପ୍ରତ୍ୟକ୍ଷ ଜଳସେଚିତ କ୍ଷେତ୍ରରେ ରବି ଋତୁରେ ଜଳସେଚନ ପାଇଁ ୦.୯୨ ନି.ଏ.ଫୁ. ପାଣି ଦରକାର। ଅନ୍ୟ ଭାବରେ କହିଲେ କେବଳ ହୀରାକୁଦ ଜଳଭଣ୍ଡାରର ପ୍ରତ୍ୟକ୍ଷ ଜଳସେଚିତ ଅଞ୍ଚଳରେ ରବି ଋତୁରେ ଯେତିକି ଜଳ ବ୍ୟବହାର ହୁଏ, ଟେନ୍ନେସି ନଦୀର ସମଗ୍ର ଉପତ୍ୟକାରେ ତାହାଠୁ କମ୍ ଜଳର ବ୍ୟବହାର ହୋଇଥାଏ।


ଏହି ଦୁଇ ନଦୀର ଉଦାହରଣ ଦେବାର ଅନେକ କାରଣ ରହିଛି। ପ୍ରଥମ କାରଣ ହେଲା ଯେ ଏହି ନଦୀରେ ହୋଇଥିବା ଅନେକ ଜଳଭଣ୍ଡାର, ଆନିକଟ ଆଦିକୁ ପ୍ରାୟ ସମସ୍ତ ବଡ଼ ଡ୍ୟାମ, ଆନିକଟ ପ୍ରେମୀ ଉଦାହରଣ ଭାବରେ ନିଅନ୍ତି। ତେବେ, ଏହି ଦୁଇ ନଦୀକୁ ମୁଁ ଉଦାହରଣ ଭାବରେ ଦେଖିବାର ଅନ୍ୟ ଏକ କାରଣ ଅଛି। ଉଭୟ ନଦୀର ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମୁରେ-ଡାର୍ଲିଙ୍ଗ ନଦୀ ଅବବାହିକାରେ ବୃଷ୍ଟିପାତ ଖୁବ୍ କମ୍ ଓ ଅଧିକାଂଶ ଜଳ ଚାଷରେ ଉପଯୋଗ ହୁଏ। ଟେନ୍ନେସି ନଦୀ ଅବବାହିକାରେ ବର୍ଷା ଅଧିକ କିନ୍ତୁ ଜଳସେଚନ ପାଇଁ ଉପଯୋଗ ଅତି ନଗଣ୍ୟ। ପ୍ରାୟ ସବୁ ପାଣି ଜଳବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୁଏ ତେଣୁ ନଦୀକୁ ପାଣି ଫେରିଆସେ। ମୁରେ-ଡାର୍ଲିଙ୍ଗ ନଦୀ ଅବବାହିକାରେ ପାଞ୍ଚଟି ରାଜ୍ୟ ଓ ଅଷ୍ଟ୍ରେଲିୟ କେନ୍ଦ୍ରୀୟ ପ୍ରଦେଶର ଅଞ୍ଚଳ ରହିଛି। ରାଜ୍ୟ ମାନଙ୍କ ଭିତରେ ବ୍ୟବହାରକୁ ନେଇ ରହିଛି ଅନେକ ଦାବୀ ଓ ସେହି ଆବଶ୍ୟକତାରୁ ତଥା ନଦୀ ଜଳର ସୁଷମ ବଣ୍ଟନ ଓ ପରିଚାଳନା ପାଇଁ ସେହି ପ୍ରାଧିକରଣର ସୃଷ୍ଟି ହୋଇଛି। ଟେନ୍ନେସୀ ନଦୀ ପ୍ରାଧିକରଣ କିନ୍ତୁ ଗଠନ ହୋଇଥିଲା ଅନ୍ୟ ଏକ କାରଣରୁ। ଏହି ଅବବାହିକାରେ ଅଛି ଆମେରିକାର ସାତଟି ରାଜ୍ୟର ଅଞ୍ଚଳ। ନଦୀଟି ଅନେକ ସ୍ଥାନରେ ଖୁବ୍ ଢାଲୁ ଅଛି ତଥା ପ୍ରପାତମାନ ରହିଛି ଯାହା ଜଳବିଦ୍ୟୁତ ଉତ୍ପାଦନ ପାଇଁ ଖୁବ୍ ସହାୟକ। ୧୯୨୦ ଦଶକ ଓ ତାହାର ପରବର୍ତ୍ତୀ ସମୟରେ ବିଶ୍ୱ ଅର୍ଥନୀତିରେ ବିରାଟ ମାନ୍ଦାବସ୍ଥା ଆସିଥିଲା। ସେହି ସମୟରେ ଆମେରିକୀୟ ଅଧିବାସୀମାନେ ଅଭିଯୋଗ କଲେ ଯେ ବିଦ୍ୟୁତ କମ୍ପାନୀମାନେ ପ୍ରଚଣ୍ଡ ଲାଭଖୋର ମନୋବୃତ୍ତି ରଖି ଉପଭୋକ୍ତାଙ୍କୁ ଲୁଟୁଛନ୍ତି। ସେହିଭଳି ଅଭିଯୋଗକୁ ଦୃଷ୍ଟିରେ ରଖି ଆମେରିକୀୟ ରାଷ୍ଟ୍ରପତି ଶ୍ରୀ ରୁଜଭେଲ୍ଟ ଘୋଷଣା କଲେ ଯେ ଘରୋଇ କମ୍ପାନୀମାନଙ୍କର ନିଜସ୍ୱ ସ୍ୱାର୍ଥ ରହୁଥିବାରୁ ଜନସେବା ପ୍ରଭାବିତ ହେଉଛି ତେଣୁ ସେହି ସମ୍ବନ୍ଧିତ କ୍ଷେତ୍ରମାନଙ୍କରେ ସରକାରୀ ଦାୟିତ୍ୱ ଅଧିକ ରହିବା ଦରକାର। ସେହି ନିଷ୍ପତ୍ତିରୁ ଟେନ୍ନେସୀ ନଦୀ ଉପତ୍ୟକା ପ୍ରାଧିକରଣର ସୃଷ୍ଟି ହୋଇଛି। ଟେନ୍ନେସୀ ନଦୀ ପ୍ରାଧିକରଣର ପରିଯୋଜନାରେ ବିଜୁଳୀ ଉତ୍ପାଦନ ପ୍ରାଥମିକତା ରହିଛି କିନ୍ତୁ ବନ୍ଧବାଡ଼ ଯୋଗୁଁ ନୌ-ପରିବହନ ସୁଗମ ହୋଇଛି ଏବଂ ପାନୀୟ ଜଳଯୋଗାଣ, ଶିଳ୍ପାୟନ ଓ ଅଳ୍ପ କିଛି ଚାଷ ପାଇଁ ମଧ୍ୟ ଜଳ ଉପଲବ୍ଧ ହେଉଛି।


ତେବେ ଏହି ଆଲେଖ୍ୟରେ ଉଭୟ ନଦୀର ଉଦାହରଣ ଦେବାର ଅନ୍ୟ ଏକ ବିଶେଷ କାରଣ ରହିଛି। ଟେନ୍ନେସୀ ନଦୀର ପ୍ରାୟ ସବୁ ପାଣି ସମୁଦ୍ରକୁ ବହିଯାଉଥିବା ବେଳେ ମୁରେ-ଡାର୍ଲିଂ ନଦୀର ଅତି କମରେ ୨୨% ଜଳ ନଦୀର ନିଜର ଆବଶ୍ୟକତା ଅଟେ ଏବଂ ତାହା ଉପରେ ମଣିଷର ହକ୍ ନାହିଁ ବୋଲି ସରକାରମାନେ ମାନି ନେଇଛନ୍ତି। ଏହାକୁ ମହାନଦୀ ସନ୍ଦର୍ଭରେ ଦେଖିବାର ଆବଶ୍ୟକତା ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୬.୦୯.୨୦୧୬ ତାରିଖରେ ବିଧାନସଭାରେ କହିଲେ ଯେ ମହାନଦୀର ପ୍ରାୟ ୨୦.୯ ନି.ଏ.ଫୁ. ପାଣି ସମୁଦ୍ରକୁ ବହିଯାଉଛି, ଯାହା ମହାନଦୀରେ ଓଡ଼ିଶା ପାଉଥିବା ଜଳର ପ୍ରାୟ ୫୨%। ଭାରତର ପ୍ରଧାନମନ୍ତ୍ରୀ କଟକର ସଭାରେ ସେୟାକୁ କଟାକ୍ଷ କରି ତାହା ଓଡ଼ିଶାର ନାକାମି ବୋଲି କହିଲେ। ହୀରାକୁଦ ମୂଳ ଯୋଜନା ଦସ୍ତାବିଜ ଅନୁସାରେ ସମଗ୍ର ମହାନଦୀ ଅବବାହିକାରେ ବାର୍ଷିକ ୭୪ ନି.ଏ.ଫୁ. ପାଣି ବହିଥାଏ। ଏହି ହିସାବରେ ମହାନଦୀର ୫୨% ନୁହେଁ ମାତ୍ର ୨୮.୨% ପାଣି ହିଁ ସମୁଦ୍ରକୁ ବହୁଛି। କ’ଣ ନଦୀର ଏତିକି ବି ଆବଶ୍ୟକତା ନାହିଁ? ଟେନ୍ନେସି ଓ ମୁରେ-ଡାର୍ଲିଂର ଉଦାହରଣ ଦେଇ ବନ୍ଧ, ବ୍ୟାରେଜ ପାଇଁ ଯୁକ୍ତ ବାଢୁଥିବା ଯନ୍ତ୍ରୀ, ନେତା ଓ ଜନତା ଟିକେ ବୁଝନ୍ତୁ ।

(This article was first published in my fortnightly column in Dharitri 'Tatwa O Tarka' on June 13, 2018. The original article can be accessed at http://dharitriepaper.in/edition/196/bhubaneswar/page/6 )